Banking Evidence Law: ଡିଜିଟାଲ୍ ପ୍ରମାଣକୁ ବଡ଼ ଆଇନଗତ ସ୍ୱୀକୃତି, ‘ବ୍ୟାଙ୍କର୍ସ ବୁକ୍ସ ଏଭିଡେନ୍ସ ବିଲ୍’ ପାସ୍, ୧୩୫ ବର୍ଷ ପୁରୁଣା ବ୍ରିଟିଶ ଆଇନର ହେବ ଅନ୍ତ
ନୂଆଦିଲ୍ଲୀ: ଭାରତର ବ୍ୟାଙ୍କିଙ୍ଗ୍ ବ୍ୟବସ୍ଥାକୁ ଡିଜିଟାଲ୍ ଯୁଗ ସହ ଖାପ ଖୁଆଇବା ପାଇଁ ଲୋକସଭାରେ ‘ବ୍ୟାଙ୍କର୍ସ ବୁକ୍ସ ଏଭିଡେନ୍ସ ବିଲ୍, ୨୦୨୬’ ପାସ୍ ହୋଇଛି। ଏହି ବିଲ୍ କାର୍ଯ୍ୟକାରୀ ହେଲେ ବ୍ରିଟିଶ ଅମଳର ‘ବ୍ୟାଙ୍କର୍ସ ବୁକ୍ସ ଏଭିଡେନ୍ସ ବିଲ୍ ଆକ୍ଟ, ୧୮୯୧’ ବାତିଲ୍ ହୋଇଯିବ। ନୂଆ ଆଇନ ଅନୁଯାୟୀ, ବ୍ୟାଙ୍କର ଭୌତିକ ରେକର୍ଡ ସହିତ ଡିଜିଟାଲ୍, ଇଲେକ୍ଟ୍ରୋନିକ୍, କ୍ଲାଉଡ୍ ଏବଂ ବ୍ୟାକ୍ଅପ୍ ସିଷ୍ଟମରେ ସଂରକ୍ଷିତ ତଥ୍ୟକୁ ମଧ୍ୟ ଅଦାଲତରେ ଆଇନଗତ ପ୍ରମାଣ ଭାବେ ଗ୍ରହଣ କରାଯିବ।
୧୮୯୧ରେ ପ୍ରଣୀତ ଆଇନ ସମୟରେ ବ୍ୟାଙ୍କିଙ୍ଗ୍ କାରବାର କେବଳ କାଗଜ ବହିଖାତା ଓ ଭୌତିକ ଦସ୍ତାବିଜ ମାଧ୍ୟମରେ ହେଉଥିଲା। କିନ୍ତୁ ବର୍ତ୍ତମାନ ବ୍ୟାଙ୍କିଙ୍ଗ୍ ବ୍ୟବସ୍ଥା ସମ୍ପୂର୍ଣ୍ଣ ଡିଜିଟାଲ୍ ହୋଇଯାଇଛି। କୋର୍ ବ୍ୟାଙ୍କିଙ୍ଗ୍, ମୋବାଇଲ୍ ବ୍ୟାଙ୍କିଙ୍ଗ୍, UPI, ଇ-ଷ୍ଟେଟମେଣ୍ଟ, କ୍ଲାଉଡ୍ ଷ୍ଟୋରେଜ୍ ଏବଂ ଅନଲାଇନ୍ ଟ୍ରାଞ୍ଜାକ୍ସନ୍ ବଢ଼ିବା ପରେ ପୁରୁଣା ଆଇନ ଆଧୁନିକ ବ୍ୟାଙ୍କିଙ୍ଗ୍ ବ୍ୟବସ୍ଥା ସହ ଆଉ ମେଳ ଖାଉନଥିଲା। ଏହି କାରଣରୁ ସରକାର ନୂଆ ବିଲ୍ ଆଣିଛନ୍ତି।
ନୂଆ ବିଲ୍ରେ ‘ବ୍ୟାଙ୍କର୍ସ ବୁକ୍ସ’ର ସଂଜ୍ଞାକୁ ବ୍ୟାପକ କରାଯାଇଛି। ଏବେ ଭୌତିକ ରେକର୍ଡ ସହ ଇଲେକ୍ଟ୍ରୋନିକ୍, ଡିଜିଟାଲ୍, କ୍ଲାଉଡ୍, ବ୍ୟାକ୍ଅପ୍ ଓ ଡିଜାଷ୍ଟର ରିକଭରି ସାଇଟ୍ରେ ରହିଥିବା ବ୍ୟାଙ୍କ ତଥ୍ୟ ମଧ୍ୟ ଏହାର ଅନ୍ତର୍ଭୁକ୍ତ ହେବ। ସେହିପରି ‘ଲିଗାଲ୍ ପ୍ରୋସିଡିଂ’ର ପରିଧିକୁ ମଧ୍ୟ ବଢ଼ାଯାଇଛି। ଅଦାଲତ ସହିତ ଆର୍ବିଟ୍ରେସନ୍, ତଦନ୍ତ ଓ ବିଭିନ୍ନ ଆଇନଗତ ତଦନ୍ତ ପ୍ରକ୍ରିୟାରେ ମଧ୍ୟ ଏହି ରେକର୍ଡଗୁଡ଼ିକୁ ପ୍ରମାଣ ଭାବେ ବ୍ୟବହାର କରାଯାଇପାରିବ।
ବିଲ୍ ଅନୁଯାୟୀ, ବ୍ୟାଙ୍କର ଭୌତିକ ଓ ଡିଜିଟାଲ୍ ରେକର୍ଡର ସାର୍ଟିଫାଏଡ୍ କପିକୁ ପ୍ରାଥମିକ ପ୍ରମାଣ (Prima Facie Evidence) ଭାବେ ଗ୍ରହଣ କରାଯିବ। ଡିଜିଟାଲ୍ ରେକର୍ଡର ସାର୍ଟିଫିକେଟ୍ରେ ମାନୁଆଲ୍ ସ୍ୱାକ୍ଷର ସହ ଇନଫରମେସନ ଟେକନୋଲୋଜି ଆକ୍ଟ ଅନୁଯାୟୀ ଡିଜିଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ସିଗ୍ନେଚର୍କୁ ମଧ୍ୟ ବୈଧତା ଦିଆଯାଇଛି।
ସବୁଠାରୁ ବଡ଼ ପରିବର୍ତ୍ତନ ହେଉଛି, କେବଳ ରେକର୍ଡ ଡିଜିଟାଲ୍ ଫର୍ମାଟ୍ରେ ଅଛି ବୋଲି ତାହାକୁ ଅଦାଲତରେ ଅଗ୍ରାହ୍ୟ କରାଯିବ ନାହିଁ। ତେବେ ଏହା ପାଇଁ ସିଷ୍ଟମର ଅଖଣ୍ଡତା, ଅନୁମୋଦିତ ପ୍ରବେଶ, ଡାଟାର ସଠିକତା, ସାଇବର ସୁରକ୍ଷା ଏବଂ ରେକର୍ଡରେ କୌଣସି ହେରଫେର ହୋଇନଥିବା ସମ୍ପର୍କିତ ସର୍ତ୍ତ ପୂରଣ କରିବାକୁ ପଡ଼ିବ।
ବିଲ୍ରେ କେନ୍ଦ୍ର ସରକାରଙ୍କୁ ଏହି ଆଇନକୁ ଅନ୍ୟ ଆର୍ଥିକ ସଂସ୍ଥା କିମ୍ବା ବିଭାଗ ଉପରେ ମଧ୍ୟ ଲାଗୁ କରିବାର କ୍ଷମତା ଦିଆଯାଇଛି। ଏହାସହ ବ୍ୟାଙ୍କ କର୍ମଚାରୀଙ୍କୁ ପ୍ରତ୍ୟେକ ମାମଲାରେ ମୂଳ ବହିଖାତା ନେଇ କୋର୍ଟକୁ ଆସିବାକୁ ପଡ଼ିବ ନାହିଁ। ସାର୍ଟିଫାଏଡ୍ କପି ଥିଲେ ସାଧାରଣତଃ ତାହା ଯଥେଷ୍ଟ ହେବ। କେବଳ ବିଶେଷ କାରଣ ଥିଲେ ଅଦାଲତ ମୂଳ ରେକର୍ଡ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇପାରିବେ।
ସରକାରଙ୍କ ମତରେ, ଏହି ଆଇନ ସାଇବର ଅପରାଧ, ଅନଲାଇନ୍ ବ୍ୟାଙ୍କ ଠକେଇ ଓ ଆର୍ଥିକ ଜାଲିଆତି ମାମଲାର ତଦନ୍ତକୁ ଅଧିକ ଦ୍ରୁତ ଓ ପ୍ରଭାବଶାଳୀ କରିବ। ଡିଜିଟାଲ୍ ପ୍ରମାଣକୁ ଆଇନଗତ ସ୍ୱୀକୃତି ମିଳିବା ଫଳରେ ଅଦାଲତରେ ମାମଲାର ବିଚାର ପ୍ରକ୍ରିୟା ସହଜ ହେବ ଏବଂ ବ୍ୟାଙ୍କ, ତଦନ୍ତକାରୀ ସଂସ୍ଥା ଓ ନ୍ୟାୟବ୍ୟବସ୍ଥାର ମୂଲ୍ୟବାନ ସମୟ ମଧ୍ୟ ସଞ୍ଚୟ ହେବ।