Latest Odisha News

ମୁଖା ପିନ୍ଧି ଜେଏନୟୁରେ ଛାତ୍ରଙ୍କୁ ଆକ୍ରମଣ କଲେ ଦୁର୍ବୃତ୍ତ; କ୍ୟାମ୍ପସରେ ପୋଲିସ ମୁତୟନ

ନୂଆଦିଲ୍ଲୀ: ଜବାହାର ଲାଲ୍ ନେହରୁ ବିଶ୍ୱବିଦ୍ୟାଳୟ (ଜେଏନୟୁ) କ୍ୟାମ୍ପସରେ ରବିବାର ରାତିରେ ମାରଣାସ୍ତ୍ର ସହିତ କିଛି ଦୁର୍ବୃତ୍ତ କିଛି ଛାତ୍ରଙ୍କ ସମେତ ଅଧ୍ୟାପକମାନଙ୍କୁ ମଧ୍ୟ ଆକ୍ରମଣ କରିଛନ୍ତି । ଏହି ଘଟଣାକୁ ନେଇ ସାରା ଦେଶରେ ରାଜନୈତିକ ହଟଚମଟ ସୃଷ୍ଟି ହୋଇଛି ।

ଏହି ଘଟଣାକୁ ଦୃଷ୍ଟିରେ ରଖି କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଦିଲ୍ଲୀ ପୋଲିସ କମିଶନରଙ୍କୁ କ୍ୟାମ୍ପସରେ ଶାନ୍ତି ଶୃଙ୍ଖଳା ବଜାୟ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏହି ପରିପ୍ରେକ୍ଷୀରେ ସେ ଟ୍ୱିଟ୍ କରି ଜଣାଇଛନ୍ତି ଯେ, କ୍ୟାମ୍ପସରେ ଶୃଙ୍ଖଳା ରକ୍ଷା କରିବାକୁ ପୋଲିସ ମୁତୟନ ହୋଇଛନ୍ତି ।

କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧୀ ଏମ୍ସ ଯାଇ ଆହତ ଛାତ୍ରମାନଙ୍କୁ ଭେଟିଛନ୍ତି । କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀ ରମେଶ ପୋଖ୍ରିୟାଲ୍ ଜେଏନୟୁ କ୍ୟାମ୍ପସରେ ଶାନ୍ତି ଶୃଙ୍ଖଳା ବଜାୟ ରଖିବାକୁ ଛାତ୍ରମାନଙ୍କୁ ଅନୁରୋଧ କରିଛନ୍ତି ।

ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ, ପ୍ରାୟ ୨୫ ରୁ ଅଧିକ ଛାତ୍ର ଓ ଶିକ୍ଷକ ଏହି ଘଟଣାରେ ଆହତ ହୋଇ ଏମ୍ସରେ ଚିକିତ୍ସା ଲାଗି ଭର୍ତ୍ତି ହୋଇଛନ୍ତି ।

ଏହି ଘଟଣାରେ ଜେଏନୟୁସୁ ଛାତ୍ର ସଂସଦ ସଭାପତି ଏଇଶି ଘୋଷ ଗୁରୁତର ଭାବେ ଆହତ ହୋଇଥିବା ସୂଚନା ମିଳିଛି । କ୍ୟାମ୍ପସର କିଛି ଛାତ୍ର ଦକ୍ଷିଣପନ୍ଥୀ ଛାତ୍ର ସଂଗଠନ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ଏବିଭିପି)ର କିଛି ଛାତ୍ର ଏହି ଘଟଣା ସହିତ ସମ୍ପୃକ୍ତ ଅଛନ୍ତି ବୋଲି କିଛି ଛାତ୍ର ଗଣମାଧ୍ୟମରେ ଅଭିଯୋଗ କରିଛନ୍ତି ।

 

“ମୁଖା ପିନ୍ଧି ଏବିଭିପି ପକ୍ଷରୁ ପୋଲିସ ଉପସ୍ଥିତିରେ ଏପରି ଆକ୍ରମଣ କରାଯାଇଛି । ସେମାନେ ପଥର ଫିଙ୍ଗୁଥିଲେ, ପାଚେରୀ ଚଢି ହଷ୍ଟେଲ ମଧ୍ୟକୁ ପଶିଥିଲେ । ହଷ୍ଟେଲ ଭିତରେ ପଶି ଛାତ୍ରମାନଙ୍କୁ ନିସ୍ତୁକ ମାଡ଼ ମାରିଥିଲେ ଏହି ବ୍ୟକ୍ତିମାନେ । ଛାତ୍ରଙ୍କ ସହିତ ଅନେକ ଶିକ୍ଷକ ମଧ୍ୟ ଏହି ଦୁର୍ବୃତ୍ତମାନଙ୍କ ମାଡ଼ରୁ ବର୍ତ୍ତି ପାରିନାହାନ୍ତି । ଛାତ୍ରମାନେ ଏହି ଗୁଣ୍ଡାମାନଙ୍କ କବଳରୁ ଖସି ଦୌଡିବାକୁ ଚେଷ୍ଟା କରିଥିଲେ ମଧ୍ୟ ଏମାନେ ଗୋଡ଼ାଇ ଗୋଡ଼ାଇ ପିଟିଥିଲେ । ଏହି ଦୁର୍ବୃତ୍ତମାନେ ଛାତ୍ରମାନଙ୍କୁ ‘ଭାରତ ମାତା କୀ ଜୟ’ ସ୍ଲୋଗାନ କହିବାକୁ ବାଧ୍ୟ କରୁଥିଲେ,” ବୋଲି ଜେଏନୟୁ ଛାତ୍ର ସଂଘର ଆହତ ସଭାପତି ଗଣମାଧ୍ୟମରେ କହିଛନ୍ତି ।

ଏହି ଘଟଣାର ଗଭୀର ନିନ୍ଦା କରିଛନ୍ତି ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀ ଏହି ଘଟଣା ସମ୍ପର୍କରେ ଟ୍ୱିଟ୍ କରି ଗଭୀର ଉଦବେଗ ପ୍ରକାଶ କରିଛନ୍ତି । ସେ କହିଛନ୍ତି, ଗଣତନ୍ତ୍ରରେ ହିଂସାର ସ୍ଥାନ ନାହିଁ । ଏଭଳି ଘଟଣା ନିଶ୍ଚିତ ରୂପେ ନିନ୍ଦନୀୟ । ଅଭିଯୁକ୍ତମାନଙ୍କୁ ତୁରନ୍ତ ଧରିବା ସହିତ ଗୁରୁତର ଆହତ ଛାତ୍ରମାନଙ୍କର ଆଶୁ ଆରୋଗ୍ୟ କାମନା କରିଛନ୍ତି ।

ଏହି ଘଟଣାର ଗଭୀର ନିନ୍ଦା କରିଛନ୍ତି, ପଞ୍ଜାବ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହ ଏବଂ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ।

ଏହି ଘଟଣା ଘଟିବା ପରେ ପୂର୍ବତନ ଜେଏନୟୁ ପୂର୍ବତନ ଛାତ୍ର ଯୋଗେନ୍ଦ୍ର ଯାଦବ ଜେଏନୟୁ କ୍ୟାମ୍ପସରେ ପ୍ରବେଶ କରିବାକୁ ଚେଷ୍ଟା କରିଥିଲେ । ମାତ୍ର ପୋଲିସ ବାଧାଦେବାରୁ ସେ ଭିତରକୁ ପ୍ରବେଶ କରିପାରିନାହାନ୍ତି । ଏହି ଘଟଣାରେ ବଲିଉଡ୍ ଅଭିନେତ୍ରୀ ସ୍ୱରା ଭାସ୍କର କ୍ୟାମ୍ପସ ମଧ୍ୟରେ ଶାନ୍ତି ଶୃଙ୍ଖଳା ବଜାୟ ରଖିବାକୁ ଟ୍ୱିଟ୍ କରି ଆହ୍ୱାନ ଦେଇଛନ୍ତି ।

Leave A Reply

Your email address will not be published.