Latest Odisha News

BREAKING NEWS

ମୁଖ୍ୟମନ୍ତ୍ରୀ ସତ୍ୟର ସାମ୍ନା କରନ୍ତୁ ଏବଂ ଓଡ଼ିଶାବାସୀଙ୍କୁ ସତ କୁହନ୍ତୁ: ଜୟ ନାରାୟଣ ମିଶ୍ର

ଭୁବନେଶ୍ୱର: ବିରୋଧୀଙ୍କ ସବୁ ଅଭିଯୋଗର ଜବାବ ମୁଖ୍ୟମନ୍ତ୍ରୀ ରଖିବା ପରେ କାଉଣ୍ଟର କରିଛନ୍ତି ବିରୋଧୀ ଦଳ ନେତା ଜୟନରାୟଣ ମିଶ୍ର । ଜୟ ନାରାୟଣ କହିଛନ୍ତି, ଓଡ଼ିଶାର ମୁଖ୍ୟମନ୍ତ୍ରୀ ଆଜି ଗଣମାଧ୍ୟମରେ ଯେଉଁ ବିବୃତ୍ତି ଦେଇଛନ୍ତି ବୋଧହୁଏ ସେ ଗତକାଲି ନିଜ ଗୃହ ବିଭାଗ ଦ୍ୱାରା ଆଗତ ହୋଇଥିବା ଶ୍ୱେତପତ୍ରକୁ ପଢ଼ି ନାହାନ୍ତି । ସେ କେବଳ ମିଛ କଥା କହି ଓଡ଼ିଶାବାସୀଙ୍କୁ ଭ୍ରମିତ କରିବା ପାଇଁ ଚେଷ୍ଟା କରିଛନ୍ତି ବୋଲି ଟ୍ୱିଟ୍ କରି କହିଛନ୍ତି ବିରୋଧୀ ଦଳ ନେତା ଜୟ ନାରାୟଣ ମିଶ୍ର ।

ରାଜ୍ୟ ସରକାରଙ୍କ ପ୍ରଦତ୍ତ ତଥ୍ୟରୁ ଓଡ଼ିଶାରେ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ ଥିବା ବେଳେ ବିରୋଧୀଙ୍କ ଲ’ ଲେସନେସ୍  କହିବା ମୁଖ୍ୟମନ୍ତ୍ରୀଙ୍କୁ କାହିଁକି କଷ୍ଟ ଦେଉଛି ? ମୁଖ୍ୟମନ୍ତ୍ରୀ ସତ୍ୟର ସାମ୍ନା କରନ୍ତୁ ଏବଂ ଓଡ଼ିଶାବାସୀଙ୍କୁ ସତ କୁହନ୍ତୁ । ଗତକାଲି ରାଜ୍ୟ ସରକାରଙ୍କ ଶ୍ୱେତପତ୍ରରେ ଥିବା ତଥ୍ୟନୁସାରେ ୨୦୨୧ ତୁଳନାରେ ୨୦୨୨ରେ ଧର୍ତ୍ତବ୍ୟ ଅପରାଧ ହାର ୧୪.୬୫% ବୃଦ୍ଧି ପାଇଛି ।

କିଛି ଦିନ ପୂର୍ବରୁ ଗୃହ ବିଭାଗ ଦେଇଥିବା ତଥ୍ୟନୁସାରେ ୨୦୨୨ରେ ରାଜ୍ୟରେ ୧୩୭୯ ହତ୍ୟା ଏବଂ ୩୧୮୪ଟି ଦୁଷ୍କର୍ମ କେସ୍ ରୁଜୁ ହୋଇଛି । ଓଡ଼ିଶାର ୧୯% ନବଜାତ ଶିଶୁଙ୍କର କମ ଓଜନ ରହିଥିବା ବେଳେ ୩୧% ଶିଶୁ ପୁଷ୍ଟିହୀନର ଶିକାର । ୧୮% ଉଚ୍ଚତା କମ୍ ଓ ୬୦%ରୁ ଉର୍ଦ୍ଧ୍ୱ ଶିଶୁ ଓ ଗର୍ଭବତୀ ମହିଳା ରକ୍ତହୀନତାରେ ପୀଡ଼ିତ, ଯାହା ଚିନ୍ତାଜନକ ।

ରାଜ୍ୟ ସରକାର ମେକ୍ ଇନ୍ ଓଡ଼ିଶାର ବିଫଳତାକୁ ନିଜେ ସ୍ୱୀକାର କରିଛନ୍ତି । ୨୦୧୬ ଓ ୨୦୧୮ରେ ଆସିଥିବା ମୋଟ ୨୮୬ଟି ପ୍ରସ୍ତାବରୁ ମାତ୍ର ୧୦୭ଟି ପ୍ରସ୍ତାବର ସହମତି ପ୍ରକାଶ ପାଇଛି ବୋଲି କହୁଛନ୍ତି, ଯାହା ୩୭ ପ୍ରତିଶତ । ତଳ ସ୍ତରରେ ପୁଞ୍ଜିନିବେଶ କେମିତି ହେଉଛି, ଓଡ଼ିଶାବାସୀ ଜାଣିଛନ୍ତି ।

ତଥ୍ୟ ଅନୁସାରେ ୨୦୧୯-୨୦୨୨ ଭିତରେ ବିଦେଶୀ ପୁଞ୍ଜିନିବେଶରେ ଦେଶକୁ ଆସିଥିବା ୧୩ ଲକ୍ଷ ୪୨ ହଜାର କୋଟିରୁ ଊର୍ଦ୍ଧ୍ୱ ଟଙ୍କାରୁ ଓଡ଼ିଶାକୁ ଆସିଛି ମାତ୍ର ୦.୦୦୮ ପ୍ରତିଶତ । ଏଥିରୁ ରାଜ୍ୟ ସରକାରଙ୍କ ପାରିବାପଣିଆ ସ୍ପଷ୍ଟ ହେଉଛି ।

ଓଡ଼ିଶାର ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କୁ ଗୃହ ବିଭାଗର ଜଣେ ଅଫିସର ହତ୍ୟା କରିବାର ପ୍ରାୟ ୫୩ ଦିନ ବିତିବା ପରେ ମଧ୍ୟ ହତ୍ୟାର ସତ୍ୟାସତ୍ୟ ଦର୍ଶାଇବାରେ ସରକାର ବିଫଳ ହୋଇଛନ୍ତି । ଏହି ଘଟଣାରେ ତଦନ୍ତ ପ୍ରକ୍ରିୟା କଣ, ତାହାକୁ ଓଡ଼ିଶାବାସୀ ମର୍ମେ ମର୍ମେ ଅନୁଭବ କଲେଣି । ରାଜ୍ୟରେ ଗତ ୧୦ ବର୍ଷରେ ଓଡ଼ିଶା ସରକାରଙ୍କ ଅଧୀନରେ ଥିବା କ୍ରାଇମବ୍ରାଞ୍ଚ ୨୨୫ଟି ମାମଲାରୁ ମାତ୍ର ୧୦ଟି ମାମଲାରେ ଦୋଷୀକୁ ଦଣ୍ଡ ମିଳିଛି । ଏଥିରୁ  କ’ଣ ପ୍ରମାଣିତ ହେଉଛି ବୋଲି ବିରୋଧୀ ଦଳ ନେତା ପ୍ରଶ୍ନ କରିଛନ୍ତି ।

Leave A Reply

Your email address will not be published.