Latest Odisha News

BREAKING NEWS

ବିଜେପି ବିରୋଧରେ ଲଢ଼ିବେ ଏକନାଥ ସିନ୍ଦେ !

ଭୁବନେଶ୍ୱର: ମହାରାଷ୍ଟ୍ରରେ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ଓ ତାଙ୍କ ଗୋଷ୍ଠୀର ବିଧାୟକଙ୍କ ଅଯୋଗ୍ୟ ଘୋଷଣା ସମ୍ପର୍କିତ ନିଷ୍ପତ୍ତି ବିଳମ୍ବକୁ ନେଇ ରାଜନୀତି ସରଗରମ ହୋଇଥିବା ବେଳେ ସିନ୍ଦେ ପୁଣି ଏକ ପ୍ରସଙ୍ଗକୁ ନେଇ ଚର୍ଚ୍ଚାରେ ରହିଛନ୍ତି।

ରାଜସ୍ଥାନରେ ହେବାକୁ ଥିବା ବିଧାନସଭା ନିର୍ବାଚନରେ ସିନ୍ଦେ ଗୋଷ୍ଠୀ ଶିବସେନା ପ୍ରାର୍ଥୀ ଦେବାକୁ ଯାଉଛନ୍ତି। ଏନଡିଏର ସହଯୋଗୀ ଦଳ ହେଲେ ମଧ୍ୟ ସିନ୍ଦେ ରାଜସ୍ଥାନରେ ବିଜେପି ସହ ମୁହାଁମୁହିଁ ହେବାକୁ ଯାଉଛନ୍ତି।

ରାଜସ୍ଥାନର ସମସ୍ତ ଆସନରେ ଦଳ ପ୍ରାର୍ଥୀ ଦେବ ବୋଲି କୁହାଯାଉଛି। ଏ ସମ୍ପର୍କରେ ମୁଖ୍ୟମନ୍ତ୍ରୀ ସିନ୍ଦେ ଭାରତୀୟ ନିର୍ବାଚନ କମିଶନଙ୍କୁ ଚିଠି ଲେଖିଥିବା ଜଣାପଡିଛି।

ରାଜସ୍ଥାନ ନିର୍ବାଚନରେ ଦଳୀୟ ଚିହ୍ନ ଧନୁ ତୀର ବ୍ୟବହାର କରିବାକୁ ଅନୁମତି ଦେବାକୁ ସେ ଚିଠି ମାଧ୍ୟମରେ କମିଶନଙ୍କୁ ଅନୁରୋଧ କରିଛନ୍ତି। ରେଡ଼ ଡାଏରୀ ପ୍ରସଙ୍ଗକୁ ନେଇ ରାଜସ୍ଥାନ ରାଜନୀତି ସରଗରମ ହୋଇଥିବା ବେଳେ ସେଥିପାଇଁ ମନ୍ତ୍ରୀମଣ୍ଡଳରୁ ବିଦା ହୋଇଥିବା ରାଜେନ୍ଦ୍ର ସିଂ ଗୁଡ଼ା ସିନ୍ଦେଙ୍କ ସେନାରେ ଯୋଗ ଦେଇଛନ୍ତି।

ଗୁଡ଼ା ଉଡାଇପୂର୍ବତୀ ଆସନରୁ ଶିବସେନା ପ୍ରାର୍ଥୀ ଭାବେ ଛିଡା ହୋଇଛନ୍ତି। ସେହି ଆସନରୁ ବିଜେପି ମଧ୍ୟ ଶୁଭକରଣ ଚୌଧୁରୀଙ୍କୁ ଗୁଡ଼ାଙ୍କ ବିରୋଧରେ ପ୍ରାର୍ଥୀ କରିଛି।

ଗୋଟିଏ ପଟେ ସିନ୍ଦେ ଗୋଷ୍ଠୀ ବିଧାୟକଙ୍କ ଅଯୋଗ୍ୟ ଘୋଷଣା ସମ୍ପର୍କିତ ପ୍ରସଙ୍ଗକୁ ନେଇ ମହାରାଷ୍ଟ୍ର ବାଚସ୍ପତିଙ୍କୁ ସୁପ୍ରିମକୋର୍ଟ କଡା ସମାଲୋଚନା କରିବା ସହ ତୁରନ୍ତ ଏ ସମ୍ପର୍କିତ ନିଷ୍ପତ୍ତି ନେବାକୁ କହିଛନ୍ତି।

ତେଣୁ ଏଭଳି ସ୍ଥିତିରେ ସିନ୍ଦେ ଗୋଷ୍ଠୀ ରାଜସ୍ଥାନରେ ଲଢେଇ କରିବାକୁ ନେଇ ଆଲୋଚନା ଜୋର ଧରିଛି। ଏପରିକି ବିଜେପି ସହଯୋଗରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ହୋଇଥିବା ସିନ୍ଦେ ରାଜସ୍ଥାନରେ ବିଜେପି ବିରୋଧରେ ଲଢ଼ିବା ରାଜନୈତିକ ସ୍ଥିତିକୁ ରୋଚକ କରିଛି।

ଏହା ଏକ ସ୍ୱାଭାବିକ ପ୍ରସଂଗ ନା ଏ ଭିତରେ କିଛି ରାଜନୈତିକ ଗଣିତ ରହିଛି ତାକୁ ନେଇ ଆଲୋଚନା ଜୋର ଧରିଛି।

Leave A Reply

Your email address will not be published.