Latest Odisha News

BREAKING NEWS

‘ଲୋୟ କ୍ରାଥୋଙ୍ଗ’ ନାମରେ ପାଳିତ ହୁଏ ଥାଇଲାଣ୍ଡରେ ବୋଇତ ବନ୍ଦାଣ ଉତ୍ସବ

ଭୁବନେଶ୍ୱର: ଅନେକଙ୍କୁ ଜଣା ନଥିବ ଓଡିଶା ଭଳି ଥାଇଲାଣ୍ଡରେ ମଧ୍ୟ ପାଳନ ହୁଏ ବୋଇତ ବନ୍ଦାଣ ଉତ୍ସବ । କାର୍ତ୍ତିକ ମାସର ପୂର୍ଣ୍ଣିମା ତିଥିରେ ଓଡ଼ିଶାର ପୁରପଲ୍ଲୀରେ ବୋଇତ ବନ୍ଦାଣ ଉତ୍ସବ ପାଳନ ହୁଏ । ପୂର୍ବରୁ ଓଡ଼ିଆ ପୁଅ ମାନେ ବାଣିଜ୍ୟ ପାଇଁ ବାଲି, ଜାଭା, ସୁମାତ୍ରା ଆଦି ଦୀପକୁ ବୋଇତ ଯୋଗେ ଯାତ୍ରା କରୁଥିଲେ। ଓଡ଼ିଶାର ଏହି ଗୌରବମୟ ଇତିହାସକୁ ମନରେ ଉଜ୍ଜୀବିତ ରଖିବା ପାଇଁ ପ୍ରତ୍ୟେକ ବର୍ଷ ବୋଇତ ବନ୍ଦାଣ ଉତ୍ସବ ପାଳନ କରାଯାଏ । କଦଳୀ ପାଟୁଆରେ ଡଙ୍ଗା କରି ବିଭିନ୍ନ ଜଳାଶୟ ମାନଙ୍କରେ ଆ-କା-ମା-ବୈ କହି ପାନ ଗୁଆ ଥୋଇ ବୋଇତ ଭାସାଯାଏ ।

ଓଡ଼ିଶା ଭଳି ଥାଇଲାଣ୍ଡରେ ମଧ୍ୟ ଏହିଭଳି ବୋଇତ ବନ୍ଦାଣ ଉତ୍ସବ ପାଳନ କରାଯାଏ । ଯାହାକୁ ‘ଲୋୟ କ୍ରାଥୋଙ୍ଗ’ ବୋଲି କୁହାଯାଏ । ଏହିଦିନ ଥାଇଲାଣ୍ଡର ଲୋକମାନେ ଜଳାଶୟ ନିକଟରେ ରୁଣ୍ଡ ହୋଇ ଜଳ ଦେବତାଙ୍କୁ ପ୍ରାର୍ଥନା କରନ୍ତି ।

ସେମାନେ ପଦ୍ମ ଫୁଲ ଆକାରରେ ଏକ ସୁନ୍ଦର ଡଙ୍ଗା ପ୍ରସ୍ତୁତ କରନ୍ତି । ଯାହାକୁ ମହମବତୀ, ଧୂପ ଓ ଫୁଲରେ ସଜା ଯାଇଥାଏ । ମହମବତୀର ଆଲୋକରେ ଜଳାଶୟର ପାଣି ଚକଚକ କରି ଚମକି ଉଠେ ।

ଏହାଛଡା ଜଳକୁ ପ୍ରଦୂଷଣ କରୁଥିବାରୁ ଜଳ ଦେବତାଙ୍କୁ କ୍ଷମା ପ୍ରାର୍ଥନା ମଧ୍ୟ କରନ୍ତି । ଏହାସହ ବର୍ଷସାରା ହୋଇଥିବା ପ୍ରଚୁର ମାତ୍ରାର ଉତ୍ପତ୍ତି ପାଇଁ ଧନ୍ୟବାଦ ମଧ୍ୟ ଅର୍ପଣ କରନ୍ତି ।

ଆହୁରି ମଧ୍ୟ ବିଶ୍ୱାସ ରହିଛି ଯେ, ଯାହାର କ୍ରାଥଙ୍ଗ(ଡଙ୍ଗା) ଅଦୃଶ୍ୟ ହେବା ଯାଏଁ ମହମବତୀ ଜଳିଥାଏ, ତାହାର ଭାଗ୍ୟ ସେ ବର୍ଷ ଚମକି ଉଠିଥାଏ ।

Leave A Reply

Your email address will not be published.