Latest Odisha News

BREAKING NEWS

ସାଂସଦ ପଦ ଯିବାର ୧୧ ଦିନ ପରେ ଲଢ଼ିବେ ଆଇନଗତ ଲଢ଼େଇ

ନୂଆଦିଲ୍ଲୀ: ସବୁ ଚୋରଙ୍କ ସାଙ୍ଗିଆ କାହିଁକି ମୋଦି… ରାହୁଲଙ୍କ ଏହି ବୟାନ ତାଙ୍କ ସାଂସଦ ପଦ ନେଇଛି । ଏହି ବୟାନ ପାଇଁ ରାହୁଲଙ୍କୁ ସୁରଟ କୋର୍ଟ ମାର୍ଚ୍ଚ ୨୩ରେ ଦୋଷୀ ସାବ୍ୟସ୍ତ କରିଥିଲେ । ଆଉ ଠିକ୍ ଦିନକ ପରେ ଚାଲି ଯାଇଥିଲା ରାହୁଲ ଗାନ୍ଧୀଙ୍କ ସାଂସଦ ପଦ । ସୁରଟ କୋର୍ଟଙ୍କ ରାୟର ୧୧ ଦିନ ପରେ ରାହୁଲଙ୍କ ଲିଗାଲ୍ ଟିମ୍ ମାର୍ଚ୍ଚ ୩ ସୋମବାର କୋର୍ଟ ଯିବେ ବୋଲି ଜଣାପଡ଼ିଛି ।

ରାହୁଲ ଗାନ୍ଧୀଙ୍କୁ କୋର୍ଟ ଜେଲ୍ ଦଣ୍ଡାଦେଶ ସହ ୧୫ ହଜାର ଟଙ୍କା ଜରିମାନା କରିଥିଲେ । ଆଉ କିଛି ସମୟ ପରେ କୋର୍ଟ ରାହୁଲଙ୍କୁ ଜାମିନ୍ ଦେବା ସହ ଦଣ୍ଡାଦେଶକୁ ୩୦ ଦିନ ଯାଏ ସ୍ଥଗିତ ରଖିଥିଲେ । ଅର୍ଥାତ୍ ଏହି ସମୟ ମଧ୍ୟରେ ରାହୁଲ ଗାନ୍ଧୀଙ୍କୁ ଗିରଫ କରାଯାଇ ପାରିବ ନାହିଁ ଏବଂ ସେ ରାୟକୁ ଉପରେ କୋର୍ଟରେ ଚ୍ୟାଲେଞ୍ଜ କରି ପାରିବେ ।

ତେବେ ରାହୁଲଙ୍କ ସାଂସଦ ପଦ ରଦ୍ଦ ହେବା ଓ ଦଣ୍ଡାଦେଶକୁ ନେଇ ଦଳ ୨ ଭାଗରେ ବାଣ୍ଟି ହୋଇ ଯାଇଥିବା ଚର୍ଚ୍ଚା ହେଉଛି । ଗୋଟିଏ ଗୋଷ୍ଠୀ ଚାହୁଁଛି ରାହୁଲ୍ କୋର୍ଟଙ୍କ ରାୟକୁ ଚ୍ୟାଲେଞ୍ଜ କରି ହାଇକୋର୍ଟ ଯାଆନ୍ତୁ । ସେହିଭଳି ଅନ୍ୟ ଗୋଷ୍ଠୀ ଚାହୁଁଛି ରାହୁଲ୍ ଜେଲ୍ ଗଲେ ଦଳକୁ ସହାନୁଭୂତି ମିଳିବ । ଯାହାର ଫାଇଦା ଆଗାମୀ ଲୋକସଭା ନିର୍ବାଚନରେ ମିଳିବ ।

ତେବେ ୨ ଗୋଷ୍ଠୀର ମତ ଭିତରେ ଦଳ ନିଷ୍ପତ୍ତି ନେଇଛି ଆଇନଗତ ଲଢ଼େଇ ସହ କଂଗ୍ରେସ ରାଜନୈତିକ କାଉଣ୍ଟର ଜାରି ରଖିବ । ତେବେ କାହିଁକି ଦଳ ରାୟର ୧୧ ଦିନ ପରେ କୋର୍ଟକୁ ଯାଉଛି । ଏନେଇ କଂଗ୍ରେସର କହିବା କଥା କୋର୍ଟ ଦେଇଥିବା ରାୟକୁ ଗୁଜରାଟୀରୁ ଇଂରାଜୀକୁ ଅନୁବାଦ ପାଇଁ ସମୟ ଲାଗିଲା ।

ସୁରଟ କୋର୍ଟଙ୍କ ରାୟ ପରେ ରାହୁଲ୍ ଗାନ୍ଧୀ ସଂକଟରେ ପଡ଼ିଥିବା ବେଳେ ଅନ୍ୟ ଏକ ମାନହାନି ମାମଲାରେ ଏପ୍ରିଲ୍ ୧୨ରେ ହାଜର ପାଇଁ ନିର୍ଦ୍ଦେଶ ଦେଇଛନ୍ତି ପାଟଣା କୋର୍ଟ । ତେବେ ଏହି ଗୋଟିଏ ମାନହାନି ମାମଲା ନୁହେଁ, ରାହୁଲ ଗାନ୍ଧୀଙ୍କ ବିରୋଧରେ ୨୦୧୪ରୁ ନେଇ ୨୦୨୨ ଭିତରେ ବିଭିନ୍ନ ସ୍ଥାନରେ ପ୍ରାୟ ୧୦ଟି ମାନହାନି ମକଦ୍ଦମା ହୋଇଛି ।

Leave A Reply

Your email address will not be published.