Latest Odisha News

୪୦ ଫୁଟ ମୋବାଇଲ୍ ଟାଓ୍ୱାର ଉପରେ ଚଢ଼ି ଆତ୍ମହତ୍ୟା ଧମକ ଦେଲେ ଯୁବକ

ବାଙ୍କି(କଟକ): ୪୦ ଫୁଟ୍ ଉଚ୍ଚର ମୋବାଇଲ୍ ଟାଓ୍ୱାର ଉପରେ ଚଢ଼ିଗଲେ ଯୁବକ । ଉପରୁ ଆତ୍ମହତ୍ୟା ଧମକ ଦେଉଛନ୍ତି । ଏଭଳି ଏକ ଘଟଣା କଟକ ଜିଲ୍ଲା ବାଙ୍କି ଅଞ୍ଚଳରୁ ସାମନାକୁ ଆସିଛି । ମୋବାଇଲ୍ ଟାଓ୍ୱାର ଉପରେ ଚଢ଼ିଥିବା ଯୁବକଙ୍କ ନାଁ ମଳୟ ଗୋଚ୍ଛି । ତାଙ୍କ ଘର ରାମଚନ୍ଦ୍ରପୁର ଅନ୍ତର୍ଗତ ଡମପଡ଼ାରେ ବୋଲି ଜଣା ପଡ଼ିଛି । ତାଙ୍କୁ ଉଦ୍ଧାର କରିବା ପାଇଁ ଘଟଣାସ୍ଥଳରେ ପୋଲିସ ଓ ଅଗ୍ନିଶନ ବାହିନୀ ଟିମ୍ ପହଞ୍ଚିଛନ୍ତି ।

ଆଜି ସକାଳେ ଡମପଡ଼ା ମଦନମୋହନ ଛକରେ ଥିବା ମୋବାଇଲ୍ ଟାୱାର ଉପରେ ମଳୟ ଚଢ଼ିଯାଇଥିବା କିଛି ଲୋକ ଦେଖିଥିଲେ । ଖବର ପାଇ ପହଞ୍ଚିଥିଲା ପୋଲିସ । ସମସ୍ତେ ତାଙ୍କୁ ତଳକୁ ଓହ୍ଲାଇ ଆସିବାକୁ ନିବେଦନ କରିଛନ୍ତି । କିନ୍ତୁ ସେ କାହାରି କଥା ଶୁଣୁ ନାହାନ୍ତି ।

ଉପରୁ ଥାଇ ଇଂରାଜୀରେ କିଛି ଲେଖାଥିବା ଏକ ଚିଠି ପକାଇଥିଲେ ମଳୟ । ଯେଉଁଥିରେ ସେ ରାଜ୍ୟ ତଥା ଦେଶର କିଛି ସମସ୍ୟା ବାବଦରେ ଉଲ୍ଲେଖ କରିବା ସହ ଅଧାଘଣ୍ଟା ପ୍ରେସମିଟ୍ କରିବାକୁ ସୁଯୋଗ ଦେବାକୁ ଦାବି କରିଛନ୍ତି । ମଳୟ ସେନାର ଜଣେ ପୂର୍ବତନ କର୍ମଚାରୀ ବୋଲି ସୂଚନା ମିଳିଛି । ଚାକିରି ଛାଡି ସେ ଏବେ ଗାଁରେ ରହୁଥିଲେ । ହଠାତ୍ ଏମିତି କାହିଁକି କଲେ କେହି କିଛି ବୁଝି ପାରୁ ନାହାନ୍ତି ।

Comments are closed, but trackbacks and pingbacks are open.