କଟକ: ଦୁଷ୍କର୍ମ ଅଭିଯୋଗରେ ଫେରାର ମୌଲାନା ଗିରଫ । ଜାମସେଦପୁରରୁ ଗିରଫ କଲା ଜଗତପୁର ପୋଲିସ । ୨୦୧୮ ମସିହାରେ ଜଣେ ମହିଳା ଆଣିଥିଲେ ଦୁଷ୍କର୍ମ ଅଭିଯୋଗ । ତନ୍ତ୍ର ମନ୍ତ୍ର ବାହାନାରେ ମୌଲାନା ଦୁଷ୍କର୍ମ କରିଥିବା ଅଭିଯୋଗ କରିଥିଲେ । ଦୁଷ୍କର୍ମ ଅଭିଯୋଗ ପରେ ଫେରାର ଥିଲା ପଦ୍ମପୁର ମୁତାରିଫା ଗ୍ରାମର ମୌଲାନା ସେକ୍ ନଜିମୁଲ ଅରଫିନ୍ ଓରଫ ହାପିଜ୍ (୪୫) ।
ପୋଲିସର ସୂଚନା ଅନୁସାରେ, ପୀଡ଼ିତା ତାଙ୍କ ସ୍ୱାମୀଙ୍କ ମଦ ଛଡେଇବାକୁ ଉକ୍ତ ମୌଲାନାଙ୍କ ପାଖକୁ ଯାଇଥିଲେ । ୯ ମାସ ଔଷଧ ଖାଇଲେ ସ୍ୱାମୀ ମଦ ଛାଡିଦେବେ ବୋଲି ହାପିଜ ପ୍ରତିଶ୍ରୁତି ଦେଇଥିଲା । ତେଣୁ ପୀଡ଼ିତା ୨୦୧୮ ମସିହା ଜୁଲାଇ ୨୭ ତାରିଖରେ ଔଷଧ ପାଇଁ ତା’ ଘରକୁ ଯାଇଥିଲେ । ସେଠାରେ ଏକୁଟିଆ ପାଇ ହାପିଜ୍ ତାଙ୍କୁ ଦୁଷ୍କର୍ମ କରିଥିଲା । ଘଟଣା ସମ୍ପର୍କରେ କାହାକୁ କହିଲେ ଜୀବନରୁ ମାରିଦେବାକୁ ଧମକ ଦେଇଥିଲା ।
ପୀଡ଼ିତା ଧମକକୁ ଖାତିର ନ କରି ଜଗତପୁର ଥାନାରେ ଅଭିଯୋଗ କରିଥିଲେ । ଫଳରେ ଅଭିଯୁକ୍ତ ଫେରାର ହୋଇଯାଇଥିଲା । ଏହି ଘଟଣାକୁ ଦୀର୍ଘ ୮ବର୍ଷ ବିତିଯାଇଥିବାବେଳେ, ହାପିଜ୍ ଝାଡଖଣ୍ଡ ରହୁଥିବା ସମ୍ପର୍କରେ ପୋଲିସ ଏବେ ଖବର ପାଇଥିଲା । ସେଠାକୁ ଯାଇ ତାକୁ ଗିରଫ କରି କୋର୍ଟଚାଲାଣ କରିଛି ଜଗତପୁର ପୋଲିସ ।