Latest Odisha News

BREAKING NEWS

କ୍ଷମତାକୁ ଆସିବା ପୂର୍ବରୁ କଂଗ୍ରେସର ଯୋଜନା ଘୋଷଣା ଆରମ୍ଭ, ହେଲା ହିତାଧିକାରୀ ଚୟନ

ଭୁବନେଶ୍ୱର: ମଧ୍ୟପ୍ରଦେଶରେ ଆସନ୍ନ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ଏକ ଅଭିନବ ଢଙ୍ଗରେ ମହିଳାଙ୍କ ପାଇଁ ଯୋଜନା ଆରମ୍ଭ କରିଛି। ସାଧାରଣତଃ ଯେଉଁ ଦଳ ସରକାରରେ ଥାଏ ସେ ଦଳ ଯୋଜନା ଘୋଷଣା କରେ ଓ ଏହି ଯୋଜନା ପାଇଁ ପଞ୍ଜିକରଣ ଆରମ୍ଭ ହୁଏ। କିନ୍ତୁ ମଧ୍ୟପ୍ରଦେଶରେ ଏକ ବ୍ୟତିକ୍ରମ ଦେଖାଯାଇଛି। ବିଜେପି ସରକାରରେ ଥିବା ବେଳେ ଶିବରାଜ ସିଂ ଚୌହାନ ମୁଖ୍ୟମନ୍ତ୍ରୀ ଅଛନ୍ତି।

କିନ୍ତୁ ଏବେ କଂଗ୍ରେସ ସଭାପତି ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ କମଳନାଥ ମହିଳାଙ୍କ ପାଇଁ ସ୍ୱତନ୍ତ୍ର ଯୋଜନାର ଶୁଭାରମ୍ଭ କରିଛନ୍ତି। ମହିଳାଙ୍କ ପାଇଁ ନାରୀ ସମ୍ମାନ ଯୋଜନାର ଶୁଭାରମ୍ଭ କରିଛନ୍ତି। ଏହି ଯୋଜନା ଅନୁଯାୟୀ ୧୧୦୦ ଟଙ୍କାର ଗ୍ୟାସ ସିଲିଣ୍ଡର ୫୦୦ ଟଙ୍କାରେ ମିଳିବା ସହ ପ୍ରତି ମହିଳାଙ୍କୁ ମାସିକ ୧୫୦୦ ଟଙ୍କା ମିଳିବ।

ଖାଲି ସେତିକି ନୁହେଁ ଏହି ଯୋଜନାର ଶୁଭାରମ୍ଭ ସହ ଏଥିପାଇଁ ପଞ୍ଜିକରଣ ମଧ୍ୟ ଆରମ୍ଭ ହୋଇଛି। ଯାହାକୁ ନେଇ ମଧ୍ୟପ୍ରଦେଶ ରାଜନୀତି ଚଳଚଞ୍ଚଳ ହୋଇଉଠିଛି।

ନିର୍ବାଚନ ବେଳେ ରାଜନୈତିକ ଦଳଗୁଡିକର ପ୍ରତିଶ୍ରୁତି କିଛି ନୂଆ କଥା ନୁହେଁ। କିନ୍ତୁ ନିର୍ବାଚନ ତାରିଖ ଘୋଷଣା ହୋଇ ନ ଥିବା ବେଳେ ମହିଳାଙ୍କ ପାଇଁ ଏଭଳି ଯୋଜନା କେବଳ ଘୋଷଣା ନୁହେଁ ପଞ୍ଜିକରଣ ଆରମ୍ଭ କରିବା ଚର୍ଚ୍ଚାର ବିଷୟ ହୋଇଛି। ମଧ୍ୟପ୍ରଦେଶର ଶିବରାଜ ସିଂ ଚୌହାନଙ୍କ ବିଜେପି ସରକାର ମହିଳାଙ୍କ ପାଇଁ ଲାଡ଼ଲି ବାହନ ଯୋଜନା ଘୋଷଣା କରିଛନ୍ତି।

ଏହି ଯୋଜନା ଅନୁଯାୟୀ ୨୩ ରୁ ୬୦ ବର୍ଷ ମଧ୍ୟରେ ରାଜ୍ୟର ଏକ କୋଟିରୁ ଅଧିକ ମହିଳା ମାସିକ ହଜାରେ ଟଙ୍କା ପାଇବେ। ସେପଟେ କମଲନାଥ ମଧ୍ୟ ଏହାକୁ କାଉଣ୍ଟର କରିବା ପାଇଁ କଂଗ୍ରେସ ସରକାରକୁ ଆସିଲେ ମହିଳା ସସକ୍ତି ଯୋଜନା ଅଧୀନରେ ଏ ସବୁ କରାଯିବ ବୋଲି କହିଛନ୍ତି।

ମହିଳା ମାନେ ସମୃଦ୍ଧ ହେଲେ ପରିବାରର ଭୋଟ ସମ୍ପୃକ୍ତ ଦଳକୁ ଯିବ ବୋଲି ଉଭୟ ଦଳ ଆଶା ରଖିଛନ୍ତି। ସେପଟେ ପ୍ରତିଶ୍ରୁତି ଅନୁଯାୟୀ କିଛି ପୂରଣ ହୋଇନାହିଁ ବୋଲି ଉଭୟ ଶିବରାଜ ଓ କମଲନାଥ ପରସ୍ପରକୁ ଆକ୍ଷେପ କରିଛନ୍ତି।

ପୂର୍ବରୁ ବହୁ ପ୍ରତିଶ୍ରୁତି ଦେଇଥିଲେ ମଧ୍ୟ କଂଗ୍ରେସ ସେସବୁ ପୂରଣ କରିନି ବୋଲି ଚୌହାନ ଅଭିଯୋଗ କରିଛନ୍ତି। ସେପଟେ କମଳ ନାଥ ମଧ୍ୟ ମହିଳାଙ୍କ ଉପରେ ଅତ୍ୟାଚାରରେ ମଧ୍ୟପ୍ରଦେଶର ସ୍ଥିତିକୁ ନେଇ ଶିବରାଜଙ୍କୁ ସମାଲୋଚନା କରିଛନ୍ତି।

ମଧ୍ୟପ୍ରଦେଶରେ ଏବେ ଦଳ ଛାଡିବା ପ୍ରକ୍ରିୟାଠୁ ଆରମ୍ଭ କରି ବିଭିନ୍ନ ଦଳର ଟିକେଟ ପାଇଁ ପ୍ରତିଯୋଗିତା ଓ ନେତାଙ୍କ ଅସନ୍ତୋଷ ର ପର୍ବ ଜୋର ଧରିଛି। ବିଜେପିରେ ନେତାଙ୍କ ଅସନ୍ତୋଷ ଅଧିକ ଦେଖିବାକୁ ମିଳିଛି।

ଏଭଳି ସ୍ଥିତିରେ ନିର୍ବାଚନ ତାରିଖ ଘୋଷଣା ପୂର୍ବରୁ କମଲନାଥ ଙ୍କ ମହିଳାଙ୍କ ପାଇଁ ଏହି ଯୋଜନା ଘୋଷଣା ଓ ଏଥିପାଇଁ ପଞ୍ଜିକରଣ ଆରମ୍ଭ ବେଶ ରୋଚକ ସ୍ଥିତି ସୃଷ୍ଟି କରିଛି।

Leave A Reply

Your email address will not be published.