କାମଦେବ ମହାରଣାଙ୍କ ଧାରାବାହିକ ଉପନ୍ୟାସ “ଦେବୀ” : ଭାଗ ୬
ପୌଷ ମାସର ଶୀତ ରାତି ମୁନିଆ କଣ୍ଟା ପରି ତୀକ୍ଷ୍ଣ। ଯଦି କୁହୁଡି ପଡ଼ିଥାଏ ତେବେ ସେ ରାତି ଲାଗେ ବ୍ୟାଧର ଶିକାର ଫାଶ।ରାତି ଦଶଟା ପାଖାପାଖି ଖାଇସାରି ଦେବ ଘରୁ ବାହାରି ଦାଣ୍ଡ ଉପରେ ଠିଆ ହେଲା।ସାରା ଗାଆଁ ଏକ ଅଭୂତପୂର୍ବ ନିରବତାରେ ଧ୍ୟାନ ମଗ୍ନ ଥିଲା ବେଳେ ଜେନା ସାହି ଆଡୁ ଶୁଣାଯାଉଥିଲା ଗୀତଟିଏ।
ସେ ଗୀତରେ ଗୀତିକାରଙ୍କ ସଫଳ ଭାଣ୍ଡାମିକୁ ଏକ ଘୃଣ୍ୟ ଅଶାଳୀନ ସ୍ଵରରେ ଗାଉଥାଏ ଗାୟକ। ‘ନବମ ଶ୍ରେଣୀର ଝିଅଟି ତା ଛାତିକୁ ଗରମ କରୁଛି ବୋଲି ଗଧ ଓ ମାଙ୍କଡ ପ୍ରମାଣେ ସ୍ୱର ଓ ତାଳରେ ଗାଉଥିଲା ଗାୟକ।
ସମକାଳର ଓଡ଼ିଆ ଆଲବମ୍ ଗୀତ ଏକ ସ୍ୱୟଂ ସଂପୂର୍ଣ୍ଣ ଶସ୍ତା ଅଶ୍ଳୀଳ ଓ ବ୍ୟାଧିଗ୍ରସ୍ତ ଗାୟନ କଳାରେ ପରିବର୍ତ୍ତିତ ହୋଇଛି। ଏଭଳି ଗୀତରେ ନାଁ ଭାଷାର ମାଧୂର୍ଯ୍ୟ ଅଛି,ନା କଣ୍ଠର ଲାଳିତ୍ୟ।ବେଳେବେଳେ ଦେବକୁ ଖୁବ୍ ଅସହ୍ୟ ଲାଗେ। କୁଆଡେ ଗଲା ସେ ଚମ୍ପୁ, ଓଡ଼ିଶୀ,ଭଜନ ଆଉ ଆଧୁନିକ ଲଘୁ ସଙ୍ଗୀତ। କୁଆଡେ ହଜିଗଲେ ସାଲବେଗ, ଦୀନକୃଷ୍ଣ,ସୁନନ୍ଦା ପଟ୍ଟନାୟକ, ଭିକାରୀ ବଳ ଓ ଅକ୍ଷୟ ମହାନ୍ତି।କୁଆଡେ ମିଳେଇଗଲା ଗୀତ ଆଉ ସ୍ୱରର ଅପୂର୍ବ ଯୁଗଳବନ୍ଦୀ ।
ଦେବ ଚାଲିଲା ଚାଲିଲା ହୋଇ ଆଗକୁ ବଢିଲା। ରାସ୍ତାର ବାଆଁ ପଟ ଖାଲି ଜାଗାରେ ଥିଲା ଗୋଟିଏ କୂଅ।କୂଅ ଆରପଟ ମାଟି ଗଦା ପାଖରେ ଥିଲା ଦୈତାରୀ ଜେନାଙ୍କ ଗୋଟିଏ ଚାଳିଘର।
ଗାଆଁକୁ ଆସୁଥିବା ବେପାରୀ – ଭିକାରୀ ଭଳି ଲୋକ ସେଠାରେ ରାତ୍ରୀଯାପନ କରୁଥିଲେ।ବର୍ଷକ ଦୁଇ ମାସ ଗଦାଧର ପୁରର ମହନା ଦର୍ଜି ସେଠି ରହି ସିଲେଇ କାମ କରେ।ଆଉ କେବେ କେବେ ଆସନ୍ତି ଏମାର ମଠ ମହନ୍ତ ବଳି ମହାପାତ୍ର।
ସାଢେ଼ ଛଅ ଫୁଟର ହଳଦୀ ଗଣ୍ଠି ଦେହ।ବେକରେ ହଳ ଦଉଡ଼ି ପରି ସୁନା ଚେନ୍।ହାତରେ ଓଜନିଆ ରୂପା କଢା।ମତ୍ତ ହସ୍ତୀ ପ୍ରାୟେ ଚାଲି। ପଛରେ ପେଡି ମୁଣ୍ଡେଇ ଚଲିଥିବେ ଗୁମାସ୍ତା,ବୋଝିଆ ଓ ରୋଷେଇଆ।
ସେ ରହିବେ ପନ୍ଦର ଦିନ। ଫି ଦିନ ବେଳାକେ ଦଶସେର ବାଗଡା ଚାଉଳ ଓ ପଞ୍ଚାକିଲ ନଟା ଖିଆ ଛେଳି ନହେଲେ ଚାରିଟି ନାଲି କୁକୁଡ଼ା ଗଞ୍ଜାର ମାଂସ ଆହାର।ମହାପାତ୍ରେ ବିଏଁ ଲମ୍ବର ମଞ୍ଜ କଦଳୀ ପତ୍ରରେ ଠା ବସିବେ।ପୋଛିପାଛି ଖାଇସାରି ଲଙ୍କାବାଣ ଫୁଟିବା ପରି ହେକୁଟି ମାରିବେ।
ସକାଳୁ ସଂଜ ଯାଏ ପିମ୍ପୁଡ଼ି ପରି ଧାଡି ବାନ୍ଧିଥିବେ ଲୋକେ।କାହାର ଜମି ଖଣ୍ଡିଏ ଲୋଡା,କାହାର ଘରଡିହ। କିଏ ଆଣିଥିବ ହଳଦୀ ଗୁରୁଗୁରୁ ସଜ ପାଚିଲା କଦଳୀ,ଚେକା ଘଡିରେ ପାଁ ସେରେ ଘିଅ।କିଏ ଆଣିଥିବ ପୋଡପିଠା ପରି ବସା ଦହି, କଲିକତି ନଶ ନହେଲେ ପାଞ୍ଚ -ଦଶ ଭରି ଅଫିମ କିବା ଗୋଟା କଲି ଗଞ୍ଜେଇ ।
ବଳି ମହାପାତ୍ରେ ଦିନସାରା ଲୋକଙ୍କ ସହ ରାଉରାଉ ହୋଇ ସଞ୍ଜ ବେଳେ ଧୁଆଁ ଧୂପରେ ବସିବେ।ତାଙ୍କର ଏଇ ଜମିଦାରୀୟ ଧୁମପାନ ଦେଖିବାକୁ ରୁଣ୍ଡ ହୋଇଥିବେ କୋଡ଼ିଏ ସରିକି ଲୋକ।ଚାଖଣ୍ଡେ ଲମ୍ବର ମାଟି ଚିଲମ ରେ ଦି ଭରି ଗଞ୍ଜେଇ ପୁରେଇ ଓମ୍ ନମଶିବାୟ କହି ଓଠରେ ଟାଣ ଦେବେ।ଅନ୍ତର୍ଗତ ଧୁଆଁ ଭିତରର ସବୁ କୋଷକୁ ବଳ ଦେଇ ଫେରି ଆସି ମହାଶୂନ୍ୟରେ ମିଶିଯିବେ।
ପିଲାବେଳେ ବଳି ମହାପାତ୍ରଙ୍କ ଚେହେରା ଜହ୍ନମାମୁଁ କାହାଣୀର କୁନି ଦାନବଟିଏ ପରି ଲାଗେ ଦେବକୁ।
କେବେ ଆସିଲୁ ବା!
କାହା ଡାକରେ ବର୍ତ୍ତମାନକୁ ଫେରିଲା ଦେବ।ଠିଆ ହୋଇଥିଲା ରାଉତସାହି ସୁକି ମାଆ। ଦିନେ ସେ ଥିଲା ବୋଉର ହାତ ବାରସୀ।ଅଭାବୀ ଘରକୁ ପାଞ୍ଚ ପ୍ରାଣୀ କୁଟୁମ୍ବ। ପର ଘରେ ପାଇଟି କଲେ ପେଟରେ ଦାନା ପଡ଼େ।କିନ୍ତୁ ଲୋକ ହିସାବରେ ଖୁଉବୁ ଭଲ।ମନ ଗଙ୍ଗା ପରି ନିର୍ମଳ।ଯେବେ ଗାଁକୁ ଆସେ ଦେବ ,ଦେଖିଲା କ୍ଷଣି ସେ ପିଜୁଳି ଥାଏ ହେଉ କି କୋଳି ଦିଓଟି ପାଟିରେ ଗୁଞ୍ଜିଦେବ।ମନା କଲେ କହିବ – ମୁଁ ଋଣ ସୁଝୁଛି ବା।
ଏ ପିତିପୁରୁ ଗାଆଁରେ କିଏ ଅଛି ତୋ ବୋଉ ପରି ଧନ, କହିଲୁ ମୁଁ ନିନ୍ଦିବି! ନରକରେ ପଡ଼ିବିନି!ହଁ ବୋଉ ତ ତୋର ସହଳ ବାହୁଡ଼ି ଗଲା,ନହେଲେ ଏମିତି କେତେ ଆୟୁ କି ତାର?
ସୁକି ମାଆର ଶେଷ ଶବ୍ଦଗୁଡ଼ିକ ଓଦାଓଦା ଲାଗିଲା। “ହଉ ବା ଯାଉଛି ଶୋଇବି” କହି ସୁକି ମାଆ ଚାଲିଗଲା ପରେ
ଦେବ ପୁନଃଶ୍ଚ ଫେରିଗଲା ତା ଅତୀତକୁ।
କ୍ରମଶଃ ………
Comments are closed.