କାମଦେବ ମହାରଣାଙ୍କ ଧାରାବାହିକ ଉପନ୍ୟାସ “ଦେବୀ” : ଭାଗ ୧୯
ପ୍ରାଚୀ କୂଳରେ ଏକ ଗାଆଁ,ମୁକ୍ତାପୂର। କିଏଦେଲା ଏତେ ସୁନ୍ଦର ନାଆଁ? ପିଲାଦିନରୁ ଶୁଣିଆସିଛି ଦେବ ଏଇ ଗାଆଁକୁ ନେଇ ଏକ ସୁନ୍ଦର କାହାଣୀ। ଦୀର୍ଘ ଅତୀତର କେଉଁ ଏକ ଅନ୍ଧାରୀ ଗୁମ୍ଫାରେ ରହିଛି ସେହି କାହାଣୀର ମଞ୍ଜି। ଦେବ ପିଲାଦିନେ ଅନେକ ଥର ଶୁଣିଛି ଏଇ ମୁକ୍ତାପୁରକୁ ନେଇ ରଚିତ ଗପଟିକୁ।
ଏକଦା ଏହି ଗ୍ରାମର ଜଣେ ସୁଧର୍ମା ଜମିଦାର ନିକଟସ୍ଥ ନଗରରୁ ଗ୍ରାମକୁ ପ୍ରତ୍ୟାବର୍ତ୍ତନ ପଥରେ ଭୟଙ୍କର ଦସ୍ୟୁମାନଙ୍କ ଦ୍ଵାରା ବନ୍ଦୀ ହେଲେ।ପାର୍ଷଦ ତଥା ଅନ୍ୟ ସେବକ ଗଣ ଗ୍ରାମକୁ ଫେରି ଜମିଦାରଙ୍କ ପତ୍ନୀ ଙ୍କୁ ଏବିଷୟରେ ଖବର ଦେଲେ।ରାଣୀଙ୍କ ଏକାନ୍ତ ପରିଚରିକା ଏହାଜଣି ନିଜର ଯୁଦ୍ଧ ନିପୁଣା କନ୍ୟାକୁ ଡ଼କେଇ ରାଣୀଙ୍କ ଦୂତ ହିସାବରେ ରାଜା ବନ୍ଦୀ ହୋଇଥିବା ସ୍ଥାନକୁ ପ୍ରେରିତ କରାଗଲା। ସେଇ ବୁଦ୍ଧିମତୀ କନ୍ୟା ଅନାୟାସରେ ସଶସ୍ତ୍ର ଦସ୍ୟୁମାନଙ୍କୁ ପରାଜିତ କରି ଜମିଦାରଙ୍କୁ ମୁକ୍ତ କଲା। ଜମିଦାର ମୁକ୍ତହୋଇ ଗୃହ ପ୍ରବେଶ ଅନ୍ତେ ସେହି ଝିଅର ନାମାନୁସାରେ ଉକ୍ତ ଗ୍ରାମକୁ ମୂକ୍ତାପୁର ଭାବେ ନାମିତ କରାଗଲା।
ଦେବ ଦେଖୁଥିଲା ଆଖି ଆଗରେ ଏକ ବହାମାନ ଇତିହାସ । ବେଦ ବର୍ଣ୍ଣିତ ଏଇ ସୁକୁମାରୀ ନଈ ଭିତରେ ହଜିଯାଇଛି ହଜାର ବର୍ଷର ସୁଖ ଦୁଃଖ ଶାନ୍ତି ଓ ସଂଘର୍ଷର କଥା। କେତେ ଆଖିର ଲୁହ ଏହାର ପାଣିରେ ମିଶି ସୃଷ୍ଟି କରିଛି ଏକ ଏକ ଅବିସ୍ମୃତ ଓ ତନ୍ମୟତା।
ରାତି ଆସି ଗୋଟାଏ ହେଲାଣି। ଦେବ ଠିଆ ହୋଇଛି ବର୍ତ୍ତମାନ ଓ ଅତୀତର ମଝିବିନ୍ଦୁରେ। କେଉଁଆଡେ ଯିବ ସେ। ସବୁଆଡେ ତ ବାଜୁଛି ଏକ ଭଗ୍ନ ହୃଦୟର ବିରହ ବଂଶୀ।
ନିଜ ଭିତରକୁ ଆଉଥରେ ଫେରିଲା ଦେବ। କେତେ ପ୍ରଚେଷ୍ଟାରେ ନିଜ ଜ୍ୱଳନ୍ତ ଅତୀତ ଉପରେ ତୋଳିଛି ବର୍ତ୍ତମାନର ଝାଟିମାଟି ଘର।
ମାଟି ବନ୍ଧ ଉପରୁ ଅନ୍ଧାର ଭିତରେ ଝଟକୁ ଥିଲା ଦକ୍ଷିଣ ମାଳ ଗାଆଁର ମଲା ଇତିହାସ। ହେଇ ସେଇ ଦିଶୁଛି ସେ ମାଟି ତିଆରି ଟିଲା।ଠାକୁର ବାସନ ।
କ୍ରମଶଃ……
Comments are closed.