Latest Odisha News

BREAKING NEWS

ନିର୍ଦ୍ଦୋଷରେ ୧୫ ବର୍ଷ ଜେଲ ଭୋଗିଲେ, ଏବେ ମୁକ୍ତି ପାଇବା ପରେ କ’ଣ କରିବେ ମଞ୍ଜୁଲତା

ଭୁବନେଶ୍ୱର:୧୫ ବର୍ଷ ଜେଲରେ ସଜା କାଟିଲେ । ତା ପରେ ନିର୍ଦ୍ଦୋଷରେ ଖଲାସ ହେଲେ । ଏହାକୁ ଭାଗ୍ୟର ବିଡମ୍ବନା କୁହ ବା ଆମ ନ୍ୟାୟାଳୟର ତ୍ରୁଟି, କିନ୍ତୁ ବିଳମ୍ବିତ ନ୍ୟାୟର ସଜା ତାଙ୍କୁ ଭୋଗିବାକୁ ପଡିଲା । ଜୀବନର ବହୂମୂଲ୍ୟ ସମୟ ତାଙ୍କର କାଳକୋଠରୀରେ କଟିଗଲା ।  କିଏ ଫେରାଇବ ତାଙ୍କୁ ଏ ଦୀର୍ଘ ସମୟ ? ଏ ବିଡମ୍ବିତ କାହାଣୀ ୩୬ ବର୍ଷୀୟ ମଞ୍ଜୁଲତା ମୁଦୁଲିଙ୍କର ।

ତାଙ୍କୁ ଯେତେବେଳେ ୨୧ ବର୍ଷ ସେତେବେଳେ ପୋଲିସ ତାଙ୍କୁ ଗିରଫ କରିନେଲା ।ରାଷ୍ଟ୍ର ବିରୋଧରେ ଯୁଦ୍ଧ ଘୋଷଣା ସମେତ ବିଭିନ୍ନ ପ୍ରକାର ମାମଲାକୁ ନେଇ ପୋଲିସ ତାଙ୍କୁ ଗିରଫ କରିଥିଲା । ତାଙ୍କୁ ପର୍ଯ୍ୟାୟକ୍ରମେ ଭଞ୍ଜନଗର, ବ୍ରହ୍ମପୁର, ନୟାଗଡ  ଜେଲରେ ରଖିଥିଲା ।ଜେଲରେ ରହିବା ପରେ ଅନେକ ଦୁଃଖସୟକୁ ସାମ୍ନା କରିଥିଲେ ମଞ୍ଜୁଲତା । ଏହି ସମୟ ଭିତରେ ତାଙ୍କ ବାପାଙ୍କର ମୃତ୍ୟୁ ଘଟିଥିଲା । ମା’ ରୁଗ୍ଣ ହୋଇ ପଡିଛନ୍ତି । ଏ ସବୁ ଭିତରେ ମୁକ୍ତର ଆନନ୍ଦ ତାଙ୍କ ପାଇଁ ବିଷାଦରେ ପରିଣତ ହୋଇଛି ।

ଯାତ୍ରା କଳାକାର ଶ୍ରୀଧର ଓ ଗୀତାଞ୍ଜଳିଙ୍କ ବଡ ଝିଅ ମଞ୍ଜୁଲତା । ସେ ଅନୁସୂଚିତ ଜାତିର । ହେଲେ ତାଙ୍କ ପ୍ରତି ହେଉଥିବା ଅବହେଳାକୁ ମଞ୍ଜୁଲତା ବରଦାସ୍ତ କରିପାରୁ ନ ଥିଲେ ।୨୦୦୬ରେ ସେ ନବମ ଶ୍ରେଣୀରେ ପଢୁଥିବାବେଳେ ତାଙ୍କର ବାଲ୍ୟ ବିବାହ ପାଇଁ ପରିବାର ଚାହୁଁଥିଲେ । ସେ ଘରୁ ଲୁଚି ପଳାଇ ଯାଇଥିଲେ ଜଣେ ସମ୍ପର୍କୀୟଙ୍କ ଘରୁ । ଦଶମ ଶ୍ରେଣୀରେ ପାଠ ପଢିବା ସହ ସାମାଜିକ କାର୍ଯ୍ୟକ୍ରମରେ ସକ୍ରିୟ ହୋଇଥିଲେ ।

ହେଲେ ୨୦୦୮ରେ ପୋଲିସ ତାଙ୍କୁ ଗିରଫ କରି ନେଇଥିଲା । ସେ ପ୍ରଥମେ କଛି ବୁଝି ପାରି ନ ଥିଲେ । ତାଙ୍କୁ ଲୁହାକଡିରେ ବାନ୍ଧି ଜେଲରେ ପୂରାଇ ଦିଆଗଲା । ତାଙ୍କ ସହ ଆଉ ୪ ଜଣ ଅଭିଯୁକ୍ତ ବି ଥିଲେ । ପରେ ସେ ଜାଣିଲେ ତାଙ୍କୁ ମାଓବାଦୀ ଅଭିଯୋଗରେ ଗିରଫ କରାଯାଇଛି । ତଥାପି ସେ ଧୈର୍ଯ୍ୟ ଧରି ଥିଲେ । ହେଲେ ଭଞ୍ଜନଗର ଜେଲରେ ଗୁମ୍ଫାଭଳି ରାସ୍ତା ଦେଖି ସେ କାନ୍ଦି ପକାଇଥିଲେ ବୋଲି କହନ୍ତି ମଞ୍ଜୁ ।

ହେଲେ ସେଠାରେ ଜଣେ ଦୃଷ୍ଟିହୀନ ବୃଦ୍ଧାଙ୍କ ସ୍ନେହମମତା ତାଙ୍କୁ ବଞ୍ଚିବା ପାଇଁ ଆଶ୍ୱାସନା ଦେଇଥିଲା ।ସେଠାରେ ୮ ମାସ ରହିବା ପରେ ବ୍ରହ୍ମପୁର ଗଲେ । ସେଠାରେ ଅତ୍ୟନ୍ତ ଦୁର୍ବିସହ ଜୀବନ ଥିଲା ।ତେବେ ସେଠାରେ ଥିବା ପାଠାଗାର ତାଙ୍କୁ ବଞ୍ଚିବାର ରାସ୍ତା ଦେଖାଇଥିଲା ।

ପ୍ରାୟ ଏକ ବର୍ଷ ପର୍ଯ୍ୟନ୍ତ ପରିବାର ଲୋକେ ତାଙ୍କୁ ଦେଖା କରିବାକୁ ଆସି ନ ଥିଲେ । ପ୍ରଥମେ ସାନ ଭାଇ ତାଙ୍କୁ ଦେଖା କରିବାକୁ ଆସିଥିଲେ । ତା ପରେ ଆସିଥିଲେ ନୟାଗଡ ।ନୟାଗଡ ଜେଲରେ ଦୀର୍ଘ ବର୍ଷ ରହିବା ପରେ ସେ ନିର୍ଦ୍ଦୋଷରେ ଖଲାସ ହୋଇଛନ୍ତି । ତେବେ ଆଗକୁ ସେ କ’ଣ କରିବେ ଏବଂ କିପରି ତାଙ୍କ ଭବିଷ୍ୟତ ଗଢିବେ ତାହା ଏବେ ତାଙ୍କ  ପାଇଁ ବିରାଟ ପ୍ରଶ୍ନ ହୋଉ ଠିଆ ହୋଇଛି ।

Leave A Reply

Your email address will not be published.