ରାଜଗଡ: ନଦୀରେ ପାଣି କମ୍, ବେଶୀ ଥିଲା ଅଳିଆ…ଚାରିଆଡ଼େ ପଲିଥିନ୍ ଓ ଆବର୍ଜନାରେ ପୂରିଥିଲା ନଦୀ। ଏଭଳି ଦୃଶ୍ୟ ଦେଖି ଅନେକେ ମୁହଁ ଫେରାଇ ନିଅନ୍ତି। କିନ୍ତୁ ମଧ୍ୟପ୍ରଦେଶର ଜଣେ ୨୧ ବର୍ଷୀୟ ଛାତ୍ର ସେଇ ନଦୀକୁ କିପରି ନୂଆ ଜୀବନ ଦେଇଛନ୍ତି, ତାହା ଏବେ ସବୁଠି ପ୍ରଶଂସିତ । ନିଜ ହାତରେ ଆବର୍ଜନା ସଫା କରି ସେ ଏବେ ପାଲଟିଛନ୍ତି ଚର୍ଚ୍ଚାର କେନ୍ଦ୍ର। ତେବେ ବିଟ୍ଟୁଙ୍କ ଏଭଳି ନିଆରା ପ୍ରୟାସ ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଯାଦବ ତାଙ୍କୁ ନିଜ ବାସଭବନକୁ ଡାକି ସମ୍ମାନିତ କରିବା ସହ ଭୁରି ଭୁରି ପ୍ରଶଂସା କରିଛନ୍ତି ।
ବିଆଓରାର ଅଞ୍ଜାର ନଦୀକୁ ସଫା କରିବାର ଦାୟିତ୍ୱ ନେଇଛନ୍ତି BSc ଛାତ୍ର ସୁରେନ୍ଦ୍ର ସିଂହ ଚୌଧୁରୀ। ସୋସିଆଲ ମିଡିଆରେ ‘ବିଟ୍ଟୁ ତବାହୀ’ ନାମରେ ପରିଚିତ ସୁରେନ୍ଦ୍ର ୨୬ ଜାନୁଆରୀ ୨୦୨୬ରୁ ଏହି ଅଭିଯାନ ଆରମ୍ଭ କରିଥିଲେ। ପ୍ରଥମେ ପ୍ରଥମେ କିଛଇ ସାଙ୍ଗଙ୍କ ସହ ମିଶି ବିଟ୍ଟୁ ନଦୀ ସଫା ମିଶନରେ ବାହାରିଥିବା ବେଳେ ଅଧାବାଟରେ ସମସ୍ତେ ହାତ ଛାଡିଦେଇଥିଲେ । ନଦୀରୁ ଆବର୍ଜନା ଓ ପଲିଥିନ୍ ବାହାର କରିବା ବେଳେ ସାପର ସାମ୍ନା ହେବାଠାରୁ ଆରମ୍ଭ କରି ହାତ-ଗୋଡ଼ରେ ସଂକ୍ରମଣ ଭଳି ସମସ୍ୟା ପରେ ତାଙ୍କ ସାଙ୍ଗମାନେ ଆଉ ତାଙ୍କୁ ଏହି କାମରେ ସହଯୋଗ କରିନଥିଲେ । ହେଲେ ବିଟ୍ଟୁଙ୍କ ଆକିରେ ଥିଲା ନଦୀକୁ ପୁଣି ଥରେ ଜୀବନ୍ତ କରିବାର ସ୍ବପ୍ନ । ଆଉ ସେହି ସ୍ବପ୍ନ ଆଗରେ ସବୁ ବାଧା ଫେଲ୍ ମାରିଥିଲେ । ଲୋକେ ବି ତାଙ୍କୁ ତାତ୍ସଲ୍ୟ କରିଥିଲେ । ହେ..ଇଏ ସୋସିଆଲ ମିଡିଆ ପାଇଁ ସବୁ ନାଟ…ହେଲେ ହାର୍ ମାନି ନଥିଲେ ବିଟ୍ଟୁ । ନିଜ ହାତରେ ଗୋଟି ଗୋଟି କରି ଅଳିଆ କାଢି, ସେ ଏହି ନଦୀକୁ ଶେଷରେ ପୁଣି ଥରେ ଜୀବନ୍ତ କରିବାରେ ସଫଳ ହୋଇଥିଲେ ।
ସେ ନଦୀର ପୂର୍ବ ଓ ପରବର୍ତ୍ତୀ ଅବସ୍ଥାର ଫଟୋ ସୋସିଆଲ ମିଡିଆରେ ସେୟାର କରି ଲୋକଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ତାଙ୍କ ପରବର୍ତ୍ତୀ ଫଟୋରେ ସତେ ଯେପରି ହସୁଛି ନଦୀ । ଯାହା ଫଟୋ ଏବଂ ଭିଡିଓ ଭାଇରାଲ ହେବା ପରେ ଏବେ ଚାରିଆଡୁ ଛୁଟିଛି ବିଟ୍ଟୁଙ୍କୁ ପ୍ରଶଂସା । ବିଟ୍ଟୁଙ୍କ ନଦୀ ସଫେଇ ଅଭିଯାନକୁ ଏବେ କେବଳ ସ୍ଥାନୀୟ ପ୍ରଶାସନର ସମର୍ଥନ ମିଳୁନାହିଁ, ଅନ୍ତର୍ଜାତୀୟ ସ୍ତରରୁ ମଧ୍ୟ ଆସିଛି ପ୍ରଶଂସା। ତାଙ୍କ କାମର ଫଟୋ ସୋସିଆଲ ମିଡିଆରେ ସେୟାର ହେବା ପରେ, ବିଶ୍ୱର ସମୁଦ୍ର ଓ ଜଳପଥରୁ ପ୍ଲାଷ୍ଟିକ୍ ଆବର୍ଜନା ହଟାଇବା ପାଇଁ କାମ କରୁଥିବା ‘ଦ ଓସନ୍ କ୍ଲିନଅପ୍’ ସଂଗଠନର CEO ବୋୟାନ୍ ସ୍ଲାଟ୍ ମଧ୍ୟ ଏହା ଉପରେ ପ୍ରତିକ୍ରିୟା ଦେଇଛନ୍ତି। ବିଟ୍ଟୁ ଏବଂ ନଦୀର ସଫେଇ ପୂର୍ବ ଓ ପରର ଫଟୋ ଥିବା ଏକ ପୋଷ୍ଟ ଦେଖି ସ୍ଲାଟ୍ ସିଧାସଳଖ ଲେଖିଥିଲେ, “ଆସନ୍ତୁ ଆମ ସହ କାମ କରନ୍ତୁ।”
ଅପରପକ୍ଷେ ତାଙ୍କ ଉଦ୍ୟମ ଦେଖି ଏବେ ବିଆଓରା ପୌରପାଳିକା ମଧ୍ୟ ସହଯୋଗର ହାତ ବଢ଼ାଇଛି। ପୋକ୍ଲେନ୍ ଭଳି ଭାରୀ ଯନ୍ତ୍ର ଲଗାଇ ନଦୀରେ ଜମିଥିବା ପୁରୁଣା ଆବର୍ଜନା ଓ ପଲିଥିନ୍ ହଟାଯାଉଛି। ସ୍ଥାନୀୟ ଲୋକମାନେ ମଧ୍ୟ ଏହି ସଫେଇ ଅଭିଯାନରେ ସାମିଲ ହୋଇଛନ୍ତି।
ତେବେ ନଦୀର ପ୍ରକୃତ ସମସ୍ୟା କେବଳ ଆବର୍ଜନା ନୁହେଁ। ପାଞ୍ଚଟି ବଡ଼ ଡ୍ରେନ୍ରୁ ଅଶୋଧିତ ଦୂଷିତ ପାଣି ନଦୀକୁ ପ୍ରବେଶ କରୁଛି। ଏହାକୁ ରୋକିବା ପାଇଁ ପ୍ରାୟ ୧୪.୭୭ କୋଟି ଟଙ୍କା ବ୍ୟୟରେ ସ୍ୱେଜ୍ ଟ୍ରିଟମେଣ୍ଟ ପ୍ଲାଣ୍ଟ୍ (STP) ନିର୍ମାଣ ପାଇଁ ପ୍ରସ୍ତାବ ରହିଛି।
ପୌରପାଳିକା ପକ୍ଷରୁ ପ୍ରତିବର୍ଷ ମୌସୁମୀ ବର୍ଷା ପୂର୍ବରୁ ନଦୀ ଓ ଡ୍ରେନ୍ ସଫା କରାଯାଏ। ବର୍ଷା ସମୟରେ ପାଣିର ପ୍ରବାହ ମଧ୍ୟ କିଛି ଆବର୍ଜନା ଭସାଇ ନେଇଥାଏ। ଅଧିକାରୀମାନେ ବିଟ୍ଟୁଙ୍କ ସେୟାର କରିଥିବା ‘ପୂର୍ବ-ପର’ ଫଟୋଗୁଡ଼ିକ ବାସ୍ତବ ଘଟଣା ଉପରେ ଆଧାରିତ ବୋଲି କହିଛନ୍ତି।
ଜଣେ ଯୁବକଙ୍କ ଛୋଟ ପଦକ୍ଷେପ ଏବେ ପ୍ରଶାସନ ଓ ସାଧାରଣ ଲୋକଙ୍କୁ ଏକାଠି କରିଛି। ‘ବିଟ୍ଟୁ ତବାହୀ’ଙ୍କ କାହାଣୀ ଗୋଟିଏ କଥା ମନେ ପକାଇ ଦେଉଛି, ପ୍ରକୃତିକୁ ବଞ୍ଚାଇବା ପାଇଁ ସବୁବେଳେ ବଡ଼ ପଦବୀ ନୁହେଁ, ବଡ଼ ଇଚ୍ଛାଶକ୍ତି ଦରକାର।

