Latest Odisha News

BREAKING NEWS

ଧାରାବାହିକ ଉପନ୍ୟାସ : ଦେବୀ (୩)

କାମଦେବ ମହାରଣାଙ୍କ ଧାରାବାହିକ ଉପନ୍ୟାସ “ଦେବୀ” : ଭାଗ ୩ 

ଦୀର୍ଘ ସମୟର ବସଯାତ୍ରା ଏବଂ ସାରା ଦିନର ଧାଁ ଦଉଡ ଭିତରେ କ୍ଲାନ୍ତ ହୋଇ ପଡ଼ିଥିଲା ଦେବୀ। ବାପାଙ୍କ ରୋଗ ବିଛଣା ପାଖରେ ବସି ବସି କେତେବେଳେ ଆଖି ଲାଗିଯାଇଥିଲା। ନିଦ ଭାଙ୍ଗିବା ବେଳକୁ ବାପା ଖାଲି ଦେବୀ …. ଦେବ…. ହେଉଥାନ୍ତି।

ହଠାତ୍ ଉଠିପଡ଼ି ସେ ବାରିଆଡକୁ ଚାଲିଗଲା।କେନ୍ଦୁଗଛର ପତଳା ପତ୍ର ସନ୍ଧିରୁ ଉଦାସ ଓଠର ରେଣୁରେଣୁ ହସ ବିଞ୍ଝି ଦେଉଥିଲା ପୌଷ ପୂର୍ଣ୍ଣିମାର ଜହ୍ନ। ରାତି କେତେହେବ କେଜାଣି? ତା ମନରେ ଉଙ୍କିମାରୁଥିଲା ଅନେକ ପ୍ରଶ୍ନ।

ବାପା କ’ଣ କେବେ ଭଲ ହେବନି!ଯିବେନି ତା ଘରକୁ ବାରି ଆମ୍ବ ଆଉ ଚୁନା ମାଛ ନେଇ ! ଶୁଣେଇବେ ନାହିଁ ତା ଦୁଇ ପିଲାଙ୍କୁ ଜହ୍ନ ମାମୁଁ ଓ ଠେକୁଆ କାହାଣୀ। ଦାଣ୍ଡ ପିଣ୍ଢାରୁ ଶୁଭିବ ନାହିଁ ଭାଗବତ – ବାଲ୍ମୀକି ରାମାୟଣ। ଗାଆଁ ମିଟିଂର ନୀରବ କୋଳାହଳ ଭିତରେ ମୁରବୀପଣର ଉଚ୍ଚସ୍ୱର।

ବାପା ତା’ ଜୀବନର ସବୁକିଛି ଥିଲେ। ସେ ହିଁ ତାକୁ ଦେଇଥିଲେ ଆକାଶରେ ଉଡ଼ିବାର ଡେଣା ହଳେ। ହେତୁ ପାଇବା ପରଠୁ ଘରର ହିସାବ ନିକାଶ ଥିଲା ଦେବୀ ହାତରେ। ବୋଉ ଥିଲା ଶୁଖିଲା ନଡ଼ା-କୁଣ୍ଡା ଚୋବେଇ ମିଠା କ୍ଷୀର ଦେଉଥିବା ଗୋମାତା।

ବାପା ତାକୁ ଲକ୍ଷ୍ମୀ ଦେବୀ ଡାକୁଥିଲେ। ସତକୁ ସତ ତା ପାଦ ଚିହ୍ନରେ ଫୁଟି ଉଠୁଥିଲା ସୁବର୍ଣ୍ଣ କମଳ। ବାପା ଗେଲକରି କହୁଥିଲ ମୋ ମାଆର ଦେବୀ ପାଦ।
ହେଲେ ବାପାମାନେ ବୁଝିପାରନ୍ତି ନାହିଁ ଦେବୀପଣ ଏକ ଖୋଳପା। ବୟସ ବଢିଲେ ସେ ଖୋଳପା ଭିତରେ ବସା ବାନ୍ଧେ ଏକ ଶୂନ୍ୟତା। ସେ ଶୂନ୍ୟତା ବଢ଼ିବଢ଼ି ମିଶିଯାଏ ଆକାଶ ସହ। ଦେବୀ ଅମୁହାଁ ମନ୍ଦିରରେ ମୂର୍ତ୍ତି ଆଉ ଜଉମୁଦା ମହଲ କାନ୍ଥରେ ଚିତ୍ର ହୋଇଯାଏ।

ଆକାଶର ଜହ୍ନ ଏବେ ପ୍ରଧାନ ଘର ଡେଙ୍ଗା ନଡିଆ ଗଛର ବାହୁଙ୍ଗା ଉପରେ । ସେ ଜହ୍ନକୁ ଭଲ ଭାବରେ ଚାହିଁଲା। ଇଏ ସେଇ ଜହ୍ନ ଯିଏ ତା ଶୈଶବ ମନରେ ଆଙ୍କିଥିଲା ଆପଣାପଣର ସ୍ଥିରଚିତ୍ର, କିଶୋରୀ ମନରେ ଅନ୍ଧାର ଆଉ ଆଲୁଅର ମାୟା ମହଲ, ଆଦ୍ୟ ଯୌବନରେ ଅସୁମାରୀ ସ୍ବପ୍ନ ଆଉ କଳ୍ପନାର ମନ୍ଦିର ପୁଣି କେବେ ଜହ୍ନ ଭିତରେ ସେ ଦେଖେ ନିଜର ଛାଇଟିଏ, ସେ ଛାଇ ଭିତରେ ଜଣେ କେହି ଦୂର ଅତୀତର କଳଙ୍କ।

ଗୋଟାଏ ମୃତ୍ୟୁମୁଖି ବଣ ଆରପଟେ ଅସହ୍ୟ ବେଦନା ଗୀତ ଗାଉଥାଏ ସମୁଦ୍ର। ସେ ଗୀତ ପୁଣି କେବେ ଅନ୍ତରଙ୍ଗ ଆଲୋଡନ ତ କେବେ ବିପୁଳ ବିସ୍ମୟର ଛାତିଫଟା କୋହ। କେବେ ପୁଞ୍ଜିଭୂତ ତରଳ ଶୂନ୍ୟତାର ସଞ୍ଚିତ ଦୀର୍ଘଶ୍ୱାସ, ଗୋଟେ ବନ୍ଦୀ ଆବେଗର ହୃଦୟ ସ୍ପନ୍ଦନ । ଦେବୀକୁ ଭଲ ଲାଗେ ସମୁଦ୍ର, ଭଲ ଲାଗେ ତାର ଚିତ୍କାର, ମଥାଘାତ। ସେ ସମୁଦ୍ର କୂଳ ବାଲି ଉପରେ ଲେଖେ ତା ଜୀବନ କାହାଣୀ। ପ୍ରତିଟି ଲହରୀ ଓଠରେ ପେନ୍ଥାପେନ୍ଥା ଛେନାଫୁଲ ଧରି ଲିଭେଇ ଦିଅନ୍ତି ପ୍ରତିଟି ଅକ୍ଷରକୁ।ଏମିତି ଲେଖିବା ଲିଭାଇବା ଭିତରେ ସରି ଆସେ ଗୋଟେ ହୀନିମାନ ଜୀବନ।

ବାଉଁଶ ବାରିରେ ପବନ ଫୁଙ୍କୁଥାଏ ବଂଶୀ। ପତ୍ରଙ୍କ ମର୍ମର କଥାବାର୍ତା ଭିତରେ ମଲା ଅତୀତ ଭିତରୁ ମୁଁହ କାଢୁଥାଏ ଏକ ରକ୍ତରଞ୍ଜିତ ଇତିହାସ। ସେ ଇତିହାସର ପ୍ରତିଟି ଧାଡ଼ିରେ
ବୀରପଣେ ସହୀଦ ହୋଇଥିବା ଗୋଟେ ସମ୍ପର୍କର ଜୟଗାନ।

ଏତେ ବର୍ଷ ପରେ କାହିଁକି ଏମିତି ଭାବପ୍ରବଣତା ?

ବିବେକ ପଚାରିଲା ମନକୁ!

ସେ ଦୁହିଁଙ୍କ ଭିତରେ ଠିଆ ହୋଇ ଦେବୀ ନିଜକୁ ଚାରି ଭାଗ କଲା।ପ୍ରଥମ ଭାଗରେ ଜନ୍ମ – ଯୌବନ – ଯନ୍ତ୍ରଣା। ଦ୍ୱିତୀୟ ଭାଗରେ ପ୍ରେମ ଓ ପାଗଳାମୀ। ତୃତୀୟ ଭାଗରେ ଆଖି – ସ୍ବପ୍ନ – ଲୁହ। ଚତୁର୍ଥ ଭାଗରେ ଗୋଟେ ଶୂନ୍ୟତା, ଆଲୋକିତ ଶୂନ୍ୟତା।

ମନ ଓ ବିବେକ ପରସ୍ପରକୁ ଚାହିଁ ଚୁପ୍ ରହିଲେ। ଦେବୀ ପୁଣି ଫେରିଗଲା ତା’ର ବର୍ଷଣ ମୁଖର ଆଖି ପାଖକୁ। ଏଇ ଲୁହଙ୍କ ବ୍ୟତୀତ ଆଉ କିଏ ତାର ନିଜର ଅଛି। ପୂର୍ଣ୍ଣ ପୂର୍ଣ୍ଣ ଲାଗୁଥିବା କୋଳାହଳ ଭିତରେ ସେ ଯେତେବେଳେ ଏକା ହୋଇଯାଏ ସେତେବେଳେ ଏଇ ଲୁହମାନେ ହିଁ ତାକୁ ପ୍ରବୋଧନା ଦିଅନ୍ତି। ସମୟ ଓ ସମ୍ପର୍କର ମିଶାଣ ଫେଡାଣରେ ତାର ପକ୍ଷ ନିଅନ୍ତି।

କିନ୍ତୁ ସେ ଆଜି କାନ୍ଦିବ ନାହିଁ। କାନ୍ଦିବାକୁ ତ ସାରା ଜୀବନ ପଡ଼ିଛି। ଆଜି ସେ ମନ ଭରି ଅତୀତକୁ ଖୋଜିବ। ଖୋଜିବ ତା’ ପିଲାଦିନେ ହଜିଯାଇଥିବା ପାଉଁଜି, ଧୂଳିଖେଳରେ ହଜେଇଥିବା ପୁଅରାଜା। ପରିଚିତ ତାର ପ୍ରତିଟି ମୁହୂର୍ତ୍ତ ସହିତ ସେ ଆଉଥରେ ମିତ ବସିବ। କଳ୍ପନା ସାଙ୍ଗେ ଯାଇ ପାଟ ଭିତରୁ ନୀଳକଇଁ ତୋଳିବ।

ଦେବୀ…..କୁଆଡେ ଗଲୁ ତୁ? ଅନ୍ଧାର ଭିତରେ କରୁଛୁ କ’ଣ..?
ଅଗଣାରୁ ଶୁଣାଗଲା ବୋଉର ଚିତ୍କାର।

ସେ ଫେରି ଆସିଲା ଅତୀତ ପାଖରୁ….

କ୍ରମଶଃ…..

Comments are closed.