Latest Odisha News

BREAKING NEWS

ମଣିଷର ଶ୍ରେଷ୍ଠ ବନ୍ଧୁକୁ ମଧ୍ୟ ହୃଦ୍‌ଘାତ ହୁଏ, କିନ୍ତୁ ନିରବରେ ସହିଯାଏ କଷ୍ଟ

ଭୁବନେଶ୍ୱର: ମଣିଷର ସବୁଠାରୁ ବିଶ୍ୱାସୀ ବନ୍ଧୁ କୁହାଯାଉଥିବା କୁକୁରମାନଙ୍କର ମଧ୍ୟ ହୃଦସମସ୍ୟା ହୋଇଥାଏ, କିନ୍ତୁ କଥା କହି ପାରୁନଥିବାରୁ ସେମାନେ ନୀରବରେ ଯନ୍ତ୍ରଣା ସହିଥାନ୍ତି ।

ଯଦିଓ ଅନେକ ଲୋକ ଘରେ ପୋଷା କୁକୁର ରଖିଥାନ୍ତି ସତ ମାତ୍ର ଜନ୍ତୁଟିର ହୃଦ୍ ସମସ୍ୟା ସମ୍ପର୍କରେ ଜାଣିପାରି ନଥାନ୍ତି । ଏହି ହୃଦ୍‌ ସମସ୍ୟା ଜନ୍ମଗତ ହୋଇପାରେ କିମ୍ବା ପରବର୍ତୀ ସମୟରେ ଦେଖାଦେଇଥାଏ ବୋଲି ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପକ୍ଷରୁ କାନାଇନ୍ କାର୍ଡିଓଲୋଜି (କୁକୁରଙ୍କ ହୃଦ୍‌ରୋଗ) ସମ୍ପର୍କିତ ଆୟୋଜିତ ଦୁଇ ଦିନିଆ ଜାତୀୟ ସମ୍ମିଳନୀରେ ଯୋଗ ଦେଇ ବିଶେଷଜ୍ଞମାନେ ଏହି ମତ ରଖିଛନ୍ତି ।

କୁକୁରର ଆୟୁଷ ୧୨ରୁ ୧୫ ବର୍ଷ ହୋଇଥିବା ବେଳେ ସେମାନଙ୍କ କ୍ଷେତ୍ରରେ ମଧ୍ୟ ହୃଦ୍‌ରୋଗ ଏକ ସାଧାରଣ ସମସ୍ୟା ବୋଲି ଜଣାପଡ଼ିଛି । ୫ ରୁ ୬ ବର୍ଷ ବୟସର ହୋଇଥିବା ବେଳେ କୁକୁରମାନଙ୍କର ଏହି ହୃଦ୍‌ରୋଗ ସମସ୍ୟା ଶରୀରରେ ଦେଖାଦେଇଥାଏ ବୋଲି ସୋଆ ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଭେଟେରିନାରୀ ସାଇନ୍‌ସେସ ଆଣ୍ଡ ଆନିମଲ୍ ହଜବ୍ୟାଣ୍ଡରୀ (ଆଇଭିଏସ୍‌ଏଏଚ୍‌)ର ଡିନ୍ ପ୍ରଫେସର (ଡାକ୍ତର) ବ୍ରହ୍ମଦେବ ପଟ୍ଟନାୟକ କହିଛନ୍ତି । ଘରେ ରଖୁଥିବା ପୋଷା କୁକୁରଟି ଯଦି ହାଲିଆ ହେବା ପରି ଜଣାପଡ଼େ, ଠିକ୍ ଭାବେ ଚାଲି ନ ପାରେ, ଖାଇବାକୁ ଇଚ୍ଛା କରେ ନାହିଁ କିମ୍ବା ଡାକିଲେ ନ ଶୁଣେ ତେବେ ମାଲିକମାନେ ସେମାନଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଇବା ଉଚିତ୍ ବୋଲି ସେ କହିଛନ୍ତି ।

କୁକୁରଟିର ହୃଦ୍ ସମସ୍ୟା ଅଛି ବୋଲି ଜାଣିବା କଷ୍ଟକର ହୋଇଥିବାରୁ ତା’ର ନିୟମିତ ହୃଦ୍ ସମ୍ପର୍କିତ ସ୍ୱାସ୍ଥ୍ୟ ପରୀକ୍ଷା କରାଇବା ଉଚିତ୍ । ନୂତନ ଆଧୁନିକ ପରୀକ୍ଷଣ ପ୍ରକ୍ରିୟା ଦ୍ୱାରା ଏହି ସମସ୍ୟାକୁ ଚିହ୍ନଟ କରିହେବ ବୋଲି ପ୍ରଫେସର ପଟ୍ଟନାୟକ କହିଛନ୍ତି । ବର୍ତମାନ କୁକୁରମାନଙ୍କର ଶରୀରରେ ପେସମେକର ମଧ୍ୟ ଲଗା ଯାଇପାରୁଛି ବୋଲି ସେ କହିଛନ୍ତି ।

ଏହି କାର୍ଯ୍ୟକ୍ରମରେ ରାଜ୍ୟ ସରକାରଙ୍କ ପ୍ରାଣୀ ପାଳନ ଓ ପ୍ରାଣୀ ଚିକିତ୍ସା ବିଭାଗର ନିର୍ଦ୍ଦେଶକ ଡାକ୍ତର ୱାଇ. ବିଜୟ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କହିଥିଲେ ଯେ ଏ ସମ୍ପର୍କରେ ସଚେତନତାର ଆବଶ୍ୟକତା ରହିଛି । ଗୃହକର୍ତାମାନେ ମଧ୍ୟ ଗୃହପାଳିତ ପଶୁମାନଙ୍କର ସ୍ୱାସ୍ଥ୍ୟ ସମ୍ପର୍କିତ ଲକ୍ଷଣ ବୁଝିବା ଉଚିତ ବୋଲି ସେ କହିଛନ୍ତି ।

ସମ୍ମିଳନୀରେ ଅଧ୍ୟକ୍ଷତା କରି ସୋଆର କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ କହିଥିଲେ ଯେ ବିଶ୍ୱବିଦ୍ୟାଳୟ ପକ୍ଷରୁ ଏଭଳି ସମ୍ମିଳନୀକୁ ପ୍ରୋତ୍ସାହନ ଦିଆଯାଉଛି ଏବଂ କୁକୁରଙ୍କ ସ୍ୱାସ୍ଥ୍ୟ କ୍ଷେତ୍ରରେ ଗବେଷଣାକୁ ଅଧିକ ଗୁରୁତ୍ୱ ଦିଆଯିବ ବୋଲି ସେ କହିଛନ୍ତି ।

ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍‌ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ର ଡିନ୍ ପ୍ରଫେସର (ଡାକ୍ତର) ସଂଘମିତ୍ରା ମିଶ୍ର ଓ ଆଇଭିଏସ୍‌ଏଏଚ୍‌ର ଆସୋସିଏଟ୍ ଡିନ୍ ପ୍ରଫେସର (ଡାକ୍ତର) ସୁଶାନ୍ତ କୁମାର ଦାସ ଯୋଗ ଦେଇ ବକ୍ତବ୍ୟ ରଖିଥିଲେ । ସମ୍ମିଳନୀର କାର୍ଯ୍ୟକାରୀ ସମ୍ପାଦକ ତଥା ଆଇଭିଏସ୍‌ଏଏଚ୍ ଅନ୍ତର୍ଗତ ଭେଟେରିନାରୀ କ୍ଲିନିକାଲ୍ କମ୍ପଲେକ୍ସର ନିର୍ଦ୍ଦେଶକ ପ୍ରଫେସର (ଡାକ୍ତର) ଶ୍ରୀନିବାସ ଦାସ ଧନ୍ୟବାଦ ଅର୍ପଣ କରିଥିଲେ । ସୋଆର ଛାତ୍ରମଙ୍ଗଳ ଡିନ୍ ପ୍ରଫେସର ଜ୍ୟୋତି ରଞ୍ଜନ ଦାସ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

ଏହି ଦୁଇ ଦିନିଆ ଜାତୀୟ ସମ୍ମିଳନୀରେ ତାମିଲନାଡୁ, ମହାରାଷ୍ଟ୍ର, ହିମାଚଳ ପ୍ରଦେଶ, ପଞ୍ଜାବ, ସିକିମ, ଉତ୍ତରପ୍ରଦେଶ, ତ୍ରିପୁରା ଓ ତେଲଙ୍ଗାନାରୁ ୮ ଜଣ ବିଶେଷଜ୍ଞ ତଥା ୨୦ ଜଣ ପ୍ରତିନିଧି ଯୋଗ ଦେଇଛନ୍ତି । ଚାରିଟି ଟେକ୍ନିକାଲ୍ ସେସନ୍‌ରେ ସମୁଦାୟ ୨୦ଟି ବିଷୟବସ୍ତୁ ଉପରେ ଆଲୋଚନା କରାଯିବ ।
ଏହି ସମ୍ମିଳନୀକୁ ଆଇଭିଏସ୍‌ଏଏଚ୍ ପକ୍ଷରୁ ଡାକ୍ତର ସାଲିବାହାନ୍ ଚକ୍ରବର୍ତ୍ତୀ, ପ୍ରଫେସର ବାନାମ୍ବର ଦାଶ, ପ୍ରଫେସର ରାଧାମୋହନ ନରେନ୍ଦ୍ର, ପ୍ରଫେସର ଧନଞ୍ଜୟ ଦାସ, ଆସିଷ୍ଟାଣ୍ଟ ପ୍ରଫେସର ବଳରାମ ସାହୁ, ଦେବେନ୍ଦ୍ର ବିଶ୍ୱାଳ, ବିକାଶ ଦାସ, ଆନାଲିସା ଦେବବର୍ମା ଓ ପ୍ରଜ୍ଞା ମହାପାତ୍ର ପରିଚାଳନା କରୁଛନ୍ତି ।

Leave A Reply

Your email address will not be published.