Latest Odisha News

ଆଜି ପବିତ୍ର ତ୍ରିବେଣୀ ଅମାବାସ୍ୟା, ସାବିତ୍ରୀ ବେଶରେ ଦର୍ଶନ ଦେବେ ମା’ ବିରଜା

ଯାଜପୁର: ଆଜି ପବିତ୍ର ତ୍ରିବେଣୀ ଅମାବାସ୍ୟା । ଏହି ଅବସରରେ ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା’ବିରଜାଙ୍କ ସ୍ୱ-ନକ୍ଷତ୍ର(ଜନ୍ମୋତ୍ସବ) ପାଳନ ହେଉଛି। ପରମ୍ପରା ଅନୁଯାୟୀ ସମସ୍ତ କାର୍ଯ୍ୟ ସ୍ଥିର କରାଯାଇଥିବା ବେଳେ ସାଧାରଣ ଭକ୍ତଙ୍କ ଦର୍ଶନ ପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ବ୍ରହ୍ମମୁହୂର୍ତରେ ଦେବୀଙ୍କ ନିତ୍ୟସ୍ନାନ ଓ ବେଶ କାର୍ଯ୍ୟ ସରିବା ପରେ ଦେବୀଙ୍କୁ ସ୍ୱ-ନକ୍ଷତ୍ର ବିହିତ ମହାସ୍ନାନ କରାଯିବ । ସ୍ନାନ ପରେ ମା ସାବିତ୍ରୀ ବେଶରେ ଶ୍ରଦ୍ଧାଳୁଙ୍କ ଦର୍ଶନ ଦେବେ। ପରେ ସିଂହାସନ ଉପରେ ଷୋଡଶୋପଚାର ପୂଜାବିଧି କରାଯିବ ।

ଆଜିର ଦିନରେ ହଜାର ହଜାର ଶ୍ରଦ୍ଧାଳୁ ମାଙ୍କୁ ଦର୍ଶନ କରିବାର ଲକ୍ଷ୍ୟ ରଖାଯାଇଛି । ଯାହାକି ଶୃଖଳିତ ଦର୍ଶନ କରିବାକୁ ମନ୍ଦିର ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ମନ୍ଦିରକୁ ଫୁଲ ସଜା, ଆଲୋକମାଳାରେ ସୁସଜ୍ଜିତ କରାଯାଇଛି। ଯେପରି ଭକ୍ତ ମାନେ ଶୃଙ୍ଖଳିତ ଦର୍ଶନ କରିବେ ସେନେଇ ମନ୍ଦିର ପରିସରରେ ବହୁ ପୋଲିସ କର୍ମୀ ମୂତୟନ ହୋଇଛନ୍ତି । ଆଜିର ଦିନରେ ମାଆଙ୍କୁ ଦର୍ଶନ କଲେ କୋଟି ପୁଣ୍ୟ ପ୍ରାପ୍ତି ହେବାର ବିଶ୍ବାସ ରହିଛି ।

ମାଘ ମାସଟି ଆପାତତଃ ସ୍ନାନ, ଜପ ଓ ଧ୍ୟାନ ଆଦିର ମାସ। ତ୍ରିବେଣୀ ସେ ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ। ଗଙ୍ଗା, ଯମୁନା ଓ ସରସ୍ୱତୀର ମିଳନ ସ୍ଥଳକୁ ତ୍ରିବେଣୀ କୁହାଯାଏ। ମାଘ ଅମାବାସ୍ୟା ଦିନ ତ୍ରିବେଣୀରେ ସ୍ନାନ କଲେ ମହାପୁଣ୍ୟ ମିଳେ। ଏଣୁ ଏହି ଅମାବାସ୍ୟାକୁ ତ୍ରିବେଣୀ ଅମାବାସ୍ୟା କୁହାଯାଏ।

 

Comments are closed.