Latest Odisha News

BREAKING NEWS

ନୂଆପଡା ଖଡିଆଳରେ ଶିକ୍ଷାର ଅବ୍ୟବସ୍ଥା, କବଜାରେ ଅଙ୍ଗନଓ୍ୱାଡି କେନ୍ଦ୍ର

ଶିଶୁଙ୍କ ବିକାଶରେ ମୂଳଦୁଆ ପକାଇଥାଏ ଅଙ୍ଗନଓ୍ୱାଡି କେନ୍ଦ୍ର । କୋମଳ ଶିଶୁଙ୍କ ସ୍ୱାସ୍ଥ୍ୟ ଓ ଶିକ୍ଷାର ମାନ ବୃଦ୍ଧି ଦିଗରେ ସରକାର ଯେତେ ତତ୍ପର ହେଲେ ମଧ୍ୟ ତାହାର ସୁଫଳ ମିଳୁପାରୁନାହିଁ । ନୂଆପଡା ଜିଲ୍ଲା ଖଡ଼ିଆଳରେ ଏପରି କେତେକ ଅଙ୍ଗନଓ୍ୱାଡି କେନ୍ଦ୍ରରେ ଅବ୍ୟବସ୍ଥା ସରକାରଙ୍କ ଦୃଷ୍ଟି ଆଢୁଆଳରେ ରହିଯାଇଛି । ସ୍ଥାନୀୟଲୋକଙ୍କ ଅକ୍ତିଆରରେ କେନ୍ଦ୍ରର କୋଠା ଥିବା ଘଟଣାକୁ ସ୍ଥାନୀୟ ପ୍ରଶାସନ ଗୁରୁତ୍ୱ ନଦେବା ସାଧାରଣରେ ଅସନ୍ତୋଷର ଦାନା ବାନ୍ଧୁଛି ।

ଅଙ୍ଗନଓ୍ୱାଡି କେନ୍ଦ୍ରକୁ ମାଡିବସିଛନ୍ତି ଗ୍ରାମବାସୀ । କେନ୍ଦ୍ରର ରୋଷେଇ ଘରେ ଯେନତେନ ଚାଲିଛି ପିଲାଙ୍କ ପାଠପଢା । ଯେଉଁଠି ଶିକ୍ଷାଦାନ, ସେଇଠି ରୋଷେଇ । ୫ସ୍କୋୟାର ଫିଟ୍ ଜାଗାରେ ୧୭ ଜଣ କୁନି ପିଲାଙ୍କୁ ଜାକିଜୁକି ବସିବାକୁ ପଡୁଛି । ଏପରିକି ଅଙ୍ଗନଓ୍ୱାଡି ଦିଦି ବି ନାଚାର୍ ।  ନୂଆପଡା ଜିଲ୍ଲା ଖଡ଼ିଆଳ ବ୍ଲକ ଅନ୍ତର୍ଗତ ଭୁଲିଆସିକୁଆଁ ଗାଁର ଅଙ୍ଗନୱାଡି କେନ୍ଦ୍ର-୨ ଜଣେ ସ୍ଥାନୀୟବାସିନ୍ଦାଙ୍କ ଜବରଦଖଲରେ । ସ୍ଥାନ ଅଭାବରୁ ପିଲାଙ୍କୁ ମନୋରଞ୍ଜନଧର୍ମୀ ଶିକ୍ଷା ଦିଆଯାଇପାରୁନାହିଁ ବୋଲି କହିଛନ୍ତି ଅଙ୍ଗନୱାଡି କର୍ମୀ । ପ୍ରଶାସନକୁ ଜଣାଇବା ପରେ ବି କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଉନାହିଁ ବୋଲି ଅଭିଭାବକ ଅଭିଯୋଗ କରିଛନ୍ତି ।

ଭୁଲିଆସିକୁଆଁ ଗାଁର ମୋଟ ୫ଟି ଅଙ୍ଗନଓ୍ୱାଡି କେନ୍ଦ୍ରରୁ ୧ ଓ ୪ ନମ୍ୱର ଗୋଟିଏ ସେଣ୍ଟରରେ ପରିଚାଳିତ ହେଉଛି । ୫ ନମ୍ୱର ସେଣ୍ଟର ଠିକ୍ ଠାକ୍ ଚାଲିଥିବା ବେଳେ ୨,୩ ଓ ୪ନମ୍ୱର ସେଣ୍ଟରକୁ ଅକ୍ତିଆର କରିଛନ୍ତି ସ୍ଥାନୀୟବାସିନ୍ଦା । ୩ ନମ୍ୱର ଅଙ୍ଗନଓ୍ୱାଡି କୋଠାକୁ ଜଣେ ମାନସିକ ବିକାର ବ୍ୟକ୍ତି କବଜା କରିନେଇଥିବାରୁ ଭଡ଼ା ଘରେ ଚାଲିଛି କୁନି ପିଲାଙ୍କ ପାଠପଢା । ଏଠି ପଢୁଛନ୍ତି ୩୨ ନିବୋଧ ଶିଶୁ । ହେଲେ ଭଡା ଘରର ଛାତରୁ ତଳକୁ ପଡୁଥିବା ସୂର୍ଯ୍ୟକିରଣରେ ବସିବାକୁ ପଡୁଛି ସେମାନଙ୍କୁ ।  ବର୍ଷା ଦିନେ ନାହିଁ ନଥିବା ଅବସ୍ଥା ମଧ୍ୟ ଭୋଗିବାକୁ ପଡିଥିଲା । ଫଳରେ ଦୀର୍ଘ ବର୍ଷ ହେବ ଏକ ଭଡା ଘରେ କେନ୍ଦ୍ର ଚାଲିଛି ଓ ଏହାର ଭଡା ମଧ୍ୟ ଅଙ୍ଗନୱାଡି କର୍ମୀ ନିଜେ ବହନ କରୁଛନ୍ତି ।

ଗ୍ରାମପଂଚାୟତ କାର୍ଯ୍ୟାଳୟ ପରିସରର ୧ କୋଠରୀରେ  ୪ ଓ ୧ ନମ୍ବର ଅଙ୍ଗନୱାଡି କେନ୍ଦ୍ର ଏକସଙ୍ଗେ ଚାଲୁଛି । ୪ ନଂ କେନ୍ଦ୍ରର କର୍ମୀ ଜଣକ ନିଲମ୍ବିତ ହୋଇଛନ୍ତି, ଏଣୁ ୧ ନଂ କେନ୍ଦ୍ରର ଦିଦି ଦୁଇଟିଯାକ କେନ୍ଦ୍ରର କଥା ବୁଝୁଛନ୍ତି। ୪ ନଂ କେନ୍ଦ୍ରରେ ୧୭ ଜଣ ଓ ୧ ନଂ କେନ୍ଦ୍ରରେ ୨୬ ଜଣ ପ୍ରି-ସ୍କୁଲ ପିଲା ଅଛନ୍ତି । ଏହା ଛଡା VHND କିମ୍ୱା ମମତା ଦିବସ, କିଶୋରୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା, ଗର୍ଭବତୀ ପ୍ରସୂତିଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ଓ ଟୀକାକରଣ ଆଦିରେ ଅବ୍ୟବସ୍ଥା ଦେଖାଦେଇଛି। ଏନେଇ ସ୍ଥାନୀୟ ସରପଞ୍ଚ ଉଦବେଗ ପ୍ରକାଶ କରିଥିବା ବେଳେ CDPO ଙ୍କୁ ଆବଶ୍ୟକୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ନିର୍ଦ୍ଦେଶ ଦିଆଯାଇଛି ବୋଲି ଖଡ଼ିଆଳ ବିଡିଓ ନାରାୟଣ ସାହୁ କହିଛନ୍ତି।

ଭୁଲିଆସିକୁଆଁ ଗାଁରେ କୁନି ପିଲାଙ୍କ ଶିକ୍ଷାଦାନ ପ୍ରହସନ ପାଲଟିଛି । ସରକାରୀ ଅଫିସ କିମ୍ୱା କୋଠା ନିର୍ମାଣରେ ଦୁର୍ନୀତି ହେଉଥିବା ଅଭିଯୋଗ ହେଉଛି । ତେଣୁ ସମ୍ପୃକ୍ତ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଓ ଅଙ୍ଗନବାଡି କେନ୍ଦ୍ର ଯୋଗାଇଦେବା ଉପରେ ଦାବି ଜୋର୍ ଧରିଛି ।

Leave A Reply

Your email address will not be published.