Latest Odisha News

BREAKING NEWS

କି ପ୍ରଶ୍ନ ପଚାରିଲେ ଏଥିକ୍ସ କମିଟି ? କାହିଁକି ବୈଠକରୁ ରାଗି ବାହାରି ଆସିଲେ ମହୁଆ

ନୂଆଦିଲ୍ଲୀ: ତୃଣମୂଳ କଂଗ୍ରେସ ସାଂସଦ ମହୁଆ ମୋଇତ୍ରା ଆଜି ଲୋକସଭା ଏଥିକ୍ସ କମିଟିରେ ହାଜର ହୋଇଥିଲେ । ହେଲେ ବୈଠକରୁ ରାଗିପାଚି ବାହାରିଥିବା ଦେଖିବାକୁ ମିଳିଥିଲା । ଦ୍ୱିପହର ବୈଠକ ପରେ ବାହାରକୁ ଆସିବା ବେଳକୁ ରାଗରେ ନାଲି ପଡି ଯାଇଥିଲେ ମହୁଆ । ତାଙ୍କ ସହ ବହୁଜନ ସମାଜପାର୍ଟି ସାଂସଦ ଦାନିଶ ଅଲି ମଧ୍ୟ ଥିଲେ । ବିରୋଧୀ ଦଳ ସାଂସଦ ପାଟିତୁଣ୍ଡ କରି ବାହାରକୁ ଆସିଥିଲେ । ଏହି ସମୟର ଭିଡିଓ ସାମ୍ନାକୁ ଆସିଛି ।

ତେବେ ମହୁଆ ଏକଥା କହୁଥିବା ଶୁଣିବାକୁ ମିଳିଥିଲା, ଏହି ଏଥିକ୍ସ କମିଟି କ’ଣ ? ଏ କି ପ୍ରଶ୍ନ ପଚାରୁଛନ୍ତି  ? ତେବେ ମହୁଆ ଏତେ ଉତ୍ତ୍ୟକ୍ତ କାହଁକି ହେଉଥିଲେ ତାହାର କାରଣ ସ୍ପଷ୍ଟ ଜଣା ପଡି ନ ଥିଲା । ଅନ୍ୟପକ୍ଷେ ଦାନିଶ ଅଲି କହିଥିଲେ,  ଏଠାରେ ସବୁ ଅନଏଥିକାଲ ପ୍ରଶ୍ନ ପଚରା ଯାଇଥିଲା । ଦାନିଶ ଅଲି ଆହୁରି କହିଥିଲେ, ରାତିରେ କାହା ସହ କ’ଣ କଥା ହେଉଥିଲେ  ଏପରି ପ୍ରଶ୍ନ ପଚାରିଥିଲେ ଏଥିକ୍ସ କମିଟି । ଏପରି ପ୍ରଶ୍ନ ପଚାରିବାର ଉଦ୍ଦେଶ୍ୟ କ’ଣ ବୋଲି ପଚାରିଥିଲେ ବିରୋଧୀ ସାଂସଦ ।

ଲୋକସଭା ଏଥିକ୍ସ କମିଟିର ପ୍ରଶ୍ନ ପଚାରିବାର ଶୈଳୀକୁ ନେଇ ପ୍ରଶ୍ନ ଉଠାଇଛନ୍ତି ବିରୋଧୀ । ଆଉ ସେଥିପାଇଁ ବୈଠକରୁ ବାହାରି ଆସିଥିଲେ । ମହୁଆଙ୍କୁ ବ୍ୟକ୍ତିଗତ ଏବଂ ଅନୈତିକ ପ୍ରଶ୍ନ ପଚାରା ଯାଇଥିବା ଅଭିଯୋଗ ହେଇଛି । କଂଗ୍ରେସ ସଦସ୍ୟ ଏନ ଉତ୍ତମ କୁମାର ରେଡ୍ଡି କହିଛନ୍ତି, ଏଥିକ୍ସ କମିଟିର ପ୍ରଶ୍ନ ଆମକୁ ଅନୈତିକ ଲାଗିଲା ।

ଭାଜପା ସାଂସଦ ନିଶିକାନ୍ତ ଦୁବେ ଲୋକସଭା ଅଧ୍ୟକ୍ଷଙ୍କୁ ଅକ୍ଟୋବର ୧୫ ତାରିଖରେ ଏକ ପତ୍ର ଲେଖି ଅଭିଯୋଗ ଆଣିଥିଲେ ଯେ ମହୁଆ ମୋଇତ୍ର ଲୋକସଭାରେ ୬୧ଟି ପ୍ରଶ୍ନ ପଚାରିତିଲେ । ଏଥିରୁ ୫୦ଟି ପ୍ରଶ୍ନ ଆଦାନୀ ଗ୍ରୁପ ଉପରେ କେନ୍ଦ୍ରିତ ଥିଲା । ଅଦାନୀ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଘେରିବା ପାଇଁ  ଏହି ପ୍ରଶ୍ନ ପଚାରିବା ଲାଗି ମହୁଆ  ଲାଞ୍ଚ ନେଉଥିବା ଅଭିଯୋଗ ଆଣିଥିଲେ । ତେବେ ମହୁଆ ଏପରି ଅଭିଯୋଗକୁ ଖଣ୍ଡନ କରିଥିଲେ ।

Leave A Reply

Your email address will not be published.