Latest Odisha News

BREAKING NEWS

ମେଡିକାଲ ଛାତ୍ର ନିଶାନ୍ତ ମୃତ୍ୟୁ ଘଟଣା, ପିଏମଓକୁ ଟ୍ୟାଗ କରି ନ୍ୟାୟ ମାଗିଲେ ବାପା

ବଲାଙ୍ଗୀର: ଭୀମ ଭୋଇ ମେଡିକାଲ କଲେଜରେ ଦଶ ଦିନ ହେବ ଆଡମିଶନ ନେବା ପରେ ହଷ୍ଟେଲ ଛାତରୁ ଡେଇଁ ଆତ୍ମହତ୍ୟା କରିଥିବା ହରିଆଣାର କର୍ଣ୍ଣାଲ ନିବାସୀ ନିଶାନ୍ତଙ୍କ ମୃତ୍ୟୁର ତଦନ୍ତର ଗତି କୁଆଡେ ଗଲା ତାହା ଏବେ ପ୍ରଶ୍ନ ଘେରରେ । ଏହାରି ଭିତରେ ମୃତକଙ୍କ ବାପା ଓ ପରିବାର ଲୋକେ ନ୍ୟାୟ ପାଇଁ ସୋଶିଆଲ ମିଡିଆରେ କ୍ୟାମ୍ପେନ ବା ଅଭିଯାନ ଆରମ୍ଭ କରିଛନ୍ତି।

ମୃତ ନିଶାନ୍ତଙ୍କ ବାପା କ୍ରିଷ୍ମନ କୁମାର ଟୁଇଟ୍ କରି ଲେଖିଛନ୍ତି, ‘ମୋ ପୁଅ ନିଶାନ୍ତ କୁମାର, ବଲାଙ୍ଗୀର ମେଡିକାଲ କଲେଜର ଏମବିବିଏସ୍ ଛାତ୍ର । ସେ ଏନଇଇଟିରେ ପ୍ରଥମ ପ୍ରୟାସରେ ଯୋଗ୍ୟତା ଅର୍ଜନ କରି ଭୀମଭୋଇ ମେଡିକାଲ କଲେଜରେ ନାମ ଲେଖାଇଥିଲା। କିନ୍ତୁ କଲେଜର ଅସାବଧାନତା ଏବଂ ରାଗିଂର ଶିକାର ସହି ନପାରି ପ୍ରାଣ ହରାଇଛି’। ଏଥିପାଇଁ ସେ ହ୍ୟାଶଟ୍ୟାଗ #justiceforNishant ନାଁରେ ଏକ କମ୍ପାନ ଆରମ୍ଭ କରିଛନ୍ତି । ଏହି ପୋଷ୍ଟ କରିବା ବେଳେ ମୃତକଙ୍କ ବାପା ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ, ଗୃହମନ୍ତ୍ରୀ ଅମିତ ଶାହ, ହରିଆଣା ମୁଖ୍ୟମନ୍ତ୍ରୀ, ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ଟ୍ୟାଗ କରିଛନ୍ତି।

ଉଲ୍ଲେଖଯୋଗ୍ୟ, ବଲାଙ୍ଗୀର ପୁଲିସ ଏହି ମାମଲାର ତଦନ୍ତ କରୁଛି । ଏବଂ ତଦନ୍ତ ବେଳେ କେବଳ ମିଡିଆକୁ ଶେଷ ଥର ପୁଲିସ କହିଛି ଯେ ମୃତକ ଛାତ୍ର ସଙ୍ଗୀତ ପ୍ରତି ଅଧିକ ରୁଚି ରଖିଥିଲେ। ହେଲେ ଏଠାରେ ସେ ସଙ୍ଗୀତ ଶିଖିପାରୁନଥିଲେ । ସେ ବଳପୂର୍ବକ ଭାବେ ମେଡିକାଲରେ ନାମ ଲେଖାଇଥିଲେ । ପୋଲିସ ଏହା ବିଭିନ୍ନ ମିଡିଆ ପ୍ରତିନିଧିଙ୍କୁ ତଦନ୍ତ ପରେ ଏପରି କିଛି ତଥ୍ୟ ଦେଇଥିଲା। ହେଲେ ଏହାର ପ୍ରମାଣ କଣ ରହିଛି ତାହା ଦେଖାଇନି ପୋଲିସ। କାରଣ କଲେଜର ଭାବମୂର୍ତ୍ତିକୁ ବଞ୍ଚାଇବାକୁ ଯାଇ ଜିଲ୍ଲା ପ୍ରଶାସନ, କଲେଜ କର୍ତ୍ତୃପକ୍ଷ ଚକ୍ରାନ୍ତ କରିଥାଇପାରନ୍ତି ବୋଲି ସନ୍ଦେହ ଉଠୁଛି ।

କାରଣ ବିଭିନ୍ନ ନ୍ୟୁଜ ଚ୍ୟାନେଲରେ ଏକ ଭିଡିଓ ନିକଟରେ ପ୍ରସାରଣ ହୋଇଥିଲା। ଯେଉଁଥିରେ ମୃତ ନିଶାନ୍ତଙ୍କ ସର୍ଟ ପକେଟରୁ କିଛି ଡକ୍ୟୁମେଣ୍ଟ ଜଣେ କେହି ବାହାର କରୁଥିବା ଦେଖିବାକୁ ମିିଳିଛି। ସେ ସମୟରେ ମେଡିକାଲ କଲେଜ କର୍ତ୍ତପକ୍ଷ ଉପସ୍ଥିତ ଥିଲେ। ତେଣୁ ମୃତକଙ୍କ ପକେଟରୁ କୌଣସି ଜିନିଷ ପୋଲିସ ବ୍ୟତୀତ ଅନ୍ୟ ଜଣେ ଛୁଇଁବା ଆଇନକୁ ଫୁ କରି ଉଡାଇବା ସହିତ ସମାନ। ଯାହାର ଜବାବ ରଖିନି ବଲାଙ୍ଗୀର ପୁଲିସ।

ସୂଚନାଯୋଗ୍ୟ, ମୃତ୍ୟୁ ପୂର୍ବରୁ ରାଗିଂର ଶିକାର ହେଉଥିବା ନେଇ ନିଶାନ୍ତ ତାଙ୍କ ପରିବାର ଲୋକଙ୍କୁ ଫୋନ୍ କରିବା ସହିତ ହ୍ୱାଟସଆପରେ ଚାଟିଂ କରି କହିଥିଲେ। ଅନ୍ୟପଟେ ମୃତ୍ୟୁ ପୂର୍ବରୁ ସେ ତାଙ୍କର ସମସ୍ତ ହ୍ୱାଟସଆପ ଚାଟ ଡିଲିଟ୍ କରି ଦେଇଥିଲେ। ତେଣୁ ପୋଲିସ ଏବେ ନିଶାନ୍ତଙ୍କ ଲାପଟପ, ମୋବାଇଲ ଆଦି ଜବତ କରି ତଦନ୍ତ କରୁଛି।

Leave A Reply

Your email address will not be published.