ନୂଆଦିଲ୍ଲୀ: ଆୟରଲ୍ୟାଣ୍ଡ ଓ ଇଂଲଣ୍ଡ ଗସ୍ତରେ ଭାରତୀୟ କ୍ରିକେଟ ଦଳର ନିରାଶାଜନକ ପ୍ରଦର୍ଶନ ଏବଂ ଖେଳାଳିଙ୍କ କ୍ରମାଗତ ଆଘାତ ସମସ୍ୟା ପରେ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ ଏକ ବଡ଼ ପଦକ୍ଷେପ ଗ୍ରହଣ କରିଛି । ଦଳର ଫିଟ୍ନେସ୍ ମାନଦଣ୍ଡକୁ ପୂର୍ବ ଅପେକ୍ଷା ଅଧିକ କଠୋର ଏବଂ ଚ୍ୟାଲେଞ୍ଜିଂ କରାଯାଇଛି । ଭାରତୀୟ ଖେଳାଳିଙ୍କୁ ନିଜର ଫିଟ୍ନେସ୍ ସାବ୍ୟସ୍ତ କରିବା ପାଇଁ ଏବେ ଦୁଇଟି କଠିନ ଟେଷ୍ଟ ଦେବାକୁ ପଡ଼ିବ । ବ୍ରୋଙ୍କୋ ଟେଷ୍ଟରେ ୫ଟି ସେଟ୍ ଥାଏ । ପ୍ରତି ସେଟ୍ରେ ୨୦ ମିଟର, ୪୦ ମିଟର ଓ ୬୦ ମିଟରର ଅପ୍-ଡାଉନ୍ ରନିଂ କରିବାକୁ ପଡ଼ିଥାଏ (ମୋଟ ୨୪୦ ମିଟର ପ୍ରତି ସେଟ୍) । ପୂର୍ବରୁ ଏଥିପାଇଁ ୬ ମିନିଟ୍ ସମୟ ମିଳୁଥିବା ବେଳେ ଏବେ ତାହାକୁ କମାଇ ୫ ମିନିଟ୍ ୧୫ ସେକେଣ୍ଡରୁ ୫ ମିନିଟ୍ ୨୦ ସେକେଣ୍ଡ କରାଯାଇଛି । ନୂଆ ନିୟମ ଅନୁସାରେ ବ୍ରୋଙ୍କୋ ଟେଷ୍ଟ ଶେଷ ହେବା ମାତ୍ରେ କୌଣସି ବ୍ରେକ୍ ନନେଇ ୯ରୁ ୧୦ ମିନିଟ୍ ମଧ୍ୟରେ ୨ କିଲୋମିଟର ଦୌଡ଼ ଶେଷ କରିବାକୁ ହେବ ।
ଇଂଲଣ୍ଡର ଥଣ୍ଡା ପରିବେଶରେ ମଧ୍ୟ ଖେଳାଳିଙ୍କ ମାଂସପେଶୀରେ ଟାଣ ଧରିବା ଏବଂ ପଡ଼ିଆରେ ସେମାନଙ୍କ ଗତିବିଧି କମିବା ବୋର୍ଡର ଚିନ୍ତା ବଢ଼ାଇଥିଲା । ଦୀର୍ଘ ସମୟ ବ୍ୟାଟିଂ କରିବା ପରେ ସିନିୟର ଖେଳାଳିମାନଙ୍କୁ ରନ୍ ଦୌଡ଼ିବାରେ ଅସୁବିଧା ହେଉଥିବା ଲକ୍ଷ୍ୟ କରାଯାଇଥିଲା । ବିସିସିଆଇ ସମ୍ପାଦକ ଦେବଜୀତ ସାଇକିଆ ଓ ଟିମ୍ ମ୍ୟାନେଜମେଣ୍ଟ ଦଳର ଫିଜିଓ କମଲେଶ ଜୈନ୍ଙ୍କୁ ଖେଳାଳିଙ୍କ ବାରମ୍ବାର ଆଘାତ ସମସ୍ୟା ନେଇ ଜବାବ ମାଗିଛନ୍ତି । ହର୍ଷିତ ରାଣା ଓ ନୀତିଶ କୁମାର ରେଡ୍ଡୀଙ୍କୁ ସମ୍ପୂର୍ଣ୍ଣ ଫିଟ୍ ନଥାଇ ମଧ୍ୟ ପୂର୍ବରୁ କ୍ଲିୟରାନ୍ସ ଦିଆଯାଇଥିବା ନେଇ ଅଭିଯୋଗ ଉଠିଥିଲା । ଇଂଲଣ୍ଡ ଗସ୍ତରୁ ଫେରିଥିବା ହର୍ଷିତ ରାଣାଙ୍କ ଓଜନ ୯୭ କିଲୋ ଥିବା ବେଳେ ଏବେ ସେ ତାହାକୁ ୯୪ କିଲୋଗ୍ରାମକୁ କମାଇଛନ୍ତି । ୨୦୨୩ ଦିନିକିଆ ବିଶ୍ୱକପ୍ ଓ ୨୦୨୪ ଟି୨୦ ବିଶ୍ୱକପ୍ ସମୟରେ ଭାରତର ଆଘାତ ପରିଚାଳନା ବେଶ୍ ସଫଳ ଥିଲା। କିନ୍ତୁ ଏବେ ବାରମ୍ବାର ୟୋ-ୟୋ , ବ୍ରୋଙ୍କୋ ଓ ୨-କେ ଟେଷ୍ଟ କରାଯାଉଥିବାରୁ ଖେଳାଳିଙ୍କ ଉପରେ ଅତିରିକ୍ତ ଶାରୀରିକ ଓ ମାନସିକ ଚାପ ପଡ଼ୁଥିବା କ୍ରିକେଟ ବିଶେଷଜ୍ଞମାନେ ଚେତାବନୀ ଦେଇଛନ୍ତି।