Latest Odisha News

ସୌଭାଗ୍ୟବତୀ

ଫକୀର ମୋହନ ନାହାକଙ୍କ ନିୟମିତ ସ୍ତମ୍ଭ ‘ଗାଁ କଥା’

ବାପା ମାଆଙ୍କ ପ୍ରଥମ ସନ୍ତାନ ସେ। ହେଲେ ଝିଅଟା। ସେ କାଳରେ ଝିଅଟା ବୋଲି କହିଲେ, ସମସ୍ତଙ୍କ ନାକ ଟେକି ହେଇଯାଉଥିଲା। ଲୋକେ ନାହିଁ ନଥିବା କଥା କହୁଥିଲେ। ନାହି ନାଡ଼ କଟା ନହଉଣୁ ଗାଁ ମାଇପେ ହୁରି ପକାଇ ଦେଉଥିଲେ, ସେ ଅମୁକ ଲୋକର ସ୍ତ୍ରୀ ଝିଅଟେ ଜନ୍ମ କରିଛି। ହେଲେ ତା କ୍ଷେତ୍ରରେ କଥା ଥିଲା ଟିକିଏ ଅଲଗା। କାହିଁକି ନା, ତା ମାଆ କେତକୀ ଆଉ ତା ବାପା ଦେବୀଚରଣ ପାଇଁ ସେ ଥିଲା ଲକ୍ଷ୍ମୀ। ଗଣେଶ ଚତୁର୍ଥୀ ଭଳି ଗୋଟିଏ ପବିତ୍ର ଦିନରେ ତାଙ୍କ କୋଳକୁ ଆସିଛି ସେ। ତେବେ ପୁଅଟେ ହୋଇଥିଲେ ହୁଏତ ତାକୁ ଗଣେଶ କିମ୍ବା ବିଘ୍ନରାଜ ଅଥବା ବିନାୟକ ବୋଲି ନାଁ ଦେଇଥାନ୍ତେ ସେମାନେ। ହେଲେ ସେ ଯେହେତୁ ଝିଅଟା, ତେଣୁ ତା ନାଁ ରଖିଲେ ଶୈଳପୁତ୍ରୀ। ତା ମାନେ ଗଣେଶ ଚତୁର୍ଥୀରେ ସିନା ଜନ୍ମ ହେଲା, ହେଲେ ନାଁ ପାଇଲା ଗଣେଶଙ୍କ ମାଆ ପାର୍ବତୀଙ୍କର। ସେ ଯେତେବେଳେ ଜନ୍ମ ହେଲା ବୋଲି ଖବର ଗଲା, ପ୍ରଥମେ ତାଙ୍କ ଘରକୁ ଆସିଥିଲେ ତା ବଡ଼ ପିଉସୀ। ତା ବାପାଙ୍କଠୁ ଢେର ବଡ଼। ବାପା ବି ତାଙ୍କୁ ଡରନ୍ତି। ବିଶିଷ୍ଟ ଜ୍ୟୋତିଷାଚାର୍ଯ୍ୟଙ୍କ ଝିଅ ସେ। ତେଣୁ ଜ୍ୟୋତିଷ ଶାସ୍ତ୍ର ସାଙ୍ଗକୁ ଅନ୍ୟାନ୍ୟ ଶାସ୍ତ୍ର ପୁରାଣ ଉପରେ ଭାରି ଦଖଲ ପିଉସୀଙ୍କର। ସେ ଆସିବା କ୍ଷଣି କଣ ବୁଝିଲେ କେଜାଣି, ତା ମୁହଁଟାକୁ ଅନାଇ ଦେଇ କହିଲେ, ପାଠଶାଠ କିଛି ହେବନି ୟାର। ଗଣେଶ ଚତୁର୍ଥୀରେ ଜନ୍ମ ହେଇଛି। ତେଣୁ ଗୋଟିଏ ଗଜମୂର୍ଖ ହେବ ଇଏ। ନିଜ ନାଁଟା ଲେଖିବା ବି ଶିଖି ପାରିବନି। ଏଇ କଥା ଶୁଣି ସମସ୍ତେ ଗୋଟିଏ ସ୍ୱରରେ ହସି ଉଠିଲେ। ବାପା ଦେବୀଚରଣ କିନ୍ତୁ କଥାଟାକୁ ଅତି ଗୁରୁତ୍ୱର ସହିତ ଗ୍ରହଣ କରିଥାନ୍ତି। ସେ ବି ଶାସ୍ତ୍ର ପୁରାଣ ଜାଣିବା ଲୋକ। ବଡ଼ ଭଉଣୀର କଥାଟା ତାଙ୍କୁ କାହିଁକି ଅକ୍ଷରେ ଅକ୍ଷରେ ସତ ଭଳି ଲାଗିଲା। ତେଣୁ ସେ ସଙ୍ଗେ ସଙ୍ଗେ କହିଲେ, ବୁଝିଲୁ ନାନୀ, ତୁ ଯାହା କହୁଛୁ କହ, ଯତ୍ ଭାଲପଟେ ଲିଖିତଂ .. କର୍ମାନୁସାରେ ଫଳମ୍ । ତେଣୁ ତା ଭାଗ୍ୟରେ ଯାହା ଥିବ, ସେ ସେଇଆ ଭୋଗିବ। ଆମେ ଜନ୍ମ ଦେଇଛନ୍ତି ବୋଲି ତ ଆଉ କର୍ମ ଦେଇନାହାନ୍ତି।

ଗାଁ ଚାଟଶାଳୀରେ ପାଠ ପଢ଼ିବାକୁ ଯାଉଥିଲା ଶୈଳପୁତ୍ରୀ। ପ୍ରଥମ ଦିନ ହିଁ ଠିକ୍ ଭାବେ ସିଲଟରେ ଅ ଆ ଦୁଇଟା ଲେଖି ପାରିଲାନି ବୋଲି, ତାକୁ ଅବଧାନେ ଗୋଟିଏ ଚଟକଣି ଦେଲେ। ଏତିକିରେ ରାଗିଯାଇ ଚାଟଶାଳୀରୁ ବାହାରକୁ ଦୌଡ଼ି ଆସିଲା ସେ। ଗୋଟିଏ ଟେକା ଉଠାଇ, ଦେଲା ଅବଧାନେଙ୍କୁ ପାନେ। ଅବଧାନଙ୍କ ମୁଣ୍ଡ ଫାଟି ବହିଲା ରକ୍ତଧାର। ସେଆଡ଼େ ଶୈଳପୁତ୍ରୀ ଚମ୍ପଟ୍। କଥା ତା ବାପାଙ୍କ କାନକୁ ଗଲା। ଆଉ ପ୍ରଥମ ଦିନ ହିଁ ତା ପାଠପଢ଼ାରେ ବନ୍ଧା ହୋଇଗଲା ଡୋରି। ବଡ଼ ପିଉସୀ କହିଥିବା କଥାଟା ସତେ ଯେମିତି ଅକ୍ଷରେ ଅକ୍ଷରେ ସତ ସାବ୍ୟସ୍ତ ହେବାକୁ ବସିଛି। ସେଇଆ ହିଁ ହେଲା। ମାତ୍ର ଚାରି ବର୍ଷ ବୟସରେ ଘରେ ମାଆକୁ କାମରେ ସାହାଯ୍ୟ କରୁଥିଲା ଶୈଳପୁତ୍ରୀ। ଆଠ ବର୍ଷ ବୟସରେ କାଖରେ ମାଠିଆ କାଖେଇ କୂଅରୁ ପାଣି ବୋହିବା ଆରମ୍ଭ କରି ଦେଇଥିଲା ସେ। କିଛି ଦିନ ପରେ ଦେଖିଲା ବେଳକୁ ମୁଣ୍ଡରେ ଗୋଟିଏ ମାଠିଆ ଆଉ କାଖରେ ଗୋଟିଏ ମାଠିଆ, ଏମିତି ଦୁଇ ମାଠିଆ ପାଣି ବୋହି ସେ ସହଜରେ ଘରକୁ ଆଣିପାରୁଥିଲା। ମୋଟାମୋଟି କହିବାକୁ ଗଲେ, ଘରର ସବୁ କାମଦାମ କରିବାଠୁ ଆରମ୍ଭ କରି ରୋଷେଇବାସ ଯାଏଁ ସବୁକିଛି ସେ ଶିଖି ଯାଇଥିଲା ମାତ୍ର ବାର ବର୍ଷ ବୟସରେ। ସେଥିପାଇଁ ବୋଧେ ଦେବୀଚରଣ, ଝିଅକୁ ମାତ୍ର ଚଉଦ ବର୍ଷ ଯେତେବେଳେ, ତାକୁ ବାହା ଦେଇ ବିଦା କରିଦେଲେ।

ଶାଶୂ ଘରକୁ ଗଲା ପରେ ଖୁବ୍ ଖୁସି ଥିଲା ଶୈଳପୁତ୍ରୀ। ତା ଶାଶୂଘର ଗାଁରେ ତାକୁ ସମସ୍ତେ ଶ୍ରଦ୍ଧା କରୁଥିଲେ। ଖାଲି ସେତିକି ନୁହେଁ, ଅଧିକାଂଶ ନିରକ୍ଷର ମହିଳାଙ୍କ ଭିତରେ ସେ ବି ଥିଲା ଜଣେ ନିରକ୍ଷର। ହେଲେ ମୂର୍ଖ ନଥିଲା। କାରଣ, ମୃଗୁଣୀ ସ୍ତୁତିଠୁ ଆରମ୍ଭ କରି ଶ୍ରୀଜଗନ୍ନାଥ ଜଣାଣ, ଦୁର୍ଗାସ୍ତୁତି, ଛାନ୍ଦ, ଚଉପଦୀ ସବୁକିଛି ମୁଖସ୍ଥ ଥିଲା ତାର। ଗାଁରେ ଯେତେବେଳେ ତା ଜେଜେବାପା ଏବଂ ବାପା ସକାଳ ସନ୍ଧ୍ୟାରେ ପ୍ରାର୍ଥନା କରନ୍ତି, ସେତେବେଳେ ସେ ନିୟମିତ ଭାବେ ଯାଇ ସେମାନଙ୍କ ପାଖରେ ବସେ। ପିଲାଦିନରୁ ସେମାନଙ୍କ ପ୍ରାର୍ଥନା ଶୁଣି ଶୁଣି, ତାର ସବୁ କିଛି ମନେ ରହିଯାଇଛି। ତେଣୁ ଯେଉଁଠି ଦରକାର ପଡ଼େ, ସେ ମନେ ରଖିଥିବା ସେହି ସବୁ ପ୍ରାର୍ଥନା, ସ୍ତୁତି, ମନ୍ତ୍ର ସବୁକିଛି ଅନର୍ଗଳ ଗାଏ। ତେଣୁ ସମସ୍ତେ ଭାବନ୍ତି, ସେ ପାଠ ନ ପଢ଼ିଲେ କଣ ହେଲା, ତାର ଅନ୍ତତଃ ଧର୍ମ ଶାସ୍ତ୍ର ଉପରେ ଜ୍ଞାନ ତ ଅଛି।

ସବୁ ଆନନ୍ଦ କେବେହେଲେ ଦୀର୍ଘସ୍ଥାୟୀ ନୁହନ୍ତି। ସେଥିପାଇଁ ତ କିଏ କହିଛି, ଆନନ୍ଦ ଯଦି ଦୀର୍ଘସ୍ଥାୟୀ ହୋଇଯାଏ, ତାହେଲେ ଦୁଃଖର ମୂଲ୍ୟ ଏବଂ ଦୁଃଖ ପରେ ଜୀବନରେ ଆସୁଥିବା ଆନନ୍ଦର ମୂଲ୍ୟ ବି ଜାଣିବା ସହଜ ହେବ ନାହିଁ। ଶୈଳପୁତ୍ରୀର ଜୀବନର ସବୁ ସୁଖ ଯେମିତି ସରିଗଲା ସବୁଦିନ ପାଇଁ। କିଶୋରୀ ଅବସ୍ଥାରେ ବିବାହ କରିବା ଏବଂ ଗର୍ଭଧାରଣ କରିବା ଯେ, କେତେ କଷ୍ଟଦାୟକ ଏବଂ ହାନିକାରକ, ସେକଥା ସେ ଅନୁଭବ କରିପାରିଥିଲା ସେହିଦିନ, ଯେବେ ତା ଗର୍ଭର ପ୍ରଥମ ସନ୍ତାନ ଜନ୍ମ ହେବାର ମାତ୍ର କିଛି ମୁହୂର୍ତ୍ତରେ ତାକୁ ଛାଡ଼ି ଚାଲିଗଲା। ସତେ ଯେମିତି ସେଇଠୁ ବହିବା ଆରମ୍ଭ ହେଲା ତା ଜୀବନର ଦୁଃଖନଈ। ପ୍ରଥମେ ପୁଅ ଏବଂ ପରେ ନିଜ ଶାଶୂ ଶ୍ୱଶୁରଙ୍କୁ ହରାଇଲା ଶୈଳପୁତ୍ରୀ। ତା ସ୍ୱାମୀ ଓ ତାର ପ୍ରୟାସରେ ତା ସଂସାର ଧୀରେ ଧୀରେ ଧାରଣା ଉପରକୁ ଆସୁଥିଲା। ସେ ନିଜ ଜୀବନ ଓ ସଂସାରକୁ ଅନେକାଂଶରେ ସଜାଡ଼ି ସାରିଥିଲା। ତା ପୁଅ ଝିଅ ସବୁ ପାଠ ପଢ଼ି ଚାକିରି କରିବା କଥା ଚିନ୍ତା କରୁଥିଲେ। ସେ ନିଜ ଜୀବନର ଦୁଃଖ ସବୁକୁ ଧୀରେ ଧୀରେ ଭୁଲି ଯିବାକୁ ବସିଥିଲା। ଏମିତି ଏକ ମୁହୂର୍ତ୍ତରେ ଆସିଲା ଜୀବନର ସବୁଠୁ କ୍ରୁର ସତ୍ୟ ବା ନିଷ୍ଠୁର ସତ୍ୟ। ଯାହାକୁ ତାକୁ ସାମ୍ନା କରିବାକୁ ହେଲା। ଆଗ ପଛ ହୋଇ ତାର ଦୁଇ ଦୁଇଟି ଭେଣ୍ଡା ପୁଅ ଚାଲିଗଲେ ଆରପାରିକୁ। ତା ଉପରେ ଭାଙ୍ଗି ପଡ଼ିଲା ପୁଣି ଦୁଃଖର ପାହାଡ଼। ତାକୁ ଲାଗୁଥିଲା ଯେମିତି ଧୀରେ ଧୀରେ ତା ଆଖି ସାମ୍ନାରେ ଉଜୁଡ଼ି ଯାଉଛି ତାର ସଂସାର।

ସେବେଠୁ ଧୀରେ ଧୀରେ ଶ୍ରୀହୀନ ହେବାକୁ ବସିଲା ଶୈଳପୁତ୍ରୀ। ସବୁ ସମୟରେ କେବଳ ଖୋଜୁଥାଏ ନିଜ ପିଲାମାନଙ୍କୁ। ଏବେ ତା ପାଖରେ ଗୋଟିଏ ପୁଅ, ଆଉ ଗୋଟିଏ ଝିଅ। ଉଭୟେ ଭଲ ପାଠଶାଠ ପଢ଼ି ନିଜ ନିଜ ଦୁନିଆରେ ଭଲରେ ଅଛନ୍ତି। ହେଲେ ମାଆ ମନ କି ସହେ? ଅଧିକାଂଶ ସମୟରେ ତା ଭିତରକୁ ଦୌଡ଼ି ପଶି ଆସନ୍ତି ସେହି ପିଲାମାନଙ୍କ ସ୍ମୃତି ସବୁ। କାଳେ ପାଖରେ ଥିବା ପିଲାମାନେ କାନ୍ଦିବେ ବା ମନ ଦୁଃଖ କରିବେ, ସେଥିପାଇଁ ସେ ନିଜେ ଏକାନ୍ତରେ ଘରେ କେହି ନଥିଲା ବେଳେ ଏକା ଏକା କାନ୍ଦେ। ନିଜ ପିଲାଙ୍କୁ ବାହୁନି ହୁଏ। କିନ୍ତୁ ଦୁନିଆ ଆଗରେ ସେ ସବୁବେଳେ ହସ ହସ। ଏହାରି ଭିତରେ କେତେ ଯେ ବର୍ଷ ବିତିଗେଲାଣି, ତାର ସେ ହିସାବ ରଖିନି। କିନ୍ତୁ ନିଜ ଜୀବନଠୁ ଅଧିକ ଭଲ ପାଉଥିବା ତା ସାନଭାଇ ପାଖରେ ତାର ସବୁ ହିସାବ। ତା ମାନେ, ତା ଭାଇଙ୍କ କହିବା ଅନୁସାରେ ଏଇ ଗଣେଶ ଚତୁର୍ଥୀ ଦିନ ସେ ପଞ୍ଚସ୍ତରୀ ବର୍ଷରେ ପାଦ ଦେଇଛି। ପୁଅ ବୋହୂ ନାତି ନାତୁଣୀ ସମସ୍ତଙ୍କୁ ଦେଖିଲା ପରେ ସେ ଏବେ ସବୁଠୁ ଆନନ୍ଦିତ।

ଚାରିଆଡ଼େ ଘଣ୍ଟଘଣ୍ଟାର ଧ୍ୱନି। ବିଭିନ୍ନ ମନ୍ଦିର ଓ ମଣ୍ଡପରୁ ବହି ଆସୁଥାଏ ଦୁର୍ଗା ସପ୍ତସତୀ, ଚଣ୍ଡୀପାଠର ଏକ ତରଙ୍ଗାୟିତ ଲହର। ସମସ୍ତେ ସେଥିରେ ମଗ୍ନ। ନବରାତ୍ରୀରେ ମାତାଙ୍କ ପୂଜା ପାଇଁ ପ୍ରସ୍ତୁତି ଶେଷ ହେବା ପରେ ଆଶ୍ୱୀନ ଶୁକ୍ଳ ପ୍ରତିପଦ ତିଥି ବା ନବରାତ୍ରୀର ପ୍ରଥମ ଦିନରେ ପୀଠରେ ଦେବୀଙ୍କୁ ଶୈଳପୁତ୍ରୀ ବେଶରେ ସଜାଇ ଦେଉଥିଲେ ପୂଜକ ଏବଂ ଶ୍ରଦ୍ଧାଳୁ। ଏତିକି ବେଳେ ଶୈଳପୁତ୍ରୀର ଏକ ମାତ୍ର ପୁଅ ଥିଲେ ସ୍କୁଲରେ। ହଠାତ୍ ବାଜିଉଠିଲା ତାଙ୍କ ଫୋନ୍। ଶ୍ରେଣୀଗୃହରୁ ବାହାରକୁ ଆସି ଫୋନରେ କଥା ହେଲେ ସେ। କେବଳ ଗୋଟିଏ ଦୁଇଟି ପଦ କଥା- ଭାଇ, ମାଆ ଚାଲିଗଲା। ଏଇତକ କଥା ଶୁଣି ଶୈଳପୁତ୍ରୀର ପୁଅ ହଠାତ୍ ବସି ପଡ଼ିଲେ ସେହି ସ୍କୁଲ ବାରଣ୍ଡା ଉପରେ। ତାଙ୍କୁ ଲାଗିଲା, ଭାଇମାନଙ୍କୁ ହରାଇଥିଲି, ସେଥିପାଇଁ ଯେକିତି କଷ୍ଟ ହୋଇଛି, ତାକୁ ସମ୍ଭାଳି ନେଇଛି। ହେଲେ ଏବେ ମାଆ ଯେତେବେଳେ ଚାଲିଗଲା, ଆଉ ଜୀବନରେ ମାନେ କଣ ଅଛି? ସେ ସଙ୍ଗେ ସଙ୍ଗେ ନିଜ ସମ୍ପର୍କୀୟମାନଙ୍କ ପାଖକୁ ଫୋନରେ ଖବର ଦେବାକୁ ଲାଗିଲେ। ମାଆ ଚାଲିଗଲା। ଏତିକି ବେଳେ ତାଙ୍କର ଜଣେ ଶିକ୍ଷକ କହିଲେ, ଭାଙ୍ଗି ପଡ଼ିଲେ କଣ ହେବ? ବରଂ ଧୈର୍ଯ୍ୟ ଧର। ଖୁସି ହୁଅ ଯେ, ଦେବୀ ପକ୍ଷରେ ଦେବୀ ଶୈଳପୁତ୍ରୀଙ୍କ ଆରାଧନା ଚାଲିଥିଲା ବେଳେ ତୁମ ମାଆ ଶୈଳପୁତ୍ରୀ ଦେବଲୋକକୁ ଚାଲିଗଲେ। ତାଠୁ ବଳି ଆଉ କି ସୁଖ ଅଛି? ତମ ବାପା ଥାଉ ଥାଉ ମାଆ ଆରପାରିକୁ ଚାଲିଯିବା ଘଟଣାରେ କଣ ତମେ ଖୁସି ନୁହଁ? ଭାଗ୍ୟରେ ଥିଲେ ଏମିତି ମୃତ୍ୟୁ ମିଳେ। ତୁମ ମାଆ ପ୍ରକୃତରେ ଜଣେ ଶ୍ରେଷ୍ଠ ସୌଭାଗ୍ୟବତୀ। ତାଙ୍କ ଆତ୍ମାକୁ ଈଶ୍ୱର ଶାନ୍ତି ପ୍ରଦାନ କରନ୍ତୁ। ..

ମିଡିଆ ଷ୍ଟଡିଜ

ବିଭାଗୀୟ ମୁଖ୍ୟ
ୟୁନିଭରସିଟି ଇନଷ୍ଟିଚ୍ୟୁଟ୍ ଅଫ୍ ମିଡିଆ ଷ୍ଟଡିଜ୍
ଚଣ୍ଡୀଗଡ଼ ୟୁନିଭରସିଟି, ମୋହାଲି, ପଞ୍ଜାବ
ପିନ୍-୧୪୦୪୧୩
ଫୋନ୍- ୯୯୩୭୨୫୨୪୬୪

Comments are closed.