Latest Odisha News

BREAKING NEWS

‘ଆମ ଓଡ଼ିଶା- ନବୀନ ଓଡ଼ିଶା’ରେ ଯୋଡି ହେଲା ଆଉ ଦୁଇ ଜିଲ୍ଲା, ଫୋକସରେ ପ୍ରତି ପଞ୍ଚାୟତ, ପ୍ରତି ଗାଁ

ଭୁବନେଶ୍ଵର: ରାଜ୍ୟ ସରକାରଙ୍କର ଗ୍ରାମାଭିମୂଖୀ ମହତ୍ବକାଂକ୍ଷୀ ଯୋଜନା ‘ଆମ ଓଡିଶା ନବୀନ ଓଡିଶା’ ମାଧ୍ୟମରେ ନୂଆ ଓଡିଶା ସଶକ୍ତ ଓଡିଶା ଗଠନର ଭିତ୍ତିଭୂମିକୁ ସୁଦୃଢ କରିବା ପାଇଁ ଆରମ୍ଭ ହୋଇଛି ଅଭିଯାନ।  ଏହି କାର୍ଯ୍ୟକ୍ରମର ଫୋକସ୍‌ ହେବ ପ୍ରତି ପଞ୍ଚାୟତ, ପ୍ରତି ଗାଁ ।  ଆଜି ଭୁବନେଶ୍ବରରୁ ଆଭାସୀ ଯୋଗେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ କାର୍ଯ୍ୟକ୍ରମର ଅଷ୍ଟମ ଦିନରେ ଗଞ୍ଜାମ ଓ ସୁବର୍ଣ୍ଣପୁର ଜିଲ୍ଲାରେ ଏହି ଯୋଜନାର ଶୁଭାରମ୍ଭ କରିଛନ୍ତି ।  ପ୍ରତି ପଞ୍ଚାୟତ ପାଇବେ ୫୦ ଲକ୍ଷ ଟଙ୍କା ।

ଏଥିପାଇଁ ଗଞ୍ଜାମ ଜିଲ୍ଲାର ୧୨ଟି ନିର୍ବାଚନମଣ୍ଡଳୀକୁ ମିଳିଛି ୨୫୧.୫୦ କୋଟି ଟଙ୍କା । ଏହି ନିର୍ବାଚନମଣ୍ଡଳୀ ଗୁଡିକ ହେଲା – ଭଞ୍ଜନଗର, ଛତ୍ରପୁର, ଖଲିକୋଟ, ଦିଗପହଣ୍ଡି, ସୁରଡା, ସାନଖେମୁଣ୍ଡି, ଗୋପାଳପୁର, ଆସ୍କା, ଚିକିଟି, ହିଞ୍ଜିଳିକାଟୁ, ପୋଲସରା ଓ କବିସୂର୍ଯ୍ୟନଗର । ଏହିସବୁ ନିର୍ବାଚନମଣ୍ଡଳୀର ୨୨ଟି ବ୍ଲକ୍‌‌ର ୫୦୩ଟି ଗ୍ରାମ ପଞ୍ଚାୟତରେ ୫୭୦୬ଟି ପ୍ରକଳ୍ପ ହେବ। ସେହିପରି ସୁବର୍ଣ୍ଣପୁର ଜିଲ୍ଲାର ୨ଟି ନିର୍ବାଚନମଣ୍ଡଳୀ ପାଇଁ ୫୪.୫୦କୋଟି ଟଙ୍କା ମଂଜୁର ହୋଇଛି। ଏହି ନିର୍ବାଚନମଣ୍ଡଳୀ ଗୁଡିକ ହେଲା – ସୁବର୍ଣ୍ଣପୁର ଓ ବୀରମହାରାଜପୁର। ଏଥିରେ ୬ଟି ବ୍ଲକ୍‌ର ୧୦୯ଟି ଗ୍ରାମପଞ୍ଚାୟତରେ ୧୪୧୯ଟି ପ୍ରକଳ୍ପ କରାଯିବ।

ଏହି ଅବସରରେ ଉଦ୍ବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ସଂସ୍କୃତିର ପ୍ରସାର ଓ ଆଧୁନିକ ଭିତ୍ତିଭୂମିର ଉନ୍ନତି ଆମର ଗାଁ ଗୁଡିକୁ ବିକାଶର ଶିଖରରେ ପହଞ୍ଚାଇବ । ବିକାଶର ଏହି ନୂଆ ଚେହେରା ଗାଁ ଲୋକଙ୍କ ମଧ୍ୟରେ ଗଭୀର ଆତ୍ମବିଶ୍ୱାସ ସୃଷ୍ଟି କରିବ । ଆମର ସୁଦୃଢ ସାଂସ୍କୃତିକ ଭିତ୍ତିଭୂମିରୁ ଆଧୁନିକ ବୈଷୟିକ ଜ୍ଞାନର ବିସ୍ତୃତ ଦିଗବଳୟକୁ ଛୁଇଁବା ନିମନ୍ତେ ନୂଆ ଓଡିଶା ତା’ର ଡେଣାକୁ ଆହୁରି ପ୍ରସାରିତ କରି ନୂଆ ଶିଖରରେ ପହଞ୍ଚିବ ଏବଂ ଆମେ ଗଢିବା ନୂଆ ଓଡିଶା ନବୀନ ଓଡିଶା । ନବୀନ ଓଡିଶାର ପରିଚୟ ନେଇ ରାଜ୍ୟର ପ୍ରତି ଗାଁ ବିକାଶର ମାର୍ଗରେ ଆଗକୁ ବଢିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

ଭଞ୍ଜନଗରରେ ଉପସ୍ଥିତ ମନ୍ତ୍ରୀ ଶ୍ରୀ ବିକ୍ରମ କେଶରୀ ଆରୁଖ କହିଥିଲେ ସାରା ଭାରତରେ ନୂତନ ଯୋଜନା ଆରମ୍ଭ କରିବାରେ ଇତିହାସ ରଚନା କରିଛନ୍ତି ମୁଖ୍ୟମନ୍ତ୍ରୀ। କବିସୂର୍ଯ୍ୟନଗର ବେଗୁନିଆ ପଡାରେ ଉପସ୍ଥିତ ବିଧାୟିକା ଶ୍ରୀମତୀ ଲତିକା ପ୍ରଧାନ କହିଲେ ଯେ ଆମର ପ୍ରସ୍ତାବ ସବୁକୁ ୭ ଦିନ ମଧ୍ୟରେ ମଞ୍ଜୁର କରିବା ପାଇଁ 5T ଅଧ୍ୟକ୍ଷ ପ୍ରତିଶୃତି ଦେଇଥିଲେ। କିନ୍ତୁ ମାତ୍ର ୫ ଦିନ ମଧ୍ୟରେ ଆମର ପ୍ରକଳ୍ପ ସବୁ ମଞ୍ଜୁର ହୋଇଥିଲା। ମୁଖ୍ୟମନ୍ତ୍ରୀଙ୍କ ନବୀନ ଓଡିଶାର ସ୍ୱପ୍ନକୁ କାର୍ଯ୍ୟକାରୀ କରିବାରେ 5T ଅଧ୍ୟକ୍ଷଙ୍କ ଦକ୍ଷତାର ତୁଳନା ନାହିଁ ବୋଲି ଛତ୍ରପୁର ବିଧାୟକ ଶ୍ରୀ ସୁବାଷ ଚନ୍ଦ୍ର ବେହେରା କହିଥିଲେ। ସୁବର୍ଣ୍ଣପୁରର ଡୁଙ୍ଗୁରିପାଲ୍ଲିରେ ଉପସ୍ଥିତ ମନ୍ତ୍ରୀ ଶ୍ରୀ ନିରଞ୍ଜନ ପୂଜାରୀ କହିଲେ ଯେ ଆମ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମ ଯୋଗୁ ଜଗନ୍ନାଥ ସଂସ୍କୃତି ସହ ଆମ ସ୍ଥାନୀୟ ସଂସ୍କୃତିର ମଧ୍ୟ ବିକାଶ ହେବ। ସବୁ ମନ୍ତ୍ରୀ ଓ ବିଧାୟକ କହିଥିଲେ ଯେ ପ୍ରକଳ୍ପ ମଞ୍ଜୁରି ଓ କାର୍ଯ୍ୟକାରିତାରେ ଏଭଳି କ୍ଷୀପ୍ରଗତି ସେମାନେ କେବେ ଆଗରୁ ଦେଖି ନାହାନ୍ତି।

Leave A Reply

Your email address will not be published.