Latest Odisha News

BREAKING NEWS

ମହାପ୍ରଭୁଙ୍କ ପୂଜା ନାଁରେ ଠକେଇ, ତଦନ୍ତ ପାଇଁ ଶ୍ରୀମନ୍ଦିର ପ୍ରଶାସନକୁ ଚିଠି ଲେଖିଲା ସିଂହଦ୍ୱାର ଥାନା

ପୁରୀ: ମହାପ୍ରଭୁଙ୍କ ପୂଜା ନାଁରେ ଅନ୍ ଲାଇନ୍ ଆପ ତିଆରି କରି ଠକେଇ। ତଦନ୍ତ ପାଇଁ ଶ୍ରୀମନ୍ଦିର ପ୍ରଶାସନକୁ ଚିଠି ଲେଖିଲା ସିଂହଦ୍ୱାର ଥାନା। ଉତ୍ସବ ଆପ୍‌ ଜରିଆରେ ଏହି ଠକେଇ ଅଭିଯୋଗ ହୋଇଛି।  ଆପ ସହିତ ଓ୍ବେବସାଇଟ ପଶ୍ଚିମବଙ୍ଗରୁ ପରିଚାଳିତ ହେଉଥିବା ଜଣାପଡ଼ିଛି।

ଗତକାଲି ଏହି ଠକେଇ ବାବଦରେ ଜଣାପଡିବା ପରେ ସେବାୟତ ବିନାୟକ ଦାସମହାପାତ୍ରଙ୍କ ଠାରୁ ଆରମ୍ଭ କରି ଜଗନ୍ନାଥ ସଂପୃକ୍ତ ଉତ୍ସବ ଆପର ପରିଚାଳକ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ। ଏହାପରେ ସିଂହଦ୍ୱାର ଥାନା ତଦନ୍ତ ପାଇଁ ଶ୍ରୀମନ୍ଦିର ପ୍ରଶାସନକୁ ଚିଠି ଲେଖିଛି।

ଏବେ ଘଟଣାର ସତ୍ୟତା ଉପରେ ତଦନ୍ତ କରି ରିପୋର୍ଟ ଦେବାକୁ ଚିଠି ହୋଇଛି। ଆବଶ୍ୟକ ପଡ଼ିଲେ ସିଂହଦ୍ବାର ଥାନା ପକ୍ଷରୁ ମାମଲା ରୁଜୁ ହେବ ବୋଲି ଜଣାପଡ଼ିଛି।

ଲୋକଙ୍କ ଧାର୍ମିକ ଭାବନାର ସୁଯୋଗ ନେଇ ପୁରୀ ଜଗନ୍ନାଥ ମନ୍ଦିରରେ ଅନଲାଇନରେ ପୂଜାର୍ଚ୍ଚନାର ସୁଯୋଗ ଦେଖାଇ ଉତ୍ସବ ନାମରେ ଆପ୍ ତିଆରି କରି ଭକ୍ତଙ୍କ ଭାବାବେଗ ସହ ଖେଳି ଲକ୍ଷାଧିକ ଟଙ୍କା ଠକି ନେଇଥିବା ଅଭିଯୋଗ ହୋଇଛି।

ରଥଯାତ୍ରା ସମୟରେ ପୁରୀକୁ ଆସି ପାରୁ ନ ଥିବା ଭକ୍ତଙ୍କୁ ମନ୍ଦିର ଓ ଦେବାଦେବୀଙ୍କ ରଥରେ ସେମାନଙ୍କ ପକ୍ଷରୁ ପୂଜାର୍ଚ୍ଚନା କରି ସାହାଯ୍ୟ କରିବା ପାଇଁ ‘ଉତ୍ସବ’ ନାମରେ ଏକ ଆପ୍ଲିକେସନ ସହିତ ଓ୍ବେବସାଇଟ୍ ରହିଛି। ଏ ନେଇ ସୋଶିଆଲ ମିଡିଆରେ ବିଜ୍ଞାପନ ଦିଆଯାଇଥିଲା। ଜୁନ୍ ୨୦ରେ ରଥଯାତ୍ରା ଅନୁଷ୍ଠିତ ହୋଇଥିବା ବେଳେ ଏହାର କିଛି ଦିନ ପୂର୍ବରୁ ଅର୍ଥାତ୍ ଜୁନ୍ ୧୬ରୁ ଏହା ଅନଲାଇନରେ ଚାଲିଥିଲା। ପ୍ରାୟ ୩ ହଜାର ୭ ଶହ ଭକ୍ତ ଏହି ଅଫରର ଲାଭ ଉଠାଇବା ସହ ଅନଲାଇନରେ ଏହି ପ୍ଲାଟଫର୍ମରେ ପୂଜାର୍ଚ୍ଚନା ପାଇଁ ପେମେଣ୍ଟ କରିଛନ୍ତି।

ଆପରେ କଣ ବ୍ୟବସ୍ଥା ଥିଲା?

ଏଥିରେ ୪୫୦୦ ଟଙ୍କା ବ୍ୟୟରେ ରଥ ଉପରେ ଅନଲାଇନ୍ ପୂଜା, ମନ୍ଦିର ଭିତରେ ସ୍ୱତନ୍ତ୍ର ପୂଜା ୨,୪୦୧ ଟଙ୍କାରେ, ୨୧୫୧ ଟଙ୍କାରେ ‘ଧ୍ୱଜା ବନ୍ଧା’ ଓ ୮୦୧ ଟଙ୍କାରେ ‘ନାମ ଓ ଗୋତ୍ର ସଙ୍କଳ୍ପ’ ସମେତ ଅନେକ ଅଫର ଆସିଥିଲା। ସେହିପରି ମଣ୍ଡପ ଭୋଗ ଦାନ ପାଇଁ ୬୯୦୧ ଟଙ୍କା ଏବଂ ମହାପ୍ରଭୁଙ୍କ ମସ୍ତକରେ ଆଟିକା ବାନ୍ଧିବାକୁ ୧୧,୫୦୧ ଟଙ୍କା ଦାବି କରାଯାଉଥିଲା । ତେବେ ମନ୍ଦିରରେ ସେପରି କୌଣସି ରୀତିନୀତି ପାଳନ କରାଯାଉନାହିଁ।

Leave A Reply

Your email address will not be published.