ଭୁବନେଶ୍ବର: ଏମୁ ପକ୍ଷୀର ଅଣ୍ଡା,ଚମଡା ଏବଂ ତେଲରେ ଅନେକ ଔଷଧୀୟ ଗୁଣ ରହିଛି । ଏଥିପାଇଁ ଏମୁ ଚାଷ ପ୍ରତି ଚାଷୀଙ୍କ ଆଗ୍ରହ ଦିନକୁ ଦିନ ବଢିବାରେ ଲାଗିଛି । ଓଡ଼ିଶାର ବିଭିନ୍ନ ସ୍ଥାନରେ ଚାଷୀ ଏହାକୁ ସଫଳତାର ସହ ଚାଷ କରି ବେଶ୍ ଲାଭବାନ ହେଉଛନ୍ତି । ଅଷ୍ଟ୍ରେଲିଆରୁ ଜାତ ଏହି ପକ୍ଷୀଉଡିପାରେ ନାହିଁ । ଏମୁର ମାଂସର ଚର୍ବିରେ କୋଲେଷ୍ଟରଲ କମ୍ ଥାଏ ପ୍ରୋଟିନ୍ ଅଧିକ ଥାଏ ।
ଏମୁ ପକ୍ଷୀ କମ୍ ଖାଦ୍ୟ ଗ୍ରହଣ କରେ । ଏହାର ବୟସ ସୀମା ୩୦-ରୁ ୩୫ ବର୍ଷ । ଏମୁ ଅଣ୍ଡାର ଓଜନ ୪୭୫-୬୫୦ ଗ୍ରାମ୍ ହୋଇଥାଏ ଏବଂ ରଙ୍ଗ ସବୁଜ, ଧୁଷୁରିଆ ଥାଏ ।
ମାଈ ଏମୁ ପକ୍ଷୀ ଅକ୍ଟୋବରରୁ ଫେବ୍ରୁଆରୀ ମାସ ମଧ୍ୟରେ ଅଣ୍ଡା ଦେଇଥାଏ । ଏମୁ ବର୍ଷକୁ ପ୍ରାୟ ୨୫ଟି ଅଣ୍ଡା ଦିଏ । ଓଡିଶାର ଗଞ୍ଜାମ ଓ ସମ୍ବଲପୁର ଜିଲ୍ଲାର ଚାଷୀ ଏହାକୁ ବ୍ୟାବସାୟିକ ଭିତ୍ତିରେ ଚାଷ କରୁଥିବା ନଜରରେ ରହିଛି ।
ଏମୁ ତେଲ ଖାଇଲେ କଫ, ଆଲର୍ଜି ଏବଂ ଚର୍ବି କମିଥାଏ । ଏହାର ତେଲକୁ ଗଣ୍ଠିବାତ, ବ୍ୟଥା ଏବଂ ଦେହର କୌଣସି ଅଂଶ ଫୁଲିଥୁଲେ ଲଗାଇଲେ ଉପଶମ ମିଳେ ।
୧୦ଟି ଏମୁ ପକ୍ଷୀ ଚାଷ ପାଇଁ ପ୍ରାୟତଃ ୨ ରୁ ଅଢ଼େଇ ଲକ୍ଷ ଖର୍ଚ୍ଚ ହୁଏ । ଚାଷର ବର୍ଷକ ପରେ ଖର୍ଚ୍ଚର ଦୁଇଗୁଣା ଲାଭ ଚାଷୀ ଉଠାଇପାରିବେ ।
ଏମୁ ପକ୍ଷୀର ରୋଗ ପ୍ରତିରୋଧକ ଶକ୍ତି ଅଧିକ ତେଣୁ ମୃତ୍ୟୁହାର ବହୁତ କମ୍ । ତେବେ ଏମାନଙ୍କୁ ରାଣୀକ୍ଷେତ ରୋଗରୁ ରକ୍ଷା କରିବା ପାଇଁ ଲାସୋଟା ପ୍ରତିଷେଧକ ଟୀକା ଦେବା ଆବଶ୍ୟକ ।
ଏମୁ ଖାଦ୍ୟରେ ମକା, ସୋୟାବିନ୍, ସୁର୍ଯ୍ୟମୁଖୀ, କ୍ୟାଲସିୟମ୍, ଫସଫେଟ୍, କ୍ୟାଲସିୟମ୍ ପାଉଡର, ଲବଣ, ମିନେରାଲ୍ ଓ ଭିଟାମିନ୍ ସଠିକ୍ ଅନୁପାତରେ ରହିବା ଆବଶ୍ୟକ । ଗୋଟିଏ ଏମୁ ପକ୍ଷୀ ଛୁଆ ୬୦୦-୮୦୦ ଗ୍ରାମ୍ ଖାଦ୍ୟ ଦାନା ଦିନକୁ ଖାଏ ।
ଏମୁ ପକ୍ଷୀ ସବୁ ପ୍ରକାର ଜଳବାୟୁରେ ରହିପାରେ । ପକ୍ଷୀମାନଙ୍କ ରହିବା ବ୍ୟବସ୍ଥା କରାଯିବ ସେହି ସ୍ଥାନରେ ପାନୀୟ ଜଳ, ଉତ୍କୃଷ୍ଟ ଚରାଣ ଭୂମି, ସ୍ଥାନାନ୍ତରଣ ବ୍ୟବସ୍ଥା ରହିବା ଆବଶ୍ୟକ । ୨୦ଟି ଏମୁ ପକ୍ଷୀ ପାଇଁ ୧୦୦X୫୦ ଫୁଟ ଜାଗା ଓ ଲୁହା ଜାଲି ଆବଶ୍ୟକ । ଏଥିସହ ଚଟାଣ ମୋରମରେ ତିଆରି କରିବା ଦରକାର ।
Comments are closed.