ଆମେରିକା: ଆମେରିକାର ହାଉସ୍ ଅଫ୍ ରିପ୍ରେଜେଣ୍ଟେଟିଭ୍ସ ରେ ଏକ ବଡ଼ ଧରଣର ରୁଷ ପ୍ରତିବନ୍ଧକ ବିଲ୍ ୨୬୨-୧୫୯ ଭୋଟ୍ରେ ଗୃହୀତ ହୋଇଛି। ଏହି ନୂଆ ବିଲ୍ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ସେହିସବୁ ଦେଶଗୁଡ଼ିକ ଉପରେ ୧୦୦ ପ୍ରତିଶତ ପର୍ଯ୍ୟନ୍ତ ଶୁଳ୍କ ଲଗାଇବାର କ୍ଷମତା ଦେଇଛି, ଯେଉଁମାନେ ରୁଷଠାରୁ କ୍ରମାଗତ ଭାବେ ଅଶୋଧିତ ତୈଳ ଓ ଗ୍ୟାସ୍ ଆମଦାନୀ କରୁଛନ୍ତି। ଏହି ତାଲିକାରେ ଭାରତ, ଚୀନ୍, ସ୍ଲୋଭାକିଆ, ହଙ୍ଗେରୀ ଏବଂ ଆଜରବାଇଜାନ୍ ପରି ପ୍ରମୁଖ ଦେଶଗୁଡ଼ିକ ସାମିଲ ଅଛନ୍ତି।
ରୁଷ-ୟୁକ୍ରେନ୍ ଯୁଦ୍ଧକୁ ବନ୍ଦ କରିବା ଏବଂ ରୁଷର ଅର୍ଥବ୍ୟବସ୍ଥାକୁ ଦୁର୍ବଳ କରିବା ଲକ୍ଷ୍ୟରେ ଆମେରିକା ଏହି କଠୋର ପଦକ୍ଷେପ ଗ୍ରହଣ କରିଛି। ଆମେରିକାର କହିବା କଥା ହେଉଛି, ରୁଷଠାରୁ ରିହାତି ଦରରେ ତୈଳ କିଣି ଭାରତ ଓ ଚୀନ୍ ଭଳି ଦେଶଗୁଡ଼ିକ କ୍ରେମଲିନ୍ର ଯୁଦ୍ଧ ପାଣ୍ଠିକୁ ସମୃଦ୍ଧ କରୁଛନ୍ତି । ନୂଆ ବିଲ୍ ଅନୁଯାୟୀ, ଯଦି ଏହି ଦେଶଗୁଡ଼ିକ ରୁଷ ସହ ଶକ୍ତି ବ୍ୟବସାୟ ବନ୍ଦ ନକରନ୍ତି, ତେବେ ସେମାନଙ୍କ ରପ୍ତାନି ସାମଗ୍ରୀ ଉପରେ ଆମେରିକା ଭାରୀ ଟାରିଫ୍ ଲଗାଇବ ।
ଏହି ବିଲ୍ ସେନେଟ୍ରେ ପୂର୍ବରୁ ପାରିତ ହୋଇସାରିଥିବା ବେଳେ, ଏବେ ହାଉସ୍ ଅଫ୍ ରିପ୍ରେଜେଣ୍ଟେଟିଭ୍ସରେ ପାରିତ ହେବା ପରେ ରାଷ୍ଟ୍ରପତି ଟ୍ରମ୍ପଙ୍କ ସ୍ୱାକ୍ଷର ପାଇଁ ପଠାଯାଇଛି। ତେବେ ଆମେରିକାର ଏହି ପଦକ୍ଷେପକୁ ନେଇ ଗ୍ଲୋବାଲ ସପ୍ଲାଏ ଚେନ୍ ଏବଂ ଆନ୍ତର୍ଜାତୀୟ ବାଣିଜ୍ୟରେ ନୂଆ ଉତ୍ତେଜନା ସୃଷ୍ଟି ହୋଇଛି। ଭାରତୀୟ କୂଟନୀତିଜ୍ଞମାନେ ଏହାକୁ ଆମେରିକାର “ଚାପ ନୀତି” ବୋଲି କହିବା ସହ ଭାରତ ନିଜର ଶକ୍ତି ସୁରକ୍ଷା ଓ ଜାତୀୟ ସ୍ୱାର୍ଥ ସହ କୌଣସି ବୁଝାମଣା କରିବ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି। ନଜର ପକାନ୍ତୁ, ଟ୍ରମ୍ପଙ୍କ ନୂଆ ଟାରିଫ୍ ନୀତି ଦ୍ୱାରା ଭାରତ ଉପରେ ପଡ଼ିବାକୁ ଥିବା ପ୍ରଭାବ
ରୁଷରୁ ମିଳୁଥିବା ଶସ୍ତା ଅଶୋଧିତ ତୈଳ ଆମଦାନୀ ବାଧାପ୍ରାପ୍ତ ହୋଇପାରେ
ଭାରତକୁ ବାଧ୍ୟ ହୋଇ ମଧ୍ୟପ୍ରାଚ୍ୟ ଦେଶଗୁଡ଼ିକରୁ ମହଙ୍ଗା ତୈଳ କିଣିବାକୁ ପଡ଼ିପାରେ।
ଆଇଟି ଏବଂ ସଫ୍ଟୱେର୍ ସେବା ରପ୍ତାନି ଉପରେ ପରୋକ୍ଷ ଚାପ ପଡ଼ିବ
ଟେକ୍ସଟାଇଲ୍ ଏବଂ ପୋଷାକ ଶିଳ୍ପ ଭୀଷଣ କ୍ଷତିଗ୍ରସ୍ତ ହୋଇପାରେ।
ଭାରତୀୟ ଷ୍ଟାର୍ଟଅପ୍ଗୁଡ଼ିକୁ ଆମେରିକୀୟ ଫଣ୍ଡିଂ ମିଳିବାରେ ଜଟିଳତା ସୃଷ୍ଟି ହେବ*

