Latest Odisha News

BREAKING NEWS

ମ୍ୟାଟ୍ରିକ୍ ପ୍ରଶ୍ନପତ୍ର ଭାଇରାଲ୍ ନ’ହେବା ଲାଗି ଦୃଢ ପଦକ୍ଷେପ ଗ୍ରହଣ କଲା ଗଣଶିକ୍ଷା ବିଭାଗ

ଭୁବନେଶ୍ୱର: ପ୍ରଶ୍ନପତ୍ରରେ ରହିବ ଇନ୍‌ଭିଜିବୁଲ କୋଡ, ଭାଇରାଲ ହେଲେ ଅଧଘଣ୍ଟାରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ଗଣଶିକ୍ଷା ବିଭାଗ। ରାଜ୍ୟରେ ଫେବୃଆରୀ ୧୯ରୁ ଆରମ୍ଭ ହେବ ମାଟ୍ରିକ ପରୀକ୍ଷା । ଚଳିତବର୍ଷ କୌଣସି ସ୍କୁଲରେ ଯେପରି ଫେଲ୍ ନରହେ ସେଥିପାଇଁ ମିଶନ ଜିରୋ ଫେଲ୍ ପାଇଁ ବିଭାଗ ପକ୍ଷରୁ ବ୍ଲୁ-ପ୍ରିଣ୍ଟସ୍ ଆରମ୍ଭ ହୋଇଛି ।

ବିଶେଷକରି ଚଳିତବର୍ଷ ପ୍ରଶ୍ନପତ୍ର ସୁରକ୍ଷା ଏବଂ ପ୍ରଶ୍ନପତ୍ର ଭାଇରାଲକୁ ସର୍ବାଧିକ ଗୁରୁତ୍ୱ ଦିଆଯାଇଛି । ପ୍ରଶ୍ନପତ୍ରରେ ଇନ୍‌ଭିଜିବୁଲ କୋର୍ଡ ରହିବ । ଯେଉଁ ସେଣ୍ଟରୁ ପ୍ରଶ୍ନପତ୍ର ଭାଇରାଲ ହେବ ତାହା କେଉଁଠୁ ଏବଂ କେଉଁ ମୋବାଇଲରେ ଫୋଟ ଉଠିଛି ତାହା ଜଣାପଡ଼ିବ । ଅଧଘଣ୍ଟା ମଧ୍ୟରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ କହିଛନ୍ତି ।

ପ୍ରକାଶଥାଉ କି, ପୂର୍ବରୁ ମାଟ୍ରିକ ପରୀକ୍ଷାରେ ଆବଶ୍ୟକ ସଂସ୍କାର ଅଭାବରୁ ଅନେକ ବ୍ୟତିକ୍ରମ ସୃଷ୍ଟି ହେଉଥିଲା । ଏପରକି ୬୬ରୁ ଅଧିକ ସ୍କୁଲରେ ରେଜଲ୍ଟ ଶୂନ ରହିଥିବା ବେଳେ ଅନେକ ସ୍କୁଲରେ ରେଜଲ୍ଟ ଅତ୍ୟନ୍ତ ନୈରାଶ୍ୟଜନକ ସ୍ଥିତି ରହିଥିଲା । ଏହା ସାଙ୍ଗକୁ ଯେପରି ସବୁ ପରୀକ୍ଷାକେନ୍ଦ୍ରରେ ପାଚେରୀ, ମୁଖ୍ୟ ଫାଟକ ସମେତ ଶ୍ରେଣୀରେ ସିସି କ୍ୟାମେରା, ପ୍ରଶ୍ନପତ୍ର ରଖିବା ଲାଗି ଡିଜିଟାଲ ଲକର ଆଦି ଅନୁଧ୍ୟାନ ପ୍ର୍ରକ୍ରିୟା ଆରମ୍ଭ ହୋଇଛି । ରାଜ୍ୟରେ ସବୁ ମାଧ୍ୟମିକ ସ୍କୁଲର ଉନ୍ନତି ଦିଗରେ ବିଭାଗ ପକ୍ଷରୁ ଗୁରୁତ୍ୱ ଦିଆଯାଉଥିବା ବେଳେ ଯେଉଁସବୁ ସ୍କୁଲରେ ଅଧିକ କପି ହେଉôତବାର ଅଭିଯୋଗ ରହିଛି ସେହି ସ୍କୁଲରେଏଥର ଅଧିକ କଟକଣା ଲାଗୁ କରାଯିବ । ପ୍ରଶ୍ନପତ୍ର ହବ କେନ୍ଦ୍ର ପରୀକ୍ଷାକେନ୍ଦ୍ରରେ ପ୍ରଶ୍ନପତ୍ର ରଖିବା ଲାଗି ସ୍ୱତନ୍ତ୍ର ଲକର ଯାଞ୍ଚ ହେଉଛି । ପରୀକ୍ଷା ଆରମ୍ଭ ହେବା ପୂର୍ବରୁ ପ୍ରଶ୍ନପତ୍ର ପ୍ୟାକେଟ୍ ଖୋଲିବା ଠାରୁ ଆରମ୍ଭ କରି ପରୀକ୍ଷା ଶେଷ ହେବା ପରେ ଉତ୍ତରଖାତା ପ୍ୟାକିଂ କରିବା ପର୍ଯ୍ୟନ୍ତ ସବୁ କିଛି ପରୀକ୍ଷାକେନ୍ଦ୍ର ସୁପରିଟେଣ୍ଟେଟ ଏବଂ ୨ଜଣ ପରୀକ୍ଷା ଅଧିକାରୀଙ୍କ ଉପସ୍ଥିତିରେ କରାଯିବ । ଏହବ୍ୟତୀତ ଏହି ପ୍ରକ୍ରିୟାକୁ ମଧ୍ୟ ସିସି କ୍ୟାମେରା ସମ୍ମୁଖରେ କରିବାକୁ ନିର୍ଦ୍ଦେଶ ଦିଆଯାଉଛି । ପରୀକ୍ଷାରେ କୌଣସି ଅବ୍ୟବସ୍ଥା ଏବଂ ବ୍ୟତିକ୍ରମକୁ ବରଦାସ୍ତ କରାଯିବ ନାହିଁ ବୋଲି ମନ୍ତ୍ରୀ ଶ୍ରୀ ଦାଶ କହିଛନ୍ତି ।
ସେହିପରି ୨୦୨୦ ମାଟ୍ରିକ ପରୀକ୍ଷାରେ ଭୁବନେଶ୍ୱର ଜୋନ୍ (ଖୋର୍ଦ୍ଧା, ନୟାଗଡ଼ ଏବଂ ପୁରୀ ଜିଲ୍ଲା)ରେ ଉଭୟ ରେଗୁଲାର ଏବଂ ଏକ୍ସରେଗୁଲାର ମୋଟ୍ ୬୨ହଜାର ୬୭୬ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେବେ । ଖୋର୍ଦ୍ଧା ଜିଲ୍ଲାରେ ମୋଟ୍ ୨୭ହଜାର ୯୭୭ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେବେ । ସେଥିରୁ ରେଗୁଲାର ପିଲାଙ୍କ ସଂଖ୍ୟା ୨୭ହଜାର ୧୦୮ ଏବଂ ଏକ୍ସରେଗୁଲାର ପିଲାଙ୍କ ସଂଖ୍ୟା ୮୬୯ ରହିଛି ।

ନୟାଗଡ଼ ଜିଲ୍ଲାରେ ମୋଟ ୧୨ହଜାର ୯୪୮ଜଣ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ରେଗୁଲାର ପିଲାଙ୍କ ସଂଖ୍ୟା ୧୨ହଜାର ୬୮୪ ଏବଂ ଏକ୍ସରେଗୁଲାର ପିଲାଙ୍କ ସଂଖ୍ୟା ୨୬୪ ରହିଛି । ପୁରୀ ଜିଲ୍ଲାରେ ମୋଟ୍ ୨୧ହଜାର ୭୫୧ଜଣ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ରେଗୁଲାର ପିଲାଙ୍କ ସଂଖ୍ୟା ୨୧ହଜାର ୧୩୯ ଏବଂ ଏକ୍ସରେଗୁଲାର ପିଲାଙ୍କ ସଂଖ୍ୟା ୬୧୨ ରହିଛି ।

 

Leave A Reply

Your email address will not be published.