ପ୍ରସେନଜିତ ସେଠୀ
ଫେବୃୟାରୀ ମାସ ଚଉଦ ତାରିଖେ
ଠିକ୍ ତିନି ବର୍ଷ ତଳେ
ପୁଲୱାମାଠାରେ ଯାଉଥିଲେ ମିଶି
ସେନାର ଯବାନ ଦଳେ।
ଆସିଥିଲେ ସବୁ ଘରଦ୍ବାର ଛାଡ଼ି
ସୁଖ ଓ ସ୍ୱାଚ୍ଛନ୍ଦ୍ୟ ଭୁଲି
ଏକ ମାତ୍ର ଲକ୍ଷ୍ୟ ଦେଶ ଅସ୍ମିତାର
ସୁରକ୍ଷା କରିବେ ବୋଲି।
ଘରେ ଥିଲେ କାର ବୃଦ୍ଧ ପିତାମାତା
ମୃତ୍ୟୁରେ ସଂଘର୍ଷ ରତ
ପୁଅ ଯାଇଥିଲା ତାଙ୍କ ସେବା ଭୁଲି
ସେବିବ ଭାରତ ମାତ।
କାହାର ଭାରିଜା ଅପେକ୍ଷାରେ ଥିଲା
ଗର୍ଭରେ ରଖି ସନ୍ତାନ
ସନ୍ତାନ ତ ହେଲା ସନ୍ତକ ରହିଲା
ହେଲେ ଶୂନ୍ୟ ପତି ସ୍ଥାନ।
କିଏ ଜାଣିଥିଲେ ହୀନ କାପୁରୁଷ
ଆତଙ୍କୀର ଷଡ଼ଯନ୍ତ୍ର
ବୋମା ବିସ୍ଫୋରଣେ ଚାଳିଶ ଯବାନ
ବୁଜି ଦେବେ ଚିର ନେତ୍ର!!
ବୃଦ୍ଧ ପିତାମାତା ଭାରିଜା ଭଉଣୀ
ଭାଇ ବନ୍ଧୁ ସହୋଦର
ସଭିଙ୍କ ଅପେକ୍ଷା ଧୂଳିସାତ ହୋଇ
ସେ ହୋଇଲା ସାତ ପର।
ସେହି ବଳିଦାନ ସ୍ୱର୍ଗୀୟ ମହାନ
ବୀରତ୍ୱର ନିଦର୍ଶନ
ପ୍ରେରଣାର ସ୍ରୋତ ସୋର୍ଯ୍ୟର ପ୍ରତୀକ
ଚିର କାଳ ଅମଳିନ।
ଭୁଲିବାନି ସାଥୀ ସେ ବୀର ସୁତଙ୍କୁ
ରଖିବା ନିତି ସ୍ମରଣ
ଦେଶ ସେବା ପାଇଁ ସର୍ବସ୍ବ ସମର୍ପି
ଢ଼ାଳି ଦେବା ମନ ପ୍ରାଣ ।
Comments are closed, but trackbacks and pingbacks are open.