କଥା ଏତିକି ମାତ୍ର
ମମତା ଦାଶ

କେତେ ସହଜରେ
ଟ୍ରକ ଡାଲାରେ ଲଦା ହେଇଗଲା
ସବୁ ପଦାର୍ଥ, ଅପଦାର୍ଥ ମୋର,
ସ୍ମୃତି, ସ୍ମୃତିହୀନତା ମୋର,
ଏତେଗୁଡ଼ାଏ ମାସ, ବର୍ଷ, ଦିବସ ମୋର
ଏତେଗୁଡ଼ାଏ ଘଟଣା ଅଘଟଣର ଇତିହାସ ବି
ସେମାନେ ପହଂଚିବା ବେଳକୁ
ମୁଁ ଆଉ ନଥିବି
ଘରଟି ବି ଉଭେଇ ଯାଇଥିବ ଚୁପଚାପ,
ଖାଲି ଯାହା
ଶୁଖିଲା ଚମ୍ପାଗଛ ତଳେ ପଡିଛି
ଲମ୍ବା ନାରଙ୍ଗୀ ରଙ୍ଗର ସାପକାତିଟିଏ,
ସାପଟି ଆଉ ନାହିଁ,
ତାର ଉଈହୁଙ୍କାର ଘର
ଭାଙ୍ଗିଯାଇଛି ଗଲା ମହାବାତ୍ୟାରେ
କେଜାଣି କେତେବର୍ଷ କି ଯୁଗ ତଳେ
ସେ ମୋତେ ଦେଇଥିଲା କିଛି ଖେଳ
କିଛି ମୋହନ ବଂଶୀସ୍ଵନ
ଦେଇଥିଲା ତାର ମସ୍ତକର ମଣି,
ହଳଦିଆ ବିଷ ଦଂଶନ
ମୁଁ ତାକୁ ଦେଇଥିଲି
ମୋର ସ୍ନାୟୁ, ରକ୍ତ ଓ କ୍ଷୀର,
ଦୁହେଁ ଦୁହିଁଙ୍କୁ ଦେଉଥିଲୁ
ଏକ ଆଲୋକିତ ନାଟକ,
ନିରବଛିନ୍ନ ନିଶାର୍ଦ୍ଧର
ସେ କିନ୍ତୁ ମୋତେ କହିଥିଲା
ଆମର ସବୁ ଆଶା ଫଳିଯିବ,
କି କହିନଥିଲା ଯେ
ଦିନଟେ କାତି ଛାଡ଼ିଯିବ ଆମର ଏକତ୍ର ଜୀବନ,
ମୁଁ ବି କହିନଥିଲି ମୋର କ୍ଷୀର
ଦିନେ ପାଲଟିଯିବ ଅମୃତ !
କଥା ଏତିକି ମାତ୍ର
ଟ୍ରକ ଚାଲିଗଲାଣି କୁଆଡେ
ସବୁଜ ବନପଥରେ,
ଦ୍ରୁତ ଗତିରେ ପହଁରି ଆସୁଥିବା
ଗାଢ଼ ନୀଳ ଗାଡିଟି
ମୋ ପାଇଁ ଆସୁଛି ହୁଏତ,
ମୋତେ ଯିବାକୁ ହେବ ଏକା,
କଥା ଏତିକି ମାତ୍ର !
………………………….
217-ଏ, କେଦାରଗୌରୀ ରୋଡ଼, ଭୁବନେଶ୍ୱର-2
ଫୋନ: 7504703107


Comments are closed.