Latest Odisha News

ଭାରତ ସହ ଶତ୍ରୁତା କରିବା ମାଳଦ୍ୱୀପକୁ ମହଙ୍ଗା ପଡିଲା; ଟୁରିଷ୍ଟ ପାଇଁ ଭାରତରେ କରିବ ରୋଡ ସୋ’

ନୂଆଦିଲ୍ଲୀ: ଭାରତ ସହିତ ଶତ୍ରୁତା କରିବା ମାଳଦ୍ୱୀପକୁ ଭାରି ପଡିଛି । ବର୍ତ୍ତମାନ ମାଳଦ୍ୱୀପରେ ଭାରତୀୟ ପର୍ଯ୍ୟଟକଙ୍କ ସଂଖ୍ୟା ହ୍ରାସ ପାଇବାରେ ଲାଗିଛି । ଯାହା ଦେଶର ଆର୍ଥନୀତିକୁ ଦୋହଲାଇ ଦେଇଛି । ଏହି କାରଣରୁ ମାଳଦ୍ୱୀପ ବର୍ତ୍ତମାନ ଆଣ୍ଠେଇ ପଡିଛି ।

ଭାରତୀୟ ପର୍ଯ୍ୟଟକଙ୍କୁ ଆକର୍ଷିତ କରିବା ପାଇଁ ମାଳଦ୍ୱୀପ ଭାରତର ପ୍ରମୁଖ ସହରରେ ରୋଡ୍ ସୋ ଆୟୋଜନ କରିବ । ଏନେଇ ମାଳଦ୍ୱୀପ ଆସୋସିଏସନ୍ ଅଫ୍ ଟ୍ରାଭେଲ ଏଜେଣ୍ଟସ୍ ଏବଂ ଟୁର୍ ଅପରେଟର୍ସ ଭାରତରେ ରୋଡ୍ ସୋ କରିବା ସହ ଦୁଇ ଦେଶ ମଧ୍ୟରେ ଯାତ୍ରା ଏବଂ ପର୍ଯ୍ୟଟନ ସହଯୋଗ ବୃଦ୍ଧି ପାଇଁ ଭାରତୀୟ ଉଚ୍ଚ କମିଶନର ମୁନୁ ମହାବରଙ୍କ ସହ ଆଲୋଚନା କରିଛନ୍ତି ।

ଭାରତ ସହ କୂଟନୈତିକ ବିବାଦ ପରେ ଦେଶର ବହୁ ପ୍ରସିଦ୍ଧ ବ୍ୟକ୍ତିତ୍ୱଙ୍କ ସମେତ କୋଟି କୋଟି ଭାରତୀୟ ସେମାନଙ୍କ ସଂରକ୍ଷଣକୁ ରଦ୍ଦ କରି ମାଳଦ୍ୱୀପ ଯିବା ଯୋଜନା ବାତିଲ କରିଥିଲେ । ପର୍ଯ୍ୟଟନ ପରିସଂଖ୍ୟାନରୁ ଜଣାପଡିଛି ଯେ, ୨୦୨୩ ମାଳଦ୍ୱୀପ ଗସ୍ତ କରିଥିବା ୧୭ ଲକ୍ଷରୁ ଅଧିକ ପର୍ଯ୍ୟଟକଙ୍କ ମଧ୍ୟରୁ ଅଧିକାଂଶ(୨,୦୯,୧୯୮) କେବଳ ଭାରତୀୟ ଥିଲେ । ଏହା ପଛକୁ ଋଷ ଓ ଚୀନ୍ ଥିଲେ । ଜାନୁଆରୀରେ ଭାରତର ସ୍ଥାନ ପଞ୍ଚମ ଥିବାବେଳେ, ବର୍ତ୍ତମାନ ଏହା ଷଷ୍ଠ ସ୍ଥାନକୁ ଖସି ଆସିଛି ।

ଏହି କାରଣରୁ ଭାରତୀୟ ପର୍ଯ୍ୟଟକଙ୍କୁ ଆକର୍ଷିତ କରିବା ପାଇଁ ଦେଶର ଅନେକ ସହରରେ ରୋଡ୍ ସୋ ଆୟୋଜନ କରିବାକୁ ଯୋଜନା କରୁଛି ।

 

Comments are closed.