ଓବାମାଙ୍କ ସଙ୍କଳ୍ପ ଭୂମିରେ ମହାତ୍ମା ଗାନ୍ଧୀ

ମହାତ୍ମା ଗାନ୍ଧି (ଫାଇଲ୍ ଫଟୋ)

ମୋହନଦାସ କରମଚାନ୍ଦ ଗାନ୍ଧୀ ସାଦାସିଧା ସରଳ ମଣିଷଟିଏ । ନିଜ ଆତ୍ମାର ବିକାଶ କରି ଅନ୍ୟ ଆତ୍ମାକୁ ଚିହ୍ନି ସେମାନଙ୍କୁ ସତ୍ୟ, ପ୍ରେମ, ଶାନ୍ତିର ବନ୍ଧନରେ ବାନ୍ଧୁଥିବା ଏହି ବିରଳ ମଣିଷଟିକୁ ଶ୍ରଦ୍ଧା ଓ ସମ୍ମାନର ସହ ଲୋକେ ଆପଣାଇ ନେଲେ ଏବଂ ଡାକିଲେ ମହାତ୍ମା ବୋଲି । ସେବେଠାରୁ ମୋହନ ପାଲଟିଗଲେ ମହାତ୍ମା । ତାଙ୍କ ସତ୍ୟାଗ୍ରହର ସମ୍ମୋହନ ଶକ୍ତି କେବଳ ଓଡିଶା, ଗୁଜୁରାଟ କି ଭାରତରେ ନୁହେଁ, ସମଗ୍ର ବିଶ୍ୱକୁ ବ୍ୟାପ୍ତ ହେଲା । ଯେଉଁମାନେ ତାଙ୍କୁ ଘୃଣା କରୁଥିଲେ, ଶତୃଭାବେ ଦେଖୁଥିଲେ ଏବଂ ଜେଲ୍‌ରେ ବନ୍ଦୀ କରି ଯନ୍ତ୍ରଣା ଦେଉଥିଲେ ସେମାନଙ୍କ ଭିତରୁ ଅନେକ ଗାନ୍ଧୀପ୍ରେମରେ ଉବୁଟୁବୁ ହୋଇ ଇତିହାସ ବୁକୁରେ ନିଜ ନାମକୁ ସ୍ଥାନିତ କରିଗଲେ । ଜୀବିତ ସମୟରେ ମହାତ୍ମାଙ୍କୁ ଯେତେ ଲୋକ ବୁଝୁଥେି ଲ, ଅନୁସରଣ କରୁଥିଲେ ତାଙ୍କୁ ହତ୍ୟା କରାଯିବା ପରେ ଢେର ଅଧିକ ଲୋକ ତାଙ୍କ ପଥ ଅନୁସରଣ କରିବା ସହ ତାଙ୍କ ବାଟରେ ଚାଲିଲେ, ଚାଲୁଛନ୍ତି ଓ ଚାଲିବେ ମଧ୍ୟ ।

ଭଗବାନ ବୁଦ୍ଧଙ୍କ ମହାପ୍ରୟାଣର ପ୍ରାୟ ପାଞ୍ଚଶହ ବର୍ଷପରେ ତାଙ୍କ ଅମୃତବାଣୀ ସବୁ ଖୋଜା ପଡିଲା । ଗୌତମଙ୍କ ବୁଦ୍ଧତ୍ୱ ପ୍ରାପ୍ତିରୁ ଝରିଥିବା ଅମୃତ ଆସ୍ୱାଦନ କରିବା ପାଇଁ ମାନବ ଜାତି ବ୍ୟଗ୍ର ହୋଇଉଠଲି । । ଯୀଶୁଖ୍ରୀଷ୍ଟଙ୍କୁ କୃଶବିଦ୍ଧ କରାଯିବାର କେତେ ଶହ ବର୍ଷ ପରେ ତାଙ୍କ ଅମର ଆର୍ଶୀବଚନର ପ୍ରଭାବ ମଣିଷ ସମାଜକୁ ନୂଆ ଆଲୋକ ଦେଖାଇଲା । ଭାରତର ସ୍ୱାଧୀନତା ପ୍ରାପ୍ତିପରେ ଭୂତ-ଭବିଷ୍ୟତ ଉପରେ ଗୁରୁତ୍ୱ ନ ଦେଇ ଆପେ ବଞ୍ଚିଲେ ବାପର ନାଁ ନୀତିରେ ଯେଉଁ କ୍ଷମତାଲିପ୍‌ସୁମାନେ ସ୍ୱାଧୀନତା ଆନ୍ଦୋଳନର ଘୋଷିତ ପ୍ରତିଶୃତି ସବୁକୁ ଭୁଲିଯିବା ସହ ଗାନ୍ଧୀଜୀଙ୍କ ପ୍ରଦର୍ଶିତ ନୀତି ଆଦର୍ଶକୁ ଜଳାଞଳି ଦେଇ ବିକାଶ ନାମରେ ବିନାଶର ବୀଜ ବୁଣି ଚାଲିଲେ ଇତିହାସ ସେମାନଙ୍କୁ ଦିନେ ଅପରାଧୀ ବୋଲି କହିବ ।

ଆଜି ହୁଏତ ପ୍ରଶସ୍ତ ଗାନ୍ଧୀ ମାର୍ଗ ସେମାନଙ୍କୁ ଅନ୍ଧ ଗଳିଭାବେ କ୍ଷମତା ଚଷମାରେ ଦେଖାଯାଇପାରେ, କିନ୍ତୁ ଦିନ ନିଶ୍ଚୟ ଆସିବ ଯେତେବେଳେ ଶକ୍ତି, ମୁକ୍ତି, ଭକ୍ତି, ଶାନ୍ତି ଏବଂ ବ୍ୟକ୍ତି ଓ ରାଷ୍ଟ୍ର ଜୀବନ ବିକାଶ ପାଇଁ ଗାନ୍ଧୀଜୀଙ୍କ ପ୍ରଦର୍ଶିତ ମାର୍ଗ ଖୋଜାପଡିବ । ତାଙ୍କ କର୍ମ କୌଶଳକୁ କାମରେ ଲଗାଇବା ପାଇଁ ବିଶ୍ୱରେ ବିଦ୍ୱାନମାନେ ଏବେ ବାଟ ଖୋଜୁଛନ୍ତି ଏବଂ ତାହା ମିଳିଯିବା ପରେ ସ୍ୱରାଜର ଆଲୋକଦୀପ୍ତ ଗିରିଶୃଙ୍ଗ ଆରୋହଣର ସ୍ୱପ୍ନ ସାକାର ହେବ ଏବଂ ସମୃଦ୍ଧିର ସତ୍ୟ ସ୍ୱରୂପ ଏକ ସୁବର୍ଣ୍ଣ ଯୁଗର ଶୁଭାରମ୍ଭ କରିବ । ମହାତ୍ମାଙ୍କ ବଚନ ଓ କଷଣ କେବେ ଅକାରଣରେ ବୃଥା ଯାଏନାହିଁ ବୋଲି ଯୁଗଦ୍ରଷ୍ଟା ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସ ଯେଉଁ ଉଦ୍‌ଘୋଷଣା କରିଯାଇଛନ୍ତି ତାହା ନିଶ୍ଚୟ ଫଳବତୀ ହେବ; କିନ୍ତୁ କେବଳ ସେହି ମାହେନ୍ଦ୍ର ମୂହର୍ତ୍ତକୁ ଅପେକ୍ଷା କରିବାକୁ ପଡିବ ।

ଯେଉଁମାନଙ୍କ ମନରେ କୁତ୍ସିତ ବିଚାରର ସଢ଼ା ଗନ୍ଧ ସହ ଆଖିରେ ମିଥ୍ୟାଚାରର କାମଳ ପରଳ ପଡିଛି ସେମାନେ ଗାନ୍ଧୀଜୀଙ୍କ ଆଣ୍ଠୁଲୁଚା ଧଳା ଖଦି କପଡାକୁ ହଳଦିଆ ରଙ୍ଗରେ ଦେଖନ୍ତି । ଘୃଣା,ଭୟ,ଦ୍ୱେଷ, ହିଂସା, ପରଶ୍ରୀକାତରତା, କ୍ଷମତାଲିପ୍‌ସା ଓ ଔଧତ୍ୟ ସେମାନଙ୍କୁ ଏତେ ଗ୍ରାସ କରିଥାଏ ଯେ ସେବା, ତ୍ୟାଗ, ସମର୍ପଣ, ସତ୍ୟ, ଅହିଂସା ଆଦି ଅରୁଚିକର ବୋଧ ହୁଏ । ଭାରତଭୂମିରୁ ସତ୍ୟାଗ୍ରହର ସୂର୍ଯ୍ୟୋଦୟ କରି ବୁଦ୍ଧ ଓ ଯୀଶୁଙ୍କ ଭଳି ମାନବ ସମାଜକୁ ଯିଏ ଶାନ୍ତି, ମୁକ୍ତି ଓ ପ୍ରଗତିର ଆଲୋକ ଦେଖାଇଲେ ସେହି ଗାନ୍ଧୀଙ୍କୁ ତାଙ୍କ ଦେଶ ଭାରତରେ କିଛି ବ୍ୟକ୍ତି କୃତଘ୍ନତାର ଶୀର୍ଷ ସୋପାନକୁ ଯାଇ ଯେଭଳି ନିନ୍ଦା ଓ ସମାଲୋଚନା କରନ୍ତି ତାହା ବିଶ୍ୱର ଅନ୍ୟ କୌଣସି ରାଷ୍ଟ୍ରରେ ଦେଖାଯାଏ ନାହିଁ । ଏ ପରିପ୍ରେକ୍ଷୀରେ ଯୁକ୍ତରାଷ୍ଟ୍ର ଆମେରିକାର ପୂର୍ବତନ ରାଷ୍ଟ୍ରପତି ବାରାକ୍ ଓବାମା ତାଙ୍କ ଅନ୍ତରରେ ଗାନ୍ଧୀଜୀଙ୍କୁ ଖୋଜି କ’ଣ ପାଇଛନ୍ତି ତାହା ହେଉଛି ଏହି ସଂକ୍ଷିପ୍ତ ଆଲେଖ୍ୟର ଆଭିମୁଖ୍ୟ । ଏ କଥା ନିଜେ ଓବାମା ଲେଖିଥିବା ବହୁଳ ପ୍ରସାରିତ ଗ୍ରନ୍ଥ ‘ଏ ପ୍ରମିଜ୍‌ଡ ଲ୍ୟାଣ୍ଡ’ ରେ ଦେଖିବାକୁ ମିଳେ ।

୨୦୨୦ର ଶେଷାର୍ଦ୍ଧରେ ପ୍ରକାଶ ପାଇଥିବା ଓବାମାଙ୍କ ଏହି ୭୫୧ ପୃଷ୍ଠାର ପୁସ୍ତକଟି ବିଶ୍ୱରେ ପାଠକୀୟ ଆଦୃତି ଲାଭ କରିଛି । ଓବାମା ଲଗାତାର ଭାବେ ଦୁଇଥର ଆମେରିକାର ରାଷ୍ଟ୍ରପତି ହୋଇଛନ୍ତି ଏବଂ ତାଙ୍କ କାମ ପାଇଁ ସେ ନୋବେଲ୍ ପୁରସ୍କାର ମଧ୍ୟ ପାଇଛନ୍ତି । ଓବାମା ନିଜକୁ ଗାନ୍ଧୀଜୀଙ୍କ ଅନୁଗାମୀ ଭାବେ ମୁକ୍ତ କଣ୍ଠରେ ସ୍ୱୀକାର କରନ୍ତି ।

ରାଷ୍ଟ୍ରପତି ଥିବାବେଳେ ବାରାକ୍ ଓବାମା ଆସିଥିଲେ ଭାରତ ଗ୍ରସ୍ତରେ । ଏହା ପୂର୍ବରୁ ଭାରତର ଧର୍ମ, ସଂସ୍କୃତି, ଐତିହ ଓ ଗାନ୍ଧୀଜୀଙ୍କ ସମ୍ପର୍କରେ ସେ ଅନେକ ପଢ଼ିଥିଲେ ଓ ଶୁଣିଥିଲେ । ତାଙ୍କ ଶୈଶବ ଜୀବନ କଟିଥିଲା ଇଣ୍ଡୋନେସିଆରେ । ସେତେବେଳେ ସେ ରାମାୟଣ, ମହାଭାରତ ଆଦିର ଉପାଖ୍ୟାନମାନ ଶୁଣି ବେଶ୍ ଆହ୍ଲାଦିତ ହୋଇଥିଲେ । ଆମେରିକାର ୪୪ତମ ରାଷ୍ଟ୍ରପତି ହୋଇଥିବା ବାରାକ୍ ଓବାମା ଜଣେ କୃଷ୍ଣକାୟ । ସେଠି ବର୍ଣ୍ଣ ବିଦ୍ୱେଷ ଗୋଟିଏ ସମୟରେ ଅତି ଭୟଙ୍କର ସ୍ତରରେ ଥିଲା । ମାର୍ଟିନ୍ ଲୁଥର କିଙ୍ଗ୍‌ଙ୍କ ଭଳି ଗାନ୍ଧୀ ପ୍ରେମୀ ଦକ୍ଷିଣ ଆଫ୍ରିକାରେ ଗାନ୍ଧୀଜୀଙ୍କ ବର୍ଣ୍ଣ ବୈଷମ୍ୟ ବିରୋଧୀ ସତ୍ୟାଗ୍ରହର ପଥ ବାଛିନେଇ ଆମେରିକାରେ ତାହାର ପ୍ରୟୋଗ କରି ସଫଳ ହେଲେ । ଆମେରିକାର ଜଣେ ଶ୍ୱେତାଙ୍ଗ ରାଷ୍ଟ୍ରପତି କୌଣସି କୃଷ୍ଣକାୟଙ୍କ ସହ କରମର୍ଦନ କଲେ ହାତ ଧୋଇ ପୋଛୁଥିଲେ । କିନ୍ତୁ ସେହି ଦେଶରେ ଗାନ୍ଧୀଙ୍କୁ ଭଲପାଉଥିବା ଓବାମାଙ୍କୁ ଲୋକେ ଦୁଇ ଦୁଇଥର ରାଷ୍ଟ୍ରପତି ଆସନରେ ବସାଇଥିଲେ ।

ଗାନ୍ଧୀଜୀଙ୍କ ମହାପ୍ରୟାଣ ପରେ ଦକ୍ଷଣି ଆଫ୍ରିକାରେ ବର୍ଣ୍ଣ ବୈଷମ୍ୟ ବିରୋଧୀ ସଂଗ୍ରାମର ନେତା ନେଲ୍‌ସନ୍ ମଣ୍ଡେଲା ଦୀର୍ଘ ବର୍ଷ କାରା ନିର୍ଯ୍ୟାତନା ସହି ଲକ୍ଷ୍ୟ ହାସଲ କଲେ ଓ ସେଠାକାର ରାଷ୍ଟ୍ରପତି ହୋଇ ଇତିହାସ ରଚିଲେ । ଆବ୍ରାହମ୍ ଲିଙ୍କନ୍‌, ମହାତ୍ମା ଗାନ୍ଧୀ, ମାର୍ଟିନ୍ ଲୁଥର୍ କିଙ୍ଗ୍‌, ନେଲ୍‌ସନ୍ ମଣ୍ଡେଲା ପ୍ରମୁଖ ତାଙ୍କ ଚିନ୍ତା ଓ ଚେତନାରେ ରହି ଆସିଥିବା କଥା ସ୍ୱୀକାର କରିଛନ୍ତି ବାରାକ୍ ଓବାମା ଏହି ପୁସ୍ତକରେ ।

ଭାରତ ଗ୍ରସ୍ତ ଅବସରରେ ଆମେରିକା ରାଷ୍ଟ୍ରପତି ଓବାମା ସସ୍ତ୍ରୀକ ଯାଇଥିଲେ ମୁମ୍ବାଇର ମଣିଭବନ ସଂଗ୍ରାହାଳୟକୁ । ନୀଳ ଶାଢ଼ୀ ପରିହିତା ଭାରତୀୟ ଗାଇଡ୍ ତାଙ୍କୁ କହିଲେ ଯେ ଏଇ ଦୁଇ ମହଲା ବିଶିଷ୍ଟ ଛୋଟିଆ କୋଠାଟିରେ ମହାତ୍ମା ଗାନ୍ଧୀ ତାଙ୍କ ବମ୍ବେ ଗସ୍ତ ସମୟରେ ବହୁଥର ରହିଛନ୍ତି । ଇତିହାସକୁ ବଦଳାଇ ଦେବା ଭଳି ଅନେକ ପରିକଳ୍ପନା ଏଠି ସେ କରିଛନ୍ତି । ଆଗ୍ରହର ସହ ଗାନ୍ଧୀଜୀ ଓ ମଣିଭବନ ସମ୍ପର୍କରେ ଗାଇଡ୍‌ଙ୍କ ଠାରୁ ଶୁଣି ଶୁଣି ଓବାମା ଦମ୍ପତି ପଶିଥିଲେ ଏହି ଇତିହାସର ସ୍ମାରକୀ ମଧ୍ୟକୁ । ତଳ ମହଲାରେ ଗାଇଡ୍ ତାଙ୍କୁ ପୁରୁଣା ପରିଦର୍ଶକ ପୁସ୍ତିକାରେ ଥିବା ମାର୍ଟିନ୍ ଲୁଥର୍ କିଙ୍ଗ୍‌ଙ୍କ ଦସ୍ତଖତ ଦେଖାଇବା ବେଳେ ଓବାମା ବେଶ୍ ଅଭିଭୁତ ହୋଇଯାଇଥିଲେ ।

୧୯୫୯ ମସିହାରେ ମାର୍ଟିନ୍ ଲୁଥର୍ କିଙ୍ଗ୍ (ଜୁନିୟର) ଭାରତ ଗସ୍ତରେ ଆସିଥିବା ବେଳେ ମଣିଭବନ ପରିଦର୍ଶନ କରିଥିଲେ । ଗାନ୍ଧୀଜୀଙ୍କ ଭଳି ଆତତାୟୀର ଗୁଳି ଚୋଟରେ ନିଜ ଦେଶରେ ମରିଥିଲେ ମାର୍ଟିନ୍ ଲୁଥର୍ । ଯୀଶୁ, ଗାନ୍ଧୀ, ମାର୍ଟିନ୍ ଲୁଥର୍‌,
ସକ୍ରେଟିସ୍ ଆଦି ସତ୍ୟର ପୂଜାରୀମାନଙ୍କୁ ଯେଉଁ ହାତ ମାରିଥିଲା ତାହା ଏବେ ରହିଛି ଓ ଭବିଷ୍ୟତରେ ମଧ୍ୟ କଳଙ୍କିତ ହୋଇ ରହିବ । କିନ୍ତୁ ମାନବ ସମାଜ ପାଇଁ ସତ୍ୟ ଓ ଶାନ୍ତିର ଶୀତଳ ସମୀରଣ ବୁହାଇଥିବା ଗାନ୍ଧୀଙ୍କ ଭଳି ଯୁଗ ପୁରୁଷମାନେ ମରିବି କାଳ କାଳ ପାଇଁ ବୈଚାରିକ ଦୃଷ୍ଟିରୁ ଅମର ହୋଇ ରହିଛନ୍ତି ଓ ରହିଥିବେ ମଧ୍ୟ ।

ଗାନ୍ଧୀମୟ ଭାବନାରେ ଉବୁଟୁବୁ ହେଉଥିବା ଓବାମାଙ୍କୁ ଗାଇଡ୍ ଉପର ମହଲାକୁ ନେଇଗଲେ । ସେଠି ଏକ ସାଧାରଣ ଟାଇଲ ପଡିଥିବା ଘର ଆଡକୁ ଅଙ୍ଗୁଳି ଦେଖାଇ ଏଠାରେ ଗାନ୍ଧୀଜୀ ଅତୀତରେ ରହୁଥିବା ସୁଚାଇଲେ । ବାହାରେ ଜୋତା ଖୋଲି ଓବାମା କୋଠରୀ ଭିତରକୁ ପ୍ରବେଶ କଲେ । କୋଠରୀ ଭିତରେ ଗାନ୍ଧୀ ଶୋଇଥିବା ବିଛଣା ପଡିଥାଏ । ପାଖରେ ଚରଖା ଓ କାଠ ଡେସ୍କଟିଏ । ତଳେ ବିଛଣାରେ ବସି ଗାନ୍ଧୀ ଏହି ଡେସ୍କ ଉପରେ କେତେ କ’ଣ ଲେଖୁଥିଲେ । ସେହି ପ୍ରକୋଷ୍ଠରେ ବି ଥାଏ ଏକ ପୁରୁଣା କାଳିଆ ଟେଲିଫୋନ୍ ଯେଉଁଥିରୁ ଗାନ୍ଧୀ ଅନେକ ଥର କଥା ହୋଇଥିବେ । ଏହି ପ୍ରକୋଷ୍ଠରେ ପ୍ରବେଶ କରିବା ମାତ୍ରେ ଓବାମା ଅନୁଭବ କଲେ ଐଶ୍ୱରୀୟ ଶିହରଣ । ସତେ ଯେମିତି ଗାନ୍ଧୀଜୀ ସେହି ପ୍ରକୋଷ୍ଠରେ ଅଛନ୍ତି ଓ ଆଣ୍ଠୁଲୁଚା ଖଦି ଖଣ୍ଡେ ପିନ୍ଧି ବସିଛନ୍ତି ଏବଂ ଭାଇସ୍ ରାୟ କି ଆଉ କାହାକୁ ଚିଠି ଲେଖୁଛନ୍ତି କିମ୍ବା ଲବଣ ସତ୍ୟାଗ୍ରହ ସମ୍ପର୍କରେ ଆଲୋଚନା କରୁଛନ୍ତି । ଏଭଳି ଭାବାନ୍ତରରେ ଓବାମାଙ୍କର ଇଚ୍ଛା ହେଲା ଗାନ୍ଧୀଜୀଙ୍କ ନିକଟରେ ବସି କଥାହେବାକୁ । ଓବାମା
ଲେଖିଛନ୍ତି ସେତେବେଳେ ତାଙ୍କ ମନ କହୁଥିଲା ଗାନ୍ଧୀଜୀଙ୍କୁ ପଚାରିବାକୁ ଯେ କେଉଁଠୁ ସେ ଏତେ ବଡ ବଡ କାମ କରିବା ପାଇଁ ସକାରାତ୍ମକ ଭାବନା ଓ ଶକ୍ତି ପାଉଛନ୍ତି ବୋଲି । ଭାବବିହ୍ୱଳ ଆମେରିକା ରାଷ୍ଟ୍ରପତି ମଣିଭବନର ଛୋଟ ପ୍ରକୋଷ୍ଠଟିରେ ସତେ ଯେମିତି ସେଦିନ କଳ୍ପନାରେ ଗାନ୍ଧୀଜୀଙ୍କ ସ୍ୱାନି୍ନଧ୍ୟ ଲାଭ କରିଥିଲେ । ଗାନ୍ଧୀଜୀଙ୍କ ଜୀବନର ଏହି ସ୍ମାରକୀ ଦେଖି ଆଶା ଓ ପ୍ରେରଣାରେ ତାଙ୍କ ମନ ପରିପୂର୍ଣ୍ଣ ହୋଇଥିବା ଓ ଗାନ୍ଧୀଜୀ କେବଳ ଭାରତର ନୁହଁନ୍ତି, ସମଗ୍ର ବିଶ୍ୱର ମହାନାୟକ ବୋଲି ଏହି ରାଷ୍ଟ୍ର ପୁରୁଷ ତାଙ୍କ ସ୍ୱୀକାରୋକ୍ତିର ସନ୍ତକ ଛାଡିଯାଇଛନ୍ତି ମଣିଭବନ ସଂଗ୍ରାହଳୟରେ ।

ଗାନ୍ଧୀଜୀଙ୍କ ସକଳ ଉଦ୍ୟମ ସତ୍ୱେ ଭାରତ ବିଭାଜନକୁ କିପରି ଏଡାଯାଇ ପାରିଲା ନାହିଁ, ଅହିଂସାର ଶଙ୍ଖ ଧ୍ୱନିରେ ସ୍ୱରାଜ ଆସିଥିବା ବେଳେ କେମିତି ଏଠି ହିଂସାରେ ବ୍ୟାପକ ସଂଖ୍ୟକ ଲୋକ ମଲେ, କେତେ ପରିବାର ବରବାଦ ହେଲା, କେତେ ଶରଣାର୍ଥୀ ପାଲଟିଥିଲେ, ସତ୍ୟାଗ୍ରହ ସତ୍ୱେ କିପରି ଜାତିପ୍ରଥା ଲୋପ ପାଇଲା ନାହିଁ ଏବଂ ସର୍ବଧର୍ମ ସମଭାବ ଓ ବସୁଧୈବ କୁଟୁମ୍ବକମ୍‌ର ଘୋଷଣା କରିଥିବା ସତ୍ୟ ଅହିଂସାର ପବିତ୍ର ମାଟି ଭାରତରେ କେମିତି ସତ୍ୟାଗ୍ରହର ପୂଜାରୀ ବିଶ୍ୱମାନବ ମହାତ୍ମା ଗାନ୍ଧୀ ହିନ୍ଦୁ ସାମ୍ପ୍ରଦାୟିକତାବାଦୀର ଗୁଳି ଚୋଟରେ ପ୍ରାଣ ହରାଇଲେ ସେହି ବିଚାର ମଧ୍ୟ ଓବାମାଙ୍କ ମନରେ ବେଶ୍ ଘାଣ୍ଟିହୋଇଛି ।

ଏହି ପୁସ୍ତକରେ ଓବାମା ଲେଖିଛନ୍ତି ଯେ ଯୁବକ ଅବସ୍ଥାରେ ଗାନ୍ଧୀଙ୍କୁ ପଢ଼ି ସେ ଅନୁପ୍ରାଣୀତ ହୋଇଛନ୍ତି । ତାଙ୍କ କଥା ଓ ଲେଖା ଅପେକ୍ଷା ତାଙ୍କ କାମ ଓବାମାଙ୍କୁ ଉଦ୍‌ବୁଦ୍ଧ କରିଛି । ଗାନ୍ଧୀଜୀଙ୍କ ରାଜନୈତିକ, ସାମାଜିକ, ଆର୍ଥିକ ଓ ନୈତିକ ବିଚାର ଏବଂ ସର୍ବୋପରି ସବୁ ମଣିଷ ସମ୍ମାନର ସହ ବଞ୍ଚି ରହିବା ଲାଗି ତାଙ୍କ ଦର୍ଶନରେ ଓବାମା ପ୍ରଭାବିତ । ନିଜ ଜୀବନକୁ ବିପନ୍ନ କରି ଦେଶମାତୃକା ଓ ମାନବ ସମାଜ ପାଇଁ ପ୍ରତିକୂଳ ପରିସ୍ଥିତିକୁ ସହଜରେ ମୁକାବିଲା କରିବାର କଳା କୌଶଳ ଗାନ୍ଧୀଜୀଙ୍କୁ ଜଣାଥିଲା । ହସି ହସି ସେ କାରାବରଣ କରୁଥିଲେ । ଲୋକଙ୍କ ମଙ୍ଗଳ ପାଇଁ ନିଜକୁ ସମର୍ପଣ କରିଦେଉଥିଲେ । ବ୍ୟକ୍ତିଗତ ପ୍ରାପ୍ତିର ପ୍ରତ୍ୟାଶା ନ ରଖି ସାମୂହିକ କଲ୍ୟାଣ ଲାଗି ନିଜ ଜୀବନକୁ ଉତ୍ସର୍ଗ କରି ଗାନ୍ଧୀ ବ୍ୟକ୍ତିରୁ ପାଲଟିଥିଲେ ବିଚାରରେ ।

ସତ୍ୟାଗ୍ରହ ସଂଗ୍ରାମରେ କେବଳ ଭାରତ ସ୍ୱାଧୀନ ହୋଇନାହିଁ, ସାରା ବିଶ୍ୱରେ ପରିବର୍ତ୍ତନ ଲାଗି ଏହା ନୂତନ ଆଲୋକର ସନ୍ଧାନ ଦେଇଛି ବୋଲି ଓବାମା ଲେଖିଛନ୍ତି । ବିଶ୍ୱ ଜନସଂଖ୍ୟାର ଏକ ଷଷ୍ଠାଂଶ ଭାରତରେ ଥିବାବେଳେ ଏଠି ଲୋକେ ୭୦୦ରୁ ଅଧିକ ଭାଷା ବ୍ୟବହାର କରନ୍ତି । ବହୁ ଜାତି, ଧର୍ମ ଓ ବର୍ଣ୍ଣର ସମାହାରରେ ବିଚିତ୍ରବର୍ଣ୍ଣା ଭାରତବର୍ଷ । ବିଶର୍ୱ ବିଭିନ୍ନ ସମସ୍ୟା ତାଙ୍କ ମୁଣ୍ଡରେ ଖେଳୁଥିବାବେଳେ ଗାନ୍ଧୀ ବଞ୍ଚିଥିଲେ ସେ ତାଙ୍କଠାରୁ ଏ ସବୁର ସମାଧାନ ପାଇଁ ପରାମର୍ଶ ଲୋଡିଥାନ୍ତେ ବୋଲି ବି ଓବାମା ଲେଖିଛନ୍ତି । ଆଉ ଏ କଥା ମଧ୍ୟ ଉଲ୍ଲେଖ କରିଛନ୍ତି ଯେଉଁ ବାଟରେ ଗାନ୍ଧୀଜୀ ଭାରତର ସ୍ୱାଧୀନତା ହାସଲ କଲେ ତାହାକୁ ପାଥେୟ କରି ପରବର୍ତ୍ତୀ ସମୟରେ ଆଉ ଅନେକ ଦେଶ ସ୍ୱାଧୀନ ହୋଇଛି । ତାଙ୍କ ଦର୍ଶନକୁ ପ୍ରସାରିତ କରିବା ପାଇଁ ଜାତିସଂଘର ନିଷ୍ପତିକ୍ରମେ ଗାନ୍ଧୀ ଜୟନ୍ତିକୁ ସମଗ୍ର ବିଶ୍ୱ ପାଳୁଛି ଆନ୍ତର୍ଜାତିକ ଅହିଂସା ଦିବସ ଭାବେ ।

ଓବାମାଙ୍କ ସକଳ୍ପ ଭୂମିରେ ଗାନ୍ଧୀ ଝଟକୁଥିବା ବେଳେ ଆମେ ଗାନ୍ଧୀଙ୍କ ଗ୍ରାମସ୍ୱରାଜର ରୂପାୟନ କରି ସମୃଦ୍ଧ, ସଶକ୍ତ, ସାର୍ବଭୌମ ଓ ସ୍ୱାବଲମ୍ବୀ ଭାରତ ପାଇଁ ସମର୍ପିତ ସାଧନା କରିବା ଆବଶ୍ୟକ ।