Latest Odisha News

BREAKING NEWS

ଏନସିପି ‘ପାୱାର’ ପଲିଟିକ୍ସ, ଶରଦ ପାୱାରଙ୍କୁ ଭେଟିଲେ ଅଜିତଙ୍କ ସହ ବିଦ୍ରୋହୀ ନେତା

ମୁମ୍ବାଇ: ମହାରାଷ୍ଟ୍ର ଏନସିପିରେ ଫାଟ ପରେ ପ୍ରଥମଥର ପାଇଁ ଅଜିତ୍ ପାୱାର, ଶରଦ ପାୱାରଙ୍କୁ ଭେଟିଛନ୍ତି । ବିଦ୍ରୋହୀ ବିଧାୟକ ଓ ମନ୍ତ୍ରୀଙ୍କୁ ନେଇ ରବିବାର ଅଜିତ ପାୱାର, ଶରଦ ପାୱାରଙ୍କୁ ଭେଟିବା ସହ ଆଶୀର୍ବାଦ ମାଗିଛନ୍ତି ।

ଶରଦ ପାୱାରଙ୍କ ସହ ଆଲୋଚନା ପରେ ଦଳର ନେତା ପ୍ରଫୁଲ୍ଲ ପଟେଲ କହିଛନ୍ତି, ଆମେ ସମସ୍ତେ ଶରଦ ପାୱାରଙ୍କ ଆଶୀର୍ବାଦ ନେବାକୁ ଆସିଥିଲୁ । ଶରଦ ପାୱାରଙ୍କ ପାଦ ଛୁଇଁ ଆଶୀର୍ବାଦ ନେଇଛୁ । ଦଳର ଭିତରେ ଫାଟ ସୃଷ୍ଟି କରି ଅଜିତ ପାୱାର ବିଜେପି ସହ ମିଶି ଉପମୁଖ୍ୟମନ୍ତ୍ରୀ ହେବାର ୧୪ ଦିନ ପରେ ଶରଦ ପାୱାରଙ୍କୁ ଭେଟିବା ମହାରାଷ୍ଟ୍ର ରାଜନୀତିକୁ ଆହୁରି ଚଳଚଞ୍ଚଳ କରି ଦେଇଛି ।

ଶରଦ ପାୱାରଙ୍କୁ ଭେଟି ପ୍ରଫୁଲ୍ଲ ପଟେଲ କହିଛନ୍ତି, ଏନସିପିକୁ ଏକଜୁଟ୍ କରିବା ଲାଗି ମାର୍ଗଦର୍ଶନ ମାଗିଛୁ । ଆମେ ସମସ୍ତେ ତାଙ୍କୁ ସମ୍ମାନ ଦେଉ । ଆମର ସବୁକଥା ଶରଦ ପାୱାର ଶୁଣିଥିବା ବେଳେ କିଛି ପ୍ରତିକ୍ରିୟା ଦେଇ ନାହାନ୍ତି । ଆମେ ସମସ୍ତେ ଅଜିତ୍ ପାୱାରଙ୍କ ନେତୃତ୍ୱରେ ମହାରାଷ୍ଟ୍ର ବିଧାନସଭା ଅଧିବେଶନରେ ଭାଗ ନେବୁ ।

୨ ଦିନ ତଳେ ଅଜିତ୍ ପାୱାର, ଶରଦ ପାୱାରଙ୍କ ଘରକୁ ଯାଇଥିଲେ । ସେଠି ଦାଦା ଶରଦ ପାୱାରଙ୍କ ସହ ଭଉଣୀ ସୁପ୍ରିୟା ସୁଲେଙ୍କ ସହ ଆଲୋଚନା କରିଥିଲେ । ସେତେବେଳେ ଉଭୟ ଭେଟିବାକୁ ନେଇ ଚର୍ଚ୍ଚା ଜୋର୍ ହୋଇଥିବା ବେଳେ ଅଜିତ ପାୱାର କହିଥିଲେ, ମୁଁ ମୋ ଖୁଡ଼ିଙ୍କ ସ୍ୱାସ୍ଥ୍ୟାବସ୍ଥା ବୁଝିବାକୁ ଯାଇଥିଲି ।

Leave A Reply

Your email address will not be published.