Latest Odisha News

BREAKING NEWS

ରାଜ୍ୟରେ ୫୮ହଜାର ୮୯ ସ୍କୁଲକୁ ମିଳିବ ସ୍ୱତନ୍ତ୍ର ଅନୁଦାନ: ଉପକୃତ ହେବେ ୬୦ଲକ୍ଷ ଛାତ୍ରଛାତ୍ରୀ !

ଭୁବନେଶ୍ୱର: ରାଜ୍ୟରେ ଶିକ୍ଷା ବ୍ୟବସ୍ଥାରେ ଆମୁଳଚୂଳ ପରିବର୍ତ୍ତନ ଆଣିବା ପାଇଁ ଶିକ୍ଷା ବିଭାଗ ଦୃଢ ପଦକ୍ଷେପ ଗ୍ରହଣ କରୁଛନ୍ତି । ଆବଶ୍ୟକତା ଅନୁଯାୟୀ, ସ୍କୁଲଗୁଡିକର ଅଭାବ ଦୂର କରିବା ପାଇଁ ବିଭାଗ ଯୋଜନା କରୁଥିବା ବେଳେ ରାଜ୍ୟର ଥିବା ସମସ୍ତ ୫୮ହଜାର ୮୯ଟି ସ୍କୁଲକୁ ସାମିଲ କରାଯାଇଛି ।

ତେବେ ଏହି ସ୍କୁଲଗୁଡିକର ଥିବା ପ୍ରାଥମିକ ସମସ୍ୟା ସହିତ ଅନ୍ୟ ଦିଗ ଉପରେ ଦୃଷ୍ଟି ଦେଇ ତୁରନ୍ତ ଏହାର ସମାଧାନ କରାଯିବ । ଯାହାଦ୍ୱାରା ପ୍ରାୟ ୬୦ଲକ୍ଷ ଛାତ୍ରଛାତ୍ରୀ ଉପକୃତ ହେବା ସହିତ ପିଲାମାନଙ୍କର ଶିକ୍ଷା ବ୍ୟବସ୍ଥାରେ ଉନ୍ନତି ଆସିପାରିବ । ବିଶେଷକରି ଗୁଣାତ୍ମକ ଶିକ୍ଷା ଏବଂ ଦକ୍ଷତା ବିକାଶକୁ ରାଜ୍ୟ ସରକାର ପ୍ରାଧାନ୍ୟ ଦେଉଥିବା ବେଳେ ଖୁବ କମ୍ ଦିନରେ କିପରି ଏହାର ସଫଳ ରୂପାୟନ ହୋଇପାରିବ ସେ ନେଇ ପ୍ରୟାସ ଆରମ୍ଭ ହୋଇଯାଇଛି ।

ମିଳିଥିବା ସୂଚନା ଅନୁଯାୟୀ, ରାଜ୍ୟରେ ପ୍ରାଥମିକ ସ୍କୁଲ ସଂଖ୍ୟା ୩୬ହଜାର ୭୦ଟି ଥିବାବେଳେ ଉଚ୍ଚପ୍ରାଥମିକ ସ୍କୁଲ ସଂଖ୍ୟା ୨୨୦୧୯ । ସେହିପରି ମାଧ୍ୟମିକ ସ୍କୁଲକୁ ମିଶାଇଲେ ରାଜ୍ୟରେ ମୋଟ୍ ୫୮ହଜାର ୮୯ଟି ସ୍କୁଲ ରହିଛି । ତେବେ ରାଜ୍ୟରେ ସରକାରୀ ସ୍କୁଲଗୁଡିକର ଅଧିକ ଉନ୍ନତି ଆଣିବା ଲାଗି ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ବର୍ଷକୁ ଅନୁଦାନ ମିଳଥିବା ବେଳେ ଆସନ୍ତାବର୍ଷ ଠାରୁ ସରକାର ସ୍ୱତନ୍ତ୍ର ଅନୁଦାନ ଦିଆଯିବ ବୋଲି ଜଣାପଡ଼ିଛି । ବିଶେଷକରି ସ୍କୁଲ ଗୁଡିକରେ ବିଜ୍ଞାନ ଉପକରଣ, ପାଠ୍ୟପୁସ୍ତକ, ଖେଳ ସରଞ୍ଜମ, ଶିକ୍ଷାଦାନ ଲାଗି ପ୍ରଯୁକ୍ତିବିଦ୍ୟାର ଆବଶ୍ୟକତା ଅନୁଯାୟୀ ସୁବିଧା ସୁଯୋଗ ଏବଂ କିଛି ଛାତ୍ରୀ ସ୍କୁଲଗୁଡିକରେ ପିଲାଙ୍କୁ ମୌଳିକ ସୁବିଧା ଯୋଗାଇବା ପାଇଁ ସ୍ୱତନ୍ତ୍ର ଅନୁଦାନ ପ୍ରଦାନ କରାଯିବ । ତେବେ ପ୍ରଥମ ପର୍ଯ୍ୟାୟରେ ରାଜ୍ୟରେ ୧୫ହଜାର ପ୍ରାଥମିକ ସ୍କୁଲ ଏବଂ ୧୭ହଜାର ଉଚ୍ଚପ୍ରାଥମିକ ସ୍କୁଲଗୁଡିକୁ ତାଲିକାଭୁକ୍ତ କରାଯାଇଥିବା ବେଳେ ୨୦୨୨ରୁ ରାଜ୍ୟର ସବୁ ସରକାରୀସ୍କୁଲ ଏହି ଯୋଜନାରେ ସାମିଲ ହେବାର କାର୍ଯ୍ୟକ୍ରମ ରହିଛି ।

ତେବେ ବିଜ୍ଞାନ ଉପକରଣ ଲାଗି ପ୍ରତି ସ୍କୁଲକୁ ୫ହଜାର ଟଙ୍କା, ପାଠ୍ୟପୁସ୍ତକ ଲାଗି ୮ହଜାର ଟଙ୍କା, ଖେଳ ସରଞ୍ଜମ ଲାଗି ଅଢ଼େଇ ହଜାର ଟଙ୍କା, ଛାତ୍ରୀ ସ୍କୁଲଗୁଡିକରେ ପିଲାଙ୍କୁ ମୌଳିକ ସୁବିଧା ଲାଗି ୬ହଜାର ଟଙ୍କା ଦିଆଯିବ । ମୋଟ୍ ଉପରେ ପ୍ରତି ସ୍କୁଲକୁ ୨୧ହଜାର୫୦୦ ଟଙ୍କା ଦିଆଯିବ । ପ୍ରତି ୩ବର୍ଷକୁ ଥରେ ଏହି ଅନୁଦାନ ପ୍ରଦାନ କରାଯିବ । ସେହିପରି ସ୍କୁଲ ମନିଟରିଂ ଲାଗି ପ୍ରତ୍ୟେକ ସ୍କୁଲକୁ ବାର୍ଷିକ ୫ହଜାର ଟଙ୍କା ମଧ୍ୟ ପ୍ରଦାନ କରାଯିବ । ଯେଉଁଥିରେ ଶିକ୍ଷକଙ୍କ ଲାଗି ତାଲିମ୍‌, ବିଭିନ୍ନ ପ୍ରତିଯୋଗୀତା, ପ୍ରଦର୍ଶନୀର ଆୟୋଜନ ଲାଗି ଖର୍ଚ୍ଚ କରାଯିବ ବୋଲି ଜଣାପଡ଼ିଛି ।
ସ୍କୁଲ ଓ ଗଣଶିକ୍ଷା ବିଭାଗର ଜଣେ ଅଧିକାରୀଙ୍କ କହିବା ଅନୁଯାୟୀ, ରାଜ୍ୟରେ ପ୍ରଥମରୁ ୫ମ ଶ୍ରେଣୀ ମଧ୍ୟରେ ୩୭ଲକ୍ଷ ୭୧ହଜାର ୨୪୯ଜଣ ଛାତ୍ରଛାତ୍ରୀ ପଢ଼ୁଥିବା ବେଳେ ଷଷ୍ଠରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କ ସଂଖ୍ୟା ୨୨ଲକ୍ଷ ୧ହଜାର ୬୨୧ ରହିଛି ।

ମୋଟ୍ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ମାତ୍ର ୨୨ପ୍ରତିଶତ ପିଲାଙ୍କର ସଠିକ ଭାବେ ଦକ୍ଷତା ବୃଦ୍ଧି ଘଟୁଥିବା ବେଳେ ୬୫ପ୍ରତିଶତ ପିଲା କ୍ରୀଡା ଏବଂ ବିଜ୍ଞାନରେ ପଛରେ ଥାନ୍ତି । ଏପରକି ସରକାରୀ ସ୍କୁଲଗୁଡିକରେ କେବଳ ପିଲାଙ୍କୁ ପାଠ୍ୟପୁସ୍ତକରେ ସିମିତ ରଖାଯାଉଥିବା ବେଳେ ଆସନ୍ତା ଶିକ୍ଷା ବର୍ଷରୁ ସରକାରୀ ସ୍କୁଲଗୁଡିକରେ ଷଷ୍ଟରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ପିଲାଙ୍କୁ ଜାତୀୟସ୍ତରର ପ୍ରଶିକ୍ଷଣ ପ୍ରଦାନ କରାଯାଇ ସେମାନଙ୍କ ମଧ୍ୟରେ ସବୁ କ୍ଷେତ୍ରରେ ମୁକାବିଲା କରିବାର ଦକ୍ଷତା ବୃଦ୍ଧି ଲାଗି ପ୍ରୟାସ କରାଯିବ ।

ଏନେଇ ମଧ୍ୟ ସେମାନଙ୍କର ଶିକ୍ଷାଦାନ ବ୍ୟବସ୍ଥାରେ କିଛି ପରିବର୍ତ୍ତନ ସହ କ୍ରୀଡା, କଳା, ସଂଗୀତ, ବିଜ୍ଞାନ ଆଦି ଯେଉଁ କ୍ଷେତ୍ରରେ ପିଲାଙ୍କର ରୁଚି ଥିବ ସମ୍ପୃକ୍ତ ବିଷୟରେ ଅଧିକ ଦକ୍ଷତା ବଢ଼ାଇବା ଲାଗି ଅତିରିକ୍ତ ପ୍ର୍ରୟାସ କରାଯିବ । ବିଶେଷକରି ଇଂରାଜୀ ମାଧ୍ୟମ ସ୍କୁଲ ଗୁଡିକରେ ପିଲାଙ୍କୁ ଯେପରି ଭାବେ ପ୍ରସ୍ତୁତ କରାଯାଉଛି ସେହିଭଳି ସୁବିଧା ଯୋଗାଇ ଦିଆଯିବ । ତେବେ ଏପରି ବ୍ୟବସ୍ଥା ଦେଶର ରାଜସ୍ଥାନ, ଆନ୍ଦ୍ରପ୍ରଦେଶ ଏବଂ କେରଳରେ ଲାଗୁ ହୋଇଥିବା ବେଳେ ଚତୁର୍ଥ ରାଜ୍ୟ ଭାବେ ଓଡ଼ିଶାରେ କାର୍ଯ୍ୟକାରୀ ହେବ । ସେଥିପାଇଁ ଅତିରିକ୍ତ ବ୍ୟୟ ବରାଦ ଯୋଜନା କରାଯିବ । ସମଗ୍ରଶିକ୍ଷାରେ ରାଜ୍ୟକୁ ଯେତିକି ଅନୁଦାନ ମିଳୁଛି ଆସନ୍ତାବର୍ଷ ଠାରୁ ଅନୁଦାନ ରାଶି ବଢ଼ାଇବା ଲାଗି ସ୍ୱତନ୍ତ୍ର ପ୍ରସ୍ତାବ ଦିଆଯିବ ।

Leave A Reply

Your email address will not be published.