Latest Odisha News

BREAKING NEWS

ଓମିକ୍ରନ୍ ସଂକ୍ରମଣରୁ ବର୍ତ୍ତିବା ପାଇଁ ଆମେରିକାରୁ ଓଡ଼ିଆ ବୈଜ୍ଞାନିକଙ୍କ ଚେତାବନୀ

କରୋନାର ନୂଆ ପ୍ରଜାତି ଓମିକ୍ରନ୍ ଦ୍ରୁତ ସଂକ୍ରମଣ ଆଣୁଥିବାରୁ ଏହାକୁ ରୋକିବା ପାଇଁ ସରକାର କଠୋର ପଦକ୍ଷେପ ଗ୍ରହଣ କରିବା ଏବଂ ଲୋକେ ଜାରି କରାଯାଉଥିବା ମାର୍ଗ ନିର୍ଦ୍ଦେଶିକାର ସଠିକ୍ ପ୍ରତିପାଳନ କରିବା ଲାଗି କାଲିଫର୍ଣ୍ଣିଆ ବିଶ୍ୱବିଦ୍ୟାଳୟରେ କରୋନା ନିୟନ୍ତ୍ରଣ ପାଇଁ ଗବେଷଣା କରୁଥିବା ଯୁବ ଓଡ଼ିଆ ବୈଜ୍ଞାନିକ ଡ଼ଃ ସ୍ୱୟଂ ପ୍ରକାଶ ପରାମର୍ଶ ଦେଇଛନ୍ତି ।

କରୋନା ଟିକା ପ୍ରସ୍ତୁତି କ୍ଷେତ୍ରରେ ଯୁକ୍ତରାଷ୍ଟ୍ର ଆମେରିକାରେ ଯେଉଁ ବୈଜ୍ଞାନିକ ଗୋଷ୍ଠି କାର୍ଯ୍ୟକରି ଆସୁଛନ୍ତି ସେମାନଙ୍କ ମଧ୍ୟରେ ଡ଼ଃ ସ୍ୱୟଂ ପ୍ରକାଶ ବେଶ୍ ଜଣାଶୁଣା । ଏହି ଗୋଷ୍ଠି ଏବେ କରୋନାର ବୁଷ୍ଟର ଡୋଜ୍ ସହିତ ଔଷଧ ପ୍ରସ୍ତୁତିରେ ବ୍ୟସ୍ତ ଅଛନ୍ତି । ଇମ୍ୟୁନୋ ଜେନିଟିକସ୍ କ୍ଷେତ୍ରରେ ପ୍ରାୟ ୧୦ ବର୍ଷ ଧରି ସେ ଉଚ୍ଚତର ଗବେଷଣା ଚଳାଇଛନ୍ତି ।

ଡ଼ଃ ସ୍ୱୟଂ ପ୍ରକାଶ କହିଛନ୍ତି ଯେ କୋଭିଡ୍‌ର ଡେଲ୍‌ଟା, ବିଟା, ଆଲ୍‌ଫା, ଗାମା, ଲାମ୍ବଡା ଆଦି ପ୍ରଜାତି ତୁଳନାରେ ଓମିକ୍ରନ୍‌ର ସଂକ୍ରମଣ ହାର ବେଶ୍ ଅଧିକ । ତେବେ ଯେଉଁମାନଙ୍କର ଶରୀରରେ ଦୁଇ ଡୋଜ୍ ଟିକାର ଶକ୍ତି ରହିଛି ସେମାନଙ୍କ ଠାରେ ସଂକ୍ରମଣର ପ୍ରଭାବ କମ ରହିପାରେ । ତେଣୁ ଟିକା କରଣ କାର୍ଯ୍ୟକ୍ରମକୁ ବ୍ୟାପକ କରିବା ସହିତ ଅଯଥାରେ ଗହଳି ସ୍ଥାନକୁ ନ ଯିବା ଓ କୋଭିଡ୍ ନିୟନ୍ତ୍ରଣ ପାଇଁ ଜାରି କରାଯାଉଥିବା ମାର୍ଗଦର୍ଶିକା ଗୁଡିକର କଡାକଡି ଅନୁପାଳନ କରାଯିବା ଆବଶ୍ୟକ । ଓମିକ୍ରନ୍‌ର ପ୍ରଭାବରେ ପ୍ରତିଦିନ ଦକ୍ଷିଣ ଆଫ୍ରିକାରେ ସଂକ୍ରମଣ ହାର ପ୍ରାୟ ଦୁଇ ଗୁଣ ବଢ଼ୁଥିବା ଉଦ୍‌ବେଗଜନକ । ତିନି ସପ୍ତାହ ମଧ୍ୟରେ ଓମିକ୍ରନ୍ ଭାରତ ସମେତ ପ୍ରାୟ ୩୦ଟି ଦେଶରେ ପହଞ୍ଚି ସାରିଛି । ଏବେ ବିଜ୍ଞାନ ସମ୍ମତ ପଦ୍ଧତିରେ ଏହି ମହାମାରୀକୁ ନିୟନ୍ତ୍ରଣ କରିବା ଏକ ଆହ୍ୱାନ ହେଇଛି ।

୨୦୧୯ ନଭେମ୍ବର ମାସରେ ଚୀନ୍‌ରେ କରୋନା ଆରମ୍ଭ ହୋଇଥିବା ବେଳେ ଭାରତରେ ଏହା ୨୦୨୦ ଜାନୁଆରୀ ଶେଷ ଭାଗରେ ଚିହ୍ନଟ ହୋଇଥଲି । । ଇତିମଧ୍ୟରେ ସମଗ୍ର ବିଶ୍ୱରେ ପ୍ରାୟ ୨୬କୋଟି ୪୦ଲକ୍ଷ ଲୋକ କରୋନା ସଂକ୍ରମିତ ହୋଇଥିବାବେଳେ ପାଖାପାଖି ୫୨,୪୬,୦୦୦ ଲୋକ ଏଥିରେ ମୃତ୍ୟୁ ବରଣ କଲେଣି । ପ୍ରାୟ ଦୁଇ ବର୍ଷ ଭିତରେ କରୋନା ଅନ୍ୟୁନ ୨୨୦ଟି ଦେଶକୁ ବ୍ୟାପି ସାରିଛି । ଅବଶ୍ୟ ଏହି ମାରାତ୍ମକ ରୋଗରେ ପାଖାପାଖି ୨୪କୋଟି ଲୋକ ସୁସ୍ଥ ହୋଇଛନ୍ତି ।

କିଛିଦିନ ଧରି ଭାରତ ବିଶେଷକରି ଓଡ଼ିଶାରେ କରୋନାର ସଂକ୍ରମଣହାର ବିଗତ ବର୍ଷ ତୁଳନାରେ ଢ଼େର କମ୍ ଥିବାବେଳେ ଏବେ ଓମିକ୍ରନ୍ ମାଧ୍ୟମରେ ଦେଶରେ କରୋନାର ତୃତୀୟ ଲହର ସମ୍ଭାବନାକୁ ଏଡାଇ ଦେଇ ହେବନାହିଁ ବୋଲି ସେ କହିଛନ୍ତି । ପୂର୍ବରୁ କରୋନା ରୋଗୀଙ୍କର ଯେତେସବୁ ଲକ୍ଷଣ ଦେଖାଦେଉଥିଲା ଏବେ ନୂଆ ପ୍ରଜାତିର ଆକ୍ରମଣ ଯୋଗୁଁ ସେଥିରେ ବ୍ୟାପକ ପରିବର୍ତ୍ତନ ଆସିଛି । ବିଶେଷକରି ଓମିକ୍ରନ୍ ସଂକ୍ରମଣ କ୍ଷେତ୍ରରେ ମୃତ୍ୟୁହାର କମ୍ ରହିବ ବୋଲି ପୂର୍ବାନୁମାନ କରାଯାଉଥିଲେ ମଧ୍ୟ କୋଭିଡ୍‌ରେ ସଂକ୍ରମିତ ଲୋକଙ୍କର ପରବର୍ତ୍ତୀ ସମୟରେ ଭୟଙ୍କର ରୋଗବ୍ୟାଧିମାନ ଦେଖାଦେଉଛି । ବିଶେଷକରି କୋଭିଡ୍ ଯୋଗୁଁ ଫୁସ୍‌ଫୁସ୍ ଓ ଶ୍ୱାସନଳୀ ବ୍ୟାପକଭାବେ ସଂକ୍ରମିତ ହେଉଥିବାରୁ ଲୋକେ ଧୂମପାନ, ମଦ୍ୟପାନ, ତମାଖୁ ଓ ଅନ୍ୟ ନିଶା ସେବନଠାରୁ ଦୂରେଇ ରହିବା ସହ ଜଳ,ବାୟୁ ଓ ମୃତ୍ତିକାକୁ ପ୍ରଦୁଷଣ ମୁକ୍ତ ରଖିବା ଲାଗି ଡ଼ଃ ସ୍ୱୟଂ ପ୍ରକାଶ ମତ ଦେଇଛନ୍ତି । ସାମାଜିକ ଓ ଆଧ୍ୟାତ୍ମିକ କାର୍ଯ୍ୟକ୍ରମରେ ଅଧିକ ଲୋକ ସମାଗମକୁ ଏଡାଇବା ଏବଂ ହାଟ ବଜାରରେ ଭିଡ ରୋକିବା ଲାଗି ସେ କହିଛନ୍ତି ।

ଏହା କରାନଗଲେ ଅଳ୍ପକେତେ ଦିନ ମଧ୍ୟରେ ଓଡ଼ିଶାରେ ଓମିକ୍ରନ୍‌ଜନିତ ସଂକ୍ରମଣ ଓ ମୃତ୍ୟୁସଂଖ୍ୟା ଢ଼େର ବୃଦ୍ଧି ପାଇବ ବୋଲି ସେ ଚେତାଇ ଦେଇଛନ୍ତି ।

ଭାରତ ବିଶେଷକରି ଓଡ଼ିଶାରେ ପୂର୍ବରୁ କରୋନା ନିୟନ୍ତ୍ରଣ ପାଇଁ ଯେଭଳି ପଦକ୍ଷେପ ନିଆଯାଇଥିଲା ଏବେ ସେହିଭଳି କଡା ପଦକ୍ଷେପ ଗ୍ରହଣ କରାଯିବାର ସମୟ ଆସିଛି । ଲୋକେ ନିଜ ଆଡୁ ସ୍ୱତଃସ୍ଫୁର୍ତ୍ତ ଭାବେ ଆଗେଇ ନଆସିଲେ ଭାରତରେ କରୋନା ଆତଙ୍କ ସୃଷ୍ଟି କରିପାରେ ବୋଲି ସେ ଚେତାବନି ଦେଇଛନ୍ତି ।

କରୋନାର ଓମିକ୍ରନ୍ ପ୍ରଜାତିକୁ ଇତିମଧ୍ୟରେ ଜାତିସଂଘ ‘ଭାରିଏଣ୍ଟ୍ ଅଫ୍ କନ୍‌ସର୍ଣ୍ଣ’ ଭାବେ ଘୋଷଣା କରିଥିବା ପରିପ୍ରେକ୍ଷୀରେ ଲୋକେ ନିଜ ଆଡୁ ଏଥିପ୍ରତି ସଜାଗ ରହିବା ପାଇଁ ସେ କହିଛନ୍ତି ୨୦୨୦ ମାର୍ଚ୍ଚ ମଧ୍ୟଭାଗରେ ଓଡ଼ିଶାରେ ପ୍ରଥମ କରୋନା ରୋଗୀ ଚିହ୍ନିତ ହୋଇଥିଲା । ବେଳେ ବ୍ୟାପକ ପ୍ରତିଷେଧମୂଳକ ବ୍ୟବସ୍ଥା ସତ୍ୱେ ପ୍ରାୟ ୨୧ମାସ ମଧ୍ୟରେ ଓଡ଼ିଶାରେ
କରୋନା ବେଶ୍ କ୍ଷତି କରିଛି । ତେବେ ସରକାରଙ୍କ ଆଗୁଆ ପଦକ୍ଷେପ ଓ ସେଥିଲାଗି ଜନସହଯୋଗ ଯୋଗୁଁ ଭୟଙ୍କର ସମସ୍ୟାରୁ ଓଡିଶା ବର୍ତ୍ତି ପାରିଛି ଏବଂ ଏ କ୍ଷେତ୍ରରେ ଓଡ଼ିଶା ମଡେଲ୍ ବାହାରେ ବେଶ୍ ପ୍ରଶଂସିତ ହୋଇଛି । ତେଣୁ ପୂର୍ବ ଅଭିଜ୍ଞତାକୁ ଆଖି ଆଗରେ ରଖି ଓମିକ୍ରନ୍ ପରିପ୍ରେକ୍ଷୀରେ ଓଡିଶା ଦୃଢ଼ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବା ଉଚିତ୍ ହେବ ବୋଲି ଡ଼ଃ ସ୍ୱୟଂ ପ୍ରକାଶ ଚେତାଇ ଦେଇଛନ୍ତି ।

Leave A Reply

Your email address will not be published.