Latest Odisha News

ଅଜ୍ଞାତ ଠିକଣା : ଅନ୍ତହୀନ ଅଭିବ୍ୟକ୍ତି

ଅସୀମକୁ ଦୃଷ୍ଟି 

ଆକାଶକୁ କୋର୍ଟ ପିନ୍ଧେଇବାର ସ୍ପର୍ଦ୍ଧା କରିଥିଲି ଦିନେ । ତା’ର ମହାଶୂନ୍ୟତାକୁ ବେଢ଼େଇବାକୁ ଚାହିଁଥିଲି ଆବରଣ । ଚୁନା ଚୁନା ମେଘର ଆବେଗରେ ସଜେଇଥିଲି ତାର ଦେହ । ଖଞ୍ଜିଥିଲି ମଣିଷର ହାତ ଆଉ ରୋପିଥିଲି ପ୍ରେମର ସ୍ତବକ ସେହି ଦିବ୍ୟ ଆଙ୍ଗୁଠିର ବେଷ୍ଟନୀରେ । ବଢ଼େଇ ଦେଇଥିଲି ନିଜକୁ ନିଜେ ଏବଂ ମୁଗ୍ଧ ହେଉଥିଲି ମୁହୂର୍ତ୍ତ ମୁହୂର୍ତ୍ତ ବ୍ୟାପି । ପୁଣି କଷ୍ଟ କାହିଁକି ?

ମୂର୍ତ୍ତିରୁ ମଣିଷର ରୂପ ନେବା କି ଫ୍ରେମରୁ ଫଟୋ ବାହାରି ଆସି ଜୀବନ ଭଳି ଆତଯାତ ହେବା କଳ୍ପନା ନୁହେଁ ସତ ବୋଲି ମୁଁ ଭାବିପାରେ ଆଉ ସେହି ଅନୁଯାୟୀ ବଞ୍ଚିବାର ଚେଷ୍ଟାରେ ଥାଏ । ମୋ ଭଳି କଳ୍ପନାପ୍ରବଣ ମଣିଷଙ୍କୁ ବଞ୍ଚେଇ ରଖେ କୁଆଡେ ଭ୍ରମ ବୋଲି ଅଧିକାଂଶ କହି ହେଉଥାନ୍ତି । ହେଉ ପଛେ ଭ୍ରମ ସେହି ଭ୍ରମ ଟିକକର ଆକର୍ଷଣ ଏତେ ତୀବ୍ର ଯେ ନିତ୍ୟନୂତନ ରଙ୍ଗରେ ରଞ୍ଜିତ ହୋଇଉଠେ ମୋର ଚିତ୍ରିତ ଜୀବନ । ମୋତେ ତ ଲାଗେ ପ୍ରତି ମୁହୂର୍ତ୍ତରେ ମୁଁ ବଦଳୁଛି । ମୋ ସହ ବଦଳି ଯାଉଛି ଜୀବନର ରୂପରେଖ । ପ୍ରତି ମୁହୂର୍ତ୍ତରେ ଦିଗନ୍ତରେ ଅଙ୍କା ହେଉଛି ନୂଆ ନୂଆ ଚିତ୍ର , ପୁଣି ଲିଭି ଯାଉଛି କୋଉ କୁହୁକ ଡଷ୍ଟରରେ । ଲାଗେ ଏ ସବୁ ନିରନ୍ତର ନବାୟନ ପଛରେ ଅଛି ତୁମ ଅଦୃଶ୍ୟ ଉପସ୍ଥିତି । ସେହି ସତ୍ତାର ସ୍ଥିତି ହିଁ ମୋର ଅଭିମାନ ଯାହା ମୋତେ ପ୍ରାଣବନ୍ତ କରେ ।

ଯେତେବେଳେ ଯେମିତି ଲାଗିଛ ମୋତେ , ଯେମିତି ଖୋଜିଛ ମୋତେ , ଯେଉଁଭଳି ଲୋଡିଛ ମୋତେ ମୁଁ ଢାଳି ଦେବାକୁ ଚାହିଛି ସେହି ଛାଞ୍ଚରେ ନିଜକୁ । କେବେ ନିଜକୁ ପ୍ରସ୍ତୁତ କରିବାକୁ ହୋଇଛି ତ କେବେ ପ୍ରସ୍ତୁତି ପୂର୍ବରୁ ସ୍ୱତଃ ସମର୍ପି ହୋଇଛି । ଢାଳି ହେବାର ଅଦ୍ଭୁତ ଆନନ୍ଦ ଟିକକ ପ୍ରାପ୍ତି ହୋଇ ହୃଦୟକୁ ଆପ୍ଳୁତ କରିଛି କେବେ ତ କେବେ ଦୀର୍ଘନିଃଶ୍ୱାସ ହୋଇ ବାହାରି ଆସିଛି ପ୍ରଚ୍ଛନ୍ନ ବିବଶତା । ମହାର୍ଘ ହୋଇଛି ସେହି ସମୟତକ ଯେଉଁଠି ମୁଁ ମୋର କି ତୁମେ ତୁମର ନହୋଇ ଅନୁଭବ ସବୁ ଆମର ହୋଇଥାଏ । ଦୁଃଖ ତ ସେଇଠୁ ଆସେ ଯେତେବେଳେ ହଜାରେ ନାହିଁମାନଙ୍କ ଦ୍ବନ୍ଦ୍ୱକୁ ଡେଇଁ ଡିଆଁକୁଦା କରେ ପ୍ରଶ୍ନ । ଯୁକ୍ତିର ହାତ ଗୋଡ଼ ଲମ୍ବେଇ ଲହୁଲୁହାଣ କରେ ବ୍ୟାକୁଳତାକୁ , ଆମର ବୋଲି ସ୍ବପ୍ନର ବଗିଚାରେ କେନା ମେଲୁଥିବା ନିରୀହ ପ୍ରବଣତାକୁ । ଅସହ୍ୟ ହୁଏ ପ୍ରଶ୍ନଙ୍କ ଅତର୍କିତ ଆକ୍ରମଣର ଜ୍ବଳନ । ସ୍ଥିତିକୁ ନେଇ , ସୁରକ୍ଷାକୁ ନେଇ କବଚମାନଙ୍କ ହିସାବ ହିଁ ଅନ୍ଧାର ବୋଳି ଦିଏ ସତ ମନେ ହେଉଥିବା କଳ୍ପନାର ଆଲୋକ ଦେହରେ । ଅନ୍ଧାର ତ ଅନ୍ଧାର ନା ଯିଏ ଦେଇ ଦେଇ ସେହି ସମୟରେ କେବଳ ଅସହାୟତାର ଲୁହ ହିଁ ଦେଇପାରେ ।

ଆଉ ପୋଷାକ ପିନ୍ଧେଇବାର ଇଚ୍ଛା ନାହିଁ ଆକାଶର ଦେହରେ । ଯେତିକି ମୁକୁଳା ହେଉଛି ଆବେଗର ଦେହ ସେତିକି ନିବିଡେଇ ଯାଉଛି ମୁଁ ମୋର ରହସ୍ୟମୟ ଅସ୍ତିତ୍ୱ ସହ । ଅଦ୍ଭୁତ ହତାଶା ଓ ଅସମ୍ଭବ ଦୃଢ଼ତା ଏବେ ମୋ ଭିତରେ । ତୁମେ କୁହ ଅଭାବବୋଧ ମନରେ ଥାଏ । ମୁଁ କୁଆଡ଼େ ତୁମ ସହ ସବୁ ସମୟରେ ତୁମ ଭିତରେ ନିବିଡ଼ ହୋଇ ଥାଏ । ପ୍ରେମ ଓ ପ୍ରାପ୍ତିରେ ବହୁତ କିଛି ଏତେ ଅସମ୍ଭବ ଏବଂ ଅତର୍କିତ ଯେ ଈଶ୍ୱରଙ୍କ ପାଖରେ କୃତଜ୍ଞତାରେ ତୁମ ମୁଣ୍ଡ ନଇଁ ଯାଏ । ମୋ କ୍ଷେତ୍ରରେ କିନ୍ତୁ ଓଲଟା ହୁଏ । ଆଜିକାଲି ଯେଉଁଠି ଲାଖି ରହୁଛି ମୋ ମୁଣ୍ଡ ସେଇଠି ହିଁ ଖୋଜିହେଉଛି ଦମ୍ଭ ଦେଉଥିବା ତୁମ ଛାତିକୁ , ମୋ ହାତ ଉପରେ ନିଜ ହାତ ଥାପି ଅଭୟ ଦେଉଥିବା ତୁମ ଆଖିକୁ , ମନ୍ତ୍ର ଭଳି “ହେଇ ତୁମ ସହ ଅଛି’ର ପ୍ରତ୍ୟୟ ଭରି ଦେଉଥିବା ତୁମର ସେ ପ୍ରାଣମୟ ସାମର୍ଥ୍ୟକୁ । ମୁଁ ଲୋଡ଼େ, ବ୍ୟାକୁଳ ହୁଏ କାରଣ ତୁମ ଅବର୍ତ୍ତମାନ ମୋତେ ଅସ୍ଥିର କରେ । ତୁମେ କୁହ ମୁଁ ତୁମଠୁଁ ଅଭିନ୍ନ ତେଣୁ ମୋତେ ଅଲଗା କରି ମନେ ପକେଇବା ତୁମର ଦରକାର ପଡ଼େନା । ତାହେଲେ ? ଛନ୍ଦୁଛି ମୁଁ , ବାନ୍ଧୁଛି ମୁଁ ଏବଂ ସେହି ନ୍ୟାୟରେ ଦୁଃଖ ସାଉଁଟୁଛି ମୁଁ ! ଦୃଷ୍ଟି କେନ୍ଦ୍ରିତ କରିବା ଲୋଭରେ ତୁମ ସ୍ବଚ୍ଛନ୍ଦତାକୁ ବ୍ୟାହତ କରୁଛି ମୁଁ !! ହେଲେ ସେହି “ମୁଁ” ତ ଚାହେଁ ତୁମକୁ ଗଭୀର ଭାବରେ ତୁମର ଉଜ୍ଜ୍ୱଳତାର ସୀମାନ୍ତରେ । ସେହି ‘ମୁଁ’ଟି କହିବାକୁ ଲୋଭ କରେ ଯେ ଏହି ମୋର ସାଥୀ ଯାହାଙ୍କୁ ନେଇ ମୁଁ ପୃଥିବୀର ଯେକୌଣସି ଅସମ୍ଭବ କାର୍ଯ୍ୟକୁ ସମ୍ଭବ କରିପାରେ ।

ବହୁତ କିଛି ଭାବିଥିଲି ଲେଖିବାକୁ ଲେଖି ହେଉନି । ମୋର ଆବଶ୍ୟକତାଠାରୁ ଅଧିକ ସମ୍ପୃକ୍ତି କାହା କାହାକୁ ବିରକ୍ତ କରୁଛି ତ ମୁଁ ଆହତ ହେଉଛି , ଅର୍ଜିଥିବା ଆତ୍ମବିଶ୍ୱାସ ଦୋହଲି ଯାଉଛି । ଜାଣିଛି, ତୁମ ସାମର୍ଥ୍ୟରେ ମୁଁ ବହୁତ କିଛି ଅନନ୍ୟ କାମ କରି ଅନନ୍ୟା ସାଜିପାରେ କିନ୍ତୁ ମୋର ଆହତକ୍ଷମ ମନ ତୁମକୁ ତୁମ ଭଳି ରଖି ଗଢ଼ିହେବାକୁ ସହଯୋଗ କେବେ ହେଁ କରିନପାରେ । କାହିଁକି କେଜାଣି ଆଜି ଆଉ କହି ହେଉନି,” ଢେର ଜୀବନ ମିଳୁ ଏକାଠି ପାଦ ଗଣି ଗଣି ସୁଦୀର୍ଘ ଅଥଚ ଅର୍ଥପୂର୍ଣ୍ଣ ରାସ୍ତା ଅତିକ୍ରମ କରିବାକୁ ।ପ୍ରତିଟି ମୁହୂର୍ତ୍ତ ମହିମ୍ନ ହେଉ ଆମ ସାଧାରଣତାରେ । ଏ ସୀମିତତା ଭିତରେ ଯେ ଅସୀମ ଲୁଚି ରହିଛି ସେତିକି ଅନୁରଣିତ ହେଉ ଆମ ଭିତରେ ।” ଅଥଚ ଏତକ କହିବି ବୋଲି ତପସ୍ୟା ପରି ବିତେଇ ଦେଇଛି କାହିଁ କେତେ ଅସରନ୍ତି ମୁହୂର୍ତ୍ତ ।

ନିଜକୁ ଦେଖୁଛି ତ ନିଜ ସୀମିତତା ଓ ସ୍ୱାର୍ଥପରତାକୁ ନେଇ ସାଙ୍କୁଡ଼ି ହେଉଛି । କଇଁଛ ଭଳି ମୁଦି ହୋଇ ରହିବାକୁ ଚାହୁଁଚି ଅନିର୍ଦ୍ଦିଷ୍ଟ କାଳ ଯାଏଁ ଜ୍ବାଳା ଦେଇ ଚାଲିଥିବା ପ୍ରଶ୍ନମାନଙ୍କ ସଠିକ ଉତ୍ତର ନପାଇଲା ଯାଏଁ । ସେ ପର୍ଯ୍ୟନ୍ତ ସାରାଟା ଆକାଶ ତୁମର । ତମାମ୍ ନୀଳପଣ ବି ।
ତୁମର
” ମୁଁ”

Leave A Reply

Your email address will not be published.