Latest Odisha News

BREAKING NEWS

ରଥଖଳାରେ ରଥନିର୍ମାଣ: ଓଡ଼ିଆ କାରିଗରଙ୍କ ନିର୍ଭୁଲ ସ୍ୱାକ୍ଷର

ମହାପ୍ରଭୁଙ୍କ ପବିତ୍ର ରଥଯାତ୍ରାରେ ନିୟୋଜିତ ହେଉଥିବା ତିନିରଥର ପାରମ୍ପରିକ ନିର୍ମାଣ ଶୈଳୀ ପ୍ରକୃତରେ ଓଡ଼ିଆ କାରିଗରଙ୍କ ଉକ୍ରୃଷ୍ଟ ନିର୍ମାଣ ପ୍ରତିଭାର ନିର୍ଭୁଲ ସ୍ୱାକ୍ଷର ରୂପେ ପ୍ରକାଶ କରିଥାଏ । ବଡ଼ଭାଇ ବଡ଼ଠାକୁର ଶ୍ରୀବଳଭଦ୍ର ମହାପ୍ରଭୁ ତାଳଧ୍ୱଜ ରଥରେ, ସାନଭାଇ ମହାପ୍ରଭୁ ଶ୍ରୀଜଗନ୍ନାଥ ନନ୍ଦିଘୋଷ ରଥରେ ତଥା ଦେବୀ ମା ସୁଭଦ୍ରା ଦର୍ପଦଳନ ରଥରେ ବିଜେ ହୋଇ ଗୁଣ୍ଡିଚା ମନ୍ଦିର ଯାତ୍ରା କରିବାର ବିଧି ଅନେକ ବର୍ଷରୁ ଚଳିଆସୁଛି ।

ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଲା, ଏହି ପ୍ରକାଣ୍ଡ ରଥତ୍ରୟକୁ ଯେଉଁ ମାପକାଠି ବା ସ୍କେଲ୍ ବ୍ୟବହାର କରି ଗଢାଯାଇଥାଏ ତାହା ଅତ୍ୟନ୍ତ ପ୍ରାଚୀନ । ସେହି ପରିମାପକ ସମଗ୍ର ପୃଥିବୀରେ ସର୍ବତ୍ର ପ୍ରଚଳିତ ଇଞ୍ଚ, ଫୁଟ, ଗଜ ପ୍ରଭୃତି ନୁହେଁ ଏବଂ ଏହାମଧ୍ୟ ସବୁଆଡ଼େ ପ୍ରଚଳିତ ମେଟ୍ରିକ୍ ପଦ୍ଧତି ଅନୁସାରେ ହୁଏନାହିଁ । ଆଶ୍ଚର୍ଯ୍ୟର କଥା ହେଲା ସେହି ସ୍କେଲ୍ ବା ମାପକାଠିର ପରିମାପକ ହେଲା – ହାତ, ଆଙ୍ଗୁଳି ଏବଂ ପର୍ବ । ଏହି ଆଶ୍ଚର୍ଯ୍ୟଜନକ ହାତମପା ପରିମାପକ ଭାରତ କଣ ପୃଥିବୀର କୌଣସି ବି ସ୍ଥାନରେ ବ୍ୟବହୃତ ହୁଏନାହିଁ । ଏହିଥିରୁ ଗୋଟିଏ କଥା ସ୍ପଷ୍ଟ ହୁଏ ଯେ, ପ୍ରାଚୀନ ଉକ୍ରଳୀୟ ଭାସ୍କର୍ଯ୍ୟ, ସ୍ଥାପତ୍ୟ ତଥା ସମସ୍ତ ପ୍ରକାର ନିର୍ମାଣ କଳାର ଉକ୍ରର୍ଷତା ଆଜି ମଧ୍ୟ ସମଗ୍ର ବିଶ୍ୱବାସୀଙ୍କୁ ଚମକ୍ରୃତ କରିପାରୁଛି ।

ବଡ଼ଠାକୁର ଶ୍ରୀବଳଭଦ୍ରଙ୍କର ତାଳଧ୍ୱଜ, ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ନନ୍ଦିଘୋଷ ତଥା ଦେବୀ ସୁଭଦ୍ରାଙ୍କର ଦର୍ପଦଳନ ପରି ସୁନ୍ଦର ଓ ପ୍ରକାଣ୍ଡ ରଥସବୁର ନିର୍ମାଣ ପଦ୍ଧତି ଏବଂ କାରିଗରି ଶୈଳୀ ପ୍ରକୃତରେ ପ୍ରାଚୀନ ଉକ୍ରଳୀୟ କଳା କାରିଗରି କୌଶଳର ଗୌରବଗାଥାକୁ ପ୍ରତିପାଦନ କରୁଥାଏ । ପବିତ୍ର ଅକ୍ଷୟ ତୃତୀୟା ତିଥିରୁ ହିଁ ରଥଖଳାରେ ରଥ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥାଏ । ରଥକାର୍ଯ୍ୟରେ ସର୍ବମୋଟ ୧୧୦୯ ଖଣ୍ଡ କାଠ ବ୍ୟବହୃତ ହୋଇଥାଏ । ୮୬୨ ଖଣ୍ଡ କାଠ ଯାହାକି ଅସନ, ଫାଶୀ, ସାହାଜ, ଧଉରା ଏବଂ ୨୪୭ ଖଣ୍ଡ କଞ୍ଚାକାଠ ଯେଉଁଗୁଡ଼ିକ ଶିମୁଳି, ତାଳ ଇତ୍ୟାଦି ବୃକ୍ଷର ।

ରଥ ନିର୍ମାଣ ଯେଉଁ ସେବକମାନେ କରିଥାନ୍ତି ସେମାନଙ୍କୁ ମହାରଣା ସେବକ କୁହାଯାଏ । ନିର୍ମାଣ କାର୍ଯ୍ୟରେ ମହାରଣା ସେବକଙ୍କୁ ଭୋଇ ସେବକମାନେ ସାହାଯ୍ୟ କରନ୍ତି । ରଥନିର୍ମାଣ କାର୍ଯ୍ୟ କରୁଥିବା ମହାରଣା ସେବକ ଓ ଭୋଇ ସେବକଙ୍କ ବ୍ୟତୀତ ଅନ୍ୟ ଯେଉଁମାନେ ସାହାଯ୍ୟ କରିଥାନ୍ତି ସେମାନେ ହେଲେ ଚିତ୍ରକର, ରୂପକାର, ଲୌହକାର, ସୂଚିକାର ଏବଂ ଦରଜୀ ସେବକ ।

ଶ୍ରୀଜଗନ୍ନାଥଙ୍କ ରଥ ନନ୍ଦିଘୋଷ: ରଥସାରଥୀ ହେଲେ ଦାରୁକ
ମହାପ୍ରଭୁଙ୍କ ନନ୍ଦିଘୋଷ ରଥର ଉଚ୍ଚତା ୪୬ ଫୁଟ ୪ ଇଞ୍ଚ ଅର୍ଥାତ ୩୩ ହାତ ୫ ଅଙ୍ଗୁଳି । ନନ୍ଦିଘୋଷ ରଥର ଚକ ସଂଖ୍ୟା ହେଉଛି ୧୬ଟି । ରଥକନାର ରଙ୍ଗ ନାଲି ଓ ହଳଦୀ ତଥା ରଥର ରକ୍ଷକ ହେଲେ ଗରୁଡ଼ । ରଥର ଦଉଡ଼ି ଶଙ୍ଖଚୂଡ଼ ନାଗୁଣୀ ଏବଂ ଦ୍ୱାରପାଳ ହେଲେ ଜୟ ଓ ବିଜୟ । ନନ୍ଦିଘୋଷ ରଥର ଶକ୍ତି ଦ୍ୱୟ ହେଲେ ବିମଳାଦେବୀ ଓ ବିରଜାଦେବୀ । ଶ୍ରୀଜଗନ୍ନାଥଙ୍କ ନେତର ନାମ ତ୍ରୈଲୋକ୍ୟ ମୋହିନୀ । ନନ୍ଦିଘୋଷ ରଥରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟରେ ମଦନମୋହନ ଜୀଉଙ୍କ ପ୍ରତିମା ରହିଥାନ୍ତି । ଦର୍ପଦଳନ ଓ ତାଳଧ୍ୱଜ ରଥ ପରେ ଶେଷରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥ ଶେଷରେ ଗଡ଼ିଥାଏ ।

ଶ୍ରୀବଳଭଦ୍ରଙ୍କ ରଥ ତାଳଧ୍ୱଜ: ରଥସାରଥୀ ହେଲେ ମାତଳି
ବଡ଼ ଠାକୁର ଶ୍ରୀବଳଭଦ୍ରଙ୍କ ରଥ ତାଳଧ୍ୱଜର ଉଚ୍ଚତା ହେଉଛି ୪୨ ଫୁଟ ବା ୩୧ ହାତ । ତାଙ୍କ ରଥର ଚକ ସଂଖ୍ୟା ୧୪ଟି ଏବଂ ରଥର ରଙ୍ଗ ହେଉଛି ନାଲି ଓ ନୀଳ । ରଥର ରକ୍ଷକ ହେଲେ ରୁଦ୍ର ନୃସିଂହ ଏବଂ ରଥ ଦଉଡ଼ି ହେଲେ ସ୍ୱୟଂ ବାସୁକି ନାଗ ଏବଂ ଦ୍ୱାରପାଳ ହେଲେ ନନ୍ଦ ଓ ସୁନନ୍ଦ । ତାଳଧ୍ୱଜ ରଥର ନେତର ନାମ ଉନ୍ନନି । ଏହି ରଥରେ ଶ୍ରୀରାମ ଓ ଶ୍ରୀକୃଷ୍ଣ ପ୍ରତିମା ବିଜେ କରନ୍ତି ।

ଦେବୀ ସୁଭଦ୍ରାଙ୍କ ରଥ ଦର୍ପଦଳନ: ରଥସାରଥୀ ହେଲେ ଅର୍ଜୁନ
ସାନ ଭଉଣୀ ତଥା ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ବା ଦେବଦଳନ ରଥର ଉଚ୍ଚତା ହେଉଛି ୩୩ ଫୁଟ ୬ ଇଞ୍ଚ । ସେହିପରି ଦର୍ପଦଳନ ରଥର ଚକ ସଂଖ୍ୟା ହେଉଛି ୧୨ ଗୋଟି ଏବଂ ରଥର ରଙ୍ଗ ନାଲି ଓ କଳା । ରଥର ରକ୍ଷାକତ୍ର୍ତ୍ରୀ ହେଉଛନ୍ତି ମା ଉଗ୍ରଚଣ୍ଡୀ ବା ବନଦୁର୍ଗା । ଦର୍ପଦଳନ ରଥର ଦଉଡ଼ି ହେଲେ ସ୍ୱର୍ଣ୍ଣଚୂଡ଼ ନାଗ ତଥା ଦ୍ୱାରପାଳିକା ହେଲେ ଗଙ୍ଗା ଓ ଯମୁନା । ସର୍ବତ୍ର ଗୋଟିଏ କଥା ଦେଖାଯାଇଥାଏ ଯଥା ଭଗବାନ କୁଆଡ଼େ ବୁଲିବାକୁ ଗଲେ ତାଙ୍କ ପତ୍ନୀଙ୍କ ସହିତ ଯାଇଥାନ୍ତି, କିନ୍ତୁ ଶ୍ରୀକ୍ଷେତ୍ରରେ ଏହା ଏକ ବ୍ୟତିକ୍ରମ ଯେ, ମହାପ୍ରଭୁ ତାଙ୍କର ଅଲିଅଳ ସାନଭଉଣୀକୁ ତଥା ବଡ଼ଭାଇଙ୍କୁ ମଧ୍ୟ ସାଙ୍ଗରେ ନେଇ ବୁଲି ବାହାରନ୍ତି ଏହି ରଥଯାତ୍ରାରେ ।

ସାନଭଉଣୀର ସୁରକ୍ଷା ନିମନ୍ତେ ମହାପ୍ରଭୁ ତାଙ୍କର ଆୟୁଧ ଚକ୍ରରାଜ ଶ୍ରୀସୁଦର୍ଶନଙ୍କୁ ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥରେ ଯିବାକୁ ଆଦେଶ ଦେଇଛନ୍ତି । ଦର୍ପଦଳନକୁ ସେବାୟତମାନେ ମାଆ ସୁଭଦ୍ରାଙ୍କୁ ପହଣ୍ଡିରେ ନନେଇ କୋଳେଇ କୋଳେଇ ସ୍ନେହରେ ଟେକି ଟେକି ନେଇ ଯାଆନ୍ତି । ସେହିପରି ଶ୍ରୀସୁଦର୍ଶନଙ୍କୁ ମଧ୍ୟ ଟେକି ଟେକି ଦର୍ପଦଳନକୁ ନେଇଯାଇଥାନ୍ତି ।

ରଥେ ତ୍ୱଂ ବାମନଂ ଦୃଷ୍ଟା ପୁନଃର୍ଜନ୍ମଂ ନ ବିଦ୍ୟତେ…
ରତ୍ନସିଂହାସନରୁ ଧାଡ଼ିପହଣ୍ଡିରେ ବିଜେ ହୋଇ ମହାପ୍ରଭୁ ବାଇସି ପାହାଚରେ ନାଚି ନାଚି ଆସନ୍ତି । ରଥଆଡ଼କୁ ତିନିଠାକୁର ଯେପରି ଝପଟି ଆସନ୍ତି ସମଗ୍ର ବିଶ୍ୱର ଅଗଣିତ ଭକ୍ତବୃନ୍ଦଙ୍କ ହୃଦୟ ସ୍ପନ୍ଦନ ତାଙ୍କରି ପବିତ୍ର ଦର୍ଶନରେ ଏକାକାର ହୋଇଯାଇଥାଏ । ଆତ୍ମା-ପରମାତ୍ମାଙ୍କ ପବିତ୍ର ମିଳନର ପର୍ବ ରଥଯାତ୍ରା । ଟାହିଆ ହଲେଇ ମହାପ୍ରଭୁଙ୍କୁ ସେବାୟତମାନେ ଏକପ୍ରକାର କୋଳେଇ କାଖେଇ ରଥ ଆଡ଼କୁ ଟାଣି ଆଣନ୍ତି ।

ଅସଂଖ୍ୟ ଭକ୍ତ ଓ ସେବାୟତଙ୍କ ଗହଣରେ ରଥ ଅଭିମୁଖେ ହେଉଥିବା ପହଣ୍ଡିବିଜେରେ ମହାପ୍ରଭୁଙ୍କ ବଡ଼ ବଡ଼ କଳା ଡ଼ୋଳାର ଆଖି ହିଁ ଦୃଶ୍ୟମାନ ହେଉଥାଏ । ଲାଗେ ସତେକି ମହାପ୍ରଭୁ ବର୍ଷଯାକ ରତ୍ନସିଂହାସନରେ ବସି ଅସଂଖ୍ୟ ଭକ୍ତମାନଙ୍କ ଦୁଃଖ ଦୁର୍ଦ୍ଦଶା ବୁଝି ଏବେ ସେହି ଭକ୍ତମାନଙ୍କୁ ସେହି ଚର୍ମଚକ୍ଷୁରେ ଟିକେ ଦର୍ଶନ ଦର୍ଶନ କରିବେ । ବଡ଼ଦାଣ୍ଡର ରଥଖଳାରେ ତିନିରଥ ସଜ୍ଜିତ ହୋଇ ରହିଥାଏ । ରଙ୍ଗୀନ ରଥ ଗୁଡ଼ିକ ନିଜ ନିଜକୁ ସଜ୍ଜିତ କରି ତିନିଠାକୁରଙ୍କୁ ଯେପରି ଅପେକ୍ଷା କରିଥାନ୍ତି ପାଛୋଟି ନେବାକୁ । ପୁରୀର ଜଗତ୍ଗୁରୁ ଶ୍ରୀ ଶଙ୍କରାଚାର୍ଯ୍ୟ ପ୍ରଥମେ ତିନିରଥକୁ ଆସି ଦିଅଁମାନଙ୍କୁ ଦର୍ଶନ କରନ୍ତି । ତା’ପରେ ଗଜପତି ରାଜା ଗୋଟି ଗୋଟି କରି ତିନି ରଥରେ ଛେରାପହଁରା କରି ତାଙ୍କର ପବିତ୍ର କାର୍ଯ୍ୟ ସମ୍ପାଦନ କରିଥାନ୍ତି ।

Leave A Reply

Your email address will not be published.