Latest Odisha News

BREAKING NEWS

ଲକ୍‌ଡାଉନ୍ ଡାଏରୀ: ଓଲିଉଡ୍ ହିରୋ ସ୍ୱରାଜ ରୋଷେଇରେ ମାଆଙ୍କୁ ସାହାଯ୍ୟ କରିବା ସହ ପଶୁପକ୍ଷୀଙ୍କ ଯତ୍ନ ନେଉଛନ୍ତି

ଭୁବନେଶ୍ୱର: ସବୁବେଳେ ସୁଟିଂରେ ବ୍ୟସ୍ତ ରହୁଥିବା ଅଭିନେତା ସ୍ୱରାଜ ଏବେ ଲକ୍‌ଡାଉନ୍ ଯୋଗୁଁ ବାରିପଦାରେ ତାଙ୍କ ଘରେ ରହୁଛନ୍ତି । ସାଧାରଣ ଦିନରେ ବାପା ମାଆଙ୍କ ସହ ସମୟ କାଟିବାକୁ ସୁଯୋଗ ମିଳୁ ନ ଥିବା ବେଳେ ଏବେ ଲକ୍‌ଡାଉନ ଯୋଗୁଁ ସେ ଏହାର ମଜା ଉଠାଉଥିବା କହିଛନ୍ତି ।
ପରିବାର ଲୋକଙ୍କ ସହ ଗପସପରେ ସମୟ କଟୁଛି ।

ଏଥି ସହ ମାଆଙ୍କୁ ରୋଷେଇରେ ବି ସାହାଯ୍ୟ କରୁଛନ୍ତି ସେ । ତାଙ୍କ ମତରେ ଘରେ କେବଳ ଝିଅ ବା ସ୍ତ୍ରୀ ଲୋକ ମାନେ ରୋଷେଇ ନ କରି ସମସ୍ତେ ରୋଷେଇ ଶିଖିବା କଥା । ସୁବିଧା ଅସୁବିଧାରେ ତାହା କାମରେ ଆସିବ ।

ତେବେ ତାଙ୍କୁ ବେଶୀ ରୋଷେଇ ନ ଆସିଲେ ବି ଯେତିକି ଆସେ ସେ ତାକୁ ଏବେ ଭଲ ଭାବେ କରୁଥିବା କହିଛନ୍ତି ସ୍ୱରାଜ । ଅଣ୍ଡା ଭୁଜିଆରୁ ଆରମ୍ଭ କରି ଅନ୍ୟ ରୋଷେଇକୁ ସେ ବେଶ୍ ମନଭରି ଉପଭୋଗ କରୁଥିବା କହିଛନ୍ତି ।

ସରକାର କହିଛନ୍ତି ଲକ୍ ଡାଉନ ବେଳେ ନିହାତି ଆବଶ୍ୟକ ନ ହେଲେ ଘରୁ ବାହାରନ୍ତୁ ନାହିଁ । ତେଣୁ ଏହାକୁ କଡାକଡି ମାନିବା ଉପରେ ସ୍ୱରାଜ ଗୁରୁତ୍ୱ ଦେବା ସହ ସଭିଙ୍କୁ ଏଥିନେଇ ନିବେଦନ କରିଛନ୍ତି । ଘରେ ରହି ଭଲ ଭଲ ଆଇଟମ୍ ରୋଷେଇ କରି ଖାଇବା ପାଇଁ ସେ ପରାମର୍ଶ ଦେଇଛନ୍ତି ।

ପଶୁପକ୍ଷୀଙ୍କୁ ଭଲ ପାଉଥିବା ସ୍ୱରାଜ ତାଙ୍କ ଘରେ ଥିବା ପୋଷା କୁକୁର ଭୋଲୁ ପ୍ରତି ବି ବେଶ୍ ଯତ୍ନଶୀଳ ଅଛନ୍ତି । ସବୁବେଳେ ତାଙ୍କ ବାପା ଓ ମାଆ ଭୋଲୁର ଯତ୍ନ ନେଉଥିବା ବେଳେ ଏବେ ଲକ୍‌ଡାଉନ୍ ଯୋଗୁଁ ଘରେ ଥିବା ସ୍ୱରାଜଙ୍କୁ ମିଳିଛି ସେହି ଦାୟିତ୍ୱ । ସେ ତାକୁ ଗାଧୋଇଦେବା ସହ ତାର ଖାଇବା ପିଇବା କଥା ବି ବୁଝୁଛନ୍ତି ।

ତେବେ ଘରେ ରହୁଥିବା ଭୋଲୁକୁ ସିନା ଖାଇବା ମିଳିଯାଉଛି କିନ୍ତୁ ବାହାରେ ବୁଲୁଥିବା ତାରିଭଳି ଅନେକ ଭୋଲୁମାନଙ୍କ କଥା ବି ଚିନ୍ତା କରୁଛନ୍ତି ସ୍ୱରାଜ । ଚାରିଆଡେ ଏବେ ହୋଟେଲ ଓ ଦୋକାନ ବଜାର ବନ୍ଦ ରହୁଥିବାରୁ ବାହାରେ ବୁଲୁଥିବା କୁକୁର ବିଲେଇ ଖାଇବାକୁ ପାଉନାହାନ୍ତି । ତେଣୁ ସବୁ ଦିନ ଘର ବାହାରେ ସେମାନଙ୍କ ପାଇଁ କିଛି ଖାଦ୍ୟ ରଖିବାକୁ ସ୍ୱରାଜ ସମସ୍ତଙ୍କୁ କହିଛନ୍ତି ।

ତେବେ ଏସବୁ ଭିତରେ ସ୍ୱରାଜ ସବୁ ଦିନ କିଛି ଫିଲ୍ମ ଦେଖିବା ସହ ବହି ପଢିବା ଓ ଭିଡିଓ ଏଡିଟିଙ୍ଗରେ ବି ବେଶ୍ କିଛି ସମୟ ବିତାଉଥିବା ପ୍ରକାଶ କରିଛନ୍ତି ।

 

Leave A Reply

Your email address will not be published.