Latest Odisha News

BREAKING NEWS

ତେଲେଙ୍ଗାନାରେ ବସରେ ବୁଲି ଭୋଟ ନେଇଯିବେ ରାହୁଲ !

ଭୁବନେଶ୍ୱର: ତେଲେଙ୍ଗାନା ନିର୍ବାଚନ ପାଇଁ ଲଢେଇ ଦିନକୁ ଦିନ ତୀଵ୍ର ହେଉଥିବା ବେଳେ କଂଗ୍ରେସ ସ୍ୱତନ୍ତ୍ର ରଣନୀତି ସହ ଆଗଉଛି। ଏହି କ୍ରମରେ ଦଳ ତେଲେଙ୍ଗାନାର ୧୧୯ ବିଧାନସଭା ସିଟ ମଧ୍ୟରୁ ୬୦ ଟି ସିଟ ପାଇଁ ପ୍ରାର୍ଥୀ ଚୂଡାନ୍ତ କରିସାରିଥିବା କୁହାଯାଉଛି।

ଏମପି ମୁରଲୀଧରନଙ୍କ ଅଧ୍ୟକ୍ଷତାରେ ଗଠିତ ସ୍କ୍ରିନିଂ କମିଟି ଏହି ତାଲିକା ଦେବା ପରେ ଦଳର କେନ୍ଦ୍ରୀୟ ନିର୍ବାଚନ କମିଟି ବୈଠକରେ ଏହା ଉପରେ ମୋହର ଲାଗିଥିବା ଜଣାପଡିଛି।

ରାଜ୍ୟରେ ଦଳ ପକ୍ଷରୁ ଆୟୋଜିତ ହେବାକୁ ଥିବା ବସ ଯାତ୍ରା ପୂର୍ବରୁ କିମ୍ବା ପରେ ପ୍ରାର୍ଥୀ ଘୋଷଣା କରାଯିବ। ସବୁ ଦିଗରୁ ବିଚାର କରି ଦଳ ନିଷ୍ପତ୍ତି ନେଉଥିବା ଜଣାପଡିଛି।

ଦଳର ପୁରୁଖା ଓ ବରିଷ୍ଠ ନେତାଙ୍କ ସମେତ ଅନ୍ୟ ଦଳରୁ ଆସିଥିବା ନେତା ଓ ଯୁବ ନେତାମାନେ ଦଳୀୟ ଟିକେଟ ଅପେକ୍ଷାରେ ରହିଛନ୍ତି। ତେଣୁ ଟିକେଟ ବଣ୍ଟନରେ ଦଳ ବ୍ୟାପକ ସତର୍କତା ଅବଲମ୍ବନ କରୁଛି।

ଦଳ ତେଲେଙ୍ଗାନାରେ ଅଧିକ ପଛୁଆ ବର୍ଗଙ୍କୁ ଟିକେଟ ଦେବ ବୋଲି ପିସିସି ସଭାପତି ରେଭନ୍ତ ରେଡ୍ଡୀ କହିଛନ୍ତି। ଏପରିକି ଶାସକ ବିଆରଏସ କଂଗ୍ରେସ ନେତା, କର୍ମୀ ଓ ଶୁଭେଛୁଙ୍କୁ ଭୟଭୀତ କରିବାକୁ ଉଦ୍ୟମ କରୁଥିବା ସେ ଅଭିଯୋଗ କରିଛନ୍ତି।

ଏହା ବନ୍ଦ ନ ହେଲେ ଦଳ ନିର୍ବାଚନ କମିଶନ ଓ ଆଇନର ଦ୍ୱାରସ୍ଥ ହେବ ବୋଲି ରେଭନ୍ତ ରେଡ୍ଡୀ କହିଛନ୍ତି। ତେଲେଙ୍ଗାନାରେ କଂଗ୍ରେସ ୭୫ ରୁ ଅଧିକ ସିଟ ଜିତି କ୍ଷମତାକୁ ଆସିବ ବୋଲି ସେ ଦୃଢୋକ୍ତି ପ୍ରକାଶ କରିଛନ୍ତି।

ନିର୍ବାଚନ ପୂର୍ବରୁ ତେଲେଙ୍ଗାନାରେ ବସ ଯାତ୍ରାକୁ ଦଳ ଫୋକସ କରୁଛି। ପ୍ରଥମ ପର୍ଯ୍ୟାୟ ବସ ଯାତ୍ରା କୋଣ୍ଡାଗାଟ୍ଟୁରୁ ଆରମ୍ଭ ହୋଇ କରିମନଗର, ନିଜାମାବାଦ, ଜାହିରାବାଦ ପ୍ରମୁଖ ଅଞ୍ଚଳ କଭର କରିବ। ଯେଉଁ ଯାତ୍ରାରେ ରାହୁଲ ଗାନ୍ଧୀଙ୍କ ସମେତ କଂଗ୍ରେସର ଶୀର୍ଷ ନେତୃତ୍ୱ ଯୋଗ ଦେଇ ସାରା ରାଜ୍ୟରେ ଦଳ ସପକ୍ଷରେ ମାହୋଲ ପ୍ରସ୍ତୁତ ପାଇଁ ଯୋଜନା ହୋଇଛି।

ଆସନ୍ତା ୧୮ ତାରିଖରେ ରାହୁଲ ଓ ପ୍ରିୟଙ୍କା ଗାନ୍ଧୀ ତେଲେଙ୍ଗାନାରେ ନିର୍ବାଚନ ପ୍ରଚାରର ଶୁଭାରମ୍ଭ କରିବାର କାର୍ଯ୍ୟକ୍ରମ ରହିଛି। ତେଲେଙ୍ଗାନା ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ଆୟୋଜିତ ହେବାକୁ ଥିବା ବସ ଯାତ୍ରାରେ ମଧ୍ୟ ଉଭୟ ଯୋଗଦେବାର କାର୍ଯ୍ୟକ୍ରମ ରହିଛି।

ଆସନ୍ତା ନଭେମ୍ବର ମାସ ୩୦ ତାରିଖରେ ହେବାକୁ ଥିବା ତେଲେଙ୍ଗାନା ନିର୍ବାଚନରେ ଏଥର ତ୍ରିମୁଖୀ ଲଢେଇ ହେବ ବୋଲି କୁହାଯାଉଛି। ଶାସକ ବିଆରଏସ, କଂଗ୍ରେସ ଓ ବିଜେପି ମଧ୍ୟରେ ଲଢେ଼ଇ ହେବ ବୋଲି କୁହାଯାଉଥିବା ବେଳେ ୱାଇଏସଆର ତେଲେଙ୍ଗାନା ପାର୍ଟି ମଧ୍ୟ ସବୁ ଆସନରେ ଲଢ଼ିବାକୁ ଘୋଷଣା କରିଛି।

ତେଣୁ ତେଲେଙ୍ଗାନାରେ ଏଥର ଭିନ୍ନ ଧରଣର ଲଢେଇ ଦେଖିବାକୁ ମିଳିବ ବୋଲି କୁହାଯାଉଛି। ସେପଟେ ଆଗାମୀ ନିର୍ବାଚନରେ କଂଗ୍ରେସ ଭୋଟ କିଣିବା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛି ବୋଲି ବିଆରଏସର କାର୍ଯ୍ୟକାରୀ ସଭାପତି କେଟିଆର କହିଛନ୍ତି।

ଦଳ କର୍ଣ୍ଣାଟକରୁ ଏହି ଅର୍ଥ ଯୋଗାଡ଼ କରୁଛି ବୋଲି ସେ ଅଭିଯୋଗ କରିଛନ୍ତି। କର୍ଣ୍ଣାଟକରେ ଆୟକର ଚଢ଼ାଉ ସମୟରେ ୪୦ କୋଟିରୁ ଅଧିକ ଟଙ୍କା ଧରାପଡିବା ପରେ କେଟିଆର ଏ କଥା କହିଛନ୍ତି। ଯାହାକୁ ନେଇ ତେଲେଙ୍ଗାନା ରାଜନୀତି ଏବେ ବେଶ ସରଗରମ ହୋଇଛି।

Leave A Reply

Your email address will not be published.