Latest Odisha News

BREAKING NEWS

ଧାରାବାହିକ ଉପନ୍ୟାସ : ଦେବୀ (୫)

କାମଦେବ ମହାରଣାଙ୍କ ଧାରାବାହିକ ଉପନ୍ୟାସ “ଦେବୀ” : ଭାଗ

ଗାଆଁରେ ରାତି କିଛି ସ୍ତୁପିଭୂତ ରହସ୍ୟର ଭିତ୍ତିକଥା ପରି। ସେ ରହସ୍ୟ ଭିତରେ ଥାଏ ବୁଢ଼ୀ ଅସୁରୁଣୀର ଯାଦୁପେଡ଼ି। ଯାଦୁପେଡି ଭିତରେ କୁଆଁରୀ ହାଡ଼। ଯାହା ବଳରେ ମାଲ୍ୟାଣୀ କରେ ରାଜାପୁଅକୁ ମେଣ୍ଢା,ମେଣ୍ଢାକୁ ରାଜାପୁଅ।

ପିଲାଦିନେ ଦେବୀ ଥିଲା ଏକ ଚଞ୍ଚଳ ପ୍ରଜାପତି । ତା ଗୋରା ଦେହକୁ ଖୁବ୍ ମାନେ ହଳଦୀ ରଙ୍ଗର ଫ୍ରକ୍। ବୋଉ ନାଲି ରିବନରେ ବାନ୍ଧିଦିଏ ଦୁଇ ଧାରରେ ବେଣୀ। ମଥାରେ ଆଙ୍କିଦିଏ କୁଙ୍କୁମରେ ଚିତା। ଡାହାଣୀ ଚିରୁଗୁଣୀଙ୍କ ଡହାଣା ନଜର ପାଇଁ ବାଆଁ ଗାଲରେ କଳାଟିପା। ଦେବୀ ଦାଣ୍ଡକୁ ଖେଳିବାକୁ ଯାଏ।

ଦାଣ୍ଡରେ ଥାଏ ଅଭଡ଼ା ସୁନୀତା।ମହାନ୍ତି ଘର ଝିଅ ରୀନା, ବଇଁଶୀ ମାମୁଁଙ୍କ ପୁଅ ସୁମନ। ସେମାନେ ଧୂଳି ଧୂସର ହୁଅନ୍ତି। ନଡ଼ିଆ ସଢ଼େଇରେ ଗୋଡ଼ି ବାଲିରେ ଭାତ ତିଅଣ ରାନ୍ଧି ତା ପାଖରେ ଭୋଗ ଲଗାନ୍ତି। ମାଟିର ମଣ୍ଡପ ଉପରେ ବସିଥାଏ ଦେବୀ। ଅଭଡ଼ା କେନ୍ଦୁ ଫୁଲରେ ମାଳକରି ତା ଗଳାରେ ଲମ୍ବେଇ ଦିଏ। ସୁମନ ବାଳାନନା ହୋଇ ପୁଜାକରେ।

କେଉଁଠି ଥାଏ କେଜାଣି ମହାନ୍ତି ସାହିର ରଘୁ ମଉସାଙ୍କ ପୁଅ ଦେବ। ଗୋଟିଏ ଅଶାନ୍ତ ଝଡ଼ ପରି ଆସେ। ଦେବୀ ପାଖରେ ବସି ଆଦେଶ ଦିଏ । ଆଣ ଫୁଲ ମାଳା, ଧୂଳିର ଚନ୍ଦନ।ବରପତ୍ରର ଦୀପ।ଦେବୀ ସାଙ୍ଗରେ ମତେ ବି ପୂଜାକର।

ସେ ଦେବୀ ହେଲେ ମୁଁ ଦେବ।

ଅଭଡ଼ା ଗରଗର ହୁଏ। ବାଲି ଫିଙ୍ଗେ ରୀନା। ସୁମନ ଡରି ଡରି କୁହେ – ହଉ ବ’,  ଆ  ପୂଜିଦେବୁ।  କିନ୍ତୁ ଗୋଟିଏ ସର୍ତ୍ତରେ। ତୁ ଆମ ସହିତ ବାହାଘର ଖେଳ ଖେଳିବାକୁ ପଡିବ। ତୁ ହେବୁ ବର। ଦେବୀ ହେବ କନିଆ। ମୁଁ ପଣ୍ଡିତ। ଆମେ ଭୋଜି କରିବା, କଷି କରମଙ୍ଗା ଆଉ ଇଟା ଚୁନାରେ। ଦେବ ଥଙ୍ଗମଙ୍ଗ ହୋଇ ଜାକିଜୁକି ହୁଏ। ସେ ବୁଝି ପାରେନା ବାହାଘର କ’ଣ। କିନ୍ତୁ ସେ ଦେଖିଛି ତା ସାନ ମାମୁଁର ବାହାଘର।

ଦେବୀକୁ ଖୁବ୍ ଲାଜ ମାଡେ। ତା’ର ଗୋରା ମୁହଁଟି ପାଚି ଲାଲ୍ ପଡ଼ିଯାଏ। ଖେଳ ସରିଲେ ଦେବ କହେ – ଆ ‘ ଆମଘରକୁ ଯିବା।ଲାଜରେ ପାଣି ପାଣି ହୋଇ ଦେବୀ ଘରକୁ ଦଉଡେ।

ବୋଉକୁ ପଚାରେ ବାହାଘର କ’ଣ? ସର୍ବଦା ଚୁପ୍ ରହୁଥିବା ବୋଉ ହସେ ,ପାହାଡ଼ ଦାଢ଼ରେ ଚେନାଏ ବିଜୁଳି ପରି। ଦେବୀର ମୁଣ୍ଡ ସାଉଁଳେଇ କହେ ମୋ ଝିଅ ସତ ଦେବକୁ ବାହାହେବ। ଏ ରଘୁ ମହାନ୍ତି ପୁଅ ଦେଵକୁ ନୁହେଁ।।

ମନ୍ଦିରର ଦେବକୁ !

ନିଦ୍ରା ଆଉ ଜାଗ୍ରତ ଭିତରେ ଦେବୀ ଦେଖୁଥିଲା। ଦୁଇଟି ଦେହରେ ଗୋଟିଏ ପାଣ ସତ୍ତାର ଚମତ୍କାରିତା। ଗୋଟିଏ ଶବ୍ଦରେ ଦୁଇଟି ନାଆଁ।ଗୋଟିଏ ମନରେ ଦୁଇଟି କଳ୍ପିତ ଚିତ୍ର।

ବାହାରେ କାହାର ପାଦ ଶବ୍ଦ ଶୁଭିଲା।ଦେବୀ ଅତୀତରୁ ଫେରି ସେ ଶବ୍ଦକୁ କାନେଇଲା। ହଠାତ ତା ଦେହରେ ସଂଚରି ଗଲା ଗୋଟେ ଆହତ ପକ୍ଷିଣୀର ଯନ୍ତ୍ରଣା।

ମିନତି ଭାଉଜ ଆସିଥିଲେ। ଦେବୀ ପାଇଁ ଖାଇବା ଆଣି। ସାରା ଦିନର ଆଲୁଅ ଅନ୍ଧାର ଭିତରେ ସେ ଭୁଲି ଯାଇଥିଲା ଖାଇବା କଥା।ଦୀର୍ଘ ଦିନ ପରେ ସେ ଆତ୍ମବିସ୍ମୃତ ହେଉଛି। ସେ ଭୁଲି ଯାଉଛି ନିଜର ବର୍ତ୍ତମାନ ଆଉ ଭବିଷ୍ୟତ।

ରାତି ଆସି ଦଶଟା ହେଲାଣି,ଟିକେ ଖାଇନିଅ।

ମିନତି ଭାଉଜ ଖୁବ୍ ଧୀରେ କହି ବାହାରକୁ ଚାଲିଗଲେ। ଖଟ ଉପରେ ଥୁଆ ହୋଇଥିଲା କେଇପଟ ରୁଟି,ପରିବା ତରକାରୀ। ହେଲେ ଦେବୀର ଖାଇବାକୁ ଇଛା ଇଚ୍ଛା ଅଛି କି ନାହିଁ ସେ ନିଜେ ଜାଣେନା। ସେ ଗତ କୋଡ଼ିଏ ବର୍ଷ ହେଲା କେବେ ଖାଇଛି ନିଜ ପାଇଁ! ସେ ତ କେବଳ ବଞ୍ଚିବା ପାଇଁ ଖାଏ। ସେ ଖାଦ୍ୟ ହେଉ କି ପାନୀୟ, ଯେଉଁଥିରେ ମନର ଆଗ୍ରହ ନାହିଁ ,ଆତ୍ମାର ଉଚ୍ଚାଟ ନାହିଁ ସେ କ’ଣ ଖୁସି ଦେଇ ପାରେ ?

ଚେତନାର କେଉଁ ଏକ ଅଂଶରେ ସେ ଶୋଇଥାଏ। ଖୁବ୍ ଅନ୍ଧାର ଭିତରେ। କେବଳ ଗୋଟିଏ ଆଲୋକ ଦିଶେ।ସେ ହାତ ବଢାଏ, ନପାଇ ବି ସୁଖ ପାଏ।

ପାଇବା ନପାଇବାର ଦ୍ୱନ୍ଦ୍ୱରୁ ମୁକୁଳିବାକୁ ହେଲେ ଜଣକୁ ସତ୍ୟନିଷ୍ଟ ଭାବେ ଏକାଗ୍ର ଚିତ୍ତରେ ଜିଇଁବାକୁ ହେବ। ସବୁ ଅପ୍ରାପ୍ତି କୋଳାହଳ ଭିତରୁ ଆଶାର ସଙ୍ଗୀତ ଶୁଣିବାକୁ ହେବ।

କିଏ କହେ ଜୀବନ ଏକ ଅନ୍ଧ ଦୌଡ। କିଏ କହେ ଜୀବନ ଏକ ମୃତ୍ୟୁମୁଖୀ ଯାତ୍ରା। ହେଲେ ଦେବୀ ଭାବେ ଜୀବନ ଏକ ଅନ୍ୱେଷଣ, ମଧୁର ଅନ୍ୱେଷଣ।

ମାଆ…. ଦେବ ଆସିଲା ?

ବାପା ଆଉଥରେ ଧୀର ସ୍ଵରରେ କହିଲେ। ସେ ସ୍ଵରରେ ଥିଲା ଏକ ପରିତାପର ବିକଳପଣ। ପ୍ରତିଟି ଶବ୍ଦରେ ଥିଲା ଶଙ୍କାକୁଳ ଆତୁରତା।
ଦେବୀ ଝରକା ଦେଇ ଦେଖୁଥିଲା ଏକ ତାରା ଆଡେ।

କ୍ରମଶଃ…..

Comments are closed.