ଭୁବନେଶ୍ଵର: ବରିଷ୍ଠ କଂଗ୍ରେସ ନେତା ନିରଞ୍ଜନ ପଟ୍ଟନାୟକଙ୍କ ଘରୁ ଗତକାଲି ପୁଣି ଥରେ ଚୋରି ଉଦ୍ୟମକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି ବିରୋଧି ଦଳ ନେତା ନବୀନ ପଟ୍ଟନାୟକ। ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତିକୁ ନେଇ ପ୍ରଶ୍ନ ଉଠାଇବା ସହ ବର୍ତ୍ତମାନ ଲୋକେ ଭୟରେ ବସବାସ କରୁଛନ୍ତି ବୋଲି କହିଛନ୍ତି ନବୀନ ପଟ୍ଟନାୟକ ।
ସୋସିଆଲ ମିଡିଆ ଏକ୍ସରେ ଏକ ପୋଷ୍ଟ କରି ନବୀନ କହିଛନ୍ତି, ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ନିରଞ୍ଜନ ପଟ୍ଟନାୟକଙ୍କ ଘରେ ୩ ଦିନ ମଧ୍ୟରେ ପୁଣିଥରେ ଚୋରି ଉଦ୍ୟମ ହେବା ମୋତେ ବିଚଳିତ କରିଛି। କିଛି ଦିନ ତଳେ ପ୍ରବାସୀ ଭାରତୀୟ ଦିବସ କାର୍ଯ୍ୟକ୍ରମ ପାଇଁ ସାରା ବିଶ୍ଵରୁ ଭାରତୀୟ ଭୁବନେଶ୍ଵରକୁ ଆସିଥିବା ବେଳେ ଦିବାଲୋକରେ ରାଜଧାନୀ ଛାତି ଉପରେ ବିଭତ୍ସ ହତ୍ୟାକାଣ୍ଡ ଘଟିଗଲା। ଆଉ ଏବେ ଏତେ ବଡ଼ ଉତ୍କର୍ଷ ଓଡ଼ିଶା କାର୍ଯ୍ୟକ୍ରମ ହେଉଥିବା ସମୟରେ ସବୁଠୁ ସୁରକ୍ଷିତ ଗଣାଯାଉଥିବା ଅଞ୍ଚଳରୁ ଚୋରି ହେଉଥିବା ଖବର ସାମ୍ନାକୁ ଆସୁଛି । ବାରମ୍ବାର ଭୟଭୀତ କରୁଥିବା ଏପରି ଘଟଣାରୁ ଲାଗୁଛି, ପୋଲିସ ଏବଂ ଆଇନ ଶୃଙ୍ଖଳା ବ୍ୟବସ୍ଥା ପ୍ରତି ଅସମାଜିକ ବ୍ୟକ୍ତିମାନଙ୍କ ଆଉ କୌଣସି ଡ଼ର, ଭୟ ନାହିଁ। ବର୍ତ୍ତମାନ ଲୋକେ ଭୟରେ ରହୁଛନ୍ତି। ସେମାନଙ୍କ ଧନଜୀବନ ସୁରକ୍ଷା ପାଇଁ ପୋଲିସ ଉପରେ ଥିବା ବିଶ୍ଵାସ ଏବେ ଭାଙ୍ଗିବାକୁ ଲାଗିଛି। ବିଜେପି ସରକାର ଏହାକୁ ଗୁରୁତ୍ୱ ଦିଅନ୍ତୁ। ଭବିଷ୍ୟତରେ ଏପରି ଘଟଣାର ପୁନରାବୃତ୍ତି ନ ହେଉ। ତେବେ ଯାଇ ଲୋକେ ପୁଣିଥରେ ନିଜକୁ ସୁରକ୍ଷିତ ମନେ କରିବେ ବୋଲି ପୋଷ୍ଟରେ ଉଲ୍ଲେଖ କରିଛନ୍ତି ବିରୋଧି ଦଳ ନେତା ନବୀନ ପଟ୍ଟନାୟକ।
ସେପଟେ ଘରୁ ପୁଣି ଥରେ ଚୋରି ଉଦ୍ୟମକୁ ନେଇ ବରିଷ୍ଠ ନେତା ନିରଞ୍ଜନ ପଟ୍ଟନାୟକ ଏକ୍ସରେ ସୂଚନା ଦେଇଛନ୍ତି । ଏକ ପୋଷ୍ଟ କରି ନିରଞ୍ଜନ ଲେଖିଛନ୍ତି ଯେ, ମୋ ଘରେ ଆଉଥରେ ଚୋରି କରିବା ପାଇଁ ଉଦ୍ୟମ କରାଯାଇଛି । ଏହା ଶୁଣି ମୋର ବିଶ୍ଵାସ ମଧ୍ୟ ହଉନି! ଏଥର ନୟାପଲ୍ଲୀ ଆଇଆରସି ଭିଲେଜ୍ ସ୍ଥିତ N/25ରେ ଘଟଣା ଘଟିଛୁ । ଗତକାଲି ମୁଁ ରାଜଧାନୀ ଭୁବନେଶ୍ଵରରେ ଆଇନ ଶୃଙ୍ଖଳା ପରିସ୍ଥିତିକୁ ନେଇ ଚିନ୍ତିତ ହୋଇ ପ୍ରଶ୍ନ କରିଥିଲି । ଏ ବିଷୟରେ କଠୋର କାର୍ଯ୍ୟାନୁଷ୍ଠାନ ନେବା ପାଇଁ ନିବେଦନ କରିଥିଲି । କିନ୍ତୁ ମୋତେ ଯାହା ଲାଗୁଛି ଏପର୍ଯ୍ୟନ୍ତ କୌଣସି ପଦକ୍ଷେପ ଗ୍ରହଣ କରାଯାଇନାହିଁ । ତେଣୁ ମୁଁ ପୁଣିଥରେ ସରକାର ଏବଂ ଓଡିଶା ପୋଲିସକୁ ଅନୁରୋଧ କରୁଛି ଯେ, ଭୁବନେଶ୍ଵରବାସୀଙ୍କ ସୁରକ୍ଷା ତଥା ନିରାପତ୍ତାକୁ ଦୃଷ୍ଟିରେ ରଖି ତୁରନ୍ତ ପ୍ରଭାବଶାଳୀ ପଦକ୍ଷେପ ନିଅନ୍ତୁ ବୋଲି ପୋଷ୍ଟରେ ଉଲ୍ଲେଖ କରିଛନ୍ତି ବରିଷ୍ଠ ନେତା ନିରଞ୍ଜନ ପଟ୍ଟନାୟକ ।
Comments are closed.