Latest Odisha News

ମାଟିର ମଣିଷ ମନୁଆ ପାଢ଼ୀ

ମାଟିର ମଣିଷ ମନୁଆ ପାଢ଼ୀ

ବିନୟ ଭୂଷଣ ପାଣିଗ୍ରାହୀ

ପାଟଣା ସାହି ବଜାର ବିଗତ ଦୁଇ ଦଶନ୍ଧି ଭିତରେ ବଢ଼ିବଢି ଏତେବଡ଼ ହେଇ ଯାଇଛି ଯେ ଗୋଟେ ଛୋଟ ସହରର ଭ୍ରମ ସୃଷ୍ଟି କରୁଛି। ନ’ନମ୍ବର ରାଜ୍ୟ ରାଜପଥ ଉପରେ ହେଇଥିଲେ ମଧ୍ୟ ମଫସଲି ଗ୍ରାମ ପରିବେଷ୍ଟିତ ଏ ଅଞ୍ଚଳ ଦିନେ ଏତେ ବିକଶିତ ହେଇଯିବ ବୋଲି ଯେତେବେଳେ କେହି କଳ୍ପନା କରି ନଥିଲେ ସେତେବେଳେ ମାଇଁନର ଫେଲ ମନୁଆ ପାଢ଼ୀ ଏଇ ବଜାରରେ ତେଜରାତି ଦୋକାନ ଦେଲାବେଳେ ସେ ବିଷୟରେ ଭାବିଥିଲା କି ଭାବି ନଥିଲା ତାକୁହିଁ ଜଣା।

ଆମର ଏଇ ପାଟଣା ସାହି ଅଂଚଳରେ ସବୁଠାରୁ ସଫଳ ବ୍ୟବସାୟୀ ହେବାସହ ଆମ ଏ ବ୍ଲକ ର ସବୁଠାରୁ ବଡ ଧନୀ ହେବାର ମାନ୍ୟତା ମଧ୍ୟ ଅର୍ଜ୍ଜନ କରିଛି ମନୁଆ ପାଢ଼ୀ। ଲୁହାରଡ଼, ସିମେଣ୍ଟ, ଗୁଆ ଓ ବିଭିନ୍ନ ପ୍ରକାରର ଭୁଷାମାଲ ର ହୋଲସେଲ ଡିଷ୍ଟ୍ରିବ୍ୟୁଟର ହେବା ସାଙ୍ଗକୁ ଏ ଅଞ୍ଚଳରେ ଥିବା ରାଇସ ମିଲ,ଚୁଡା ମିଲ ଓ କାଠ-ମିଲ ର ମାଲିକ ମଧ୍ୟ ସିଏ । ଅଶିକ୍ଷିତ,ଅର୍ଦ୍ଧ ଶିକ୍ଷିତ ତଥା ଶିକ୍ଷିତଙ୍କୁ ମିଶେଇ ପାଖାପାଖି ଦୁଇ ହଜାର ଲୋକଙ୍କୁ କର୍ମରେ ନିୟୋଜିତ କରିପାରିଛି ସେ। ଏସବୁ ତାକୁ ଏମିତି ସହଜରେ ରାତାରାତି ମିଳିଯାଇ ନାହିଁ, ସବୁଯାକ ସେ ଦୀର୍ଘଦିନ ଧରି କରିଥିବା କଠୋର ପରିଶ୍ରମର ଫଳ। ଦିନେ ମୁଣ୍ଡ ଗୁଞ୍ଜିବା ପାଇଁ ବିଶୁଏ ଘରଡ଼ିହ ନଥିବା ଲୋକର ସମ୍ପତ୍ତି ବାଡ଼ିର ହିସାବ କରିବା ବଡ଼ବଡ଼ ହିସାବୀଙ୍କ ପାଇଁ ମଧ୍ୟ ସହଜ କାମ ହେଇ ରହିନାହିଁ ଆଜିର ଦିନରେ।

ବିସ୍ତାରିତ ସଂସ୍ଥାମାନଙ୍କର ପରିଚାଳନା ଦାୟିତ୍ଵ ଉପଯୁକ୍ତ ତଥା ବିଶ୍ୱସ୍ତ ଲୋକମାନଙ୍କ ହାତରେ ଦେଇ ଦେଇଛି ମନୁଆ। ହେଲେ ,ତେଜରାତି ଦୋକାନରେ ଆଜି ପର୍ଯ୍ୟନ୍ତ ସେ ନିଜେ ବସୁଛି। ଅର୍ଥ ବଢିଛି, ସମ୍ପତ୍ତି ଓ ସମ୍ମାନ ବଢିଛି ମାତ୍ର ପ୍ରତିପତ୍ତି ବଢେଇବାର ମୋହଠୁଁ ଯଥେଷ୍ଟ ଦୂରରେ ରଖିପାରିଛି ସେ ନିଜେ ନିଜକୁ। ସେଥିପାଇଁ ସେ ସମସ୍ତଙ୍କର ଶ୍ରଦ୍ଧାଭାଜନ ହେଇ ରହିପାରିଛି ଏତେଦିନ ଧରି। ସେ ସବୁବେଳେ ଗୋଟେ କଥା କହେ,”ମଣିଷ ପାଇଁ ଅର୍ଥ ବହୁତ ଆବଶ୍ୟକ ସତ ମାତ୍ର ଅର୍ଥ ମଣିଷ ଜୀବନର ସବୁକିଛି ନୁହେଁ।” ଏଇ ଚିନ୍ତାଧାରା ଯୋଗୁଁ ଆଜି ମଧ୍ୟ ଖୋର୍ଦ୍ଧା ଲୁଙ୍ଗି ଓ ଗାମୁଛା ପିନ୍ଧୁଥିବା ମନୁଆ ଭିତରର ମଣିଷ ପଣିଆ ତାକୁ ସମସ୍ତଙ୍କ ନଜରରେ ଉଚ୍ଚ ଆସନ ଦେଇ ରଖିଛି। ଏମିତି ବି ନୁହେଁ ଯେ ତାକୁ କେହି ଈର୍ଷା କରନ୍ତି ନାହିଁ ବା ତା’ର ଶତ୍ରୁ କେହିନାହିଁ। ତା ସାତ ପଛରେ ଦୋକାନ ଦେଇ ନିଷ୍ଠାର ଅଭାବ,ଶ୍ରମ କାତରତା, ଅସାଧୁ ଉପାୟ ଅବଲମ୍ବନ ମାଧ୍ୟମରେ ଅଧିକ ଲାଭ କମେଇବାର ମନୋବୃତ୍ତି ଇତ୍ୟାଦି ଅନେକ କାରଣରୁ ସଫଳକାମ ହେଇ ନପାରିଥିବା ବହୁ ବ୍ୟକ୍ତି ସେମାନଙ୍କ ବିଫଳତା ପାଇଁ ମନୁଆକୁ ପ୍ରତ୍ୟକ୍ଷରେ ହେଉ ଅବା ପରୋକ୍ଷରେ ଦୋଷୀ ମନେ କରିଛନ୍ତି। ଅନେକ ସମୟରେ ଆକ୍ରୋଶମୂଳକ ପନ୍ଥା ଆପଣେଇବାକୁ ମଧ୍ୟ ପଛାଇ ନାହାନ୍ତି। କିନ୍ତୁ, ସ୍ୱଚ୍ଛ ମନୋବୃତ୍ତି,କଠୋର ଶ୍ରମ ଓ ଦୃଢ଼ ମନୋବଳ ସମ୍ପନ୍ନ ବ୍ୟକ୍ତି କେବେ ପ୍ରତିକୂଳ ପରିସ୍ଥିତିରେ ପଛକୁ ଫେରିଯାଏ ନାହିଁ। ସେ ଦୃଷ୍ଟିରୁ, ମନୁଆ ବେପାରୀ କମ, ବିଜେତା ବେଶି। ତାକୁ ହାନି ପହଞ୍ଚେଇବାକୁ ଚେଷ୍ଟା କରିଥିବା ବ୍ୟକ୍ତିମାନେ ପରବର୍ତ୍ତୀ ସମୟରେ ନିଜର ଭୁଲ ବୁଝିପାରି ମନୁଆ ପାଖରେ ମୁଣ୍ଡ ନୁଆଁଇ ଛନ୍ତି। ପଛକଥାକୁ ପଛକରି ଦେଇ ମନୁଆ ସେମାନଙ୍କୁ କ୍ଷମା କରିଦେବା ସହ ସେମାନଙ୍କ ଭଲରେ ମନ୍ଦରେ ଅକୁଣ୍ଠ ଚିତ୍ତରେ ସାହାଯ୍ୟ-ସହଯୋଗର ହାତ ବଢ଼େଇ ଦେଇଛି।

ବେପାର କରି ଦି’ପଇସା କମେଇବା ପରେ ଘରଡ଼ିହ ଖଣ୍ଡେ କିଣି ତା ଉପରେ ଘର ଦି’ବଖରା କରିସାରି ବାହା ହେଲା ବେଳକୁ ବୟସ ଦି’କୋଡ଼ି ପାର ହେଇଯାଇ ସାରିଥିଲା। କୌଣସି କାରଣରୁ ବିବାହର ପାଞ୍ଚବର୍ଷ ପର୍ଯ୍ୟନ୍ତ କିଛି ପିଲାକବିଲା ନ ହେବାରୁ ସ୍ୱାମୀ-ସ୍ତ୍ରୀ ଦୁହେଁ ସିଦ୍ଧ ,ତାନ୍ତ୍ରିକ ଓ ବାବାଙ୍କଠାରୁ ଆରମ୍ଭ କରି ଡାକ୍ତର-ବଇଦ ସମସ୍ତଙ୍କ ପାଖକୁ ଯାଇ ନିରାଶ ହେଲାପରେ ମାଆ ତାରିଣୀଙ୍କ ପାଖରେ ମାନସିକ ରଖି କେତେ ବ୍ରତ ଉପବାସ କଲାପରେ ମାଆଙ୍କ ଦୟାରୁ କନ୍ୟା ସନ୍ତାନଟିଏ ପାଇ ଆନନ୍ଦରେ ଆତ୍ମହରା ହେଇ ଯାଇଥିଲେ। ସେଥିପାଇଁ ମନୁଆ କହେ, “ମାନୁଛି ଆଜିକାଲି ବିଜ୍ଞାନ ବହୁତ ଆଗେଇଛି,ହେଲେ ଦୈବୀ ଶକ୍ତିଠାରୁ ନା ଆଗକୁ ଯାଇ ପାରିଛି ନା ଯାଇ ପାରିବ !”

ବୟସ ବଢ଼ିବା ସହ ଶାରୀରିକ କ୍ଷମତା କମିଯିବା ପରେ ପରେ ପ୍ରତ୍ୟେକ ମଣିଷର ଶାରୀରିକ ସକ୍ଷମତା ସହ ମାନସିକ ପାରିଲାପଣ ମଧ୍ୟ ଧିରେ ଧିରେ ନିମ୍ନମୁଖି ହୁଏ। ସେଇ କ୍ରମବର୍ଦ୍ଧନଶୀଳ ଅପାରଗତାକୁ ଅନ୍ୟମାନଙ୍କଠାରୁ ଲୁଚେଇ ରଖିବାକୁ ପାରୁପର୍ଯ୍ୟନ୍ତ ପ୍ରୟାସ କରିବା ମଣିଷର ଏକ ସହଜାତ ପ୍ରବୃତ୍ତି ହେଇଥିଲେ ସୁଦ୍ଧା ଏମିତି ଗୋଟେ ସମୟ ଆସେ ଯେତେବେଳେ ସେମିତି କରିବା ଅପେକ୍ଷା ନିଜର ବାର୍ଦ୍ଧକ୍ୟ ଜନିତ ଅସହାୟତାକୁ ସାର୍ବଜନୀନ କରିଦେବାକୁ ଶ୍ରେୟସ୍କର ମଣେ ସେଇ ମଣିଷଟି। ମନୁଆ ମଧ୍ୟ ଆଜିକାଲି ଧୀରେଧୀରେ ନିଜ କାନ୍ଧ ଉପରେ ନିଜେ ଲଦି ହେଇ ଯାଉଥିବା ପରି ଅନୁଭବ କରୁଛି। ସତୁରି-ବାସ୍ତରୀ ବର୍ଷ ବୟସରେ ଏଣିକି ସେ ଆଗଭଳି ପ୍ରତିଦିନ ଭୋର ଚାରିଟା ବେଳୁ ଉଠି, ନିତ୍ୟକର୍ମ ସାରି, ପୂଜାର୍ଚ୍ଚନା ସମ୍ପନ୍ନ କରି ସକାଳ ସାତଟା ବେଳକୁ ଦୋକାନର ତାଲା ଖୋଲି ଝୁଣାଧୂପ ଦେଇସାରି ବଜାରର ପ୍ରଥମ ଗରାଖ ହାତରୁ ବହିନି କରି ପାରୁନାହିଁ। ବହୁତ ସମୟରେ ଭାବୁଛି ମେଲେଇ ଦେଇଥିବା ସବୁଯାକ ସଂସ୍ଥାକୁ କମ ଦାମରେ ହେଉପଛେ ବିକିଭାଙ୍ଗି ଦେଇ ସବୁଯାକ ଅର୍ଥକୁ ବ୍ୟାଙ୍କ ଖାତାରେ ଜମା କରିଦେବା ପାଇଁ। କିନ୍ତୁ ପ୍ରତିଥର ନିଜେ ନିଜର ଭାବନାକୁ ପ୍ରତିହତ କରି ଶେଷ ମୁହୂର୍ତ୍ତରେ ନିଷ୍ପତ୍ତି ପରିବର୍ତ୍ତନ କରି ନିଜକୁ ଆଶ୍ଵସ୍ତ କରିଛି ମନୁଆ।

ଉତ୍ତରାଧିକାରୀ କହିଲେ ଏକମାତ୍ର ଝିଅ ତାରିଣୀ। ଆମେରିକାରେ ଡାକ୍ତରୀ ପଢି ସାରିବା ପରେ ସେଇ ସହରର ଗୋଟେ ସୁନାମଧନ୍ୟ ହସ୍ପିଟାଲରେ ଇଂଟର୍ଣ୍ଣସିପ କରୁଛି। ସେଇଠି ତା’ସାଙ୍ଗରେ ଡାକ୍ତରୀ ପଢ଼ୁଥିବା ଜଣେ ସାଙ୍ଗକୁ ଭଲପାଇ ବାହା ହେବାପାଇଁ ମନସ୍ଥ କରି ଯେତେବେଳେ ମା-ବାପ ଉଭୟଙ୍କ ସହମତି ଲୋଡିଥିଲା ସେତେବେଳେ ସେମାନଙ୍କ ମନରେ ଯେ ଦୁଃଖ ହେଇ ନଥିଲା ତା ନୁହେଁ, ତେବେ,ଏକମାତ୍ର ଗେହ୍ଲେଇ ଝିଅର ମନ ଭାଙ୍ଗିଦେଇ ତାକୁ ଆଜୀବନ ଦୁଖୀ କରିଦେବା ଅପେକ୍ଷା ନିଜେ ଟିକେ ଦୁଃଖ ସହିନେବାକୁ ଯଥାର୍ଥ ମଣି ଝିଅର ପ୍ରସ୍ତାବରେ ରାଜି ହେଇଯାଇଥିଲେ ସ୍ୱାମୀ-ସ୍ତ୍ରୀ ଦୁହେଁ। ପିଲାର ବାପା ଭାରତୀୟ ବଂଶୋଦ୍ଭଵ ମାରୱାଡି ବ୍ରାହ୍ମଣ ସମ୍ପ୍ରଦାୟର ଲୋକ ଏବଂ ଆମେରକାର ସାନ ଫ୍ରାନ୍ସିସ୍କୋ ସହରରେ ଜଣେ ସଫଳ ଉଦ୍ୟୋଗପତି। ତାରିଣୀକୁ ଆମେରିକାରେ ସ୍ଥାୟୀ ଭାବେ ରହିବା ପସନ୍ଦ। ସିଏ ବି ବାରମ୍ବାର କହୁଛି “ଡାଡ, ଇଣ୍ଡିଆ ରେ କଣ ଅଛି ଯେ ତମେ ସେଠି ପଡି ରହିବ? ବେଟର, ତମେ ସବୁ ପ୍ରପର୍ଟି ଡିସପୋଜ କରିଦେଇ ୟୁ.ଏସ. ପଳେଇ ଆସ। ଏଠି ସବୁ ପ୍ରକାରର ସୁବିଧା ଅଛି ଲାଇଫକୁ ନିଜ ଇଚ୍ଛାରେ ବଞ୍ଚିବା ପାଇଁ। ଟେକ୍ନୋଲୋଜିକାଲି ଆଡ଼ଭାନ୍ସଡ଼ କଣ୍ଟ୍ରି। ଇଣ୍ଡିଆ ଭଳି ଏଠି ସାମାଜିକ ଭେଦଭାବ ନାହିଁ। ଲୋକମାନେ ମଧ୍ୟ ଭେରୀ କୋପେରେଟିଭ। ଆଟଲିଷ୍ଟ ,ମୁଁ ଜବ କରିବା ସହିତ ତମମାନଙ୍କର ଯଥେଷ୍ଟ କେୟାର ନେଇ ପାରିବି। ଓଲଡ଼ ଏଜରେ ତମେମାନେ ସେଠି ଏକୁଟିଆ ରହିଲେ ହେଲ୍ପଲେସ ଫିଲ କରିବ। କାହିଁକି ପଡି ରହିବ ସେଠି ଅଯଥାରେ ! ”

ତାରିଣୀର କହିବା କଥାକୁ ମନୁଆ ସମ୍ପୂର୍ଣ୍ଣ ଅଯୌକ୍ତିକ ବୋଲି ନ’କହି ପାରିଲେ ବି ଶତ ପ୍ରତିଶତ ଯଥାର୍ଥ ବୋଲି ମାନି ନେଇ ପାରୁନଥିଲା। ପାଟଣାଗଡର ମାଟି,ପାଣି ଓ ପବନରେ ଗଢ଼ା ଦେହ ଓ ମନରୁ ସେ ସବୁକୁ ଦୁରେଇ ଦେଇ ସୁଦୂର ଆମେରିକାରେ ନିଜ ଚାହିଁବା ମୁତାବକ ଜୀବନଟିଏ ଜୀଇଁ ପାରିବ ବୋଲି ସାମାନ୍ୟ ବିଶ୍ୱାସ କରିପାରୁ ନଥିଲା ସେ। ଏଠି ଯେମିତି ଏତେବଡ଼ ଅଞ୍ଚଳରେ ମନୁଆ କହିଲେ ଲୋକେ ତାକୁ ହିଁ ବୁଝୁଛନ୍ତି ଆମେରିକାରେ ସେଇ ପରିଚୟ ସୃଷ୍ଟି କରିବା ପାଇଁ ତା ହାତରେ ସେତିକି ସମୟ ଆଉ କାହିଁ ! ତା ଦୋକାନରୁ ଚତୁର୍ମାସିଆ ଅଭାବୀ ଦିନରେ ବାକି ରେ ତେଲ ଲୁଣ ନେଇ ଅମଳ ପରେ ସୁଝିବାକୁ ସେଠି କେହି ଗରାଖ କଣ ତା ପାଖକୁ ଧାଇଁ ଆସିବେ ନା ସେ ସେମାନଙ୍କୁ ଭରସା ଦେଇ କହିବ ,” ଆରେ,ସେଥିପାଇଁ ଏତେ ଚିନ୍ତା କରୁଛ କାହିଁକି? ମନୁଆନା ଦୁକାନ କଣ ତମ ମାନଙ୍କର ଦୁକାନ ନୁହେଁ ! ଯେତେବେଳେ ଯାହା ଦରକାର ବାକି ଖାତାରେ ଲେଖିଦେଇ ନେଇଯିବ,ସୁବିଧା ହେଲେ ସୁଝିଦେବ। ତମେ ଖଟି ଖାଇବା ଲୋକ ,କେବେ କାହାର ଖାଇ ଫାଙ୍କି ଦେଇଛ ନା ଦେବ। ଫାଙ୍କି ଦେଲେ ବି କୋଉ ମନୁଆନା କରମକୁ ନେଇ କୁଆଡେ ପଳେଇ ଯିବ।”

ସମ୍ଭବତଃ,ବାପା ମାଆଙ୍କ ମନରେ ପୁରାତନ ଘଆ ପରି ଚକଡ଼ା ବାନ୍ଧିଥିବା ଗାଁଆ ମାଟି ପ୍ରତି ଅନବଦମିତ ମୋହକୁ ଦୂର କରି ଆମେରିକାର ସୁସଂଯତ ଜୀବନଶୈଳୀ ପ୍ରତି ଆକର୍ଷଣ ବଢ଼େଇବା ଲକ୍ଷରେ କିଛି ନ ପଚାରି ଆମେରିକା ଯିବାପାଇଁ ପାସପୋର୍ଟ ଓ ଭିସା କରେଇ ପଠାଇ ଦେଇସାରି ତାରିଣୀ ଗତ ରବିବାର ଦିନ ଫୋନ କରିଥିଲା ତା ମାଆ ପାଖକୁ। କହିଲା,”ମୁଁ ଜାଣିଛି ମମ୍ମି, ଡାଡ ଆଉ ତମେ ସବୁଦିନ ପାଇଁ ଇଣ୍ଡିଆ ଛାଡି ୟୁ.ଏସ.ରେ ସେଟଲ ହେବାକୁ ଚାହୁଁନାହଁ। ସେଥିପାଇଁ ମୁଁ ମଧ୍ୟ ବାଧ୍ୟ କରି ତମ ମାନଙ୍କ ମନରେ ଆଘାତ ଦେବାକୁ ଚାହୁଁନାହିଁ। ସେ ଯାହାହେଉ, ମୁଁ ଅନଲାଇନରେ ଟୁରିଷ୍ଟ ଭିସା କରି ପଠେଇ ଦେଇଛି। ଜୁଲାଇ ପନ୍ଦର ତାରିଖରେ ମୋର ଜଣେ ସାଙ୍ଗ କଟକରୁ ସେଇ ଫ୍ଲାଇଟରେ ଆସୁଛି। ସେ ଚଉଦ ତାରିଖ ଦିନ ଆମ ଗାଆଁକୁ ଯାଇ ତମକୁ ସାଥିରେ ଆଣି ଏଠି ପହଞ୍ଚେଇ ଦେଲାପରେ ଏଠି ଦଶ-ପନ୍ଦର ଦିନ ବୁଲାବୁଲି କରି ଫେରିଯିବ। ଡାଡଙ୍କୁ କହି ରାଜି କରେଇଦେଵ ପ୍ଲିଜ।”

ଆଜିକୁ ଚାରିଦିନ ହେଲାଣି, ପ୍ରତିଦିନ ରାତିରେ ଠିକ ବିଛଣାକୁ ଗଲା ପରେପରେ ମନୁଆ ଆଖିର ନିଦ ଆମେରିକାକୁ ଲମ୍ବିଥିବା ଅଜଣା ରାସ୍ତାରେ ବାଟବଣା ହେଇଯାଉଛି। ବିଛଣାରେ ପଡି ଛଟପଟ ହେବା ଭିତରେ ଘରପାଖ ଆମ୍ବଗଛରେ ବସାବାନ୍ଧି ରହିଥିବା କାଉକୋଇଲିଙ୍କ ରାତି ପାହି ସକାଳ ହେଇଯାଉଛି। ଆମେରିକା ଯିବାର ଦିନ ଆହୁରି ଦେଢ଼ମାସ ଆଗକୁ ଅଛି। ସେ ଭାବୁଥିଲା ଆମେରିକା ଯିବାପାଇଁ ଆହୁରି ଦେଢ଼ମାସ ଏମିତି ଅନିଦ୍ରା ରହିବାକୁ ପଡିବ ତାକୁ, ସେ କଣ ପାରିବ ! ସକାଳ ହେଲେ ଦୁକାନ ଯିବାକୁ ପଡ଼ିବ, ମିଲମାନଙ୍କରେ କାମ କରୁଥିବା ଲୋକମାନଙ୍କର ଭଲମନ୍ଦ ବୁଝିବାକୁ ପଡ଼ିବ, ଅଭାବରେ ପଡି ବାକି ସୁଝି ନ ପାରିଥିବା କାରଣରୁ ମନଉଣା କରି ତେଲ ଲୁଣ ଭଲମନ୍ଦ ନେବାକୁ ନ ଆସି ପିଲାଛୁଆଙ୍କ ଭୋକିଲା ମୁହଁକୁ ଚାହିଁ ଦୁଃଖୀ ହେଇଯାଉଥିବା ଲୋକମାନଙ୍କ ଘରକୁ ଯାଇ ବୁଝାସୁଝା କରିବାକୁ ପଡିବ,ଏମିତି କେତେକଣ କାମ କରିବାକୁ ପଡିବ ତାକୁ। ଏ ବିଷୟରେ ସେ ଯେତେଯେତେ ଭାବୁଥିଲା, ପାଟଣା ଗଡର ପ୍ରତିଟି ମଣିଷ ତା’ର ସେତେବେଶି ଆପଣାର ହେଇ ଚାଲିଥିଲେ।

ତାରିଣୀ ଯେତେବେଳେ ତା ମା’ଗର୍ଭରେ ଥିଲା ସେତେବେଳେ ମନୁଆ ଆଉ ତା ସ୍ତ୍ରୀ ଦୁହେଁମିଶି ମାନସିକ କରିଥିଲେ, ପୁଅ ହେଉ କି ଝିଅ ହେଉ ,ତା’ର ନାଁ ତାରିଣୀ ରଖିବେ ଆଉ ଗାଁଆ ମୁଣ୍ଡରେ ମାଆ ତାରିଣୀଙ୍କର ମନ୍ଦିରଟିଏ ତୋଳାଇ ହାତଗୋଡ଼ ଚଳୁଥିବା ଯାକେ ପ୍ରତିଦିନ ସକାଳେ ନାଲି ମନ୍ଦାର ଓ ବେଲପତ୍ର ଚଢ଼େଇବା ପାଇଁ। ଦୁନିଆ ଓଲଟ ପାଲଟ ହେଇଗଲେ ମଧ୍ୟ ଆଜିଯାଏଁ କେବେଦିନେ ସେଥିରେ ଅବହେଳା କରିନାହାନ୍ତି ସେମାନେ। ଆମେରିକା ତ ଆଉ ପାଞ୍ଚସାତ କୋଶ ଦୂରରେ ନୁହେଁ ଯେ ସକାଳେ ଯାଇ ସଞ୍ଜକୁ ଫେରି ଆସିହେବ । ଖାଲି ଯିବାପାଇଁ ଦି’ଦିନର ବାଟ। ସେଠିକି ଯାଇ ଦଶପନ୍ଦର ଦିନ ରହି ଫେରିଲା ବେଳକୁ ନିହାତି କୋଡିଏ ଦିନ ଲାଗିଯିବ। ମାନସିକ ପୂରଣ ନକଲେ ମାଆ ତାରିଣୀଙ୍କର ସିନା କିଛି ହାନି ହେଇଯିବନାହିଁ, ତାରିଣୀର ଅମଙ୍ଗଳ ନିଶ୍ଚୟ ହେବ। ସୁଦୂର ଆମେରିକାରେ ରହୁଥିବା ଆଜିକାଲିର ଉଚ୍ଚଶିକ୍ଷିତ ପିଲା ହିସାବରେ ତାରିଣୀ ହୁଏତ ଏ ସବୁକୁ ଅନ୍ଧବିଶ୍ୱାସ କହିଦେଇ ପାରିବ,ସେମାନେ କେମିତି ସେମିତିକା ଭୁଲ କରି ପାରିବେ !

ରାତି ଅଧିଆ ଶିଆଳ ଭୁକିଲାବେଳକୁ ହଠାତ ତାରିଣୀ ବୋଉର ନିଦ ଭାଙ୍ଗିଗଲା। ବିଛଣାରେ ହାତ ବୁଲେଇ ଆଣି ମନୁଆକୁ ନପାଇ ବିଛଣାରେ ଉଠି ବସିଲା ପରେ ଦେଖିଲା ଝରକାର ରେଲିଂକୁ ଧରି ଠିଆହେଇ ବାହାରକୁ ଚାହିଁ ରହିଛି ମନୁଆ। ପୁନେଇଁ ରାତିର ଜହ୍ନ ଆଲୁଅ ମେଲା ଝରକା ଦେଇ ଘରଭିତରକୁ ପଶି ଆସୁଆସୁ ମନୁଆ ଦେହରେ ଦେହ ଯୋଡି ଅଟକି ଯାଇଛି ସେଇ ଝରକା ପାଖରେ। ପଲଙ୍କ ଉପରୁ ତଳକୁ ଓହ୍ଲେଇ ପାଦ ଚିପିଚିପି ଆସି ମନୁଆ ପାଖରେ ପହଁଚିଲା ତାରିଣୀ ବୋଉ। କିଛି ମୁହୂର୍ତ୍ତ ନୀରବରେ ଛିଡା ହେଲାପରେ ଧୀରେ ମନୁଆ ର ପିଠିକୁ ଛୁଇଁ ପଚାରିଲା, “ହେଇଏ, ନ ଶୋଇ ଏଠି ଠିଆହେଇ କଣ ଦେଖୁଛ କି ଏତେ ରାତିରେ ?”

ମନୁଆ ନଗଦ ନିଦରୁ ଉଠିଲା ଭଳି ସ୍ୱରରେ କହିଲା,”ତମେ କିଛି ଶୁଣି ପାରୁଛ ନା ତାରିଣୀ ବୋଉ?”

“ହଁ, ଶିଆଳ ମାନେ ଭୁକୁଛନ୍ତି। ସବୁଦିନ ତ ଭୁକନ୍ତି, ଆଜି କୋଉ ନୂଆକଥା କି?”

ବିରକ୍ତ ନ ହେଇ ମନୁଆ କହିଲା,”ନାହିଁ ମ, ଆଉଟିକେ କାନ ପାରି ଶୁଣ, ପାଟଣାଗଡ଼ର ମାଟି,ପାଣି ଆଉ ପବନକୁ ଶୁଣ। ସମସ୍ତେ କେମିତି ଉଦାସ ସ୍ୱରରେ ମୋତେ କହୁଛନ୍ତି ସେମାନଙ୍କୁ ଛାଡି ଦୂରକୁ ନ’ଯିବା ପାଇଁ। ଏଇ ଦେଖ, ପାଟଣାଗଡ଼ର ଜହ୍ନ କେମିତି କେତେବେଳୁ ସେଇ ଗୋଟିଏ ଜାଗାରେ ଅଟକି ଯାଇ ମୋତେ ବି ଏଇଠି ଅଟକି ଯିବାପାଇଁ କହୁଛି। ତମେ ଶୁଣି ପାରୁଛ ଟି ?”

ତାରିଣୀବୋଉ ମନୁଆର ସାମ୍ନା ପଟକୁ ଆସି ତା’ର ଦୁଇହାତକୁ ଚାପିଧରି ପ୍ରତ୍ୟୟପୂର୍ଣ୍ଣ ସ୍ୱରରେ ଖୁବ ଧୀରେ କହିଲା, “ହଁ, ସବୁକିଛି ଶୁଣି ପାରୁଛି ତାରିଣୀ ବାବା। ପାଟଣାଗଡ଼ର ମାଟି ତମକୁ ଛାଡି ମୁହୂର୍ତ୍ତେ ରହି ପାରିବନି। ସକାଳ ପାହିଲେ ଝିଅକୁ ଫୋନ କରି ଟିକେଟ କ୍ୟାନ୍ସଲ କରିଦେବା ପାଇଁ କହିଦେବି। ତମେ ଯାଇ ଶୋଇଲ ଜଲଦି, ଆଜି ଟିକେ ସହଳ ମନ୍ଦିରକୁ ଯିବା।”

ମନୁଆକୁ ଲାଗିଲା ସତେ ଯେପରି ତାରିଣୀବୋଉ ତା ମୁଣ୍ଡ ଉପରେ ଲଦିହେଇ ରହିଥିବା ଭାରି ବୋଝଟିକୁ ଓହ୍ଲାଇ ଦେଇଛନ୍ତି। ତାରିଣୀ ବୋଉର ହାତ ଧରି ପଲଙ୍କ ଆଡକୁ ପାଦ ବଢ଼େଇଲା ବେଳେ ମନୁଆ ଦେଖିଲା ଆମେରିକା ଯିବା ବାଟରେ ବାଟବଣା ହେଇଯାଇଥିବା ପାଞ୍ଚ ରାତିର ନିଦ ସବୁ ବାଟଖୋଜି ଫେରି ଆସିଥିଲେ ତା ଆଖି ପତାକୁ।

………………………
ହରସିଂହ ପୁର,ପୀରହାଟ ବଜାର, ଭଦ୍ରକ -୩୧
ମୋ:୯୯୩୭୫୪୮୪୩୧, ୯୪୩୮୬୭୦୧୨୦

Leave A Reply

Your email address will not be published.