Latest Odisha News

BREAKING NEWS

ମଧୁମେହ ପଛରେ ଲୁଚିଛି କି ଏହି ସାଧାରଣ କାରଣ? ଭାରତୀୟଙ୍କ ଖାଦ୍ୟାଭ୍ୟାସକୁ ନେଇ ଆସିଲା ଆଶ୍ଚର୍ଯ୍ୟଜନକ ରିପୋର୍ଟ…

ନୂଆଦିଲ୍ଲୀ: ଭାରତରେ ଡାଇବେଟିସ୍ ଏବେ ଏକ ନୀରବ ଘାତକ ଭାବେ ଘରେ ଘରେ ପଶିଗଲାଣି। ସାଧାରଣତଃ ଆମେ ଭାବୁ ଯେ ଅଧିକ ମିଠା ଖାଇବା ବା ରିଫାଇନ୍‌ଡ୍ ଖାଦ୍ୟ ଖାଇବା ଯୋଗୁଁ ହିଁ ଲୋକେ ଟାଇପ୍-୨ ଡାଇବେଟିସ୍‌ରେ ଆକ୍ରାନ୍ତ ହେଉଛନ୍ତି। ହେଲେ ନିକଟରେ ଏସିଆ ମହାଦେଶରେ କରାଯାଇଥିବା ଏକ ବଡ଼ ଗବେଷଣାରୁ ଯେଉଁ ତଥ୍ୟ ସାମ୍ନାକୁ ଆସିଛି, ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି। ବିଶେଷ କରି ଭାରତୀୟମାନଙ୍କ ପାଇଁ ଏହି ଅଧ୍ୟୟନ ଏକ ସତର୍କ ଘଣ୍ଟି। ଜାଣିଲେ ଆଶ୍ଚର୍ଯ୍ୟ ହେବେ, ଅଧିକ ମିଠା ଖାଇବା ଅପେକ୍ଷା ‘ଫଳ ନଖାଇବା’ ହିଁ ଭାରତରେ ମଧୁମେହ ବୃଦ୍ଧିର ଏକ ପ୍ରମୁଖ କାରଣ ପାଲଟିଛି।

 

‘ଡାଇବେଟିସ୍ ରିସର୍ଚ୍ଚ ଆଣ୍ଡ କ୍ଲିନିକାଲ ନ୍ୟୁଟ୍ରିସନ୍’ ପତ୍ରିକାରେ ପ୍ରକାଶିତ ଏହି ରିପୋର୍ଟ ଅନୁଯାୟୀ, ଗ୍ଲୋବାଲ ବର୍ଡନ୍ ଅଫ୍ ଡିଜିଜ୍ (GBD) -୨୦୨୩ର ତଥ୍ୟକୁ ଆଧାର କରି ୩୪ଟି ଏସୀୟ ଦେଶରେ ଏହି ସର୍ଭେ କରାଯାଇଥିଲା। ରିପୋର୍ଟ ମୁତାବକ, ଦକ୍ଷିଣ ଏସିଆ ତଥା ବିଶେଷ କରି ଭାରତରେ ଲୋକଙ୍କ ଖାଦ୍ୟ ଥାଳିରେ ଫଳ ଏବଂ ସାବୁତ୍ ଶସ୍ୟର ଅଭାବ ଯୋଗୁଁ ଟାଇପ୍-୨ ଡାଇବେଟିସ୍ ଆଶାତୀତ ଭାବେ ବୃଦ୍ଧି ପାଉଛି।

 

ଭାରତରେ ଏବେ ପ୍ରାୟ ୧୦.୧ କୋଟି ଲୋକ ମଧୁମେହରେ ଆକ୍ରାନ୍ତ ଥିବା ବେଳେ ୧୩.୬ କୋଟି ଲୋକ ପ୍ରି-ଡାଇବେଟିସ୍ ଷ୍ଟେଜ୍‌ରେ ଅଛନ୍ତି। ଭାରତୀୟ ଆୟୁର୍ବିଜ୍ଞାନ ଅନୁସନ୍ଧାନ ପରିଷଦ ଏବଂ ମାଡ୍ରାସ ଡାଇବେଟିସ୍ ରିସର୍ଚ୍ଚ ଫାଉଣ୍ଡେସନ୍ ପକ୍ଷରୁ କରାଯାଇଥିବା ଏକ ଅଧ୍ୟୟନରୁ ମଧ୍ୟ ଜଣାପଡ଼ିଛି ଯେ, ଭାରତୀୟମାନେ ନିଜ ଶରୀରର ମୋଟ କ୍ୟାଲୋରୀର ପ୍ରାୟ ୬୨ ପ୍ରତିଶତ କେବଳ କାର୍ବୋହାଇଡ୍ରେଟ୍‌ରୁ ହିଁ ପାଇଥାନ୍ତି, ଯେଉଁଥିରେ ଅଧିକାଂଶ ଧଳା ଚାଉଳ (ଭାତ) ଏବଂ ଚିନି ଜାତୀୟ ଖାଦ୍ୟ ରହିଥାଏ।

 

ଭାରତ ବିଶ୍ୱର ଅନ୍ୟତମ ବୃହତ୍ ଫଳ ଉତ୍ପାଦନକାରୀ ଦେଶ ହୋଇଥିଲେ ସୁଦ୍ଧା, ଏଠାରେ ସାଧାରଣ ଲୋକଙ୍କ ଫଳ ଖାଇବା ହାର ଆବଶ୍ୟକତା ଠାରୁ ବହୁତ କମ୍। ମହଙ୍ଗା ବଜାର ଦର, ବଦଳୁଥିବା ଖାଦ୍ୟାଭ୍ୟାସ ଏବଂ ମଧୁମେହ ରୋଗୀ ଫଳ ଖାଇବା ଅନୁଚିତ ବୋଲି ରହିଥିବା ଅନ୍ଧବିଶ୍ୱାସ ଯୋଗୁଁ ଲୋକେ ଫଳରୁ ଦୂରେଇ ରହୁଛନ୍ତି।

 

ବିଶେଷଜ୍ଞଙ୍କ ମତରେ ଫଳ ଏବଂ ଶସ୍ୟଜାତୀୟ ଖାଦ୍ୟ ଶରୀରକୁ ରକ୍ଷାକବଚ ଯୋଗାଇଥାଏ। କେବଳ ମିଠା କମାଇଦେଲେ ମଧୁମେହ ନିୟନ୍ତ୍ରଣ ହୋଇଯିବ, ଏହି ଧାରଣାରୁ ବାହାରି ଆସିବାକୁ ଡାକ୍ତରମାନେ ପରାମର୍ଶ ଦେଇଛନ୍ତି। ଭାରତୀୟଙ୍କ ଖାଦ୍ୟଶୈଳୀରେ ରିଫାଇନ୍‌ଡ୍ କାର୍ବୋହାଇଡ୍ରେଟ୍‌ ବଦଳରେ ପର୍ଯ୍ୟାପ୍ତ ପରିମାଣର ତାଜା ଫଳ, ପନିପରିବା ଏବଂ ଗୋଟା ଶସ୍ୟ ସାମିଲ କରିବା ନିହାତି ଜରୁରୀ ବୋଲି ଏହି ଅଧ୍ୟୟନରୁ ସ୍ପଷ୍ଟ ହୋଇଛି।

Leave A Reply

Your email address will not be published.