ସ୍ଵର୍ଣ୍ଣଲତା ମହାପାତ୍ରଙ୍କ ଧାରାବାହିକ ଉପନ୍ୟାସ ‘ଚୋରାବାଲି’ ଭାଗ : ୫୬
ହରିଶ୍ ଭାରି ମେଳାପି । କେଦାରକୁ କେମିତି ଉଦ୍ଧାର କରା ଯାଇଥିଲା, ତା ଜୀବନରେ କ’ଣ କ’ଣ ଘଟଣା ଘଟି ଯାଇଛି, ସବୁ ଗପିଛି । ତା’ ପୁଅ କେଦାର ସହ ଖେଳି, ସାରା ଦିନ କେମିତି କଟିଗଲା ଆରାଧ୍ୟାକୁ ମାଲୁମ୍ ନାହିଁ ।
ଓଃ କୁମାର ତୁମେ ଆସିଗଲ! ଆସ ଆସ । ଜାଣିଛ ପ୍ରକୃତରେ ମୁଁ ଆଗରୁ ଏଠାକୁ ନ’ ଆସି, ଅନେକ କିଛି ମିସ୍ କରିଛି ।
ଅରୁର ଖୁସ୍ ମିଞ୍ଜାସ୍ ଓ ଚଳ ଚଞ୍ଚଳ ଭାବ ଦେଖି ଆଶ୍ୱସ୍ତ ହେଲା କୁମାର ।
ଭଲ ଲାଗିଲା ତେବେ ଏ ଜାଗା?
ଅପ୍କୋର୍ସ, ମତେ ତ’ ଏଠୁ ଛାଡ଼ି ଯିବାକୁ ଇଛା ହେଉନାହିଁ ।
ହୁଁ ଆଜି ରାତିଟା କେଦାର ସହ ଯାହା ଖେଳିବା କଥା ଖେଳ, କାଲି ଭୋଅରୁ ଫେରିବାର ଅଛି ।
କୁମାର ଏତିକ କହି ତା’ ରୁମ୍ ଆଡେ ଚାଲିଗଲା ।
ହରିଶ୍ ବ୍ୟାଗ୍ ନେଇ ଗାଡ଼ିରେ ଲୋଡ଼୍ କଲାବେଳେ, କେଦାର ଚାହିଁ ଥିଲା ଜୁଳୁଜୁଳୁ ହେଇ । ଆରାଧ୍ୟା ତା’କୁ ପାଖକୁ ଡାକିଲା । ଭ୍ୟାନିଟିରୁ ବାହାର କରି ଚକୋଲେଟ୍ ଦେଲା । ଗେଲ କଲା । ହରିଶ୍କୁ ଧନ୍ୟବାଦ ଦେଇ ଗାଡ଼ିରେ ବସିଲା ।
କ’ଣ ଭାବୁଛ ଆରାଧ୍ୟା?
ନା..ଏଇ କେଦାର କଥା । କେତେ ଛୋଟ ଛୁଆଟେ । ମା’ ବାପା ଛେଉଣ୍ଡ । ଭଗବାନଙ୍କରବି, କି ଲୀଳା! ଥରେଥରେ ମଣିଷ ଏତେ ଅସହାୟ ହେଇଯାଏ ଯେ, ଇଶ୍ୱରଙ୍କ ଉପରୁ ବି ଆସ୍ଥା ହଟିଯାଏ । ଯା’ ହେଉ ହରିଶ୍ ଭାରି ଭଲ ଲୋକ । ତା’କୁ ଠିକରେ ମଣିଷ କରିବ ବୋଲି ବିଶ୍ୱାସ ଅଛି । କାଲି ମୋ ସାମ୍ନାରେ ସବୁ କହିଛି ।
ବାଟ ସାରା ଦୁହେଁ ପ୍ରାୟ ଚୁପ୍ ଥିଲେ । ଗମ୍ଭୀର ଥିଲେ ।
ଆରାଧ୍ୟା ଆଖିରୁ କେଦାରର ଗୁଲୁଗୁଲିଆ ମୁହଁ ହଟୁନି । ସେ ଆଖି ବନ୍ଦ କରି ମନେ ପକାଉଛି ତା’ ର ଡଉଲ ଡାଉଲ ଚେହେରା, କଅଁଳ ପାପୁଲି, ଗୁଲୁରୁଗୁଲୁରୁ କଥା, ନିରୀହ ଚାହାଣୀ । ସଂସାରର ସବୁଠାରୁ ସୁନ୍ଦର ସୃଷ୍ଟି ଶିଶୁ ।
କ୍ରମଶଃ…
Comments are closed.