Latest Odisha News

BREAKING NEWS

ଆଜି ମହାପ୍ରଭୁଙ୍କ ପଇତାଲାଗି ନୀତି : ଅପରାହ୍ଣ ୪ଟାରୁ ରାତି ୮ଟା ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ

ପୁରୀ: ମହାପ୍ରଭୁଙ୍କ ପଇତାଲାଗି ନୀତି ପାଇଁ ସୋମବାର ଶ୍ରୀମନ୍ଦିରରେ ସର୍ବସାଧାରଣ ଦର୍ଶନ ୪ ଘଣ୍ଟା ବନ୍ଦ ରହିବ। ଆସନ୍ତାକାଲି ଦଶମୀ ତିଥି ଅବସରରେ ଶ୍ରୀଜିଉଙ୍କ ପଇତା ଲାଗି ନୀତି ଥିବାରୁ ଆପାତତଃ ଅପରାହ୍ଣ ୪ଟାରୁ ରାତି ୮ଟା ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ। ଏହି ନୀତି ନିର୍ଧାରିତ ସମୟରେ ଦଇତାପତି ସେବକମାନଙ୍କ ଦ୍ବାରା ସମ୍ପାଦିତ ହେବ।

ପବିତ୍ର ଶ୍ରବଣା ମକର ନକ୍ଷତ୍ରରେ ଗତକାଲି ରାତିରେ ମହାପ୍ରଭୁଙ୍କ ରାମାଭିଷେକ ନୀତି ଅନୁଷ୍ଠିତ ହୋଇଯାଇଛି । ଏହା ସହ ଶ୍ରୀରାମ ନବମୀରୁ ଆରମ୍ଭ ହୋଇଥିବା ଶ୍ରୀକ୍ଷେତ୍ରର ସାହିଯାତ ମଧ୍ୟ ଚଳିତବର୍ଷ ପାଇଁ ଶେଷ ହୋଇଛି । ଗତକାଲି ଶ୍ରୀମନ୍ଦିରରେ ମଧ୍ୟାହ୍ନଧୂପ ପରେ ନକ୍ଷତ୍ର ଦିଅଁ ଭିତରକୁ ବିଜେ କରିଥିଲେ । ଏହାପରେ ନକ୍ଷତ୍ର ବନ୍ଦାପନା କରାଯାଇ ନକ୍ଷତ୍ର ବେଢାକୁ ଦିଅଁ ବିଜେ କରିଥିଲେ।

ସେବାୟତ ଭରତ ଓ ଶତ୍ରୁଘନ ଚରିତ୍ର ଧାରଣ କରି ପ୍ରଭୁ ଶ୍ରୀରାମଙ୍କ ରୂପାର ପାଦୁକା ଦ୍ବୟ ସାଙ୍ଗରେ ଧରି ଶ୍ରୀଜଗନ୍ନାଥ ବଲ୍ଳବ ମଠରେ ପହଂଚିବା ପରେ  ଶ୍ରୀରାମଙ୍କ ଅଭିଷେକ ନୀତି ଅନୁଷ୍ଠିତ ହେବା ପରେ ଶ୍ରୀମନ୍ଦିରକୁ ଠାକୁର ବାହୁଡା଼ ବିଜେ କରିଥିଲେ । ତ୍ରେତୟା ଯୁଗରେ ମହାପ୍ରଭୁ ଅଯୋଧ୍ୟା ଧାମରେ ଶ୍ରୀରାମଙ୍କ ରୂପରେ ଜନ୍ମ ନେଇଥିଲେ । ଯେହେତୁ ଶ୍ରୀରାମ ମହାପ୍ରଭୁଙ୍କ ଅବତାରୀ ସେହି ଦୃଷ୍ଟିରୁ ପ୍ରତିବର୍ଷ ଶ୍ରୀମନ୍ଦିରରେ ଶ୍ରୀରାମଙ୍କ ଜନ୍ମନୀତି ଠାରୁ ରାମାଭିଷେକ ନୀତି ପାଳନ କରାଯାଇ ଆସୁଛି ।

 

Leave A Reply

Your email address will not be published.