ଭୋପାଳ: ଘଡ଼ିକେ ଘୋଡ଼ା ଛୁଟିଲା ପରି ମଧ୍ୟପ୍ରଦେଶ ରାଜନୀତିରେ ଦଳ ବଦଳ କୂଟନୀତି ଦେଖିବାକୁ ମିଳିଛି । ମଙ୍ଗଳବାର ଦିନ ୨୨ ଜଣ କଂଗ୍ରେସ ବିଧାୟକ ଦଳରୁ ଇସ୍ତଫା ପ୍ରଦାନ କରିବା ପରେ ରାଜନୈତିକ ସଙ୍କଟ ଦେଖାଯାଇଛି ମଧ୍ୟପ୍ରଦେଶ ରାଜନୀତିରେ । ମୁଖ୍ୟମନ୍ତ୍ରୀ କମଲନାଥଙ୍କ ସରକାର ସଙ୍କଟାପନ୍ନ ହେବାର ମୁଖ୍ୟ କାରଣ ବରିଷ୍ଠ କଂଗ୍ରେସ ନେତା ଜ୍ୟୋତିରାଦିତ୍ୟ ସିନ୍ଧିଆ ଦଳରୁ ଇସ୍ତଫା ପ୍ରଦାନ କରିବା ପରେ ଆରମ୍ଭ ହୋଇସାରିଛି । ତେବେ କଂଗ୍ରେସର ଏହି ବିଧାୟକମାନେ ଆଜି ସିନ୍ଧିଆଙ୍କ ସହିତ ବିଜେପିରେ ଯୋଗଦାନ କରିବେ କି? ନା ସିନ୍ଧିଆ ଏକୁଟିଆ ଆଜି ବିଜେପିରେ ମିଶିବେ?
କମଳନାଥ ସରକାର ନିଶ୍ଚିତ ରୂପେ ସଙ୍କଟରେ ପଡ଼ିଛି କାରଣ ଆଜି ଭୋପାଳଠାରେ କଂଗ୍ରେସ ବିଧାୟକ ଦଳ ବୈଠକରେ ମୋଟ ୧୧୪ ବିଧାୟକଙ୍କ ମଧ୍ୟରୁ ମାତ୍ର ୮୮ ବିଧାୟକ ଉପସ୍ଥିତ ରହିଥିଲେ । ଏପରିକି ପୂର୍ବରୁ କଂଗ୍ରେସକୁ ସମର୍ଥନ ଦେଉଥିବା ବିଏସପିର ୨, ଏସପିର ଜଣେ ଏବଂ ୪ ଜଣ ସ୍ୱାଧୀନ ବିଧାୟକଙ୍କ ସହିତ ମୋଟ ୭ ଜଣ ବିଜେପି ଶିବିରକୁ ଚାଲିଯାଇଛନ୍ତି ।
ତେଣୁ ଏବେ କମଲନାଥ ସରକାର ସଂଖ୍ୟାଗରିଷ୍ଠତା ହରାଇଛନ୍ତି ବୋଲି ଆଲୋଚନା ହେଉଛି । କମଲନାଥ କିପରି ବହୁମତ ରକ୍ଷା କରିପାରିବେ ତାହା ଦେଖିବାକୁ ରହିଲା । ମଧ୍ୟପ୍ରଦେଶ ବିଧାନସଭାର ମୋଟ ଆସନ ସଂଖ୍ୟା ୨୩୦ । ଏବେ ଖାଲି ପଡ଼ିଛି ୨ଟି ଆସନ ତେଣୁ ଯେଉଁ ସଂଖ୍ୟା ଖେଳ ହେବ ତାହା ୨୨୮ଟି ଆସନକୁ ନେଇ । ୨୨ ଜଣ ବିଧାୟକ କଂଗ୍ରେସରୁ ଇସ୍ତଫା ଦେଇସାରିଛନ୍ତି ।
ଯଦି ଏହି ବିଧାୟକମାନେ ଏବଂ ଅନ୍ୟ ସ୍ୱାଧୀନ ସଦସ୍ୟ ବିଜେପିକୁ ସମର୍ଥନ କରନ୍ତି ତେବେ ବିଜେପି ସରକାର ଗଠନ କରିବାକୁ ରାଜ୍ୟପାଳଙ୍କ ନିକଟରେ ଦାବି ଉପସ୍ଥାପନ କରିପାରେ ।
ତେବେ କେଉଁ ଦଳ କେତେ ବିଧାୟକଙ୍କୁ ହଲିଡ଼େ ରିସୋର୍ଟରେ ରଖିଛନ୍ତି ତାହା ଜାଣିବାକୁ ଆଉ କିଛି ସମୟ ଅପେକ୍ଷା କରିବାକୁ ପଡ଼ିବ ।
Comments are closed.