Latest Odisha News

BREAKING NEWS

ମନ୍ଦାକିନୀ ମହୋତ୍ସବ ଉଦ୍‌ଘାଟିତ

ଭୁବନେଶ୍ୱର : ଓଡ଼ିଆ ନବବର୍ଷ ବିଷୁବ ପଣା ସଂକ୍ରାନ୍ତି ଅବ୍ୟବହିତ ପୂର୍ବରୁ ହେବାକୁ ଯାଉଥିବା ନମାମୀ ମନ୍ଦାକିନୀ ତଥା ମନ୍ଦାକିନୀ ମହୋତ୍ସବ ପରିପ୍ରେକ୍ଷୀରେ ଖୋର୍ଦ୍ଧା ଜିଲ୍ଲା ରାମେଶ୍ୱରଠାରେ ବିଭିନ୍ନ ନଦୀଙ୍କୁ ସ୍ମରଣ ଓ ପୂଜ୍ୟ ମହାପୁରୁଷ ତଥା ଭାରତର ପ୍ରଥମ ସହିଦ ଜୟୀରାଜଗୁରୁ ପାଇକ ସଂଗ୍ରାମର ସେନାପତି ବକ୍ସି ଜଗବନ୍ଧୁ, ସହିଦ ପିଣ୍ଡିକି ବାହୁବଳେନ୍ଦ୍ର, ବିପ୍ଲବୀ କୃତ୍ତିବାସ ପାଟ୍ଟଶାଣୀ ଓ ତାପଙ୍ଗ ଦଳବେହେରା, ମାଧବ ରାଉତରାୟଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ ସହ ଆନୁଷ୍ଠାନିକ ଭାବେ ମନ୍ଦାକିନୀ ମହୋତ୍ସବ ଉଦ୍‌ଘାଟିତ ହୋଇଯାଇଛି ।

ପୂଜ୍ୟପୂଜା ସଂସ୍କୃତି ସୁରକ୍ଷା ଅଭିଯାନ, ଓଡ଼ିଶା ନାଗରିକ ମହାମଞ୍ଚ, ମନ୍ଦାକିନୀ ମହୋତ୍ସବ କମିଟି ତଥା ବିଭିନ୍ନ ସଂଗଠନ ପକ୍ଷରୁ ଓଡ଼ିଶାର ବିଭିନ୍ନ ପ୍ରାନ୍ତରେ ତିନିମାସ ଧରି ଅନୁଷ୍ଠିତ ହେବାକୁ ଥିବା ଓଡ଼ିଶାର କଳା, ସଂସ୍କୃତି, ଐତିହ୍ୟ, ପରମ୍ପରା ତଥା ବୀରତ୍ୱର ଗାଥାକୁ ପ୍ରଚାର ଓ ପ୍ରସାର କରାଇବା ତଥା ଓଡ଼ିଆ ନବବର୍ଷ ଉପଲକ୍ଷେ ଏହାର ମହତ୍ୱ ଖୁବ୍ ଅଧିକ ବୋଲି ଅଭିଯାନର ଅଧ୍ୟକ୍ଷ, ବରିଷ୍ଠ ସାମ୍ବାଦିକ, ଓଡ଼ିଶା ନାଗରିକ ମଞ୍ଚର ସଭାପତି ଶ୍ରୀଯୁକ୍ତ ପ୍ରଦ୍ୟୁମ୍ନ ଶତପଥୀ ସଂଯୋଜନା ଓ ସଭାପତିତ୍ୱ କରି ମତବ୍ୟକ୍ତ କରିଥିଲେ ।

ଜନସାଧାରଣ ଭୁଲ୍ ଭାବରେ ଇଂରାଜୀ ପଞ୍ଜିକା ପରିବର୍ତ୍ତନକୁ ନବବର୍ଷ ଭାବେ ଧରିନେଇ ବିଭିନ୍ନ ଆଳରେ ଯାହା ପାଳନ କରୁଛନ୍ତି ତାହା ଆମ ସଂସ୍କୃତି ଓ ପରମ୍ପରା ବିରୋଧୀ ବାଲି ଅତିଥିମାନେ ମତବ୍ୟକ୍ତ କରିବା ସହିତ ଏଥିରୁ ନିବୃତ୍ତ ରହିବା ପାଇଁ ମତପାଷଣ କରିଥିଲେ । ଏହି ପରିପ୍ରେକ୍ଷୀରେ ରାମେଶ୍ୱରଠାରେ ପାଲା ଓ ନିଆଳିଠାରେ ସଂକୀର୍ତ୍ତନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ବିଶିଷ୍ଟ ପାଲା ଗାୟକ ସ୍ୱର୍ଗତ ଜନାର୍ଦ୍ଦନ ତ୍ରିପାଠୀଙ୍କୁ ଶ୍ରଦ୍ଧାସୁମନ ଅର୍ପଣ କରି ତାଙ୍କର ସୁପୁତ୍ର ପଣ୍ଡିତ ଚକ୍ରଧର ତ୍ରିପାଠୀଙ୍କ ଆବାହକତ୍ୱ କାର୍ଯ୍ୟକ୍ରମରେ ବରିଷ୍ଠ ସାମ୍ବାଦିକ ବିବେକାନନ୍ଦ ଦାସ, ପୂଜ୍ୟପୂଜାପ୍ରାଣ ଦିବ୍ୟସିଂ ତ୍ରିପାଠୀ, ଜଙ୍କିଆ ସରପଞ୍ଚ ତଥା ମନ୍ଦାକିନୀର ଅବାହାକ ରାଜେନ୍ଦ୍ର ସାମନ୍ତରାୟ, ପୂଜ୍ୟପୂଜାପ୍ରାଣ ମୋହନ ସୁନ୍ଦର ଦଳସିଂହରାୟ, ସାରସ୍ୱତ ପ୍ରତିଭା ବିମଳ ଷଡ଼ଙ୍ଗୀ, ଓଡ଼ିଶା ନାଗରିକ ମଞ୍ଚର ସାଧାରଣ ସମ୍ପାଦକ ପ୍ରଦୀପ ବିଶ୍ୱାଳ, ଶିକ୍ଷାବିତ ଡ଼ମ୍ବରୁଧର ହରଣସିଂ, ନାରାୟଣ ସେବା ଫାଉଣ୍ଡେସନର ପ୍ରତିଷ୍ଠାତା ସମାଜସେବୀ ସୀତାଂଶୁ ଶେଖର ମହାରଣା ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ସମ୍ବନ୍ଧରେ ଆଲୋକପାତ କରିଥିଲେ ।

ବିଶିଷ୍ଟ ପାଲା ଗାୟକ ମାର୍ତ୍ତଣ୍ଡ ପ୍ରଫୁଲ୍ଲ କୁମାର ଦାସଙ୍କ ଦ୍ୱାରା ଉଚ୍ଚକୋଟୀର ପାଲା ପରିବେଷଣ କରାଯାଇଥିଲା । ଓଡ଼ିଶାର ପରମ୍ପରା ଓ ସଂସ୍କୃତିର ଗାଥା ପାଲା, ଦାସକାଠିଆ, ଗୋଟିପୁଅ ନାଚ, ପାଇକ ନୃତ୍ୟ, ବିଦ୍ୟାଳୟସ୍ତରରେ ବିଭିନ୍ନ ପ୍ରତିଯୋଗିତା, ଓଡ଼ିଶୀନୃତ୍ୟ, ଘୋଡ଼ାନୃତ୍ୟ, ବାଗୁଡ଼ି, ଛଉନୃତ୍ୟ ପ୍ରମୁଖ କରାଯିବା ସହିତ ଓଡ଼ିଆ ନବବର୍ଷର ବ୍ୟାପକ ଭାବରେ ପ୍ରଚାର ଓ ପ୍ରସାର କରାଯିବ ବୋଲି ଅନୁଷ୍ଠାନ ପକ୍ଷରୁ କୁହାଯାଇଛି।

Leave A Reply

Your email address will not be published.