ଭୁବନେଶ୍ବର: ଓଡ଼ିଶା ସିଭିଲ ସର୍ଭିସ୍ (OCS) ପରୀକ୍ଷା-୨୦୨୪ରେ ପ୍ରଥମ ସ୍ଥାନ ଅଧିକାର କରିଥିବା କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଉପଖଣ୍ଡ ତୋଳଙ୍କପଡ଼ା ଗାଁର ବୁବୁନ ସାହୁଙ୍କୁ ସମ୍ବର୍ଦ୍ଧିତ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏହି ଉଲ୍ଲେଖନୀୟ ସଫଳତା ପାଇଁ ଆଜି ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।
ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଜନସେବା ହେଉଛି ପ୍ରଶାସନର ମୂଳ ଲକ୍ଷ୍ୟ । ଲୋକଙ୍କ ମଙ୍ଗଳ, ସୁଶାସନ ଏବଂ ଶେଷ ମାଇଲ ପର୍ଯ୍ୟନ୍ତ ସରକାରୀ ସେବା ପହଞ୍ଚାଇବାକୁ ଅଧିକ ଗୁରୁତ୍ୱ ଦେବା ସହିତ ସମାଜର ଶିଶୁ, ମହିଳା ଏବଂ ସାମାଜିକ ଓ ଶିକ୍ଷାଗତ ଭାବେ ପଛୁଆ ବର୍ଗଙ୍କ ଉନ୍ନତି ପାଇଁ ସମର୍ପିତ ହୋଇ କାମ କରିବାକୁ ପରାମର୍ଶ ଦେଇଥିଲେ । ଜଣେ ଭଲ ପ୍ରଶାସକ ସହ ଜଣେ ଭଲ ମଣିଷ ଭାବେ ନିଜକୁ ଗଢ଼ି ତୋଳିବାକୁ ମୁଖ୍ୟମନ୍ତ୍ରୀ କହିଥିଲେ ।
ବୁବୁନ ସାହୁ ଗତ ବର୍ଷ ଓଡିଶା ପୋଲିସ୍ ସେବାରେ ଚୟନ ହୋଇଥିଲେ ଓ ବର୍ତ୍ତମାନ ଓଡ଼ିଶା ପୋଲିସରେ ଡିଏସପି ଭାବେ ୨୦୨୬ ମାର୍ଚ୍ଚ ମାସରୁ ଭୁବନେଶ୍ୱରସ୍ଥିତ ବିଜୁ ପଟ୍ଟନାୟକ ରାଜ୍ୟ ପୁଲିସ ଏକାଡେମୀ (BPSPA)ରେ ପ୍ରଶିକ୍ଷଣ ନେଉଛନ୍ତି ।
ଶ୍ରୀ ସାହୁଙ୍କ ପିତା ଶ୍ରୀ ଭଗବାନ ସାହୁ ଜଣେ କୃଷକ ଏବଂ ମାତା କୁଞ୍ଜଲତା ସାହୁ ଗୃହିଣୀ । ପୁଅର ଏହି ଅନନ୍ୟ ସଫଳତା ପାଇଁ ମୁଖ୍ୟମନ୍ତ୍ରୀ ଉଭୟଙ୍କୁ ମଧ୍ୟ ଅଭିନନ୍ଦନ ଜଣାଇଥିଲେ ।