Latest Odisha News

BREAKING NEWS

ଏସିଆ ହକି ଚାମ୍ପିଅନସିପ: ଭାରତ ଆସିବାକୁ ପାକିସ୍ତାନର ନା

କରାଚୀ: ଭାରତରେ ଆୟୋଜିତ ହେବାକୁ ଥିବା ପୁରୁଷ ଏସୀୟ ହକି ଚାମ୍ପିଅନ୍ସ ଟ୍ରଫି ୨୦୨୬ ପାଇଁ ପାକିସ୍ତାନ ନିଜ ଟିମ୍‌କୁ ଭାରତ ପଠାଇବାକୁ ସିଧାସଳଖ ମନା କରିଦେଇଛି। ପାକିସ୍ତାନ ହକି ଫେଡେରେସନ୍ ଏସୀୟ ହକି ଫେଡେରେସନ୍ କୁ ଆନୁଷ୍ଠାନିକ ଭାବେ ଚିଠି ଲେଖି ସମ୍ପୂର୍ଣ୍ଣ ଟୁର୍ଣ୍ଣାମେଣ୍ଟକୁ ଅନ୍ୟ କୌଣସି ଦେଶକୁ ସ୍ଥାନାନ୍ତର କରିବାକୁ କିମ୍ବା ପାକିସ୍ତାନର ସମସ୍ତ ମ୍ୟାଚ୍‌ ଗୁଡ଼ିକୁ କୌଣସି ନ୍ୟୁଟ୍ରାଲ ଭେନ୍ୟୁରେ କରାଇବାକୁ ଅନୁରୋଧ କରିଛି।

ପାକିସ୍ତାନ ହକି ଫେଡେରେସନ୍‌ର କାମଚଳା ସଭାପତି ମହିଉଦ୍ଦିନ୍ ଅହମ୍ମଦ ୱାନି ଏକ ବିବୃତିରେ କହିଛନ୍ତି ଯେ, ଭାରତ ଓ ପାକିସ୍ତାନ ମଧ୍ୟରେ ଚାଲିଥିବା ସୂକ୍ଷ୍ମ ଦ୍ୱିପାକ୍ଷିକ ସମ୍ପର୍କ ଏବଂ ସୁରକ୍ଷା ପରିସ୍ଥିତିକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନିଆଯାଇଛି। ଖେଳାଳି ଓ ଅଫିସିଆଲମାନଙ୍କ ସୁରକ୍ଷା ଏବଂ ସମ୍ମାନକୁ ସର୍ବାଧିକ ପ୍ରାଧାନ୍ୟ ଦିଆଯାଇଛି। ପାକିସ୍ତାନ କ୍ରୀଡ଼ାକୁ ରାଜନୀତିଠାରୁ ଦୂରରେ ରଖିବାକୁ ଚାହେଁ ଏବଂ ଭାରତ ସମେତ ସମସ୍ତ ଦଳ ବିପକ୍ଷରେ ଖେଳିବାକୁ ପ୍ରସ୍ତୁତ, ମାତ୍ର ମ୍ୟାଚ୍ ନିରପେକ୍ଷ ସ୍ଥାନରେ ହେବା ଆବଶ୍ୟକ।

ଅନ୍ୟପଟେ ହକି ଇଣ୍ଡିଆ ଏବଂ AHF ଉପସଭାପତି ଭୋଲା ନାଥ ସିଂହ ପାକିସ୍ତାନର ଏହି ଦାବିକୁ ସିଧାସଳଖ ପ୍ରତ୍ୟାଖ୍ୟାନ କରିଛନ୍ତି। ସେ କହିଛନ୍ତି ଯେ ଭେନ୍ୟୁରେ କୌଣସି ପରିବର୍ତ୍ତନ ହେବନାହିଁ। ଯଦି ପାକିସ୍ତାନ ଖେଳିବାକୁ ଚାହୁଁଛି, ତେବେ ତାଙ୍କୁ ଭାରତ ଆସିବାକୁ ହିଁ ପଡ଼ିବ। ଯଦି ପାକିସ୍ତାନ ନ ଆସେ, ତେବେ ଓମାନ କିମ୍ବା ବାଂଲାଦେଶକୁ ବିକଳ୍ପ ଦଳ ଭାବେ ସାମିଲ କରାଯିବ।

ପୂର୍ବ ନିର୍ଦ୍ଧାରିତ ସୂଚୀ ଅନୁଯାୟୀ, ଅକ୍ଟୋବର ୨୭ ରୁ ନଭେମ୍ବର ୫ ପର୍ଯ୍ୟନ୍ତ ପଞ୍ଜାବର ଜାଲନ୍ଧର ଓ ମୋହାଲିରେ ଏହି ଟୁର୍ଣ୍ଣାମେଣ୍ଟ ଖେଳାଯିବାର କାର୍ଯ୍ୟକ୍ରମ ରହିଛି। ଏହି ଟୁର୍ଣ୍ଣାମେଣ୍ଟରେ ଭାରତ, ପାକିସ୍ତାନ, ଚୀନ୍, ଜାପାନ୍, ମାଲେସିଆ ଓ ଦକ୍ଷିଣ କୋରିଆ ଭାଗ ନେବାର ରହିଛି।

Leave A Reply

Your email address will not be published.