Latest Odisha News

ଧାରାବାହିକ ଉପନ୍ୟାସ : ଦଗ୍ଧ ଉପବନ (୪)


ଶକ୍ତିପ୍ରଦା ମହାପାତ୍ରଙ୍କ ଉପନ୍ୟାସ ‘ଦଗ୍ଧ ଉପବନ’

– ତେବେ ?? ଆଜି ପୁଣି କେମିତି ??

– ତୁମ ବାହାଘର ଠିକ୍ ହେବା କଥା ଶୁଣି ଖୁବ୍ କଷ୍ଟ ପାଇଥିଲି। ବହୁତ ଚେଷ୍ଟା କରି ବିଫଳ ହେଲି ତୁମକୁ କହିବାକୁ । କାଳେ ତୁମେ କଣ ଭାବିବ ? କାଳେ ଆମର ବନ୍ଧୁତା ଶେଷ ହୋଇଯିବ ! ତୁମର ସ୍ୱଚ୍ଛଳ ପରିବାର । ମୋର ସେମିତି ଗୋଟିଏ ଭଲ ଚାକିରୀ ନଥିଲା । ତୁମକୁ ଭଲପାଏ ବୋଲି ସାହସ କରି କହିଲାବେଳେ ଆଶଙ୍କାର ପାହାଡଟେ ମୋ ସ୍ବରବାଟକୁ ଓଗାଳି ଥିଲା ଆସ୍ଥା !

ଆଜି କିନ୍ତୁ ସାହସ ଜୁଟାଇ କହିପାରିବି ଯେ ମୁଁ ତୁମକୁ ଭଲପାଏ । ତୁମେ ମୋତେ ଭୁଲ୍ ବୁଝିଲେ ଵି ମୋର ଆଜି ଦୁଃଖ ନାହିଁ ଆସ୍ଥା…। ଆଜି ହରାଇବାକୁ ମୋର କିଛି ନାହିଁ। ତମ ମନରେ ମୋ ପାଇଁ କଣ କିଛି ଥିଲା ଆସ୍ଥା ? ତୁମକୁ ସେଇ ଅତୀତର ରାଣ। ଆଜି ମୋତେ ସତ କହିବି । ମୁଁ ଆଜି ତୁମଠାରୁ ଏଇ କଥା ପଦେ ଶୁଣିବାକୁ ଚାହେଁ। ବଞ୍ଚି ଯିବି କିଛି ଦିନ ।

– ତୁମେ ପାଗଳ ହୋଇ ଯାଇଛ ସ୍ୱପ୍ନିଳ ! ଫୋନ ରଖ । ମୁଁ କିଛି କହିବାକୁ ଚାହେଁନି ।ସେ ସବୁ କଥା ଆଉ କହି ଲାଭ କିଛି ନାହିଁ। ପ୍ଲିଜ ଜିଦ କରନା । ମୋତେ ଦୁଃଖ ଦିଅନି ।

ଅନେକ ଦିନଧରି ବନ୍ଦ ପଡ଼ିଥିବା ଚେତନା ଭିତରୁ ମୁହଁ ଟେକିଲା ଛାଇଟିଏ।ବାହାରର ବର୍ଷା ତା’ ଦୁଇ ଆଖିରେ।

ହଠାତ୍ କରେଣ୍ଟ୍ ଆସିଗଲା , ବାଜି ଉଠିଲା କଲିଙ୍ଗ୍ ବେଲ୍ – ପ୍ଲିଜ୍ ଓପନ୍ ଦ ଡୋର୍…..

ରିସିଭର୍ ଥୋଇଲା ବେଳେ ଶୁଣା ଯାଉଥିଲା – ଆସ୍ଥା….ଆସ୍ଥା….ଆସ୍ଥା ….. ‌। ସେ ଶୁଣିବାକୁ ଚାହୁଁ ନଥିଲା ।

ସରି ……..ରଂଗ୍ ନଂ । ଏମିତିରେ ବି ଵହୁତ ଆଡୁ ୟାଡୁ ସ୍ୟାଡୁ କଲ୍ ଆସି ମଣିଷକୁ ହଇରାଣ କରିବା ସତରେ ଭାରି ବିରକ୍ତିକର ! ମଣିଷ ଘର କାମ କରିବା ନା ଏ ମୋବାଇଲ ଆଟେଣ୍ଡ କରି କରି ନାକେ ଦମ୍ ହେବ। ପୁଣି ମୋବାଇଲ ଫୋନଟି ଗର୍ଜି ଉଠିଲା ! ବିରକ୍ତ ହୋଇ ଆସ୍ଥା ଫୋନ କାଟି ଦେଲା ବେଳକୁ…. !
**
ସେପଟୁ ଗମ୍ଭୀର ସ୍ବର ଟିଏ ଶୁଭାଗଲା …
ପ୍ଲିଜ …..ପ୍ଲିଜ …..ଫୋନ କାଟନା ଆସ୍ଥା !! ମୋ ସ୍ୱର ଜାଣିପାରୁନ ,ମୁଁ ସ୍ୱପ୍ନିଲ୍ !
“ପୁଣି କାହିଁକି ? ନିଜକୁ କଷ୍ଟ ଦେବା ସହିତ ମୋତେ କାହିଁକି କଷ୍ଟ ଦେଉଛ ସ୍ୱପ୍ନିଲ୍ ? “ଆସ୍ଥା ଉତ୍ତର ଦେଲା ।
ପ୍ଲିଜ ଫୋନ କାଟନି ଆସ୍ଥା ।

ନିଜକୁ ବହୁତ ସମ୍ଭାଳିବାକୁ ଚେଷ୍ଟା କରି ପାରିଲିନି ! ସେଦିନ ତୁମେ ରିସିଭର ଥୋଇ ଦେଇଥିଲ । ମୁଁ ବି ନିରଵରେ ଫୋନ ରଖି ଦେଇଥିଲି । ଆଜି କିନ୍ତୁ ତୁମକୁ ମୋ କଥା ଶୁଣିବାକୁ ପଡିବ ! ଆସ୍ଥା ବି ସ୍ୱପ୍ନିଲ କଥା ଶୁଣିବାକୁ ଚେଷ୍ଟା କଲା ଆଉ ଅଧିକା ଜିଦ୍ ନକରି ! ଆରମ୍ଭ କଲା ସ୍ୱପ୍ନିଲ ।

Comments are closed.