ସ୍ୱର୍ଣ୍ଣଲତା ମହାପାତ୍ରଙ୍କ ଧାରାବାହିକ ଉପନ୍ୟାସ ‘ଚୋରାବାଲି’ ଭାଗ : ୯
ଏତେ ବଡ଼ କଥାଟେ କହିଗଲା ଲିପି । ସେ ବି ତ’ ସେଇ ହଷ୍ଟେଲରେ ଥିଲା ନା! କାଇଁ ସାମାନ୍ୟତମ ଆଭାସ ବି ତ’ ପାଇପାରିନି!
ପଚାରିବକି ବୈଭବଙ୍କୁ, ଚିହ୍ନି ଥିଲେକି ନନ୍ଦିତାକୁ । ନନ୍ଦିତା ବୋଲି କିଏ ଜଣେ ତାଙ୍କ ଜୀବନରେ ଆସିଥିଲା, କାଇଁ କେବେ ତ’
କହିନାହାନ୍ତି । ସତରେ କ’ଣ !
ହେଃ..ଏ କଥାରେ କେତେ ସତ୍ୟତା ଅଛି !
କେଉଁ ଦୁନିଆରେ ଗୋଟେ ବିବାହିତା ସାଙ୍ଗକୁ ତା ସ୍ୱାମୀ ବିରୋଧରେ କୋଉ ସାଙ୍ଗ କହେ? ଇଏ କହିଲା । ୟାକୁ ବିଶ୍ୱାସ କରିବା
କେତେ ଦୂର ଠିକ୍! ନିହାତି ଭାବେ ଦୁଃଖ ଲାଗୁଛି ନନ୍ଦିତା ପାଇଁ । କିନ୍ତୁ ଯଦି ମିଛ ହେଇଥିବ! ବୈଭବ ଏଥିରେ ସଂଶ୍ଳିଷ୍ଟ ହେଇ ନ’ ଥିବେ!
ତେବେ?
କେଉଁଠୁ ଜାଣିଲ କେମିତି ଜାଣିଲ? କୁହ କୁହୁ ହେଇ ପଚାରି ପଚାରି ତାକୁ ଘାଇଲା କରିଦେବେ । ରାଗିଯିବେ । ତାଙ୍କ ପାଖରେ ତ’ ସମୟ ଅଭାବ । ଏ ସବୁ କଥା କହି ତାଙ୍କୁ ବିରକ୍ତ କରିବା କ’ଣ ଉଚିତ ହେବ! ଥାଉ…ଯେଉଁ କଥା ଗଲାଣି ତା’କୁ ଭୁଲି ଯିବା ହିଁ
ଠିକ୍ ।
ସପିଙ୍ଗ୍ କରି ଫେରୁଫେରୁ ରାତି ଦଶ । ଏ ସହରରେ ରାତିଦଶ ପରେ ହିଁ ସନ୍ଧ୍ୟା ଷ୍ଟାର୍ଟ ହୁଏ । ଚିକ୍ମିକ୍ ଆଲୁଅରେ ଝଲସୁଥାଏ ହୋଟେଲ, ବାର୍, ମଲ୍ ।
ଘରର ନିତ୍ୟ ଆବଶ୍ୟକ ଜିନିଷ ତା’କୁ ହିଁ ଆଣିବାକୁ ହୁଏ । ଯେତେ ଚାକରବାକର ଥିଲେ ମଧ୍ୟ, ସବୁ କିଛି ତାଙ୍କ ହାତରେ
ଛାଡ଼ି ଦେବକୁ ତାର ଆଦୌ ଇଛା ବି ହୁଏନା । ଗଲାଥର ଶଙ୍କର ଆଣିଥିଲା ବୌଭବଙ୍କ ସେଭିଙ୍ଗକ୍ରିମ୍ । ଲେଖିକି ନେଲା ପରେ ବି
ଭୁଲ୍ । ସେ ତ’ କେବେ ସେଇ ବ୍ରାଣ୍ଡ ଇୟୁଜ୍ କରନ୍ତିନି । ଓଫ୍…ବାଥରୁମ୍ ଭିତରେ ଥାଇ କି ପାଟି!
“ଏତେ ଲୋକ ଥାଉଥାଉ ସାମାନ୍ୟ ନଜର ବି ରଖାଯାଇପାରୁନି । କ’ଣ ଏଇଟା ଆଣିକି ଥୁଆ ହେଇଛି ?”
ଏମିତି ବିରକ୍ତ ହେଇ ଅଧା ସେଭିଙ୍ଗରୁ କ୍ରିମ୍ଟା ଫୋପାଡ଼ି ଦେଲେ ଯେ, ତା’କୁ ଲାଗଲା ଯେମିତି ଶଙ୍କର ଉପରେ ନୁହେଁ, ଇନ୍ଡାଇରେକ୍ଟଲି ଗାଳିଟା ତା’ ଉପରେ ହିଁ ବର୍ଷିଗଲା ।
ଏତେ ଛୋଟଛୋଟ କଥାରେ ସେ ତାଙ୍କୁ ନାରାଜ କରିବାକୁ ଚାହେଁନା । ଆଉ ଜୋଜୋ, ରକିଙ୍କ ଖାଦ୍ୟ ରୁଚି ତା’ ଠୁ ଅଧିକ
କିଏ ଜାଣେ? ଏମାନଙ୍କୁ ଲିଷ୍ଟ ଦେଇ ବୁଝେଇବା ଅପେକ୍ଷା, ସେ ନିଜେ ଚାଲିଯିବା ବେଟର ।
ହଠାତ୍ ରାସ୍ତା ମଝିରେ ଗାଡ଼ି ବନ୍ଦ ।
(କ୍ରମଶଃ)
Comments are closed.