Latest Odisha News

BREAKING NEWS

‘ହାରିବା ଭୟରେ ହିଂସାକୁ ଆପଣାଇଛି ବିଜେଡି’

ଭୁବନେଶ୍ୱର: ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟରେ ନିର୍ବାଚନୀ ହିଂସା ଓ ପାଣ୍ଡିଆନଙ୍କ ଦ୍ବାରା ଓଡ଼ିଆ ବରପୁତ୍ରଙ୍କୁ ଅପମାନ କୁ ନେଇ ଆଜି ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି ରାଜ୍ୟ ସଭାପତି ମନମୋହନ ସାମଲ । ସେ କହିଛନ୍ତି ଯେ, ବିଜେଡିର ନେତା ମାନେ ଏବେ ରକ୍ତମୁଖା ହୋଇଯାଇଛନ୍ତି । ନିର୍ବାଚନ ଯେତେ ପାଖେଇ ଆସୁଛି ବିଜେଡି କେବଳ ବିଜେପି ନେତା ଓ କର୍ମୀମାନଙ୍କୁ ଆକ୍ରମଣ କରୁଛି ତା’ନୁହେଁ ବରଂ ଭୋଟରଙ୍କୁ ମଧ୍ୟ ଭୟଭୀତ କରୁଛି । ଗଣତାନ୍ତ୍ରିକ ଓ ରାଜନୈତିକ ବ୍ୟବସ୍ଥାକୁ ସମ୍ମାନ ଦେଉନାହିଁ ବିଜେଡି । ନିଜ ସରକାରରେ ବିଜେଡି ଗଣତନ୍ତ୍ର ବ୍ୟବସ୍ଥାକୁ ନଷ୍ଟ କରିଥିବା ଭଳି ଅଭିଯୋଗ ଆଣିଛନ୍ତି ଶ୍ରୀ ସାମଲ ।

ମନମୋହନ ଆହୁରି କହିଛନ୍ତି ଯେ, ଗତ କିଛି ଦିନ ହେବ ରାଜ୍ୟର ବିଭିନ୍ନ ସ୍ଥାନରେ ବିଜେପି ନେତା ଓ କର୍ମୀମାନଙ୍କୁ ଯେଉଁଭଳି ଆକ୍ରମଣ କରାଯାଉଛି ସେଥିରୁ ବିଜେଡିର ଗୁଣ୍ଡାଗର୍ଦ୍ଦି ସ୍ପଷ୍ଟ ପ୍ରମାଣିତ ହେଉଛି । ବିଜେଡିକୁ ହାରିବା ଭୟ ଘାରିଛି । ଟିଟିଲାଗଡ଼ ଡୁଙ୍ଗୁରିପାଲି ପଂଚାୟତର ତେଣ୍ଡିପାଲି ଗାଁରେ ନିର୍ବାଚନ ହିଂସା ହେଉ, ଭୁବନେଶ୍ୱର କ୍ୟାପିଟାଲ ଥାନା ଅଧୀନ ୟୁନିଟ୍ ୬ରେ ବିଜେପି କର୍ମୀଙ୍କୁ ଆକ୍ରମଣ ହେଉ, ଖଲ୍ଲିକୋଟରେ ରାଜନୈତିକ ହିଂସା ହେଉ ଏହିପରି ସବୁଠି ବିଜେଡି କର୍ମୀମାନେ ନିରାଶ ଓ ହତାଶ ହୋଇ ଗଣ୍ଡଗୋଳ ଆରମ୍ଭ କରିଦେଇଛନ୍ତି । ରାଜନୀତିରେ ହିଂସାର ସ୍ଥାନ ନାହିଁ ବୋଲି କହିଛନ୍ତି ଶ୍ରୀ ସାମଲ ।

ମୁକ୍ତ, ଅବାଧ ଓ ନିରପେକ୍ଷ ନିର୍ବାଚନ ହେବା ଉପରେ ଭାରତୀୟ ଜନତା ପାର୍ଟି ବିଶ୍ୱାସ କରେ । କିନ୍ତୁ ବିଜେଡି ଏବେ ହିଂସାର ରାସ୍ତା ଆପଣାଇଛି । ଗଣତାନ୍ତ୍ରିକ ବ୍ୟବସ୍ଥାରେ ନିର୍ବାଚନ ହାରିବାର ଭୟ ସେମାନଙ୍କୁ ଘାରିଛି । ଏହି ଗଣ୍ଡଗୋଳ କିଏ ଆରମ୍ଭ କରିଛି, ତାହାର ତଦନ୍ତ କରିବା ଆବଶ୍ୟକ । ଯେଉଁମାନେ ହିଂସାକୁ ଆପଣାଇଛନ୍ତି ତାହାକୁ ବିଜେପି ନିନ୍ଦା କରୁଛି ବୋଲି ସେ କହିଛନ୍ତି ।

ରାଜ୍ୟ ମୁଖ୍ୟ ନିର୍ବାଚନ କମିଶନ ଅବାଧ ଓ ନିରେପକ୍ଷ ନିର୍ବାଚନ କରିବା ଲାଗି ଯେଉଁସବୁ ପଦକ୍ଷେପ ନେଇଛନ୍ତି ତାହା ସ୍ୱାଗତଯୋଗ୍ୟ । ନିର୍ବାଚନରେ ଗଣତନ୍ତ୍ରର ସୁରକ୍ଷା ପାଇଁ ଅଧିକ ସିସିଟିଭି କ୍ୟାମେରା, ପାରାମିଲିଟାରି, ମିଲିଟାରୀ ଫୋର୍ସର ଆବଶ୍ୟକତା ରହିଛି । ଗଣତନ୍ତ୍ରରେ ହାରିବା ଜିତିବା ଲାଗିରହିଛି । କିନ୍ତୁ ହାରିବା ଭୟରେ ହିଂସାକୁ ଆପଣାଇବା ଭଳି ହୀନ ମାନସିକତା ରହିବା ଉଚିତ୍ ନୁହେଁ ବୋଲି ରାଜ୍ୟ ସଭାପତି ମନମୋହନ ସାମଲ କହିଛନ୍ତି ।

ସେହିପରି ଆଜି ସମ୍ବଲପୁରରେ ଏକ ନିର୍ବାଚନୀ ସଭାକୁ ସମ୍ବୋଧିତ କରିବା ସମୟରେ ପାଣ୍ଡିଆନ କରିଥିବା ଭୁଲ୍ ଉପରେ ବର୍ଷିଛନ୍ତି ଶ୍ରୀ ସାମଲ । ସେ କହିଛନ୍ତି ଯେ, ଓଡିଶାର ଭାଷା, ସାହିତ୍ୟ, ସଂସ୍କୃତି, ପରମ୍ପରା, ଐହିତ୍ୟ ଅନନ୍ୟ । ଏବିଷୟରେ ଅବଗତ ହେବାର ଆବଶ୍ୟକତା ରହିଛି । ଯେଉଁମାନେ ସ୍ୱଭାବ କବି ଓ ସନ୍ଥ କବି ଭିତରେ କେତେ ଫରକ ଅଛି ଜାଣିନାହାନ୍ତି, ସେମାନଙ୍କ ଠାରୁ ଆଶା ରଖିବା ବୃଥା । ବିଜେଡିର ଗୁମାସ୍ତା ତଥା ଅଣଓଡ଼ିଆ ନେତା ଭିକେ ପାଣ୍ଡିଆନ ଜାଣିରଖିବା ଆବଶ୍ୟକ ଯେ, ସନ୍ଥକବି ଭୀମଭୋଇ ହେଉଛନ୍ତି ଓଡ଼ିଶାର ଲୋକଙ୍କ ପ୍ରାଣର କେନ୍ଦ୍ରବିନ୍ଦୁ ।

ସେହିପରି ସ୍ୱଭାବକବି ଗଙ୍ଗାଧର ମେହେର ହେଉଛନ୍ତି ସମସ୍ତଙ୍କ ସ୍ମରଣୀୟ । ପାଣ୍ଡିଆନ ସଭାରେ ସେମାନଙ୍କ ବିଷୟରେ ଯାହା କହିଛନ୍ତି ତାହା ଭୁଲ୍ ନୁହେଁ ବରଂ ଓଡ଼ିଆ ବରପୁତ୍ରଙ୍କ ପାଇଁ ଅପମାନ । ଏଭଳି ଭୁଲ୍‌ରୁ ଜଣାପଡୁଛି ଯେ ପାଣ୍ଡିଆନ ଓ ବିଜେଡି ଓଡ଼ିଆ ଅସ୍ମିତାକୁ କେବେ ବୁଝିନାହାନ୍ତି । ସେମାନଙ୍କ ଏପରି ଅପରାଧକୁ ଓଡ଼ିଶାବାସୀ କେବେ କ୍ଷମା ଦେବେ ନାହିଁ ।

Leave A Reply

Your email address will not be published.